Unknown

 

 

 

 

 

 

 

 

 

ନେପାଳ ପଥେ

ଶ୍ରୀ ଚିତ୍ତରଞ୍ଜନ ଦାସ

 

ମୂଳରେ ପଦେ

 

ମଣିଷର ମନକୁ ଯଦି ଦୁଇ ଭାଗ କରି ଦିଆଯାଏ, ତେବେ ଗୋଟିଏ ହେବ ତା’ର ପୋଷାକୀ ମନ, ଆଉ ଗୋଟାଏ ଆଠପହରୀ । ପୋଷାକୀ ମନଟା ବିଚିତ୍ର ସଂସାରର ନାନା ସ୍ଥାନରେ ନାନା ଜ୍ଞାନ ଆହରଣ କରି ବୁଲେ, ଆଉ ଆଠପହରୀ ମନ ତାକୁ ତରାଜୁରେ ଓଜନ କରି ତା’ର ସତ୍ୟାସତ୍ୟ ପରୀକ୍ଷା କରେ । ଇନ୍ଦ୍ରିୟଦ୍ୱାର ସାହାଯ୍ୟରେ ଜଗତର ଯାବତୀୟ ଘଟଣାକୁ ଆପାଣାର କରି ନେଇ ଆସିବା ହେଉଛି ପ୍ରଥମର କାମ, ଏଇ ଇନ୍ଦ୍ରିୟଲବ୍‍ଧ ଜ୍ଞାନକୁ ମାପିଚୁପି ନିହିତ ସତ୍ୟକୁ ଅବଧାରଣ କରିବା କାମ ହେଉଛି ଦ୍ୱିତୀୟର । ପ୍ରଥମଟି ପିପାସୁ, ଦ୍ୱିତୀୟଟି ଜିଜ୍ଞାସୁ-। ପିପାସୁ ମନ ସବୁ ରସାଶୟରୁ ରସପାନ କରି ବୁଲେ, ସ୍ଥାୟୀ ଅସ୍ଥାୟୀର କୌଣସି ତାରତମ୍ୟ ସେ ରଖେ ନା । ସେ ସବୁ ଅଜାଡ଼ି ଦିଏ, ଜିଜ୍ଞାସୁ ମନ ସେଥିରୁ ସାରତକ ବାଛି ନିଜ ଭିତରେ ଧାରଣ କରି ରଖେ ।

 

ଏଇ ପୁସ୍ତିକାଟିର ପୃଷ୍ଠା ଉପରେ ଯାହାସବୁ ଲିପିବଦ୍ଧ କରାଯାଇଛି, ସେ କେବଳ ଏଇ ପିପାସୁ ମନର ରସଗ୍ରହଣର ଇତିହାସ; ଧାରଣ କରିବା ଆଗରୁ ଚାରଣ ପରି ସେ କେବଳ ତା’ର ରସାସ୍ୱାଦନର ଅଭିଜ୍ଞତାମାନ କହି ଯାଇଛି । ନେପାଳ ଦେଖାର ସେଇ କେତୋଟି ଦିନ ଭିତରେ ଯେଉଁଠି ଯାହାସବୁ ତା’ଉପରେ ଯେପରି ଛାପ ପକାଇଛି, ସେ କେବଳ ସେଇ ଛାପଗୁଡ଼ିକୁ ଭାଷାର ଭୂଷଣ ଦେଇ ପାଠକକୁ ପରିବେଷଣ କରିବାରେ ଆନନ୍ଦ ପାଇଛି ।

 

ଆଗ କାଳର ଇତିହାସର ସନ୍ଧାନ ମିଳେ ମୁଖ୍ୟତଃ ଏଇ ଭ୍ରମଣ କାହାଣୀରେ । ସ୍ୱତନ୍ତ୍ରଭାବରେ ସମସାମୟିକ ଇତିହାସ ଲେଖିବାର ଦୃଷ୍ଟାନ୍ତ ସେ ଯୁଗରେ ଅତି ବିରଳ । ଜ୍ଞାନପ୍ରାପ୍ତି, ଧର୍ମ ପ୍ରଚା଼ର ଓ ଦୌତ୍ୟ କାର୍ଯ୍ୟରେ ଯେଉଁମାନେ ବିଦେଶକୁ ଯାଉଥିଲେ, ସେଇମାନଙ୍କର ଯାତ୍ରା ବିବରଣୀରୁ ହିଁ ତତ୍କାଳୀନ ସମାଜ, ଧର୍ମ ଓ ରାଜ୍ୟଶାସନର ଇତିହାସ ଜଣାଯାଏ ।

 

ଏ ପୁସ୍ତିକାଟି ମଧ୍ୟ ଭ୍ରମଣକାହାଣୀ; କିନ୍ତୁ ଭବିଷ୍ୟତର ବଂଶଧର ପାଇଁ ଇତିହାସ ଲେଖି ରଖିବା ଏହାର ଉଦ୍ଦେଶ୍ୟ ନୁହେଁ ।

 

ଲୋକ ଆଖିରେ ନେପାଳ ଆଜିଯାଏ ଅସ୍ପଷ୍ଟ ଓ ରହସ୍ୟମୟ ହୋଇ ରହିଥିଲା । ଏଇ ପାର୍ବତ୍ୟ ଅଞ୍ଚଳଟିର ସମ୍ବନ୍ଧରେ ନାନା ମନଗଢ଼ା ଗପ ସମସ୍ତଙ୍କୁ ଚିରଦିନ ଚକିତ କରି ଆସିଛି । ପଶୁପତିନାଥ ମନ୍ଦିରର ଶିବବିଗ୍ରହରେ ପର୍ଶୁପଥର ଥିବାର କଳ୍ପିତ କାହାଣୀ କାହାକୁ ଅବିଦିତ ନୁହେଁ-। ଅନେକେ ନେପାଳକୁ ଏକ ଶସ୍ୟ ଓ ସମୃଦ୍ଧିଶାଳୀ ରାଜ୍ୟ ବୋଲି ଭାବିଥାନ୍ତି, ଏଠିକା ଲୋକେ ଦୁଧ ଘିଅ ପ୍ରଭୃତି ପୁଷ୍ଟିକର ଖାଦ୍ୟ ଖାଇ ବେଶ୍ ହୃଷ୍ଟପୁଷ୍ଟ ହୋଇଥାନ୍ତି ବୋଲି ଅନେକଙ୍କର ଧାରଣା ।

 

ନେପାଳରେ ନବଜାଗରଣର ପର୍ବ ଆରମ୍ଭ ହୋଇଛି । ନେପାଳର ଗୁର୍ଖା ଆଜି ପର୍ଯ୍ୟନ୍ତ ଖାଲି ରାଜଭକ୍ତ ସିପାହୀ ସାଜି ହୁକୁମ ତାଲିମ କରି ଆସୁଥିଲା । କିନ୍ତୁ ଆଜି ସବୁ ଉପଜାତି ମିଳି ନିଜକୁ ‘ନେପାଳୀ’ କହିବାର ଜାତୀୟ ଚେତନା ସେଠି ନୂତନରୂପେ ଜନ୍ମଲାଭ କଲାଣି । ନେପାଳରେ ମଧ୍ୟ ଭୋକୀ ଉପାସୀ ଅଛନ୍ତି, ନେପାଳର ଟାଙ୍ଗରକନ୍ଦାରାର ୬୭୦୦୦ ଅଧିବାସୀ ମଧ୍ୟ ଭବିଷ୍ୟତର ସମୃଦ୍ଧ ଯୁଗପାଇଁ ଅଣ୍ଟାଭିଡ଼ି ବାହାରିଲେଣି । ଏଇ ଆସନ୍ନ ବିପ୍ଳବର ସୈନିକ ରୂପେ ନେପାଳୀ ମଧ୍ୟ ଭାରତୀୟ ସାଙ୍ଗକୁ ଗୋଟିଏ ଶିବିରର ସେନାପରି ନିଜକୁ ସଜ୍ଜିତ କଲାଣି । ଆଗାମୀ ସଂହାରଯୁଗରେ ନେପାଳ ଓ ଭାରତର ପରିଚୟ ଅତି ନିକଟତର ହୋଇଯିବ ।

 

ସଂହାର ପରେ ଯେଉଁ ସୃଷ୍ଟିପର୍ବ ଆସିବ, ସେଥିରେ ମଧ୍ୟ ନେପାଳର ସ୍ଥାନ ଭାରତର ପାଖେ ପାଖେ ରହିବ । ଅତୀତରେ ଭାରତର ଧର୍ମ, ଆଚାର ଓ ସମାଜନୀତି ନେପାଳର ସାଂସ୍କୃତିକ ଜୀବନକୁ ନାନାଭାବେ ଗଢ଼ିମାଜି ଆସିଛି । ଆଗାମୀ କାଳରେ ଏଇ ଆଦାନପ୍ରଦାନର ସମ୍ପର୍କ ଆହୁରି ନିବିଡ଼ ହେବ ।

 

ସେଇଥିଲାଗି, ଜଣେ ଭାରତୀୟ ହିସାବରେ ନେପାଳକୁ ଜାଣିବା ଓ ତା’ର ଅନ୍ତର୍ନିହିତ ପ୍ରାଣଶକ୍ତିକୁ ଠାବ କରି ରଖିବାରେ ମୁଁ ଏତେ ଉତ୍ସାହ ଓ ଆନନ୍ଦ ପାଇଛି । ଦଶଜଣଙ୍କୁ ଉତ୍ସାହ ଓ ଆନନ୍ଦ ଦେଇ ପାରିଲେ ଜଣକର ଉତ୍ସାହ ଓ ଆନନ୍ଦ ବଢ଼େ ସିନା, କିନ୍ତୁ କମେନା । ସେଇ ଆଶାରେ ହିଁ ଏଇ ପୁସ୍ତିକାଟି ଲେଖାଯାଇଛି ।

•••

 

ପ୍ରକାଶକୀୟ

 

ସବୁ ମଣିଷ କେବେହେଲେ କାହାଣୀଟିଏ ଲେଖିପାରନ୍ତି ନାହିଁ । ଜୀବନକୁ ଭଲଭାବେ ଅଙ୍ଗେ ନିଭାଇଥିବା ମଣିଷ ଯଦି ଇଚ୍ଛା କରେ ହୁଏତ ସେ ତା’ର ଅଙ୍ଗେନିଭା ଅନୁଭବଗୁଡ଼ିକୁ ନେଇ କାହାଣୀଟିଏ ଲେଖି ଦେଇପାରେ । ଆଉ ଭ୍ରମଣ କାହାଣୀ ଲେଖିବା ତ ଅନେକ ଦୁରୂହ ବ୍ୟାପାର । ସଂସାରରେ କେତେ ମଣିଷ କେତେ କେତେ ସ୍ଥାନକୁ ଭ୍ରମଣରେ ଯାଆନ୍ତି । କିନ୍ତୁ ଭ୍ରମଣ କରୁଥିବା ସ୍ଥାନଗୁଡ଼ିକୁ ଦେଖୁ ଦେଖୁ ସେମାନେ ବେଳେ ବେଳେ ଏମିତି ଭ୍ରମରେ ପଡ଼ିଯାଆନ୍ତି ଯେ ସେତେବେଳେ ସେମାନେ ଭ୍ରମଣ କରୁଥିବା ସ୍ଥାନଗୁଡ଼ିକରୁ ଆଉ କୌଣସି ରସ ଆସ୍ୱାଦନ କରିପାରନ୍ତି ନାହିଁ । ସେମାନେ ସାରା ଜୀବନର ଏମିତି ସଂସାର ବଜାରରେ ଭ୍ରମଣ କରୁଥାନ୍ତି ସତ, ହେଲେ କାହିଁକି କେଜାଣି, ଭ୍ରମରେ ପଡ଼ି ଯାଇଥିବାରୁ ସେମାନେ କେବେହେଲେ ସେଇ ଭ୍ରମଣରୁ କୌଣସି ଆନନ୍ଦ ପାଇପାରୁ ନ ଥାଆନ୍ତି ।

 

ଆଉ ଏମିତି ବି ଥୋକେ ମଣିଷ ଅଛନ୍ତି, ଯେଉଁମାନେ କି ନିଜର ଏକାଧିକ ଇନ୍ଦ୍ରିୟ ମଧ୍ୟଦେଇ ଏ ସଂସାରର ବିଭିନ୍ନ ସ୍ଥାନରୁ ବିଭିନ୍ନ ଭାବରେ ରସ ଅସ୍ୱାଦନ କରିପାରନ୍ତି । ତା’ଦ୍ୱାରା ସେମାନେ ସ୍ୱୟଂ ନିଜେ ଯେ ଆନନ୍ଦିତ ହୁଅନ୍ତି, ସେ କଥା ନୁହେଁ; ବରଂ ସେଇ ରସଆସ୍ୱାଦନର କାହାଣୀଗୁଡ଼ିକୁ ଲିପିବଦ୍ଧ କରିଦେଇ ସେମାନେ ଅନେକ ମଣିଷଙ୍କର ଜୀବନରେ ଆନନ୍ଦର ଲହରୀ ଖେଳାଇ ଦିଅନ୍ତି ।

 

ଏଇପରି ଜଣେ ମଣିଷ ହେଉଛନ୍ତି ଶ୍ରୀ ଚିତ୍ତରଞ୍ଜନ ଦାସ ବା ଚିତ୍ତ ଭାଇ । ଭ୍ରମଣ କାହାଣୀ ମଧ୍ୟରେ ଏଇଟି ହେଉଛି ତାଙ୍କର ପ୍ରଥମ ଭ୍ରମଣ କାହାଣୀ । ଶାନ୍ତିନିକେତନରୁ ଛାତ୍ରବୟସରେ ସେ ଭାରତବର୍ଷର ପଡ଼ୋଶୀ ଦେଶ ନେପାଳଦେଶର କାଠମାଣ୍ଡୁ ସହରକୁ କୋତୋଟି ଦିନପାଇଁ ଯାଇଥିଲେ । ସେଇ କେତୋଟି ଦିନର କାହାଣୀ ହିଁ ହେଉଛି ଏଇ “ନେପାଳ ପଥେ”ର କାହାଣୀ । ଦୀର୍ଘ ଅର୍ଦ୍ଧଶତାବ୍ଦୀରୁ ଅଧିକ ବର୍ଷ ତଳର କାହାଣୀ ଏଇଟି । ଏବେ ଦୀର୍ଘ ଅର୍ଦ୍ଧଶତାବ୍ଦୀ ପରେ ନେପାଳଦେଶର ସାହିତ୍ୟ, ସଂସ୍କୃତି ତଥା ମଣିଷର ନିତିଦିନିଆ ଚାଲିଚଳନରେ ଅନେକ ପରିବର୍ତ୍ତନ ହେଲାଣି । ତଥାପି ପୁସ୍ତକଟିରେ ବର୍ଣ୍ଣିତ ନେପାଳଦେଶର ଭୌଗୋଳିକ, ଐତିହାସିକ ତଥା ସାଂସ୍କୃତିକ ପରିବେଶ ଇତ୍ୟାଦିକୁ ପାଠକଲେ ପାଠକକୁ ମନେହେବ ସତେ ଯେପରି ସ୍ୱୟଂ ସେ ନିଜେ ନେପାଳ ପରିଭ୍ରମଣରେ ବାହାରିଛି ।

 

ଚିତ୍ତଭାଇଙ୍କର ଏଇ ପ୍ରଥମ କାହାଣୀଟିକୁ ଚତୁର୍ଥ ଥର ପାଇଁ ପ୍ରକାଶ କରି ଆଜି “ପଥିକ ପ୍ରକାଶନୀ” ନିଜକୁ ଖୁବ୍ ଆନନ୍ଦିତ ଅନୁଭବ କରୁଛି । ଆଶା କରୁଛି ଯେ ପୁସ୍ତକଟିରେ ଯଦି କିଛି ମୁଦ୍ରଣଗତ ତ୍ରୁଟି ପରିଲକ୍ଷିତ ହୁଏ, ତାହା ଆପଣମାନେ ଦୟାକରି ଆମକୁ ଜଣାଇଲେ ଆମେ ଆପଣମାନଙ୍କ ନିକଟରେ କୃତଜ୍ଞ ରହିବୁ ।

ପ୍ରକାଶକ

•••

 

ନେପାଳ ପଥେ

 

ନେପାଳ ଭାରତର ବାହାରେ । ଭୂଗୋଳ, ଇତିହାସ, ରାଜ୍ୟଶାସନ ଓ ସମାଜବ୍ୟବସ୍ଥା, ସବୁ ଦୃଷ୍ଟରୁ ଦେଖିଲେ ନେପାଳ ଭାରତଠାରୁ ଅଲଗା ହୋଇ ରହିଛି । କୋଉ କାଳେ ହୁଏତ ଆମ ଦେଶର ଜୀବନ ସାଙ୍ଗରେ ନେପାଳର ଖୁବ୍ ସମ୍ପର୍କ ଥିଲା, ଆମ ଦେଶର ସମାଜ ଓ ଧର୍ମର ପ୍ରତ୍ୟକ ଅଦଳବଦଳର ପ୍ରତିକ୍ରିୟା ହୁଏତ ନେପାଳ ଉପରେ ଯଥେଷ୍ଟ ପ୍ରଭାବ ପକାଉଥିଲା; କିନ୍ତୁ ଆଜି ଲୋକମୁଖରୁ ସେସବୁ ପାସୋରି ଗଲାଣି ।

 

ନେପାଳ ଇଂରେଜ ସରକାରଙ୍କର ମିତ୍ରରାଜ୍ୟ । ନେପାଳର ରାଜା ସ୍ୱାଧୀନ ରାଜା, ଶାସନକ୍ଷେତ୍ରରେ ନେପାଳ ଭାରତର କୌଣସି ସମ୍ପର୍କରେ ଆସିନାହିଁ । ବିଶେଷତଃ ଏଇ କାରଣରୁ ଏତେ ପାଖରେ ଥାଇ ମଧ୍ୟ ଆଜିଯାଏ ନେପାଳ ଗୋଟାଏ ରହସ୍ୟ ହୋଇ ରହିଛି । ଭାରତର ଚିନ୍ତାଧାରା, ଭାରତର ରାଜନୈତିକ ପ୍ରଗତି ସହିତ ଅନେକ ଦିନରୁ ତା’ର ସମ୍ବନ୍ଧ ତୁଟି ଯାଇଛି ।

 

ନେପାଳ ବିଷୟରେ ନାନା ଗଳ୍ପଗୁଜବ ଶୁଣାଯାଏ,-ଠିକ୍ କାମାକ୍ଷା କାମରୂପର ଅଜବ କଳ୍ପିତକଥା ପରି । ନେପାଳର ପଶୁପତିନାଥ, ସେଠିକା ରାଜା ଓ ମହାରାଜା ଏ ଦେଶରେ ଚିରଦିନ ରହସ୍ୟ ପରି ରହିଆସିଛନ୍ତି । ନେପାଳ ଯିବାଲାଗି ଖଣ୍ଡେ ଭଲ ରାସ୍ତା ଏପର୍ଯ୍ୟନ୍ତ ତିଆରି ହୋଇନାହିଁ । ସେଠିକି ଯିବାକୁ ହେଲେ ନେପାଳ ସରକାଙ୍କର ଅନୁମତି ଲୋଡ଼ା-ଏଇସବୁ କାଇଦାକଟକଣା ନେପାଳକୁ ଆହୁରି ଅନ୍ଧାରରେ ପକାଇ ରଖିଛି ।

 

ଥରେ ନେପାଳ ବୁଲିଆସି ଏସବୁ ରହସ୍ୟ ଭେଦ କରିବାର ଇଚ୍ଛା ଅନେକ ଦିନରୁ ଥିଲା-। ସବୁଠୁଁ ବେଶୀ ଯିଏ ମୋତେ ସେଇ ଆଡ଼କୁ ନିୟତ ଟାଣି ନେଉଥିଲା, ସେ ହେଉଛି ହିମାଳୟର ସାନ୍ନିଧ୍ୟ । ପିଲାଟି ଦିନରୁ ପଢ଼ିଛି ଉଚ୍ଚପର୍ବତରେ ବରଫ ପଡ଼େ, ବଡ଼ ହୋଇ କାବ୍ୟ କବିତା ଓ ଭ୍ରମଣକାହାଣୀରେ ହିମାଳୟର ଅପରୂପ ବର୍ଣ୍ଣନା ସହିତ ମଧ୍ୟ ପରିଚୟ ଘଟିଛ; କିନ୍ତୁ କିପରି ଆଖି ଆଗରେ ସେଇ ଝଲମଲ ବରଫସ୍ତୂପକୁ ପାଇପାରିବି, ସେଥିଲାଗି ମନ ଅନେକ ଦିନରୁ ଉଚ୍ଛନ୍ନ ହେଉଥିଲା ।

 

ଭାରତବର୍ଷକୁ ଯଦି ଗୋଟିଏ ପରିବାର ପରି ଧରାଯାଏ, ତା’ହେଲେ ଶାନ୍ତିନିକେତନର ତା’ଭିତରେ ପିଲାଙ୍କର ଖେଳଘର ପରି । କବିଗୁରୁଙ୍କ ସାଧନା ଫଳରେ ସବୁ ପ୍ରଦେଶରୁ ପିଲାଏ ଆସି ଏଇ କ୍ରୀଡ଼ାତୀର୍ଥରେ ଏକତ୍ର ହୋଇଛନ୍ତି, ଖେଳିବା ସଙ୍ଗେ ସଙ୍ଗେ ଜୀବନର ବିସ୍ତୃତର ଖେଳଲାଗି ନିଜକୁ ତିଆରି କରୁଛନ୍ତି । ଏଠିକାର ସାଙ୍ଗମେଳ ଭିତର ଦେଇ ନାନା ପ୍ରଦେଶର ଗାଁ, ନଈ, ନାଳ ବଣ ପାହାଡ଼ ଏବଂ ମଣିଷଙ୍କର ନିକଟ ପରିଚୟରେ ଆସିବା ସୁଯୋଗ ଏଇଠାରେ ମିଳେ । ଛାତ୍ରବାସର ଗୋଟିଏ ଘରେ ହୁଏତ ଉତ୍ତର ଦକ୍ଷିଣ ପଶ୍ଚିମ ପୂର୍ବର ମିଳନ ହୁଏ । ନାନା ଗଳ୍ପ ଓ ନାନା ଚର୍ଚ୍ଚାର ଭିତର ଦେଇ ସାରା ଦେଶର ଦୂରତା ଯେପରି ଗୋଟିଏ ଏକକରେ ଲୀନ ହୋଇଯାଏ ।

 

୧୯୪୬ ଜୁଲାଇ ମାସ । ଗ୍ରୀଷ୍ମଛୁଟି ସାରି ନୂଆବର୍ଷର ପାଠ ଆରମ୍ଭ କରିବାକୁ ଯେଉଁଦିନ ଶାନ୍ତିନିକେତନରେ ପହଞ୍ଚିଲି, ସେଦିନ ଜଣେ ନେପାଳୀ ପିଲା ସାଙ୍ଗରେ ଗୋଟିଏ ଘରେ ରହିବାକୁ ମୋତେ ଆଦେଶ ହେଲା । ପିଲାଟି ଗୋରଖପୁରରୁ ମାଟ୍ରିକ୍ ପାସ୍ କରି ଏଠି କଲେଜ ପାଠ ପଢ଼ିବାକୁ ଆସିଥାଏ । ଗୋରା ଦେହ, ନିଶ ଦାଢ଼ି ଉଠିନାହିଁ, ଆଖିପତାର ବାଳଗୁଡ଼ିକ ବି ଭଲକରି ଠଉରେଇ ହେଉନାହିଁ । ତା’ରି ସହିତ ଏ ବରଷଟା ରହିବାକୁ ହେବ । ଧୀରେ ଧୀରେ ପରିଚୟ ହୋଇଗଲା, ପରିଚୟରୁ ଆଳାପ ଓ ଆଳାପରୁ ବନ୍ଧୁତ୍ୱ ଗଢ଼ି ଉଠିବାକୁ ଖୁବ୍ ବେଶୀ ଦିନ ଲାଗିଲା ନାହିଁ ।

 

ନେପାଳର ରାଜଧାନୀ କାଠମାଣ୍ଡୁରେ ତାଙ୍କର ଘର । ତେଣୁ ହଠାତ୍ ଦିନେ ପ୍ରସ୍ତାବ କରି ବସିଲି, ଆସନ୍ତା ଗ୍ରୀଷ୍ମ ଛୁଟିରେ ତା’ ସଙ୍ଗରେ ମୁଁ କାଠମାଣ୍ଡୁ ଯିବି । ସେ ରାଜି ହେଲା । କିନ୍ତୁ ସରକାରଙ୍କର ଅନୁମତି ତ ଲୋଡ଼ା ! ଫେବୃଆରୀ ମାସରେ କାଠମାଣ୍ଡୁର ଚିଫ୍‍ ସାହେବଙ୍କ (Commander in Chief) ପାଖକୁ ଦରଖାସ୍ତ ଗଲା । ଦଳରେ ଜଣେ ଅଧ୍ୟାପକ ଓ ପିଲା ପାଞ୍ଚଜଣ । ମାସକ ପରେ ଯାଇ ଜବାବ ଆସିଲା । ଏତେ ଡେରି ହେବାରୁ ଆମେ ନେପାଳ ଯିବାର ଆଶା ପ୍ରାୟ ହରାଇ ବସିଥିଲୁ । ଚିଫ୍‍ ସାହେବଙ୍କର ଅନୁମତି ଓ ନେପାଳ ଯିବାପାଇଁ ରାସ୍ତା ଓ ରହଣିର ଏକ ସଂକ୍ଷିପ୍ତ ନିର୍ଦ୍ଦେଶିକା ପାଇଁ ମନ ପୁଣି ମାତି ଉଠିଲା । ଅନୁମତି ମିଳିବାର ଗୋଟିଏ ସର୍ତ୍ତ ଥିଲା ଯେ ଆମେ ନେପାଳରେ କୌଣସି ବକ୍ତୃତା ଦେଇ ପାରିବୁ ନାହିଁ । ସେଠି କୌଣସି ସଭାସମିତିରେ କହିବାର ଇଚ୍ଛା ଥିଲେ ଆଗରୁ ସରକାରଙ୍କ ସୁପାରିଶ୍ ଲାଗି ବକ୍ତୃତାର ଗୋଟିଏ ନକଲ ପଠାଇବାକୁ ପଡ଼ିବ । ଅବଶ୍ୟ ଆମର ସେସବୁ ମତଲବ ନ ଥିଲା । ସୁନାପୁଅଟି ପରି ଯାଇ, ସବୁ କଥା ଦେଖି, ପୁଣି ସୁନାପୁଅଟି ପରି ବାହାରି ଆସିବାକୁ ଆମେ ବିଲ୍‍କୁଲ ରାଜି ଥିଲୁ । ତେଣୁ ପୁଣି ଗୋଟାଏ ଚିଠି ଲେଖି ଦିଆଗଲା ଯେ ଆମେ ମେ’ ମାସ ପ୍ରଥମ ସପ୍ତାହରେ କାଠମାଣ୍ଡୁ ଯାତ୍ରା କରିବୁ ।

 

ଏପ୍ରିଲ ମାସର ବାର୍ଷିକ ପରୀକ୍ଷା ପରେ ଯିବାର ଠିକ୍ ହେଲା । କୌଣସି ହଠାତ୍ ଅସୁବିଧା ହେତୁ ଆମର ଅଧ୍ୟାପକ ଯାଇ ପାରିଲେ ନାହିଁ । ଯାତ୍ରୀ ବାକି ରହିଲେ ପାଞ୍ଚଜଣ, ପାଞ୍ଚୋଟି ପ୍ରାନ୍ତ ଓ ଚାରିଟି ଭାଷାରେ ପ୍ରତିନିଧି । ଅୟନ ବାହାଦୂର ନେପାଳୀ ପିଲା, ରାମମନୋହରର ଘର ଜବଲପୁର ଘର ଜବଲପୁର ସହରରେ, କୁମାରିଲ ହେଉଛି ହାଇଦ୍ରାବାଦୀ, ପୂର୍ଣ୍ଣଚନ୍ଦ୍ରର ଘର କୃଷ୍ଣାନଦୀ କୂଳର ଗୋଟିଏ ଛୋଟିଆ ଗାଆଁରେ । ପଞ୍ଚ ମୁଁ ହେଉଛି ଓଡ଼ିଶା ବା ଜଗନ୍ନାଥ ଦେଶର ଲୋକ ।

 

ପରୀକ୍ଷା ସରିଲା ଏପ୍ରିଲ ମାସ ଚବିଶ ତାରିଖରେ । ଆଉ ବେଶୀ ଡେରି କରିବାକୁ ଧୈର୍ଯ୍ୟ ସହିଲା ନାହିଁ । ସେଇଦିନ ରାତିରେ ଛାତ୍ରାବାସର ସାଥିମାନଙ୍କର ଉଲ୍ଲସିତ ହଲ୍ଲାର ବିଦାୟ ସମ୍ଭାଷଣ ଗ୍ରହଣ କରି ଆମେ ବୋଲପୁର ଷ୍ଟେସନ ଉଦ୍ଦେଶ୍ୟରେ ବାହାରିଲୁ ।

 

ରାତି ଦଶଟାରେ ଦିଲ୍ଲୀ ଏକ୍ସପ୍ରେସ ଆସିଲା - ମାଲପତ୍ର ସହିତ ଗୋଟିଏ ତୃତୀୟ ଶ୍ରେଣୀ ଡବାରେ ଭର୍ତ୍ତି ହେବାକୁ ହେଲା । ଡବାରେ ବସିବା ପାଇଁ ଏତେ ଟିକିଏ ଯାଗା ନ ଥାଏ । ଆମେ ଯାଇ ଅଧିକ ଭିଡ଼ କରିଦେଲୁ ବୋଲି ଯାତ୍ରୀମାନେ ଆମଆଡ଼କୁ କଟମଟ କରି ଅନାଉଥାନ୍ତି-। କିଏ ହୁଏତ ଟିକିଏ ଯାଗା କରି ଶୋଇବାକୁ ଯାଉଥିଲା, ଆମ ପରି ଅନାହୂତମାନଙ୍କୁ ଦେଖି ଆମ ଉପରେ ବିରକ୍ତ ନିଦ୍ରାଳସ ଦୃଷ୍ଟି ପକାଇବାକୁ ଲାଗିଲା । ବୀରଭୂମିର ଗରମ ରାତି-ତା’ ଉପରେ ମଣିଷ ଓ ମାଲପତ୍ରର ଏ ଅସମ୍ଭବ ଭିଡ,-ଡବା ଭିତରୁ ରୀତିମତ ବାମ୍ଫ ବାହାରୁଥାଏ । ଆମେ ଅବଶ୍ୟ ଆଗରୁ ତୃତୀୟ ଶ୍ରେଣୀ ଲାଗି ପ୍ରସ୍ତୁତ ହୋଇ ଆସିଥିଲୁ, ତେଣୁ କିଛି ଖରାପ ଲାଗିଲା ନାହିଁ-

 

ଗାଡ଼ି ଚାଲିଛି, ସମୟ ବି ଚାଲିଛି । ସମୟ ଜାଣିବାର ଉପାୟ ନାହିଁ । ରାତିର ଅନ୍ଧକାର ଚତୁର୍ଦ୍ଦିଗର ଗଛପତର ଓ ଗାଆଁଗଣ୍ଡା ଘୋଡ଼ାଇ ରଖି ଗୋଟାଏ ଚିରନ୍ତନ ଶୂନ୍ୟର ସୃଷ୍ଟି କରିଛି । ଆମର ଆଖି ନିଦରେ ଜୁଳଜୁଳୁ,ଏଣେ ପୁଣି ଗୋଟାଏ ଯାଗାରେ ଠିଆ ହୋଇ ରହିବାର ଅଶ୍ୱସ୍ତି । ତଥାପି ଆମେ ଶିକ୍ଷିତ ପିଲା, ତେଣୁ ଧାଡ଼ି ଧାଡ଼ି ରବୀନ୍ଦ୍ର ସଙ୍ଗୀତ ଓ ସୂତ୍ରହୀନ ଦାର୍ଶନିକତା ମନକୁ ଖୁବ୍ ନିଶା ଯୋଗାଇ ଏ ଯାତ୍ରାକଷ୍ଟରୁ ଆମକୁ ନିର୍ଲିପ୍ତ କରି ରଖିଛି ।

 

ରାତିରେ ଆଖି କଷା ପଡ଼ିଲା ନାହିଁ । ପାହାନ୍ତିଆ ହେଲା କି କ’ଣ, ଦୂରର ଚଢ଼େଇ ସବୁ ନିଦରୁ ଉଠିଲେ । ଅଜଣା ସାଗରରେ ହଠାତ୍ ସଙ୍ଗୀତ ଧ୍ୱନି ହେଲା ପରି ଅନ୍ଧାର ଭିତରୁ ଦୂର ଓ ନିକଟକୁ ଏକାଠି କରି ସେମାନଙ୍କର ଜାଗରଣର ଧ୍ୱନି ଖେଳିଗଲା । ଝାପସା ଆଲୁଅରେ ଗଛ ପତର, ହିଡ଼ ବିଲ ବାରି ହୋଇଗଲା । ଗୋଟିଏ ରାତିର ନୀରବ ଚିନ୍ତନ ପରେ କୋଉ ଶିଳ୍ପୀ ଗୋଟାଏ ନୂଆ ପୃଥିବୀ ଗଢ଼ି ଥୋଇଦେଲା ପରା ! ଆମର ସଂସାରରେ ଦିନରେ କଚେରୀ, ରାତିରେ ଛୁଟି । ଜଗତ୍‍ଶିଳ୍ପୀର କାରଖାନାରେ ରାତିରେ କାମ, ଦିନରେ ଛୁଟି । ଏଇ ରାତିକ ଭିତରେ କଢ଼ ଫୁଲ ହୋଇ ଫୁଟେ, ଶୁଖିଲା ଘାସ ଉପରେ ଶିଶିର ପଡ଼େ, ଏଇ ରାତିର ମଧୁଭାଣ୍ଡରୁ ମଧୁ ଖାଇ ସକାଳକୁ ଜୀବସୃଷ୍ଟି ନୂଆ ହୋଇ ଜନ୍ମ ହୁଏ । ଚଢ଼େଇଛୁଆ ଗତଦିନର ଝଡ଼ବର୍ଷା ଭୁଲି ଯାଇଥାଏ, ମଣିଷଶିଶୁ ଗତଦିନର ରୁଷା, ଖୁମାଣ ଓ କାନ୍ଦ ପାସୋରି ପକାଇଥାଏ । ନିତି ସକାଳେ ସେମାନଙ୍କର ନୂଆ ଭଡ଼ିବା ଓ ନୂଆ ଖେଳିବା ଆରମ୍ଭ ହୁଏ ।

 

ପଶ୍ଚିମ ଦିଗନ୍ତରେ ପର୍ବତଶ୍ରେଣୀ-ବିନ୍ଧ୍ୟଶ୍ରେଣୀର ପରିବାରଭୁକ୍ତ ରାଜମହଲ ପର୍ବତ । ସେତେବେଳକୁ ବଙ୍ଗ ଦେଶର ସୀମା ଯାଇ ବିହାର ପଡ଼ିଲାଣି, ଆମେ ସାହେବଗଞ୍ଜ ଷ୍ଟେସନର ପାଖାପାଖି ହୋଇଗଲୁଣି । ବୀରଭୂମିର ଟାଙ୍ଗର ନାଲିମାଟି, ଡେଙ୍ଗା ତାଳଗଛ ଆଉ ଶୁଷ୍କ ପ୍ରାନ୍ତରକୁ ଆମେ କେତେ ପଛରେ ଛାଡ଼ି ଚାଲି ଆସିଲୁଣି । ବର୍ତ୍ତମାନ ଗଙ୍ଗାନଈର କୂଳେ କୂଳେ ଗାଡ଼ି ଯାଉଛି-ଉର୍ବର କଳା ମାଟି, ପାନ ଓ ଆଖୁର ସରସ ଖେତ । ବହୁଦୂରବ୍ୟାପୀ ବିଲ ମଝିରେ ବଡ଼ ବଡ଼ ତୋଟାର କୃଷ୍ଣଜଟା । ବେଳେବେଳେ ଦୂରରୁ ଗଙ୍ଗାନଈର ବାଲି ଓ ଜଳପ୍ରପାତ ଦିଶିଯାଉଛି ।

 

ସକାଳ ହେଲା । ଆମ ଡବାର ତୃତୀୟ ଶ୍ରେଣୀ ଯାତ୍ରୀମାନେ ଲାଳ ନେଞ୍ଜରା ପୋଛି ନିଦରୁ ଉଠିଲେ । ସମସ୍ତଙ୍କର ମୁଖ ବିକୃତ-କଟମଟ ଆଖି ଦୁଇଟା ସତେ ଯେମିତି ସମସ୍ତ ମୁହଁଟାକୁ ଆବୋରି ରଖିଛି । ସହଯାତ୍ରୀମାନଙ୍କୁ ନିରୀଖି କରି ଦେଖିବାର ସୁଯୋଗ ମିଳିଲା । ସମସ୍ତେ ପଶ୍ଚିମାଯାତ୍ରୀ ଫେରୁଛନ୍ତି ପୂରୀରୁ । ବେକରେ ପୂରୀଭକ୍ତିର ସ୍ମାରକମାଳା-ସାଥିରେ ତୀର୍ଥଯାତ୍ରୀର ସୂଚକ ଅସଂଯତ ଭାବେ ବନ୍ଧା ହେଇଥିବା ପୁଡ଼ା ପୁଟୁଳୀ । ମାଇପେ ମିଣିପେ, ପିଲା ଓ ବଡ଼ ହୋଇ ଆମେ ଯେ, ଏତେଗୁଡ଼ିଏ ମଣିଷପ୍ରାଣୀ ଗୋଟିଏ ଡବାରେ ରାତି କଟାଇଛୁ, ଦେଖି ବଡ଼ ଆଶ୍ଚର୍ଯ୍ୟ ଲାଗିଲା । ଆମ ଦେଶର ରେଳଗାଡ଼ିରେ ସ୍ତ୍ରୀମାନଙ୍କ ପାଇଁ ପୃଥକ୍ ଡବାର ବ୍ୟବସ୍ଥା ରହିଛି । ପୁରୁଷମାନେ ସେ ଡବାରେ ପଶି ପାରିବେ ନାହିଁ, କିନ୍ତୁ ସ୍ତ୍ରୀମାନେ ନିଃସଙ୍କୋଚରେ ପୁରୁଷମାନଙ୍କ ଡବାରେ ଯାଇପାରିବେ । ଏ ନାରୀର ସ୍ୱାଧୀନତା ନା ସ୍ୱାଧୀନତାର ଅଜ୍ଞାନତା ।

 

ଗାଡ଼ି ଚାଲିଥାଏ ଯାତ୍ରୀ ଯେତିକି ଓହ୍ଲାଉଥାନ୍ତି, ପୁଣି ସେତିକି ଭର୍ତ୍ତି ହେଉଥାନ୍ତି । ଭିଡ଼ ଭିତରେ ହଠାତ୍ ମାନସମ୍ମାନ ହାନିରେ କେତେ ଝଗଡ଼ା ଓ ଯୁଝାଯୁଝି ଚାଲିଥାଏ, କୋଉଠି ଖଇନୀ ଓ ନାସର ଆଦାନପ୍ରଦାନ ହେଉଥାଏ । ସକାଳ ହେଲାରୁ ଯେଝାର ସୁବିଧା ଦେଖି ସମସ୍ତେ ମୁହଁ ହାତ ଧୋଇଲେ । ତା’ପରେ ଗଣ୍ଠିଲିମାନ ଫିଟିଲା । ଛତୁଆ, ଲୁଣ, ପିଆଜ ଓ ଶୁଖିଲାଗୁଡ଼ର ଜଳଖିଆ ପର୍ବ ଆରମ୍ଭ ହୋଇଗଲା ।

 

ଦିନ ବାରଟାର ଗରମ ଦି’ପହରେ ଆମେ ପାଟନାରେ ଓହ୍ଲାଇଲୁ । ଗଙ୍ଗାନଈର ଜାହାଜ ଧରିବା ଉଦ୍ଦେଶ୍ୟରେ ସଙ୍ଗେ ସଙ୍ଗେ ଏକ୍କା ଗାଡ଼ିରେ ଦିଘାଘାଟ ବାହାରିଗଲୁ । ଘାଟରେ ପହଞ୍ଚିଲା ବେଳକୁ ଜାହାଜ ଛାଡ଼ିବାକୁ ଆହୁରି ଅନେକ ଡେରି ଅଛି । ଗଙ୍ଗାନଈରେ ମାମୁଲି ସ୍ନାନସାରି ଜଳଖିଆ ଖାଇନେଲୁ । ତିନିଟା ବେଳକୁ ଜାହାଜ ଛାଡ଼ିଲା ଆରପାରି ଉଦ୍ଦେଶ୍ୟରେ । ଗଙ୍ଗାନଈର ଏପାରି ସେପାରି,-ଏପାରିରେ ପାଟନା ସହର, ଆରପାରିରେ ରଜତଶୁଭ୍ର ବାଲିଶଯ୍ୟା, ଅନେକ ଦୂରରେ ନୀଳ ଦିଗନ୍ତ । ପାଞ୍ଚଟା ବେଳକୁ ଜାହାଜ କୂଳ ଧରିଲା । ଏପାରିରେ ପଲେଜାଘାଟ, ସେପାରିରେ ପାଟନା ସହରର ଦୂର ନିଦର୍ଶକମାନ । ହୁ, ହୁ କରି ଗରମ ପବନ ବହୁଥାଏ ସବୁ ବାଲିଗୁଡ଼ାକ ମୁହଁରେ ଦେହରେ ପିଟି ହୋଇ ଯାଉଥାଏ । ନଈପଠାରେ ଆଗରୁ ଆସି ରେଳଗାଡ଼ି ଠିଆ ହୋଇଥିଲା, ଆମେ ଜାଗା ସୁବିଧା କରି ପୁଣି ସେଇ ତୃତୀୟ ଶ୍ରେଣୀରେ ବସିଲୁ ।

 

କିଛି ସମୟ ପରେ ସିଆଡୁ ଗୋଟାଏ ଗାଡ଼ି ଆସି ପହଞ୍ଚିଲା । ନାଁ ହେଉଛି “ମିଥିଳାର ରାଣୀ” । ସାଜସଜ୍ଜା ଜାକଜମକରେ ଆଖି ବନ୍ଦ କରି ଦେଉଛି, ଆମ ନୂଆ ସରକାରଙ୍କର ନମୁନା ଗାଡ଼ିଠାରୁ ବି ଭଲ । ରେଳବାଇ କମ୍ପାନୀକୁ ଏଖଣ୍ଡିକ ଦାନ କରିଛନ୍ତି ରାଜର୍ଷି ଜନକଙ୍କର ରକ୍ତସମ୍ପର୍କଗର୍ବୀ ଦରଭଙ୍ଗାର ହିନ୍ଦୁ ମହାରାଜା । ଖବର କାଗଜରୁ ପଢ଼ିଥିଲି, ଏବେ ପୁଣି ସେ ଆୟୁର୍ବେଦର ଗବେଷଣା ପାଇଁ କାଶୀ ବିଶ୍ୱବିଦ୍ୟାଳୟକୁ କେତେ ହଜାର ଟଙ୍କା ଦେଇଛନ୍ତି-ସେ ପୁଣି କୁଆଡ଼େ ହିନ୍ଦୀ ସାହିତ୍ୟର ଜଣେ ରସଗ୍ରାହୀ ପ୍ରେମିକ । ବିଜ୍ଞାନର ଆଣବିକ ଯୁଗରେ ମଧ୍ୟ ସାହିତ୍ୟର ବିକ୍ରମାଦିତ୍ୟ ଯୁଗ ଶେଷ ହୋଇନାହିଁ । ଏ ଦେଶରେ ଉଦାର ରାଜାରାଜୁଡ଼ା ନ ଥିଲେ ସେଇ ସ୍ୱର୍ଣ୍ଣଯୁଗକୁ ବଞ୍ଚାଇ ରଖିଥାନ୍ତା କିଏ ? ରାଜା ହେବା, ବଡ଼ ଲୋକ ହେବା, ମଣିଷ ଚରାଇବା ଯେମିତି ଗୋଟାଏ ଗୋଟାଏ ସଉକ; ଠିକ୍ ଓଡ଼ିଶା ରାଜାମାନଙ୍କର ଶିକାର ଓ ସର୍କସ-ସଉକ ପରି । ନ ହେଲେ ମଣିଷ ପାଳିବାକୁ ଖଜଣା ନେଇ ସେମାନେ ଖେଦା କରି, ଭାଲୁ ନଚାଇ, ସାହିତ୍ୟ ପାଳି ବୁଢ଼ା ହେଉଥାନ୍ତେ କାହିଁକି ?

 

ଆମର ପୁରୁଣା ରେଳଗାଡ଼ି ଖଣ୍ଡକ ଛାଡ଼ୁଛାଡ଼ୁ ସଞ୍ଜ ହୋଇଗଲା । ନଈତଳୁ କଣ୍ଡିଆକୁ ଉଠିବାକୁ ଇଞ୍ଜିନ୍‍ର ବଳ ପାଇଲା ନାହିଁ, ତେଣୁ ଗାଡ଼ିରେ ଆଉ ଗୋଟିଏ ଇଞ୍ଜିନ୍‍ ଖଞ୍ଜିବାକୁ ପଡ଼ିଲା-। ନଈ ଉପରକୁ ଉଠିଲାପରେ ତ୍ରିହୁତ୍ ସବ୍‍ଡିଭିଜନ୍‍ର ଗାଁମାନ ଆଖିରେ ପଡ଼ିଲା । ନଈପଠାରେ ଭାଙ୍ଗ ଗଛଗୁଡ଼ାକ ଆମ ଅଞ୍ଚଳର କନିସରି ଗଛ ପରି ଅରମା ହୋଇରହିଛି । ଅଳ୍ପଦିନ ହେଲା ଚାଷୀମାନେ ଗହମ ଅମଳ କରି ଖଳାକୁ ଆଣିଥାନ୍ତି, ଛୋଟ ଛୋଟ ‘ବଖାରି’ (ଗହମଗଦା) ଗୁଡ଼ିକ ଖୁବ୍ ସୁନ୍ଦର ଦେଖା ଯାଉଥାଏ । ଗହମଚାଷର ଅବସର ହେତୁ କିଆରୀରେ ପୋଟଳ ଓ କଲରା ଫସଲ କରାହୋଇଥାଏ ।

 

ଆମ ଡବାରେ ଜଣେ ମୁସଲମାନ ଭଦ୍ରଲୋକ ଥା’ନ୍ତି, ସେ ସମସ୍ତିପୁର ପୋଲିସ୍ ଇଲାକାରେ ସିପାହୀକାମ କରନ୍ତି । କେତେଦିନ ତଳେ ଏଇ ଅଞ୍ଚଳରେ ହିନ୍ଦୁମାନେ ମୁସଲମାନ ମାରି ନୋୟାଖାଲୀ ହିନ୍ଦୁହତ୍ୟାର ପ୍ରତିଶୋଧ ନେଇଥିଲେ । ସେଇ କଳଙ୍କିତ ଇତିହାସର ଅନେକ ଗୁହାଇ ଏଇ ଭଦ୍ରଲୋକଙ୍କଠାରେ ମିଳିଲା । ତାଙ୍କର ଆଠ ବର୍ଷର ଝିଅଟିର ଏଇ ଜାତିପ୍ରୀତିର ଶିକାର ହୋଇ ହାଣ ଖାଇଥିଲା । ତାକୁ ହିନ୍ଦୁ ଗୁଣ୍ଡାମାନେ ଖଣ୍ଡ ଖଣ୍ଡ କରି କିଆବଣ ଭିତରେ ପକାଇ ଦେଇ ପଳାଇଥିଲେ ।

 

ଆମଗାଡ଼ି ସୋନପୁରଠିଁ ଲାଗିଲାବେଳକୁ ରାତି ୭ଟା, ଏଇଠାରେ ଓହ୍ଲାଇ ରାତି ଏଗାରଟାରେ ଗୋରଖପୁର ଗାଡ଼ି ଧରିବା କଥା । ଅନେକ ସମୟ ଥିବାରୁ ମନଆରାମରେ ଏଇଠି ଗାଧୁଆପାଧୁଆ ଓ ଖିଆପିଆ ହେଲା । ଗୋରଖପୁର ଯିବାଲାଗି ଗାଡ଼ିକୁ ଅପେକ୍ଷା କରି ମୁଷାଫିରଖାନାରେ ବସିଛୁ, ସେଇଠି ଜଣେ ଭଦ୍ରଲୋକଙ୍କ ସଙ୍ଗରେ ଦେଖା ହେଲା । ଆମର ଭ୍ରମଣଯୋଜନା ଶୁଣି ସେ ଆଉ ଗୋଟିଏ ପ୍ରସ୍ତାବ କରିବସିଲେ । ଗୋରଖପୁର ଯିବାବାଟରେ କୁଶୀନଗର ଦେଖିଯିବାକୁ ହେବ । ଚବିଶଶହ ବର୍ଷତଳେ ଗୌତମବୁଦ୍ଧ ସେଇଠି ଦେହତ୍ୟାଗ କରିଥିଲେ ଓ ବୌଦ୍ଧର୍ମର ଚାରି ତୀର୍ଥଭିତରେ ଏଇଟି ଅନ୍ୟତମ । ବୁଲାମନର ଯୋଜନା ଆହୁରି ଲମ୍ବିଗଲା, ସମସ୍ତେ ଠିକ୍ କଲୁ, ଡେରି ହେଉପଛକେ ବାଟରେ ଓହ୍ଲାଇ ଏଇ ଯାଗାଟି ଅବଶ୍ୟ ଦେଖିବାକୁ ହେବ ।

 

ଠିକ୍ ସମୟରେ ଗାଡ଼ି ଆସିଲା । ଲକ୍ଷ୍ନୌ ଏକ୍‍ସପ୍ରେସ୍‍ର ତୃତୀୟ ଶ୍ରେଣୀ ଡବା ପୁରୀ ଗାଡ଼ିଠାରୁ ବେଶୀ ଭିଡ଼ । ରାତିଟାସାରା କବାଟ ପାଖରେ ଠିଆହେବାକୁ ପଡ଼ିଲା ଠିକ୍ ପାହାନ୍ତା ବେଳକୁ ଗାଡ଼ିକୁ ଡେଉରିଆରେ ପହଞ୍ଚିଲା-ସେଇଠାରେ ଓହ୍ଲାଇ ଆମମାନଙ୍କୁ ମଟରରେ କୁଶୀନଗର ଯିବାକୁ ହେବ । ସକାଳୁ ସକାଳୁ ଗାଆଁଆଡ଼େ ତିନି ଚାରି ମାଇଲ ବୁଲି ବାହାରିଗଲୁ । ଗୋଟିଏ ମଶାଣି ପାଖରେ ଯୋର ଖଣ୍ଡିଏ ଥିଲା, ସେଇଠି ନିତ୍ୟକର୍ମ ସାରି ଫେରିଆସିଲୁ । ସାତଟାବେଳେ ମଟର ବାହାରିବାର କଥା, ବାହାରିଲା ଦଶଟାରେ, ଏପ୍ରିଲ୍ ମାସ, ଆକାଶରେ ମେଘ ଘୋରା ଘୋରା କରିଛି, ଅଣସର ଗୁଳୁଗୁଳି ପରି ଦେହରୁ ମାଉଁସ ଛିଣ୍ଡି ପଡ଼ୁଥାଏ । ବତିଶମାଇଲ ବାଟ ଯିବାପରେ କସିଆ ବୋଲି ଗୋଟିଏ ମଫସଲ ଟାଉନ୍‍ରେ ମଟର ଅଟକିଗଲା-। ସେଇଠାରୁ ଦୁଇଟି ଏକା କରି ଆମେ କୁଶୀନଗର ବାହାରିଲୁ । ପ୍ରାୟ ଦେଢ଼ମାଇଲ ଯାଏ ଏକ୍କାଗାଡ଼ିର ଛେଚାକୁଟା ଖାଇ ଗଲାପରେ ବୌଦ୍ଧତୀର୍ଥ କୁଶୀନଗରରେ ପହଞ୍ଚିଲୁ ।

 

ଧର୍ମାନୁରାଗୀ ଯାତ୍ରୀମାନଙ୍କ ପାଇଁ ଭାରତର ଜଣେ ଖୁବ୍ ବଡ଼ଲୋକ ବିର୍ଲାସାହେବ ଏଠି ଚମତ୍କାର ଧର୍ମଶାଳାଟିଏ କରି ଦେଇଛନ୍ତି । ଦେଶର ବଡ଼ ବଡ଼ ଜାଗାରେ ତାଙ୍କରି କୀର୍ତ୍ତି ନାନାରୂପର ବୈଚିତ୍ର୍ୟରେ ଦେଖିବାକୁ ମିଳେ । କୋଉଠି ଦେଉଳ କୋଉଠି ମୁଖଶାଳା, କୋଉଠି କାରଖାନା, ଦେଶସାରା ତାଙ୍କରି କାରବାର ବ୍ୟାପି ରହିଛି । ଆମ ଓଡ଼ିଶାର ତେଲେନପାଲିଠାରେ ତାଙ୍କରି କାଗଜକଳ ଅଛି । କେତେ କୁଲିଙ୍କୁ ସେ ଆଶ୍ରୟ ଦେଇନାହାନ୍ତି ?

 

ସେଇ ଧର୍ମଶାଳାରେ ଓହ୍ଲାଇଲୁ । ଜଗୁଆଳିଟିର ନାଁ ହେଉଛି ମହନ୍ତ । ଗ୍ରାମସୁଲଭ ସରଳତା ଭିତର ଦେଇ ପ୍ରତ୍ୟେକ କଥାରେ ତା’ର ବ୍ୟକ୍ତିତ୍ୱ ଫୁଟିଉଠୁଛି । ଆମପାଇଁ ନିଜହାତରେ ରୋଷାଇ କରିଦେବ ବୋଲି ତା’ର ଅତି ଉତ୍ସାହ । କୂଅମୂଳେ ଗାଧୁଆ ପାଧୁଆ ସାରି ଆମେ ବୌଦ୍ଧ କୀର୍ତ୍ତିମାନ ଦେଖିବାକୁ ବାହାରିଗଲୁ ।

 

ଆଗେ ଏଇ ସ୍ଥାନରେ ଖୁବ୍ ବଡ଼ ତୋଟାଟିଏ ଥିଲା । ଚୀନ ପଣ୍ଡିତ ହୁଏନ୍‍ସାଂ ଏଇ କୁଶୀନଗରକୁ କି-ଉ-ଶି-ନା-କି-ଇ-ଲୋ ନାଁ ଦେଇ ବର୍ଣ୍ଣନା କରିଛନ୍ତି । ଏଇଠି ନିରଞ୍ଜନା ନଦୀ କୂଳରେ ବୁଦ୍ଧଦେବଙ୍କର ନିର୍ବାଣପ୍ରାପ୍ତି ହୋଇଥିଲା ବୋଲି ସେ ଲେଖିଛନ୍ତି । ବର୍ତ୍ତମାନ ନଈଟି ପୋତି ହୋଇ ପଡ଼ିଲାଣି, କିନ୍ତୁ ବିଚ୍ଛିନ୍ନ ଭାବରେ ଅନେକ ବଡ ବଡ଼ ତୋଟା ଏପର୍ଯ୍ୟନ୍ତ ରହିଛି । ସେଦିନର ସେଇ ଉତ୍ତଳା ଉଚ୍ଛୃଙ୍ଖଳ ପବନର ସ୍ମୃତି ମନରୁ ଯାଇନାହିଁ ।

 

ପରିନିର୍ବାଣ ସମୟରେ ଭଗବାନ ବୁଦ୍ଧ ଭକ୍ତ ଆନନ୍ଦକୁ କହିଯାଇଥିଲେ ଯେ ଏଇ ସ୍ଥାନଟି ବୌଦ୍ଧଧର୍ମର ଏକ ପବିତ୍ର ସ୍ମୃତିତୀର୍ଥ ହୋଇ ରହିବ । ବୌଦ୍ଧଧର୍ମର ଉତ୍‍ଥାନପତନର ନାନା କାଳର ନାନା କୀର୍ତ୍ତି ଏଇ କୁଶୀନଗରରେ ରହିଛି । କେତେଦିନ ତଳେ ଏସବୁ ଅବହେଳିତ ଭାବେ ମାଟିତଳେ ଲୁଚି ରହିଥିଲା- କେବଳ ଭଙ୍ଗାପୁରୁଣା ଇଟାମାନ ଖଣ୍ଡ ଖଣ୍ଡ ହୋଇ ଏଣେତେଣେ ପଡ଼ିଥିଲା । ୧୮୫୭ ଠୁଁ ୧୯୧୦ ପର୍ଯ୍ୟନ୍ତ ଏକାଧିକାବାର ଖନନକାର୍ଯ୍ୟ ହେଲା ପରେ ସମସ୍ତ ତୀର୍ଥଟି ଲୋକଚକ୍ଷୁକୁ ଆସିଲା ।

 

ପ୍ରଥମେ ଆମେ ମହାପରିନିର୍ବାଣ ସ୍ତୂପ ଦେଖିବାକୁ ଗଲୁ । ବୌଦ୍ଧସନ୍ନ୍ୟାସୀର ନିର୍ବାଣ ପରେ ତା’ର ସମାଧିଉପରେ ଗୋଟିଏ ସ୍ତୂପ ନିର୍ମାଣ କରିବାର ପଦ୍ଧତି ଏପର୍ଯ୍ୟନ୍ତ ଚଳିଆସୁଛି । ସ୍ତୂପ ହେଉଛି ଏକ ଘଣ୍ଟାକାର ମୁଦାଦେଉଳି । ଏହାର ଭିତରେ ନାନାପ୍ରକାର ଧାତୁଦ୍ରବ୍ୟ ଓ ଦେହାବଶେଷ ଭସ୍ମ ସାଇତିହୋଇ ରହିଥାଏ । ଏହାର ଆଉ ଗୋଟିଏ ନାଁ ହେଇଛି ଚୈତ୍ୟ । କୁଶୀନଗରର ବୁଦ୍ଧ-ପରିନିର୍ବାଣ ସ୍ତୂପ ବୋଧହୁଏ ଅଶୋକଙ୍କ ସମୟର-ଅବଶ୍ୟ ପରେ ଅନେକବାର ଏହାର ପୁନରୁଦ୍ଧାର ହୋଇଛି । ସ୍ତୂପ ଆଗକୁ ପନିନିର୍ବାଣ ମନ୍ଦିର, ଏଇଟି କୁଶାଣରାଜା କନିଷ୍କଙ୍କର ରାଜତ୍ୱ କାଳର; କାରିଗର ହେଉଛନ୍ତି ମଥୁରାର ହରିବଳ । ଏଇ ମନ୍ଦିର ଭିତରେ ଗୌତମବୁଦ୍ଧଙ୍କର ପରିନିର୍ବାଣକାଳୀନ ଶାୟିତ ମୂର୍ତ୍ତି ରହିଛି । ମୂର୍ତ୍ତିଟି ୨୫ ଫୁଟ ଲମ୍ବ ଓ ୬ ଫୁଟ ଓସାର । ବୁଦ୍ଧମୂର୍ତ୍ତିର ଦୁଇ ପାଦ ଭିତରେ ପଦ୍ମ ଓ ଗୋଡ଼ତଳେ ଚକ୍ର ଖୋଦାଯାଇଛି । ସିଂହାସନତଳେ ଭକ୍ତ ଆନନ୍ଦ, ପରିବ୍ରାଜକ ସୁଭଦ୍ର ଓ କୁଶୀନଗରର ତତ୍କାଳୀନ ରାଜା ବଜ୍ରପାଣିଙ୍କର ମୂର୍ତ୍ତି ରହିଛି । ଏଇ ମୂର୍ତ୍ତିଟି ଖୁବ୍ ପୁରୁଣା ହୋଇ ଭାଙ୍ଗି ଯାଇଥିଲା । ୧୮୭୭ ମସିହାରେ ସରକାରୀ ପ୍ରତ୍ନତତ୍ତ୍ୱ ବିଭାଗଦ୍ୱାରା ଏହାର ପୁନନିର୍ମାଣ ହୋଇଛି ।

 

ମନ୍ଦିର ବେଢ଼ାରୁ ତଳକୁ ଓହ୍ଲାଇ ଆସିଲେ ବୌଦ୍ଧବିହାରର ଭଗ୍ନାବଶେଷମାନ ଦେଖିବାକୁ ମିଳେ । ବୌଦ୍ଧସନ୍ନ୍ୟାସୀମାନଙ୍କର ତପସ୍ୟା ଲାଗି ଏଇସବୁ ବିହାର ତିଆରି ହୋଇଥିଲା-। ବିହାରଗୁଡ଼ିକ ‘ପରିବେଣ’ ନମୁନାର ମୋଟା କାନ୍ଥ, ଝରକା ନାହିଁ ଏବଂ ବିହାର ମଝିରେ ଗୋଟିଏ ଗୋଟିଏ କୂଅ । ଅନୁଲେଖରୁ ଏସବୁ ବିହାରର ନାମ ‘ପରିନିର୍ବାଣ ବିହାର’ ବୋଲି ଜଣାଯାଏ । ବିହାର ଖୋଳାହେଲାବେଳେ ସାରିପୁତ୍ରଙ୍କର ଯେଉଁ ମୂର୍ତ୍ତିଟି ମିଳିଚି, ସେଥିରେ ‘ସଙ୍ଗ ସାରିପୁତ୍ରସ୍ୟ’ ବୋଲି ଲେଖା ହୋଇଚି । ସେଥିରୁ ଅନୁମତି ହୁଏ ଯେ ସମସ୍ତ ବିହାରଟି ସାରିପୁତ୍ରଙ୍କର ପୁଣ୍ୟ ନାମରେ ଉତ୍ସୃଷ୍ଟ ହୋଇଥିଲା । କାନ୍ଥସ୍ଥିତ ଇଟାର ସମୟନିର୍ଣ୍ଣୟରୁ ପ୍ରମାଣ ମିଳୁଛି ଯେ ଉତ୍ତରପାଖ ବିହାରଗୁଡ଼ିକ ଖ୍ରୀଷ୍ଟପୂର୍ବ ୨୦୦ ସାଲ ଅର୍ଥାତ୍ ଅଶୋକଙ୍କ ସମୟରେ ଏବଂ ଦକ୍ଷିଣପାଖ ବିହାରଗୁଡ଼ିକ ୬୦୦-୭୦୦ ଖ୍ରୀଷ୍ଟାବ୍ଦର ।

 

ବିହାରରୁ କିଛିଦୂର ଗଲେ ‘ମାଥାବାବା’ ମନ୍ଦିର । ଏହାର ଅନ୍ୟ ନାମ ‘ମାଥାକୁଅଁର’ । ୧୮୫୨ ସାଲରେ ସରକାରୀ ପ୍ରତ୍ନତତ୍ତ୍ୱ ବିଭାଗ ଯେତେବେଳେ ପ୍ରଥମେ ଏ ସ୍ଥାନ ଦେଖିବାକୁ ଆସିଥିଲେ, ସେତେବେଳେ ‘ମାଥାବାବା’ ମୁର୍ତ୍ତିଟି ଗୋଟିଏ ଅଶ୍ୱତ୍‍ଥ ମୂଳରେ ପଡ଼ିଥିଲା । ମୂର୍ତ୍ତିଟି ଗୟାରୁ ଅଣାଯାଇଥିବା କଳାମୁଗୁନିପଥରରେ ତିଆରି । ମୂର୍ତ୍ତିସହିତ ସିଂହାସନଟି ୧୧ ଫୁଟ ଉଚ୍ଚ, ମୂର୍ତ୍ତିରେ ବୋଧିଦ୍ରୁମତଳେ ବୁଦ୍ଧଦେବ ତପସ୍ୟାମଗ୍ନ ହୋଇ ବସିଛନ୍ତି ।

 

ଏଠୁଁ ପ୍ରାୟ ଅଧମାଇଲ ଦୂରରେ ଆଉ ଗୋଟିଏ ତୋଟାରେ ‘ରାମାଭର’ ସ୍ତୂପ ବା ଅଙ୍ଗାରସ୍ତୂପ । ଏଇଠି ବୁଦ୍ଧଦେବଙ୍କର ନିର୍ବାଣାନ୍ତ ଶରୀରର ଦାହକ୍ରିୟା ସମାହିତ ହୋଇଥିଲା । ବର୍ତ୍ତମାନ ସେଠି ଜଣେ ଚୀନା ସନ୍ନ୍ୟାସୀ ରହନ୍ତି ।

 

ସ୍ଥାନଟିର ନିର୍ଜନତା ପ୍ରକୃତରେ ସମସ୍ତ ତୀର୍ଥକୁ ପୁଣ୍ୟମୟ କରି ରଖିଛି । ଏଠାରେ ଜଣେ ବୌଦ୍ଧ ସନ୍ନ୍ୟାସୀ ରହି ପରିନିର୍ବାଣ ମନ୍ଦିରର ପୂଜା, ନୀତି ଚଳାନ୍ତି । ନାଁ ଚନ୍ଦ୍ରମଣି ଭିକ୍ଷୁ; ଘର ବ୍ରହ୍ମଦେଶର ଆରାକାନ ଜିଲ୍ଲାରେ । ସାଙ୍ଗରେ ଆଉ ଚାରିଜଣ ଭିକ୍ଷୁଣୀ ଅଛନ୍ତି । ସନ୍ନ୍ୟାସୀଙ୍କର ରହିବା ଘରେ ମଧ୍ୟ ଦୁଇଟି ମର୍ମରନିର୍ମିତ ବୁଦ୍ଧମୂର୍ତ୍ତି ଦେଖିବାକୁ ମିଳିଲା । ମଠଭିତରୁ ବାହାରି ଆସିଲାବେଳକୁ ହଠାତ୍ ଦେଖିଲି ଭିକାରୀଟିଏ ପଇସାଟିଏ ପାଇଁ ହାତ ପତେଇଛି । ରୋଗୀ ଓ ଭିକାରୀ ଦେଖି ଯେଉଁ ରାଜପୁତ୍ର ମୁକ୍ତିର ଭିକାରୀ ହୋଇ ଯାଇଥିଲେ, ତାଙ୍କ ମୃତ୍ୟୁର ଅଢ଼େଇ ହଜାର ବର୍ଷପରେ ବି ସେ ଯୁଗର ଭିକାରୀ ହୋଇ ରହିଛି ।

 

ସବୁ ଦେଖି ଧର୍ମଶାଳାକୁ ଫେରିଲୁ । ବିର୍ଲା ସାହେବ ଏଠି ‘ଚନ୍ଦ୍ରମଣି ନିଶୁଳ୍କ ପାଠଶାଳା’ ନାମରେ ଗୋଟିଏ ହାଇସ୍କୁଲ ବସାଇଛନ୍ତି । ଧର୍ମଶାଳାକୁ ଫେରିଲାବେଳକୁ ମହନ୍ତ ରୋଷେଇବାସ ‘ସାରି ଅପେକ୍ଷା କରି ବସିଥିଲା । ଅରୁଆଭାତ, ହରଡ଼ ଡାଲି ଆଉ କଦଳୀ ଭଜାର ସାଧାସିଧା ରୋଷେଇ ଖୁବ୍ ରୁଚିକର ଲାଗିଲା । ତା’ର ଏଇ ଅଯାଚିତ ଶ୍ରଦ୍ଧା ଓ ଅତିଥି ସତ୍କାରରେ ସେ ଆମ ସମସ୍ତଙ୍କୁ କିଣି ନେଇଥିଲା । ଖାଇସାରି ଧର୍ମଶାଳା ଭିତରକୁ ବୁଲି ବାହାରିଲୁ । ବୌଦ୍ଧତୀର୍ଥର ଧର୍ମଶାଳାଟି ନାନା ପ୍ରକାର ରୁଚିର ସାଜସଜ୍ଜାରେ ପୂରିଛି । ମଝିରେ ଲମ୍ବା ଚଉଡ଼ା କକ୍ଷ, -ମର୍ମର କାନ୍ଥ ଉପରେ ନାନା ରଙ୍ଗୀନ୍ ଚିତ୍ର ଭିତରେ ବୌଦ୍ଧଧର୍ମର ମୋକ୍ଷସୂତ୍ରଗୁଡ଼ିକ ଲେଖା ହୋଇଛି । ମଝିରେ ସିଂହାସନ ଉପରେ ଗୌତମ ବୁଦ୍ଧଙ୍କର ମର୍ମର ମୂର୍ତ୍ତି । ଅଜ୍ଞାତଯୁଗର ସୁଯୋଗ ନେଇ ସୁନାଲୋଭୀ ଯଖ ମଧ୍ୟ ମଣିଷର ଧର୍ମ ଉପରେ ଆଖି ପକାଇଲାଣି । ସେଇଥିପାଇଁ ହୁଏତ ଘରଛଡ଼ା, ରାଜ୍ୟଛଡ଼ା, ମୁକ୍ତିପାଗଳ ତଥାଗତଙ୍କର ସ୍ମୃତିକୁ ମାର୍ବଲ ପଥର ଭିତରେ ବନ୍ଦକରି ରଖି ଏ ଯୁଗର ଧର୍ମଲୋଭୀ ଧନୀ ଧର୍ମ ଉପାର୍ଜନ କରୁଛି । ପ୍ରତିମା ଭିତରେ ପ୍ରକୃତରେ ଯଦି ଜୀବନ ଥିବ, ତେବେ ସେ ଏହି କଳଙ୍କିତ ବନ୍ଧନରୁ ମୁକ୍ତି ପାଇବାକୁ ଯେ କି ଆକୁଳ ଆତୁର ହେଉଥିବ, ତାହା କିଏ କହିପାରିବ ? ମନ, ବିବେକ ଓ ସାଧନା - ପ୍ରଧାନ ବିଦ୍ରୋହୀ ଧର୍ମକୁ ଟଙ୍କା, ସୁନା ଓ ମଣିମୁକ୍ତାରେ ବାନ୍ଧି ରଖିବାର ବାହାଦୂରୀ କେବଳ ଏଇ ଧର୍ମହୀନ ଯୁଗରେ ସମ୍ଭବ ହେଇପାରୁଛି ।

 

ସୂର୍ଯ୍ୟ ସେତେବେଳେ ମୁଣ୍ଡ ଉପରୁ ଖସି ସାରିଲେଣି । ଦୂର ଗହୀରର ସେପାଖରୁ ଖରତପ୍ତ ବାଲିକଣା ନେଇ ବୈଶାଖମାସର ଝାଞ୍ଜି ପିଟୁଥାଏ । ରାସ୍ତାକଡ଼ରେ କିଛିସମୟ ଅପେକ୍ଷା କଲାପରେ ମଟର ମିଳିଲା । ଆଗରୁ ଖବର ପଠାଇ ଆମପାଇଁ ମଟରରେ ସ୍ଥାନ ରଖାଯାଇଥିଲା ।

 

ଗୋରଖପୁର ଜିଳ୍ଲାର ପଲ୍ଲୀ ଓ ପ୍ରାନ୍ତର ଦେଇ ମଟର ଚାଲିଯାଉଥାଏ । ଅନେକଠିଁ ରାସ୍ତାର ଦୁଇପାଖରେ ଆଖୁକ୍ଷେତ । ଏ ଅଞ୍ଚଳରେ ସାଧାରଣତଃ କୂଅ ଓ ନଳକୂଅଦ୍ୱାରା ଜଳସେଚନ କାର୍ଯ୍ୟ କରାହୁଏ । ବଡ଼ ପୋଖରୀ ବା ନଈ ଗୋଟିଏ ହେଲେ ଆଖିରେ ପଡ଼ିଲା ନାହିଁ-। ଅନେକ ଦୂର ଗଲାପରେ ଯୁକ୍ତପ୍ରଦେଶ ସରକାରଙ୍କର କୃତ୍ରିମ ଶାଳ ଓ ସାଗୁଆନ ଜଙ୍ଗଲ ପଡ଼ିଲା-। ପ୍ରଦେଶର ବନ୍ୟସମ୍ପଦ ବଢ଼ାଇବା ସଂଗେ ସଂଗେ ଏ ଅଞ୍ଚଳରେ ବୃଷ୍ଟିପାତର ବୃଦ୍ଧି କରାଇବା ସରକାରଙ୍କର ଉଦ୍ଦେଶ୍ୟ । ମଟରର ଯାତ୍ରୀ ସମସ୍ତେ ଗାଉଁଲୀ । ମକଦ୍ଦମା ମାମଲା ସଂକ୍ରାନ୍ତରେ ଅନେକ ଗୋରଖପୁର ଯାଉଥାନ୍ତି । ଟିକେଟ ହେଲାବେଳେ କଣ୍ଡକ୍ଟର ସଙ୍ଗେ ସେମାନଙ୍କର ବଚସା ଶୁଣିବାକୁ ମିଳିଲା,-‘ନା, ଆମେ ସବୁଦିନ ପାଞ୍ଚସୁ’କା ଦେଇ ଆସୁଛୁ, ଆଜି ଦେଢ଼ଟଙ୍କା ଦବୁ କାହିଁକି-?

 

‘ସବୁଦିନେ ଚାଉଳ ଟଙ୍କାରେ ଆଠସେର ଥିଲା, ଆଜି କାହିଁକି ତିନିସେର ହେଲା ?’ ତା’ପରେ ଦୁଇପକ୍ଷ ଚୁପ୍ । ଗରିବର ଜୀବନରେ ଏଇ ଅଣାପଇସାର ହିସାବ ନିତିଦିନ ଲାଗିଥାଏ । ଝାଳ ନିଗାଡ଼ି, ଭାତରୁ କାଟି ସେ ପଇସାଏ ଅଧଲାଏ ବଞ୍ଚାଇ ରଖିବାକୁ କି ନିର୍ବୋଧ ଚେଷ୍ଟା କରେ, ଠିକ୍ ଚିରା ଲୁଗାରେ ସହସ୍ର ତାଳି ପକାଇଲାପରି ।

 

ସଞ୍ଜ ସାତଟା ବାଜୁ ନ ବାଜୁ ଆମେ ଗୋରଖପୁରଠି ପହଞ୍ଚିଲୁ । ଏଇଠି ଜଣେ ଭୂତପୂର୍ବ ଭାରତମନ୍ତ୍ରୀ ଆମେରୀଙ୍କର ଜନ୍ମ । ଦେଶର ଦୁର୍ଦ୍ଦଶା ଲାଗି ରହିଥିବାଯାଏ ଦେଶ ତାଙ୍କର କୀର୍ତ୍ତି ସବୁଦିନେ ସୁମରି ହେଉଥିବ । ଷ୍ଟେସନ ପାଖାପାଖି ବୁଲାବୁଲି କରି ରାତି ଦଶଟାରେ ଗୋଣ୍ଡା ଗାଡ଼ିପାଇଁ ଆମେ ଅପେକ୍ଷା କରି ରହିଲୁ । ଗାଡ଼ିରେ ଖୁବ୍ ଭିଡ଼, ମଇଳା ଡବାଭିତରେ ସେଦିନର ନିଶୀଥ ଅଭିଜ୍ଞତା ଏପର୍ଯ୍ୟନ୍ତ ଅଶ୍ୱସ୍ତିକର ଲାଗୁଛି । ବାଟରେ କେତେଟା ଷ୍ଟେସନ ପଡ଼ିଲା, କେତେଟା ଜାଗାରେ ଗାଡ଼ି ଅଟକିଲା, ଏସବୁ ଲକ୍ଷ୍ୟ କରିବାର ମନ ସେତେବେଳେ ନ ଥିଲା । ବାହାରେ ଶୁକ୍ଳପକ୍ଷର ଜ୍ୟୋତ୍ସ୍ନା ଆଉ ବୈଶାଖ ରାତିର ମନମତାଣିଆ ପବନ; କିନ୍ତୁ ଗାଡ଼ିଭିତରର ଭିଡ଼ରୁ ମୁକ୍ତି ପାଇ ସେସବୁ ଉପଭୋଗ କରିବା ଏକାବେଳକେ ଅସମ୍ଭବ ହୋଇପଡ଼ିଥିଲା । ଯାହାହେଉ ଗାଡ଼ିରୁ ଓହ୍ଲାଇଲା ବେଳକୁ ରାତି ପ୍ରାୟ ତିନିଟା, ଷ୍ଟେସନଟିର ନାଁ ଶୋହରତଗଡ଼-ଭାରତସୀମା ଏଠୁଁ ଆଉ ମୋଟେ ଛଅ ମାଇଲ ଦୂର । ରାତାରାତି ଦୁଇଟା ଏକ୍କା କରି ମେ ଖୁନୱା ଆସିଲୁ । ସକାଳର ଅଧାଅନ୍ଧାରୀ ଆଲୁଅରେ ରାସ୍ତା ଦୁଇପାଖର ଝୁଣା ଓ ଦେବଦାରୁ ଗଛମାନ ଧୂଳିଆ ଭୂତପରି ଠିଆ ହୋଇଥାନ୍ତି । ଆମର ମୁଣ୍ଡଉପରେ ଗଛଗହଳର ସବୁଜଭିତରେ ଧୂସର ଆକାଶର ଅଣଓସାରିଆ ପଥଟି ଗାଡ଼ିତଳର ଗୋଡ଼ି ରାସ୍ତା ସହିତ ସମାନ୍ତର ହୋଇ ଚାଲିଥାଏ ।

 

ହଠାତ୍ ଶୀତ ପଡ଼ିଲା; କେତେ କେତେ ଗହନ ଭିତରୁ ଚଢ଼େଇଗୁଡ଼ାକ ଏକସମୟରେ ଚିତ୍କାର କରି ଉଠିଲେ । ପାହାନ୍ତା ସମୟ ହେଲା; ଭାରତର ସୀମା ଖୁନ୍‍ୱାରେ ପହଞ୍ଚିଲାବେଳକୁ ପ୍ରାୟ ସକାଳ । ସେଇଠୁ ପଦବ୍ରଜେନ ଯିବାକୁ ହେବ ନେପାଳ ଭିତରକୁ । ବୋଝିଆ ଯୋଗାଡ଼ କରୁ କରୁ ସଫା ସକାଳ ହୋଇଗଲା । ସକାଳ ଆକାଶର ଧୂଳିପଟଳ ଭିତରେ ହାଠାତ୍ ପୂର୍ବସାଗରରୁ ସୂର୍ଯ୍ୟ ଗୋଲକ ଉଠି ଆସିଲା । ଉଦୟ ଉତ୍ସବର ପରିପାଟୀ ନାହିଁ କି କିରଣଛଟାର ଆୟୋଜନ ନାହିଁ । ନିତିଦିନର ପୁନରାବୃତ୍ତି ପରେ ଜ୍ୟୋତିର୍ମୟ ଥାଳିଟି ଯେପରି ଦିଗ୍‍ବଳୟ ଉପରେ କ୍ଳାନ୍ତ କଳେବର ନେଇ ଖାଲି ଠିଆ ହୋଇରହିଛି । ବାଟ ଚାଲିବା ପଥରେ ଛ’ଟି ଗାଁ’ ଅତିକ୍ରମ କରିବାକୁ ପଡ଼ିଲା । ଏଆଡ଼ର ପ୍ରଧାନ ଚାଷ ଧାନ । ଖଳାମାନଙ୍କରେ ଧାନଗଦାର ସମ୍ପଦସ୍ୱପ୍ନ ଭରି ରହିଛି । ଏଣିକାଲୋକେ ବେଙ୍ଗଳା ପକାନ୍ତି କିନ୍ତୁ ମେରିରେ ବଳଦ ବାନ୍ଧନ୍ତି ନାହିଁ । ପ୍ରତ୍ୟେକ ବସ୍ତିର ଘଷିଭାଡ଼ିଗୁଡ଼ିକ ଗୋଟିଏ ଦେଖିବାର ବିଷୟ । ଛୋଟ ଛୋଟ ଚାରିକୋଣିଆ ଘଷିଗୁଡ଼ିକ ଇଟାଭାଟିପରି ଅତିଯତ୍ନରେ ସଜଡ଼ା ଓ ସାଇତା ହୋଇ ରଖାଯାଇଛି । ଏ ଅଞ୍ଚଳର ମାଇପିମାନେ ବୋଧହୁଏ ବେଶୀ ଗହଣା ପିନ୍ଧିବାକୁ ଭଲପାନ୍ତି - ଗୋଡ଼ଠୁଁ ମୁଣ୍ଡଯାଏ ଓଜନିଆ ରୂପା ଗହଣାରେ ସେମାନଙ୍କର ସର୍ବାଙ୍ଗ ପୂରିଥାଏ । ରାସ୍ତାରେ ଅନେକ ଶଗଡ଼ ଦେଖିବାକୁ ମିଳିଲା, ବଳଦ ସାଙ୍ଗରେ ଷଣ୍ଢ ମଧ୍ୟ ଶଗଡ଼ ବୁହେ । ଶୁଣିଲି, ନେପାଳ ତରାଇଲେ ବି ଷଣ୍ଢକୁ ଏଇ କାମରେ ଲଗାଯାଏ । ଶୈବ ନେପାଳରେ ଶିବପ୍ରିୟ ଷଣ୍ଢକୁ କାମରେ ଲଗାଇବା କଥା ଶୁଣି ବଡ଼ ଆଶ୍ଚର୍ଯ୍ୟ ଲାଗିଲା । ରାସ୍ତାରେ କେତୋଟି ପଙ୍କପୋଖରୀ ପଡ଼ିଲା, ପ୍ରତ୍ୟେକ ପୋଖରୀ ମଝିରେ ଶାଳକାଠର ଗୋଟିଏ ଗୋଟିଏ ଦୀପଖୁମ୍ବ ପୋତା ହୋଇଛି ।

 

ମେଦିନୀପୁର କୋରାପୁଟ ପ୍ରଭୃତି ସୀମାଅଞ୍ଚଳରେ ବ୍ୟବସାୟୀଙ୍କର ଚୋରା କାରବାର ପରି ଏଠି ମଧ୍ୟ ରାସ୍ତାରେ ତା’ର ଦୃଷ୍ଟାନ୍ତ ଦେଖିଲି । ଦୁଇଜଣ ମୁସଲମାନ ବେପାରୀଙ୍କ ସଙ୍ଗରେ ଆଳାପ ହେଲା, ଯୁକ୍ତ ପ୍ରଦେଶରୁ ଲୁଗା ନେଇ ସେମାନେ ନେପାଳରେ ବିକିବାକୁ ଯାଉଥାନ୍ତି । ବ୍ୟବସାୟ କ୍ଷେତ୍ରରେ ମଧ୍ୟବର୍ତ୍ତୀ ଦଲାଲର ଏଇସବୁ ଅନଧିକାର ଉପାର୍ଜନ, ଏଯୁଗର ଅର୍ଥନୀତି ଶାସ୍ତ୍ରରେ ଏ କଥାଟା ଯେପରି କାରବାରରେ ଗୋଟାଏ ସ୍ୱୀକୃତ ଅଙ୍ଗ ହୋଇଗଲାଣି । ଜିନିଷକୁ ଏ ହାତ ସେ ହାତ କରି ବିନା ପରିଶ୍ରମରେ ଟଙ୍କା ରୋଜଗାର କରିବାଟାକୁ ସମାଜରେ କେହି ଆଉ ପାପ ବୋଲି ବିଚାରୁନାହାନ୍ତି ।

 

ଆମେ ଆସିଛୁ ନେପାଳ ବୁଲି, ଆମସାଙ୍ଗରେ ବିଛଣା, କମ୍ବଳ, ଚମଡ଼ାର ସୁଟକେଶ୍ । ଆମ କୁଲି ଦୁଇଜଣ ଆମ ପଛେ ପଛେ ସେସବୁ ନେଇ ଚାଲିଥାନ୍ତି । ଜମିଚାଷ କରି ଖୁନ୍‍ୱାର ଚାଷୀ ପେଟ ପୂରାଇ ପାରେନା, ସେଥିପାଇଁ ମାଲ ବୋହି ଦୁଇଅଣା ଉପାର୍ଜନ କରିବା ଲାଗି ଯାତ୍ରୀ ପଛରେ ତାକୁ ଦଉଡ଼ିବାକୁ ପଡ଼େ । ଗୋଟିଏ କୁଲି ଉପରେ ଆଖିପକାଇ ଦେଖିଲି, ଆଣ୍ଠୁଏ ଝାଳ ବୋହି ପିଚାଉପରର ଲୁଗାଖଣ୍ଡିକ ବି ଭିଜି ସାରିଲାଣି । ପିଠି ଘୋଡ଼ାଇବାର କୁରୁତା ଖଣ୍ଡେ ବୋଧହୁଏ କୋଉ ବାବୁ ଦେଇ ଯାଇଛନ୍ତି । କିନ୍ତୁ ବର୍ଷକୁ ବର୍ଷ ସହସ୍ରବାର ସିଲେଇ ହୋଇ ବାବୁଙ୍କର ଦେଇଥିବା କୁରୁତାଟିର ଚିହ୍ନ ପ୍ରାୟ ନାହିଁ କହିଲେ ଚଳେ । ଗରିବ ମଣିଷକୁ ଚିହ୍ନିବାକୁ ବେଶୀ ସମୟ ଲାଗେନା । ଭୂଗୋଳ, ରାଜନୀତି ଓ ସଂସ୍କୃତିର ସମସ୍ତ ବାଧା ଏଡ଼ାଇ ଏମାନଙ୍କର ଆପଣା ରୂପ ସବୁଠି ପରିଷ୍କାର ରୂପେ ଧରାପଡ଼ିଯାଏ । ଏମାନଙ୍କର ସଂସାର ସବୁଠିଁ ବୈଚିତ୍ର୍ୟହୀନ-। ଓଡ଼ିଆ ଗରିବ, ବଙ୍ଗାଳୀ ଗରିବ ବା ନେପାଳୀ ଗରିବ ବୋଲି ଠଉରେଇବାର କୌଣସି ଉପାୟ ନାହିଁ । ଦେଶ ଓ କାଳଭେଦରେ ଗୋରୁଗାଈ, ଘୋଡ଼ା ଓ ଗଧ ଭିତରେ ମଧ୍ୟ ଭେଦ ରହିଛି; ପାର୍ଟି, ପୋଷାକ ଓ ପୃଷ୍ଠଚରଭେଦରେ ସବୁଦେଶରେ ନେତା ଓ ଦାତାମାନଙ୍କ ଭିତରେ ବି ନାମ ଓ ଭେକର ବିଭେଦ ରହିଛି । କିନ୍ତୁ ଗରିବ ସବୁଠାରେ ସମାନ ଖାଲି ଗରିବ ଛଡ଼ା ସେ ଆଉ କିଛି ନୁହେଁ । କଟକ ମାରୱାଡ଼ୀ ପଟିର ରବିବାରିଆ ଭିକାରୀ ଦଳପରି ସେମାନଙ୍କର ଜାତି, କୁଳ ବା ଶ୍ରେଣୀ କିଛି ନାହିଁ । ସେମାନଙ୍କୁ ଚିହ୍ନିନେବାକୁ ମଧ୍ୟ ଖୁବ୍ ବେଶୀ ସମୟ ଲାଗେନାହିଁ-। ଅପରିଚିତ ଜାଗାରେ ନିଜର ବୋଝ ମୁଣ୍ଡାଇ ନେଇଯିବାକୁ କୌଣସି ଭଦ୍ରଲୋକକୁ ଏ ଯୁଗରେ କେବେହେଲେ ମୁଣ୍ଡ ଘୁରାଇବାକୁ ପଡ଼େ ନାହିଁ । ବିଜ୍ଞାନର କୁଚ୍‍କାୱାଜ ଆଉ ଯୁଦ୍ଧର ଅସ୍ତ୍ରରଣନପରି ଏଇ ଦାରିଦ୍ର୍ୟଟି ଗୋଟିଏ ‘Social Phenomenon’ ଏକ ସାମାଜିକ ଉଦ୍ଭବ, ଯାହା ଭିତରେ କି ସବୁ ଦେଶର, ସବୁ ଧର୍ମ ଓ ସବୁ ଜାତିର ମୁଣ୍ଡସୁମାରି ହୋଇପାରିବ ।

 

ଆମେମାନେ ଆସୁଛୁ ବୋଲି ଖବର ପାଇ ଅୟନର ବାପା ବାଟକୁ ମଣିଷ ପଠାଇଥିଲେ । ବାଟରୁ ଚଟୁଘୋଡ଼ା ଭଡ଼ା ନିଆଗଲା, ମୁଁ କିନ୍ତୁ ସାଥିମାନଙ୍କୁ ଅନେକ ପଛରେ ପକାଇ ଚାଲି ଚାଲି ଅନେକ ଆଗେଇ ଗଲି । ସେଇ ବିଦେଶୀ ଜାଗାରେ ବିଚିତ୍ର ପୋଷାକ ପିନ୍ଧି ଏକୁଟିଆ ଯିବାକୁ ସେଦିନ ଏତେ ଉତ୍ସାହ କାହିଁକି ଯେ ଆସୁଥିଲା, ମୁଁ କହିପାରୁନି । ତୌଲିହାୱାରେ ପହଞ୍ଚିଲାବେଳକୁ ଗାଧୁଆବେଳକୁ ହୋଇଗଲା । ଟାଇଁ ଟାଇଁ ଖରାରେ ଖୁନ୍‍ୱାଠାରୁ ଛଅ ମାଇଲ ଆସିବାକୁ ପଡ଼ିଲା । ଏଇ ତଉଲିହାୱାରେ ଅୟନର ବାପା ଚାକିରି କରନ୍ତି । ନେପାଳ ସରକାରଙ୍କ ଅଧୀନରେ । ତାଙ୍କ ଘରେ ପହଞ୍ଚି ପହିଲେ ସଭିଙ୍କ ସାଙ୍ଗରେ ପରିଚୟ ହୋଇଗଲା । ଗାଧୋଇବା ପରେ ଛୋଟ ଛୋଟ ଥାଳିଆରେ ଜଳଖିଆ ସଜଡ଼ା ହୋଇ ଆସିଲା । ସେତକ ଖାଇ ସମସ୍ତେ ନିଘୋର ନିଦରେ ଶୋଇପଡ଼ିଲୁ । ଦୁଇ ଦିନର ବିଶ୍ରାମହୀନ ଅବ୍ୟବସ୍ଥିତି ପରେ ଶରୀରର ବିଧାତା ପୁରୁଷ ଗାଢ଼ନିଦ୍ରାର ସାରଦେଇ ଶକ୍ତିର କ୍ଷତିପୂରଣ କରିବାକୁ ଲାଗିଲା । ଦୁଇଟାବେଳେ ପୁଣି ଖାଇବାକୁ ଡାକରା ଆସିଲା । ଚଟ୍‍ପଟ୍ ଖାଇଦେଇ ନିଦଲୋଭୀ ଶରୀର ପୁଣି ବିଛଣା ଧରିଲା ।

 

ଦିନଯାକ ସୁଁ’ ସୁଁ’ କରି ଗରମ ପବନ ବହୁଥାଏ - ଖରାତାପ ଓ ଝାଳରେ ଚମଉପରଟା କଇଁଥା ପଡ଼ିଗଲା ପରି ଲାଗୁଥାଏ । ସଞ୍ଜବେଳକୁ ଆମେ ଗଆଁ ଡେଇଁ ଖୋଲା ବିଲ ଓ ପଡ଼ିଆ ଆଡ଼କୁ ବୁଲି ବାହାରିଲୁ । କେତେ ଆଡ଼ର କେତେ ଆମ୍ବ ତୋଟାରେ କେତେ କେତେ ଚାପସନ୍ତପ୍ତ କୋଇଲି ବସନ୍ତ ବିଦାୟର କରୁଣ କୁହୁ ଅଜାଡ଼ି ଦେଇଥାନ୍ତି । ବିଲମଝିରେ ଶୁଖିଲା କଣ୍ଟାବୁଦା ଉପରେ ନିତିବୈରାଗୀ କଜଳପାତି ତା’ର ପୁଛ ନଚାଉଥାଏ । ଏତିକିବେଳେ ଧୂଳିପଟଳ ଭିତରେ ଦୂରଚକ୍ରବାଳ ଉପରେ ନିରାଡ଼ମ୍ବର ସୂର୍ଯ୍ୟାସ୍ତ ଶେଷ ହୋଇଗଲା । ଚାରିଆଡ଼ର ପ୍ରାନ୍ତର ରାତ୍ରିର ଶୀତଳ ଅନ୍ଧକାରକୁ ଅନାଇ ରହିଲା । ଯେଉଁ ପର୍ବତ ଦେଖିବାକୁ ବିକଳହୋଇ ନେପାଳ ଆସିଥିଲି, ଉତ୍ତରଆଡ଼କୁ ଅନାଇ ଦେଖିଲି, ସେ ପର୍ବତର କୌଣସି ଚିହ୍ନ ଦେଖିବାକୁ ପାଇଲି ନାହିଁ ।

 

ରାତିର ଖିଆପିଆ ଖୁବ୍ ଚଞ୍ଚଳ ସରିଗଲା । ଢିଙ୍କି କୁଟା ସରୁ ଅରୁଆ ଚାଉଳ ଭାତ, ହରଡ଼ଡ଼ାଲି, ଚଟଣୀ ଓ ତରକାରୀ । ଆସନ ହିସାବରେ ଖଣ୍ଡିଏ କରି କାଠର ପିଢ଼ା । ନେପାଳୀ ଘରର ସାଜସଜ୍ଜାରେ ନିରାଡ଼ମ୍ବର ସୂଚାରୁତାର ପରିଚୟ ପାଇଲି । ଅତ୍ୟଧିକ ଜିନିଷପତ୍ର ଅନାବଶ୍ୟକ ଭାବରେ ରହି ଘରର ପବନକୁ ନିର୍ବାସିତ କରି ଦେଉନାହିଁ । ହାଣ୍ଡି, ମାଠିଆ, ରୋଷେଇ ସରଞ୍ଜାମ ଯେଝା ଜାଗାରେ ଯିଏ ଥୁଆ ହୋଇଛି । ବାଟଘରେ ମାଟିନେଶା ଝୋଲରେ ଚାଉଳ ସାଇତା ରହିଛି । ଉପର ମହଲାରେ ଶୋଇବା ଓ ବସିବା ଘର । ଖାଇବା ସମୟ ଛଡ଼ା ଅନ୍ୟ ସମୟରେ ଅଯଥା ତଳମହଲାକୁ ଆସିବାକୁ ପଡ଼େନାହିଁ ।

 

ନେପାଳୀ ଘରର ଆତିଥ୍ୟ ମୋର ଚିରଦିନ ମନେ ରହିଥିବ । ଅତିଥି ଆସିଲେ ଆମଆଡ଼ର ଭଦ୍ରପରିବାର ପରି ସେମାନେ ଅତିବ୍ୟସ୍ତ ହୋଇ ପଡ଼ନ୍ତି ନାହିଁ । ତା’ପାଇଁ ଅଧିକା ଆୟୋଜନ, ନିତିଦିନର ମାନ ବଢ଼ାଇ କୌଣସି ଅଧିକ ଆଡ଼ମ୍ବର କରିବାକୁ ସେମାନଙ୍କର ମୁଣ୍ଡ ବଥାଏ ନାହିଁ । ତେଣୁ ପରିବାର ଭିତରେ ଜଣେ ହୋଇ ସେମାନଙ୍କ ସହିତ ମିଶିଯିବାକୁ ଅତିଥିର ବେଶୀ ସମୟ ଲାଗେ ନାହିଁ । ଆମ ସମାଜରେ ଭଦ୍ରଲୋକକୁ ଅତିଥି ଆସିଲେ, ତା’ପାଇଁ ସରୁ ଭାତ ବଢ଼ା ହୁଏ, କାଚଗିଲାସ କଢ଼ା ହୁଏ, ଦାମୀ ଆସନ ବିଛା ହୁଏ; ନିଜକୁ ନ୍ୟୁନକରି ନାନା ଫିସାଦିର କପଟ ବୋଲିମାନ କୁହାଯାଏ । ଅନେକ ବଡ଼ ବଡ଼ ଘରେ ଅତିଥିଙ୍କ ପାଇଁ ଚାକର ବି ଖଞ୍ଜି ଦିଆ ହୁଏ; ଚାକର ଅତିଥିକୁ ପାଣି ଦିଏ, ତା’ପାଇଁ ବିଛଣା କରିଦିଏ, ତାକୁ ଖାଇବାକୁ ଦିଏ । କିନ୍ତୁ ନେପାଳୀ ଘରେ ଏସବୁ ସୌଖୀନ ଅତିଥ୍ୟ ଦେଖିବାକୁ ମିଳେନାହିଁ । ନିତିଦିନର ରୋଷେଇ ପରି ଆମଲାଗି ରୋଷେଇ ହେଲା, ଭିତରଘରେ କାଠପିଢ଼ା ଉପରେ ଖାଇବାକୁ ଦିଆଗଲା । ଅୟନର ବାପା ଓ ଦାଦି ମଧ୍ୟ ଆମର ଅଭାବପୂରଣ ପାଇଁ ସର୍ବଦା ତତ୍ପର ଥିଲେ । ତା’ର ଛଅବରଷର ଛୋଟଭାଇ ଗୋପାଳର ମଧ୍ୟ ଏଇ ଅତିଥି ସତ୍କାରରେ ଯଥେଷ୍ଟ ଭାଗ ଥିଲା । ଆମ ଲାଗି ସେ ସକାଳ ଓ ସଞ୍ଜରେ ଜଳଖିଆ ନେଇଆସିବ, ସବୁଦିନେ ଦି’ପହରେ ଆମ ପାଖକୁ ଆସି ନାନା କୌତୁହଳ କଥା ପଚାରି ଆମକୁ ଶୁଆଇ ଦେବନାହିଁ । ଆମେ ବୁଲି ବାହାରିଲେ ଆମ ସହିତ ସେ ମଧ୍ୟ ବାହାରିବ, ଫୋପଡ଼ ମାରି ଆମ୍ବଗଛର କଞ୍ଚାଆମ୍ବ ପାରିଦେବାକୁ କହିବ । ଆଉ ଗୋଟିଏ କଥା,-ଅତିଥି ଖାଇ ନ ସାରିଲେ ନେପାଳୀ ଘରେ କେହି ଖା’ନ୍ତି ନାହିଁ । ସଭିଙ୍କର ମାଟି ହାଣ୍ଡିରେ ଭାତ ରନ୍ଧାହୁଏ, ଖିଆପିଆ ପରେ ହାଣ୍ଡିକୁ ଫୋପାଡ଼ି ଦେବାକୁ ହୁଏ, ତା’ଆରଦିନ ପୁଣି ନୂଆପାଗରେ ରୋଷେଇ ବସେ । ଏଥିପାଇଁ ଅନେକ ପରିବାରରେ ପିତଳହାଣ୍ଡି ବ୍ୟବହାର କରନ୍ତି-

 

ରାତିର ଜହ୍ନଆଲୁଅ ଓ ଖୋଲାପବନରେ ସେଇ ସ୍ୱପହୀନ ସୁଷୁପ୍ତି ବଡ଼ ଆନନ୍ଦଦାୟକ ହୋଇଥିଲା । ଜାଗ୍ରତ ଅବସ୍ଥାରେ ପ୍ରତ୍ୟେକ ଘାତପ୍ରତିଘାତକୁ କାହାର ଅଦୃଶ୍ୟ ହାତ ସତେ କି ପୂରଣ କରିବାରେ ଲାଗିଯାଇଥିଲା । ରାତି ତିନିଟା ବେଳେ ହଠାତ୍ ଗରମ ପବନ ସଙ୍ଗେ ବର୍ଷା ଆସିଲା, ଧଡ଼ପଡ଼ ଉଠି ଖଟ ଉଠାଇ ସମସ୍ତେ ଘରଭିତରକୁ ଆସିଲୁ । ସକାଳେ ଉଠିବାରେ ଖୁବ୍ ଡେରି ହୋଇଗଲା, ସୂର୍ଯ୍ୟୋଦୟ ଦେଖିପାରିଲି ନାହିଁ ।

 

କେତେ ଦିଗନ୍ତର କେତେ ମେଘମାଳା ସେଦିନର ସକାଳଟିକୁ ନିଜସ୍ୱ କରି ନେଇଥିଲା । ଉତ୍ତର ଦିଗ୍‍ବଳୟର ଗର୍ଭରେ ହିମାଦ୍ରିର ଦୂର ପର୍ବତଶ୍ରେଣୀ ଅଦୃଶ୍ୟ ହୋଇ ବୁଡ଼ିରହିଥିଲା - ଚତୁର୍ଦ୍ଦିଗ କେବଳ ଗମ୍ଭୀର ଓ ଭାବନାମୟ । କିନ୍ତୁ ଏଇପରି ମେଘୁଆ ପାଗ ସତ୍ତ୍ୱେ କାଲି ଠିକ୍ ହୋଇଥିବା ନିର୍ଘଣ୍ଟକୁ ବଦଳାଇବା ପାଇଁ ମନ ହେଲାନାହିଁ । ସଜବାଜ ହୋଇ ଆମେ ସମସ୍ତେ ରାମଘାଟ ବାହାରି ପଡ଼ିଲୁ । ଦୁଇ ମାଇଲ ବାଟ ଚାଲିବାପରେ ଗୋଟିଏ ଛୋଟ ନଈ,ଏଠି ଏହାର ନାମ ଗଙ୍ଗା । ନଈର ଦୁଇପାଖରେ ବାଲିଶଯ୍ୟା ମଡ଼ାପୋଡ଼ାର ପାଉଁଶ ଓ ହାଡ଼ରେ କୁତ୍ସିତ ଓ ଭୀଷଣ ଦେଖାଯାଉଛି, ମଝିରେ ଆଣ୍ଠୁଏ ହେବ ପାଣିର ଧାର ବହି ଚାଲିଛି । ପହିଲେ ଭାରି ଅସନା ମାଡ଼ିଲା, ତଥାପି ଅପେକ୍ଷାକୃତ ଭଲ ଜାଗାଟିଏ ବାଛିନେଇ ଗାତଖୋଳି ଗାଧୋଇବାକୁ ହେଲା । ଗାଧୋଇ ସାରି ସ୍ୱଚ୍ଛ ଶରୀର ଓ ଶୁଚି ମନ ନେଇ ଉପରକୁ ଉଠିଆସୁଛି, ହଠାତ୍ ଉତ୍ତର ଦିଗରେ ହିମାଳୟ ସଙ୍ଗରେ ପ୍ରଥମ ଦେଖାହେଲା । ବିଶାଳ ପର୍ବତଶ୍ରେଣୀ ଦୂର ସନ୍ନ୍ୟାସୀର ନୀଳାର ବକ୍ଷପଟ ପରି ଦିଗନ୍ତବିସ୍ତୃତ ହୋଇ ଲମ୍ବିଛି-ତା’ର ନିରାଡ଼ମ୍ବର ଅଥଚ ପ୍ରଭାମୟ ସୌନ୍ଦର୍ଯ୍ୟ ଆଗରେ ବିଶ୍ୱମନର ସକଳ ଆରାଧନା ବେଳେ ବେଳେ ଆକୃଷ୍ଟ ହୋଇଯାଉଛି ।

 

ହଠାତ୍ ଏତେ ଭଲ ଲାଗିଲା ଯେ, ବେଶୀ ପୋଷାକ ପିନ୍ଧିବାକୁ ଇଚ୍ଛା ହେଲାନାହିଁ । ଉତ୍ତର ପବନର ସ୍ପର୍ଶରେ ଶରୀର ଜୀବନ୍ତ ହୋଇ ଫୁଟି ଉଠିଲା, ଲୁଗା ଘୋଡ଼ାଇ ତାକୁ ଉପାସୀ ରଖିବାକୁ ମନ ଗଲାନାହିଁ । କେବଳ ଧୋତିଟିଏ ପିନ୍ଧି ବାହାରି ପଡ଼ିଲି । ହଠାତ୍ ଜଣେ ବନ୍ଧୁ ତା’ର ସମାଲୋଚନା କଲେ । ଅପରିଚିତ ଜାଗାରେ ଏପରି ଖାଲି ଦେହରେ ଯିବାଟା ସେ ପସନ୍ଦ କଲେନାହିଁ । ଏଇ ପୋଷାକଟା ଉପରେ ସଭ୍ୟତାଲୋଭୀ ଆଧୁନିକ ଅସଭ୍ୟର ଏତେ ବେଶୀ ନଜର କାହିଁକି ଯେ ପଡ଼େ, ମୁଁ ମୋଟେ ବୁଝି ପାରେନା । ଅତି ଅନାବଶ୍ୟକ ପୋଷାକପରିପାଟୀ ଓ ଅଙ୍ଗ ଆଭରଣରେ ସେ କେତେ ସମୟ ଓ ଶକ୍ତି ଖର୍ଚ୍ଚ କରେ, କେତେ ମାନସିକ କସରତ୍ କରେ ! ଇଂରେଜୀ ଓ ପଶ୍ଚିମ ସମାଜ କଥା ଛାଡ଼ିଦିଅ, ପୋଷାକ, ଖିଆପିଆ, ବସାଉଠା ଓ କଥାବାର୍ତ୍ତା ବିଷୟରେ ସେମାନଙ୍କର ଆଇନ୍ କାନୁନ୍ ଦେଖିଲେ ମଧ୍ୟଯୁଗର କଥା ମନେ ପଡ଼ିଯାଏ । ସେ ସମାଜରେ ସକାଳ, ସଞ୍ଜ ଭୋଜନ, ଶୟନ, ଏପରିକି ମୃତବ୍ୟକ୍ତି ପାଇଁ ଦୁଃଖ ପ୍ରକାଶ କରିବାପାଇଁ ମଧ୍ୟ ଏକ ନିର୍ଦ୍ଦିଷ୍ଟ କିସମର ପୋଷାକ ପିନ୍ଧିବାକୁ ହୁଏ । ସେଇମାନଙ୍କର ସଂକ୍ରମଣ ଲାଗି ଆମର ସରଳ ସମାଜ ଭିତରେ ମଧ୍ୟ ଏଇସବୁ ଅଯଥା ଓ କୁଟିଳ କଟକଣାମାନ ପଶିଲାଣି । ଅସଲ ରୂପ ଓ ଅସଲ ସୌନ୍ଦର୍ଯ୍ୟକୁ କୁଶ୍ରୀ କଦାକାର କରି ଏ ଯୁଗର ମଣିଷ ପୋଷାକ ଓ ପ୍ରସାଧାନ ଭିତର ଦେଇ ନିଜର ମାର୍ଜିତ ଜୀବନର ପ୍ରମାଣ ଦେବାକୁ ଚେଷ୍ଟା କରୁଛି । ମନ ଭିତରେ ନାନା ସଂସ୍କାର ଓ କୁସଂସ୍କାରକୁ ଚାପିରଖି ମ୍ରିୟମାଣ ମଣିଷ ଶରୀର ଦ୍ୱାରା ନିଜର କଳ୍ପିତ ଗୌରବର ବିଜ୍ଞାପନ କରୁଛି-। James Hintonଙ୍କର ସେ ଟାଣ କଥା ପଦକ ମନେ ପଡ଼ୁଛି - “It is good you see it (human body). Come to it as you come to daily bread, or pure air, or the cleansing bath”- “ଶରୀରର ସୌନ୍ଦର୍ଯ୍ୟରେ ମନକୁ ତୃପ୍ତକର, ଭଲ କଥା । ଖିଆପିଆ, ଗାଧୁଆ ଓ ନିଶ୍ୱାସପ୍ରଶ୍ୱାସ ପରି ଶରୀରକୁ ମଧ୍ୟ ସରଳ ଓ ସାବଲୀଳଭାବେ ଗ୍ରହଣ କର ।” ସମାଜର ସମ୍ପର୍କ ଆଜି ଯେପରି ଖାଲି ପୋଷାକପରିପାଟୀର ସମ୍ପର୍କ ହୋଇଯାଇଛି-। ସ୍ତ୍ରୀ ପୁରୁଷପରି ପାଗଭିଡ଼ି ଆଗୁଆ ହୋଇ ବାହାରିବାକୁ ଚେଷ୍ଟା କରୁଛି, ଆଉ ପୁରୁଷ ସ୍ତ୍ରୀ ପରି ବେଶବିନ୍ୟାସ ସଜାଡ଼ିବାରେ ପରମ ଆତ୍ମପ୍ରସାଦ ପାଉଛି, ଆଧୁନିକ ସମାଜର ଏଇ ପ୍ରବୃତ୍ତିଟିକୁ Oedipus Fixation କହିଲେ ଭୁଲ୍ ହେବ କି ?

 

ହଠାତ୍ ବର୍ଷା ହଠାତ୍ ଖରା ! ଆକାଶରେ ବାଦଲର ଗୁରୁଗମ୍ଭୀର ଆୟୋଜନ; ଦୂରପର୍ବତର ମେଖଳାରେ ବଜ୍ରର ଗର୍ଜନ, ସବୁ ମିଶାଇ ସକାଳଟିକୁ ଯେପରି କିଏ କେତେଦୂରବ୍ୟାପୀ କରିଦେଇଥିଲା ।

 

ପଚାରି ପଚାରି ଟିଲୋରାକୋଟ ଆସିଲୁ - ଗୋଟିଏ ବୁଦାଳିଆ ଜଙ୍ଗଲ ଭିତରେ ପୁରୁଣା ଇଟାସବୁ ପୋତି ହୋଇ ପଡ଼ିଥିବାର ଦେଖିଲୁ । ଏଇଠି ଅଢ଼େଇ ହଜାର ବର୍ଷତଳେ କପିଳବାସ୍ତୁର ନିର୍ବାଚିତ ରାଜା ଶୁଦ୍ଧୋଦନଙ୍କର ବାସଭବନ ଥିଲା, ଏଇ ସ୍ଥାନର ମାଟି ଦିନେ ବାଳକ ଗୌତମକୁ ସାର ଓ ରସ ଦେଇ ମଣିଷ କରିଥିଲା । ମାଟି ଖୋଳିଲେ ହୁଏତ ଆହୁରି ଅନେକ ପୁରାସ୍ମୃତି ବାହାରିପାରେ ।

 

ଆମ ଭିତରୁ କାହାରିକୁ ରାସ୍ତା ମାଲୁମ ନ ଥାଏ, ତଥାପି ସମସ୍ତଙ୍କର ଜିଦ୍ ଯେ କାଲିକାର କାର୍ଯ୍ୟନିର୍ଘଣ୍ଟ ଅନୁସାରେ ସ୍ଥିରୀକୃତ ସ୍ଥାନମାନଙ୍କୁ ଯିବାକୁ ହିଁ ହେବ । ବାଟ ପଚାରି ‘ଗୋବରୀ’ ଗାଁକୁ ଆସିଲୁ । ଛୋଟ ଗାଁର ଛୋଟ ଛୋଟ ଘର କେଇଟି, ସବୁରି ଘର କାନ୍ଥରେ ଢାଉ ଓ ଖଡ଼ିରେ ହାତୀ ଆଉ କଳସର ଚିତା ଲେଖା ହୋଇଛି । ଘରଚାଳରେ ତୁମ୍ବୀ ଲଟା (ନାଉ) ମାଡ଼ିଛି ।

 

ରତ୍ନଲୋଭୀ ବ୍ରାହ୍ମଣପରି ଦୁଇ ମାଇଲ ଆସିବା ପରେ ‘ନିରାଲିହାୱା’ରେ ପହଞ୍ଚିଲୁ । ଗୋଟିଏ ବିରାଟ ଦଳପୋଖରୀ ପାଣି ଅପେକ୍ଷା ପଙ୍କ ବେଶୀ, ଚାରିପାଖରେ ନିବୁଜ କଣ୍ଟାବଣ ଘେରି ରହିଛି । ଯେଉଁ ଐତିହାସିକ ଖୁମ୍ବଟିକୁ ଦେଖିବାକୁ ଏତେ ଦୂରକୁ ଆସିଥିଲୁ, ବଣଭିତରେ ତା’ର ସ୍ଥାନ ନିର୍ଣ୍ଣୟ କରିବା ମୁସ୍କିଲ୍ ହୋଇପଡ଼ିଲା । ଅନେକ ଖୋଜି କ୍ଳାନ୍ତ ହୋଇ ବେଲଗଛରୁ ପାଚିଲା ବେଲ ପାରି ଖାଇଲୁ । ଶେଷରେ କାଠ ଗୋଟାଇ ଯାଇଥିବା କେତେକ ସ୍ତ୍ରୀଲୋକଙ୍କୁ ବାଟ ପଚାରି ଠିକ୍ ଜାଗାକୁ ଆସିଲୁ । ଖୁମ୍ବଟି ବର୍ତ୍ତମାନ ଦୁଇ ଖଣ୍ଡ ହୋଇଯାଇଛି । ମୂଳଟା ମାଟି ଭିତରେ ପୋତା, ଅନ୍ୟଖଣ୍ଡ ପୋଖରୀ ଭିତରକୁ ଗଡ଼ିପଡ଼ିଛି । ତା’ ଉପରେ ପାଲିଭାଷାରେ ଯାହା ଲେଖା ହୋଇଥିଲା, ତାକୁ ନକଲ କରି ଆଣିବାଲାଗି ଲେଖା ସରଞ୍ଜାମ କାହାରି ପାଖରେ ନ ଥିଲା । ଟୁଥ୍‍ପେଷ୍ଟର ସୀସାଖୋଳକୁ ପେନ୍‍ସିଲ୍ କରି ଗାମୁଛାଉପରେ ଅକ୍ଷରଗୁଡ଼ିକର ନକଲ କରିଆଣିଲୁ । ତା’ପରେ ଗାଆଁ ଭିତରକୁ ଗଲୁ ଖାଦ୍ୟର ସନ୍ଧାନରେ।

 

ପଲ୍ଲୀ ଗାଁର ଅପରିଚିତ ଚାଷୀ ‘ରାମମିଳନ’ ଘରେ ଶସ୍ତା ମଇଁଷି ଦହି ପିଇ ପେଟ ପୂର୍ଣ୍ଣ କଲୁ । ଗାଁର ଢଙ୍ଗ ଉତ୍ତର ଭାରତର ଯେକୌଣସି ଗାଁପରି । ଦୁଆରେ ପଥର ଲିଙ୍ଗ ଉପରେ ଠେକି ବସିଛି । ସ୍ତ୍ରୀଲୋକମାନଙ୍କ ଦେହରେ ପୋହଳାମାଳ, ପିତଳ ବସଣି, ମୋଟା ଅନ୍ତକଡ଼ା ଓ ସରୁବଳା ପ୍ରଭୃତି ଅଳଙ୍କାରମାନ ଲଦା ହୋଇଛି । ଘର ଭିତରେ ଯେଉଁଠି ଧାନ ଝୋଲକୁ ଚକି ଡେରା ହୋଇଥିଲା, ସେଇଠି ବସି ଆମେ ‘ରାମମିଳନ’ର ଆତିଥ୍ୟ ଗ୍ରହଣ କଲୁ । ହଠାତ୍ ଚାରୋଟି ବିଦେଶୀଙ୍କର ଆସିବାରେ ସେଠି ଅନେକ ଲୋକ ଜମା ହୋଇଗଲେ । ସେମାନଙ୍କ ସଙ୍ଗରେ ଆଳାପ କରି ଛାଇ ଲେଉଟିଲା ପରେ ଘରକୁ ଫେରିଲୁ । ତିନିଜଣ ବଳଦ ଗାଡ଼ିରେ ବସିଲେ, ମୁଁ ଓ ଆଉଜଣେ ଚାଲି ଚାଲି ଆସିଲୁ । ରାସ୍ତାରେ କଞ୍ଚାଆମ୍ବ ଚୋରି କରି ଖାଇଲୁ । ଘରପାଖରେ ପହଞ୍ଚିବାକୁ ଦି’ଡାକ ବାଟ ଅଛି, ହଠାତ୍ ସାପପରି ସୁ’ ସୁ’ ଶବ୍ଦ କରି ତୋଫାନ ମାଡ଼ି ଆସିଲା । ଧୂଳିର କରାଳ ଉତ୍ପାତ ଭିତରେ ପାହାଡ଼, ଗଛ ଓ ଲୋକବସତି ସବୁ କୁଆଡ଼େ ଲୁଚିଗଲା । ଗଛମୂଳରେ ଝଡ଼ ଅତିକ୍ରମ କରି ପାଞ୍ଚଟାବେଳକୁ ଆମେ ତୌଲିହାୱାରେ ପହଞ୍ଚିଲୁ ।

 

ରାତି ତିନିଟାବେଳେ ହାତୀ ଉପରେ ବସି ଆମର ଲୁମ୍ବିନୀ ଯିବାର କଥା ଥିଲା । କିନ୍ତୁ ସକାଳ ହେଲା, ଅଥଚ ହାତୀର କୌଣସି ସନ୍ଧାନ ନାହିଁ । ସବୁ ହାତୀ ବାହାଘର ବରାଦରେ ଚାଲି ଯାଇଛନ୍ତି - ଦିନ ଆଠଟାବେଳେ ପାଇକ ଫେରି ଆସିଲା । ସେଦିନ ଦି’ପହରର ଖିଆପିଆ ପରେ ହଠାତ୍ କାହିଁକି ତାସ ଖେଳିବାକୁ ଇଚ୍ଛାହେଲା । ତାସ ଖେଳୁ ଖେଳୁ ହଠାତ୍ ଜ୍ୱର ଆସିଲା - ଜ୍ୱର ଓହ୍ଲାଉ ଓହ୍ଲାଉ ସଞ୍ଜବେଳ । ରାତିରେ ଉପାସ ରହିଲି, ବିଛଣା ଉପରେ ପଡ଼ି ମଳୁ ମନରେ ନାନା ପ୍ରକାର ଦୁର୍ବଳଭାବନା ଆସିଲା । ଆଶଙ୍କା ହେଲା, ଗଲାବରଷର ‘ଆସାମ’ ପରି ଏଠି କ’ଣ ମୁଁ ଗୋଟାଏ ଡାକ୍ତରଖାନା ଖୋଲି ବସିବି କି ? ଏତେ ସରାଗର ବୁଲିବାର କାର୍ଯ୍ୟସୂଚୀ ଏ ଦେହଟା ସକାଶେ ପଣ୍ଡ ହୋଇଯିବ ନାହିଁ ତ ? ସୌଭାଗ୍ୟବଶତଃ ରାତିରେ ଖୁବ୍ ଭଲ ଲାଗିଲା, ମନବୋଧିଆ ବିଶ୍ରାମ ନେଇ ଲୁମ୍ବିନୀ ଯିବାପାଇଁ ସଜ ହୋଇ ପଡ଼ିଲି ।

 

ଅଧରାତିର ନିଃଶବ୍ଦ ଗର୍ଜନ ଭିତରେ ବଳଦଗାଡ଼ି ବନ୍ଧାହେଲା । ଆକାଶରେ ଅଷ୍ଟମୀର ଅଧାଜହ୍ନ ତତଲା ପବନରେ ପୃଥିବୀସାରା ଦୋହଲି ଉଠୁଛି । କମ୍ବଳ ଓ ଗରମ ଚାଦରରେ ଆବୃତ ହୋଇ ପାଞ୍ଚଟିଯାକ ପବିତ୍ର ବପୁ ଶଗଡ଼ ଉପରେ ବସିଲୁଁ । ୟାଡ଼ର ଶଗଡ଼ ଚକ ଭାରି ମୋଟା, ଚକ ଉପରେ ନାନା ରକମର କାରିଗରୀ କାମ ହୋଇଛି । ପୂରାପୂରି କାଠରେ ଖୋଲାଗିଡ଼ିଟି ତିଆରି ଗାଡ଼ି ଟାଣିବାକୁ ଗୋଟିଏ ଷଣ୍ଢ, ଆଉ ଗୋଟିଏ ବଳଦ । କାଠସାଜର ଜାକଜମକରେ ଗାଡ଼ିଟା ଏତେ ଭାରି ହୋଇଛି ଯେ, ବଳଦକୁ ଯେତେ ପିଟିଲେ ମଧ୍ୟ ଗାଡ଼ି ଧୀରେ ଧୀରେ ଯିବାକୁ ବାଧ୍ୟ । ଆମ ଶଗଡ଼ିଆ ‘ସାଧୁ’ର ତ-ତ୍-ତାରେ ଡାକଟା ଖୁବ୍ ହାସ୍ୟୋଦ୍ଦୀପକ ହେଉଥାଏ ।

 

ପାଳ ଉପରେ ସେଇ ସଂକୀର୍ଣ୍ଣ ଗାଡ଼ି ଭିତରେ ଆମେ ପାଞ୍ଚଜଣ ମଣିଷ କିପରି ଯେ ଶୋଇପଡ଼ିଲୁ ସେକଥା ଅନୁମାନ କରି ହେବନାହିଁ । ଆବଶ୍ୟକ ବାତାବରଣ ଅନୁସାରେ ନିଜକୁ ଖାପ ଖୁଆଇ ନେବାର ପ୍ରବୃତ୍ତି ଖାଲି ମଣିଷର କାହିଁକି; ଅନ୍ୟ ସବୁ ପ୍ରାଣୀଙ୍କର ବି ଅଛି । ନୂଆ ନୂଆ ଅବସ୍ଥା ଭିତରେ ଜୀବଜଗତ ଅହରହ ନିଜକୁ ଅଭ୍ୟସ୍ତ କରାଇ ନେବାର ଚେଷ୍ଟା କରୁଛି । ପ୍ରକୃତିର ବିଚିତ୍ର ରୂପ ପାଲଟାରେ ନିଜକୁ ଏଇ ଅଭ୍ୟସ୍ତ କରେଇ ନେବାର ଗୁଣ ଜୀବକୁ ଅନେକ ସାହାଯ୍ୟ କରିଛି । ଯାହାର ଏ ଶକ୍ତି ବେଶୀ ଅଛି, ସେଇ ଜିତିଛି; ଯାହାର ନାହିଁ, ସେ ଲୁପ୍ତ ହୋଇଯାଇଛି ।

 

ସିନ୍ଦୁରା ଫାଟିଲାବେଳକୁ ଆମେ ପାଞ୍ଚକୋଶ ବାଟ ଅତିକ୍ରମ କରି ସାରିଲୁଣି, ବାକି ରହିଛି ଚାରିକୋଶ । ସେତେବେଳକୁ ଆମର ଶଗଡ଼ ଗୋଟିଏ ଗାଁ ଦାଣ୍ଡଦେଇ ଯାଉଥାଏ । ରାତିରେ ହୁଏତ ଏମିତି କେତେ ଗାଁ ବାଟରେ ପକାଇ ଆସିଛୁ, ନିଦଭୋଳରେ ସେ କଥା ମନେନାହିଁ-। ସକାଳର ପବନ ଚଢ଼େଇର ଡାକ, ପୁର୍ବଦିଗର ନୀଳ ତୋରଣରେ କେଉଁ ଜ୍ୟୋତି-ପୁରୁଷର ଆଗମନ ସଂକେତ-ମନଟା ବଡ଼ ଚଞ୍ଚଳ ହୋଇ ଉଠିଲା । ଦୁଇଜଣ ସାଥୀଙ୍କୁ ଧରି ଗାଡ଼ିରୁ ଓହ୍ଲାଇ ପଡ଼ିଲି । ଶଗଡ଼କୁ ପଛରେ ପକାଇ ମନ ଉତ୍ସାହରେ ଆମେ ଅନେକ ବାଟ ଆଗକୁ ମାଡ଼ିଗଲୁ । ଆମ୍ବ ବଗିଚାର ଉହାଡ଼ରେ କେଉଁଠି କୋଇଲି ଡାକୁଥିଲା, ବିରାଟ ଓ ବିସ୍ତୀର୍ଣ୍ଣ ଗହୀର ଭିତରେ କେଉଁଠି ବୁଦା ଉପରେ ବସି କଜଳପାତି ପୁଚ୍ଛ ନଚାଉଥିଲା ।

 

ସର୍ଯ୍ୟ ଉଠିଲା କିନ୍ତୁ କୌଣସି ଆଡ଼ମ୍ବର ନାହିଁ; ଉଦୟପୂର୍ବର ସେ କିରଣଛଟା ନାହିଁ । ଖାଲି ମନେ ହେଲା, ଯୁଗ ଯୁଗ ପୁନରାବୃତ୍ତି କରି ଗୋଟିଏ କ୍ଳାନ୍ତ ପାଣ୍ଡୁର କିରଣ ଗୋଲକ ଯେପରି ପୂର୍ବ ଦିଗନ୍ତରେଖା ଉପରେ ଠିଆ ହୋଇ ରହିଛି । ଏ ଅଞ୍ଚଳର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଜୀବନ ନାହିଁ । ଏଠି ଯେପରି ସୂର୍ଯ୍ୟ କେବଳ ତା’ର କର୍ତ୍ତବ୍ୟଟିକକ ବଜାୟ ରଖିବାକୁ ଆସେ, ଆନନ୍ଦ ଓ ପ୍ରାଣ ଭରି ଦେବାକୁ ଆସେନାହିଁ । ଏ ସୂର୍ଯ୍ୟ ଯେପରି କୌଣସି ନିର୍ଜୀବ ପ୍ରଚ୍ଛଦ ଉପରର ସୂର୍ଯ୍ୟ, ଖାଲି ତୂଳୀରେ ଅଙ୍କା ହୋଇଛି ।

 

ସୂର୍ଯ୍ୟ ଦେଖିବାପରେ ଦିଗର ଗୋଟାଏ ଜ୍ଞାନ ଆସିଲା । ଉତ୍ତର ଦିଗକୁ ଆଖି ବୁଲାଇ ହିମାଳୟର ତଲାସ କରି ବସିଲି । ନା ଦିଗନ୍ତବ୍ୟାପୀ ଧୂଳିମେଘର ଅନ୍ତରାଳରେ ଧୂର୍ଜଟୀର ଜଟାଜାଲ ଏକାବେଳକେ ପଚ୍ଛନ୍ନ ହୋଇ ରହିଥିଲା, ସକାଳର ଆଲୁଅରେ ତାକୁ ଚିହ୍ନି ନେବାକୁ ଆଖିର ସାଧ୍ୟ ନ ଥିଲା ।

 

ଚାରିକୋଶ - ତିନିକୋଶ - ଦି’କୋଶ - କୋଶେ; ତଥାପି ବାଟ ସରିଲା ନାହିଁ । ଭୁଲ୍ ରାସ୍ତାରେ ଅନେକ ଦୂର ଯାଇ ଅନେକ ଥର ଫେରି ଆସିବାକୁ ପଡ଼ିଲା । ଇତିହାସରେ ଲୁମ୍ବିନୀ ଗୋଟିଏ ବଡ଼ ଉଦ୍ୟାନ । ତେଣୁ ଦୂରଦୂରାନ୍ତର କେତେ ଆମ୍ବ ତୋଟାକୁ ଲୁମ୍ବିନୀ ବୋଲି ଭାବି ନିରାଶ ହେବାକୁ ପଡ଼ିଲା । ଜ୍ୟାମିତିପ୍ରବୀଣ ମନ ସିଧାସଳଖ ବାଟ ଖୋଜୁଥିଲା - ସେଥିପାଇଁ ରାସ୍ତା, ବାଟ, ଗାଆଁଗଣ୍ଡା ଛାଡ଼ି ନିରାଟ ଗହୀର, ହିଡ଼ ଓ ଶୁଖିଲା ପାଟ ଭିତରେ ସରଳରେଖାର ବାଟ କାଟିବାକୁ ଆଦୌ ବିରକ୍ତ ଲାଗିଲା ନାହିଁ ।

 

ଦୂରରୁ ଲୁମ୍ବିନୀର ସ୍ତୂପ ଦେଖାଗଲା । ଉଦ୍ଦେଶ୍ୟସ୍ଥାନ ନିକଟ ବୋଲି ମନେ ହେଲେ ମଧ୍ୟ ବାଟ ସରିଲା ନାହିଁ । ‘କୋଣାର୍କ’ ଦେଉଳକୁ ଆଖିରଖି ମନକୁ ବୋଧ ଦେଇ ସେବର୍ଷର କୋଶ କୋଶ ବାଟ ପଡ଼ିଉଠି ଧାଇଁବା କଥା ମନେ ହେଲା । ଏତେବାଟ ଚାଲିବାପରେ ଯେଉଁ ଅବଶିଷ୍ଟ ଥିଲା, ତାକୁ ସେଇ ସ୍ତୂପପର୍ଯ୍ୟନ୍ତ ସୀମିତ ରଖି ପୁଣି ବାଟୁ ଚାଲିବାକୁ ଲାଗିଲୁ । ଶେଷରେ ପ୍ରାୟ ନ’ଟାବେଳେ ଆସି ଠିକଣା ଜାଗାରେ ପହଞ୍ଚିଲୁ । ରାସ୍ତା ଯେଉଁଠି ସରିଲା, ବାଟ ଚାଲିବାର ଧୈର୍ଯ୍ୟ ବି ସେଇଠି ସରିଲା, ଗୋଡ଼ ଆଉ ଖୋଜେ ବାଟ ବି ଚାଲିବାକୁ ପ୍ରସ୍ତୁତ ନ ଥିଲା ।

 

ଗାଡ଼ି ଓ ଗାଡ଼ି ଭିତରର ସାଥୀ ତିନିଜଣଙ୍କୁ ଅପେକ୍ଷା କରି ପ୍ରଥମେ ଆମେ ବିଶ୍ରାମ ନେଲୁ । ସଚେତ ବିଶ୍ରାମ ଦଣ୍ଡକ ଭିତରେ ଅଚେତ ନିଦରେ ପରିଣତ ହେଲା ।

 

ପ୍ରାୟ ଏଗାରଟା ବେଳକୁ ଗାଡ଼ି ଆସି ପହଞ୍ଚିଲା । ଗାଡ଼ିରୁ ଲୁଗାପଟା ନେଇ ସମସ୍ତେ ଗାଧୁଆପାଧୁଆ କଲୁ । ଆମଠାରୁ ଚାଉଳ ଡାଲି ନେଇ ଧର୍ମଶାଳାରେ ଜଗୁଆଳୀ ଆମ ପାଇଁ ରୋଷେଇ ବସେଇଲା ।

 

Image

(ଗୌତମ ଜନ୍ମତୀର୍ଥ-ଲୁମ୍ବିନୀ)

 

ଏ ଅପନ୍ତରା ଜାଗାରେ ଖଣ୍ଡେ ଧର୍ମଶାଳା କରି କେଉଁ ଉଦାର ବଡ଼ୋକ ଅତି ଧର୍ମକାମ କରିଛି । ଯେକୌଣସି ଉପାୟରେ ସେ ଛୋଟରୁ ବଡ଼ ହୋଇଥାଉ ପଛକେ, ତା’ର କେତେ ହଜାର ଟଙ୍କା ଅନ୍ତତଃ ଏଇ ଭଲ କାମଟିରେ ଖର୍ଚ୍ଚ ହୋଇଛି । ବଗିଚା, କୂଅ, ଚୌକୀ, ଟେବୁଲ, ଦର୍ପଣ ଆଦିର ଯଥାରୀତି ସାଜସଜ୍ଜାରେ ଧର୍ମଶାଳାଟି ବାସୋପଯୁକ୍ତ ହୋଇ ପାରିଛି । ଏଇ ଧର୍ମଶାଳାରେ ଜଣେ ଧର୍ମଟୀକା ଭଦ୍ରଲୋକଙ୍କୁ ଦେଖିବାକୁ ମିଳିଲା-ନାଲି ଓ ହଳଦିଆ ରଙ୍ଗର ଅଙ୍ଗୀଭରଣ ତାଙ୍କ ଧର୍ମାତ୍ମତାର ପରିଚୟ ଦେଉଛି । ଆମେ ଆସିଲା ବେଳକୁ ଖଣ୍ଡେ ଆରାମଚୌକୀ ଉପରେ ବସି ସେ ଢୁଳାଉଥିଲେ । ଖାଲି ଭେକଟି ଛଡ଼ା ତାଙ୍କ ଭିତରେ ଅନ୍ୟ କୌଣସି ଧର୍ମଲକ୍ଷଣ ଦେଖି ପାରିଲି ନାହିଁ । ମୁହଁରେ ସେ କ୍ଲାନ୍ତି ନାହିଁ, କର୍ମ-ହୀନତାର ପରିକ୍ଳାନ୍ତି ଯେପରି ଆଖିର ସମସ୍ତ ଜ୍ୟୋତିକୁ ଖାଇ ବସିଛି, ରଙ୍ଗବସନ ଜରିଆରେ ନିଜର ଧର୍ମାତ୍ମତାର ବିଜ୍ଞାପନ କରୁଥିବାରୁ ତାଙ୍କ ମୁହଁରୁ ଯେପରି ଏକ ଅପରାଧୀ ଭାବ (Guilty Consciousness) ଆପେ ଆପେ ପଦାକୁ ବାହାରି ପଡ଼ୁଛି । ନାନା ଆଭରଣ ନାନା ଆୟୋଜନର ଆଶ୍ରୟ ନେଇ ମଣିଷ ଯାହା ନୁହେଁ, ବାହାରକୁ ସେଇଆ ଦେଖାଇବାକୁ ସେ ମୃତ୍ୟୁଯାବତ୍ ଚେଷ୍ଟା କରେ, କିନ୍ତୁ ହୁସିଆର ମଣିଷର ଶତଚେଷ୍ଟା ସତ୍ତ୍ୱେ ଅନେକ ସମୟରେ ଅସଲ ମଣିଷଟି ପଦାକୁ ଫୁଟି ବାହାରି ଆସେ; ପଦେ କଥା ଖୋଜେ ଚାଲିବା ମୁହୂର୍ତ୍ତରେ ବ୍ୟବହାରରେ ଯେପରି ସେ ନିଜେ ନିଜେ ଆସି ଧରାଦିଏ ।

 

ବେଳ ଜାଣି ସନ୍ନ୍ୟାସୀ-ଭେକଧାରୀ ଭଦ୍ରଲୋକ ଦୀର୍ଘ ଦର୍ପଣଲଗା ଟେବୁଲ ଉପରେ ଖାଇ ବସିଲେ । ଏପାଖ ଘରେ ଆମେ ପିଆଜ ଓ ଲୁଣ ସହିତ କଞ୍ଚାଚୁଡ଼ା ଛୋବାଇ ଭୋକର ଦାଉ ଆଂଶିକଭାବେ ମେଣ୍ଟାଉଥାଉ । ମଣୋହିପରେ ସନ୍ନ୍ୟାସୀ ଚଟି ପିନ୍ଧି ଘରୁ ବାହାରି ଆସିଲେ । ଦେଖିଲି, ହାତରେ ଦରପୋଡ଼ା ବିଡ଼ି । ସେଇଟାକୁ ଅତି ସାବଧାନ ହୋଇ ଧରି ତରତରରେ ସେ ବାହାରକୁ ବାହାରିଗଲେ । ମନେ ମନେ ବଡ଼ ଅବଜ୍ଞାଭାବ ଆସିଲା, କୌଣସି ପ୍ରକାରେ ସେ ଭାବଟାକୁ ଅଟକାଇ ପାରିଲି ନାହିଁ । ଜୀବନଲୋଭୀ ବେକାରର ଏ ଆଧ୍ୟାତ୍ମିକ ଆୟୋଜନ ଦେଖି ମନଟା କାହିଁକି ଟିକିଏ ହିଂସ୍ର ହୋଇ ଉଠିଲା । ଯେଉଁ ଭେକ ସେ ଧରିଛନ୍ତି, ତଦ୍ଦ୍ୱାରା ସେ ଜଣେ ଧର୍ମାତ୍ମା ପୁରୁଷ; ମହାମନା ଗୌତମ ବୁଦ୍ଧଙ୍କର ଶିଷ୍ୟ ସେ । ଗୋଟାଏ ଗୌତମ ଥରେ ସିଦ୍ଧିଲାଭ କରି ଯେପରି ଏଇମାନଙ୍କ ପରି ହଜାର ହଜାର ଲୋକଙ୍କର ଅନ୍ନମୟ ଜୀବନଟାକୁ ନିରାପଦ କରିଦେଇ ଯାଇଛି ! ନିଜପାଇଁ ବା ଦୁନିଆ ପାଇଁ ଏମାନଙ୍କର ଯେପରି ଆଉ କିଛି କରିବାର ନାହିଁ ! ଜଣେ ଲୋକ ସାଧନା କରିଛି, ତାରି ପୁଣ୍ୟ ନାମରେ ଭେକ ନେଇ ଆଉ ହଜାରେ ଲୋକ ପାରି ହୋଇଛନ୍ତି, ବ୍ୟଭିଚାର କରିଛନ୍ତି, ଆଉ ଜଣେ ସାଧକର ଆବିର୍ଭାବ ପର୍ଯ୍ୟନ୍ତ ସଂସାରରେ ବିଷୋଦ୍‍ଗାର କରିଛନ୍ତି । ଧର୍ମର ଇତିହାସ କେବଳ ଏଇପରି ଏକ ଆବର୍ତ୍ତନର ଇତିହାସ ନୁହେଁ କି-?

 

ଲୁମ୍ବିନୀରେ ଅନେକ ଜିନିଷ ଦେଖିବାର ଆଶା କରିଥିଲି, ସେଥିପାଇଁ ଏତେ ଅଳ୍ପ ଦେଖିଲି ବୋଲି ନିରାଶ ହେବାକୁ ପଡ଼ିଲା । ଦୁଇ ପାଖରେ ଦୁଇଟା ସ୍ତୂପ- ସ୍ତୂପ ଉପରେ ଇଟାର ଛୋଟ ସ୍ତମ୍ଭ ଦୁଇଟି । ମଝିରେ ଗୋଟିଏ ବଡ଼ ସ୍ତମ୍ଭ, ବଜ୍ରପଡ଼ି ଫାଟିଯାଇଛି, ସ୍ତମ୍ଭର ଅନତିଦୂରରେ ପୁରାତନ ବୌଦ୍ଧବିହାରମାନଙ୍କର ଭଗ୍ନ ଖୋଦିତାଂଶ । ଇଟାଗୁଡ଼ିକର ଆକାର ଠିକ୍ କୁଶୀନଗରର ଇଟାପରି । ବୋଧହୁଏ ଏ ସବୁର ନିର୍ମାଣ କୁଶୀନଗର ନିର୍ମାଣର ସମକାଳୀନ, ଅର୍ଥାତ୍ ଗୁପ୍ତଚର ଯୁଗର । ସ୍ତମ୍ଭପାଖରେ ପଥର ବନ୍ଧେଇ ପୋଖରୀଟିଏ, ଆକାର ଓ ସାଦୃଶ୍ୟରେ ଏହା ଭୁବନେଶ୍ୱରର ଅଗଣିତ କୁଣ୍ଡରୁ ଗୋଟିକ ପରି । ସ୍ତମ୍ଭସାମନାକୁ ମନ୍ଦିରର ଫାଟକ । ଏଇ ଶତାବ୍ଦୀର ଆରମ୍ଭରେ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସ୍ଥାନଟି ଖୋଳା ହୋଇ ଯେଉଁସବୁ ପଥରମୂର୍ତ୍ତି ମିଳିଛି, ସେଗୁଡ଼ିକ ଏଇ ମନ୍ଦିରର ସମ୍ପଦ ଓ ସାମଗ୍ରୀ । ମୂର୍ତ୍ତିଗୁଡ଼ିକୁ ଭଲକରି ଚିହ୍ନି ହେଉନାହିଁ । ଗୋଟିଏ କବନ୍ଧ ବୁଦ୍ଧମୂର୍ତ୍ତି ସହିତ ଆଉ ଗୋଟାଏ ଗଣେଶମୁଣ୍ଡକୁ ଖଞ୍ଜି ଦିଆଯାଇଛି । ମନ୍ଦିର ଭିତରେ ଗୌତମ-ଜନନୀ ମହାମାୟାଙ୍କର ମୂର୍ତ୍ତି; ମନ୍ଦିରର ସେବିକାଙ୍କର କଥାରେ ମହାମାୟୀ ଠାକୁରାଣୀ । ରୀତିମତ ସିନ୍ଦୂର ଫୁଲରେ ମୂର୍ତ୍ତିଟି ମନ୍ଦିରର ଅଧିଷ୍ଠାତ୍ରୀ ରୂପେ ପୂଜା ପାଉଛି । କେଉଁ ବୁଦ୍ଧଭକ୍ତ ରାଜାର କୀର୍ତ୍ତିକୁ ପୁଞ୍ଜି କରି ହିନ୍ଦୁ ସେବକର ଜୀବିକାପନ୍ଥା ଖୋଲିଯାଇଛି । କି ଅଜ୍ଞାନ ସମନ୍ୱୟ ! ମଣିଷର ପେଟଟା ଯେପରି ସମସ୍ତ ଧର୍ମ ଓ ଧାର୍ମିକତାକୁ ଏକ ଅର୍ଥନୀତିର ସମନ୍ୱୟରେ ଅଭେଦ ଭାବରେ ମିଳାଇ ଦେଇଛି ।

 

ସଞ୍ଜ ଚାରିଟାରେ ଲୁମ୍ବିନୀରୁ ବାହାରି ତଉଲିହାୱାରେ ପହଞ୍ଚୁ ପହଞ୍ଚୁ ରାତି ଏଗାରଟା । ଦେହଯାକ ଧୂଳିରେ ବୁଡ଼ିଥାଏ, ତଥାପି କ୍ଳାନ୍ତି ହେତୁ ଖଟିଆ ଧରିବା ମାତ୍ରକେ ଗାଢ଼ ନିଦ ହୋଇଗଲା । ମଶା ବା ଛାରପୋକର ଉପଦ୍ରବକୁ ଅଙ୍ଗେ ନିଭାଇବାକୁ ଆଉ ଜ୍ଞାନ ରହିଲା ନାହିଁ । ପ୍ରାୟ ସବୁରି ଘରେ ଏଠି ଦଉଡ଼ି ଖଟିଆ । ମାଶାଜାଳାରୁ ରକ୍ଷା ପାଇବାକୁ ମିଣିପେ ମାଇପେ ସମସ୍ତେ ବାହାରେ ଖଟିଆ ପକାଇ ଶୁଅନ୍ତି । ରାତି ଅଧରେ ଲୁମ୍ବିନୀରୁ ଫେରୁଥିଲାବେଳେ ମଧ୍ୟ ରାସ୍ତାର ଦି’କଡ଼ରେ ଏଇ ନିଦ୍ରାଚେତନ ମଣିଷର ଦୃଶ୍ୟ ଅନେକ ଜାଗାରେ ଦେଖିବାକୁ ମିଳିଥିଲା ।

 

ସକାଳେ ପୁଣି ସେଇ ନିରାଭରଣ ସୂର୍ଯ୍ୟୋଦୟ- ତା’ର କ୍ଷୀଣ ହସ ରାତିର ଅନ୍ଧକାର ବିଳାପକୁ ଦୂର କରିବାକୁ ଯେପରି ଏକାବେଳକେ ଅକ୍ଷମ । ସବୁଦିନ ସକାଳେ ଓ ସଞ୍ଜରେ ଉଦୟ ଓ ଅସ୍ତରାଗର ଅଭାବଟା ଏଠି ମୁଁ ବଡ଼ ଅନୁଭବ କରୁଛି ! ଆଖି ଆଗରେ ଶାନ୍ତିନିକେତନ ଦିଗ୍‍ବଳୟର ସୁନ୍ଦର ଓ ସଲୀଳ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଭାସି ଯାଉଛି ।

 

ଆଜି ଘରର ସମସ୍ତଙ୍କୁ ସାଙ୍ଗରେ ନେଇ ଅୟନ ବନାରସ ଗଲା; ଘରେ ରହିଲୁ ଆମେ ଚାରିଜଣ ବିଦେଶୀ ଓ ଆମର ମେଜବାନ୍ ରୂପେ ଅୟନର ବାପା ।

 

ନିଦାଘତପ୍ତ ଦି’ ପହରଟା କଟିଗଲା ପରେ ସଞ୍ଜ ବୁଡ଼ିଲା । ଗପ କରି କରି ଆମେ ଚାଲିଲୁ ତୋଟାଛାଇତଳର ସେଇ ପୋଲ ପାଖକୁ । ଏଇ କେତେ ଦିନ ହେଲା ସେଇଠି ଆମର ସଞ୍ଜଜମାଏତ ବସେ । ଅବଶ୍ୟ ଅନେକ ଦିନ ମୁଁ ଏଇ ସଞ୍ଜସଭାରେ ଭାଗ ନେଇପାରେ ନାହିଁ । ସନ୍ଧ୍ୟାଗମର ଶୀତଳ ସ୍ପର୍ଶ ଯେପରି କେତେ ଦୂରର କେଉଁ ପ୍ରାଣମୟ ପୁରୁଷ ବାର୍ତ୍ତା ଦେଇଯାଏ, ସମସ୍ତ ଭେଦକଳ୍ପନା ଭୁଲିଯାଇ ମନ ଧାଇଁଯାଏ ସେଇ ଅଜଣା ଅଚିହ୍ନା ଦୂରର ଉଦ୍ଦେଶ୍ୟରେ । କେବଳ ଖୋଜି ଖୋଜି, ଅମାନିଆ ଢେଉପରି ଆଦିଗନ୍ତବିସ୍ତୃତ ବେଳାଭୂମିରେ କେବଳ ଆଘାତ କରି ଯେପରି ଅଶେଷ ଶାନ୍ତି ମିଳେ ! ଦିନଭରା ଜ୍ଞାନଚର୍ଚ୍ଚା, ଦର୍କାଲୋଚନା, ହସଖୁସି ଓ ଆନନ୍ଦସତ୍ତ୍ୱେ ମନ ଭିତରେ ଯେଉଁ ବିରାଟ ଶୂନ୍ୟ ପଡ଼ି ରହିଥାଏ, ସବୁ ଯେପରି କାହାର ସାନ୍ନିଧ୍ୟରେ ଭରିଉଠେ । ଅଗମୂଳ ଭୁଲିଯାଇ ଖାଲି ଅଛିଣ୍ଡା ଭାବନାରେ ବୁଡ଼ି ରହିବାକୁ ଭଲଲାକେ ।

 

ହାତୀ ଉପରେ ବସି ଆମର ଲୁମ୍ବିନି ଯିବାର ଥିଲା । ବାହାଘର ପାଇଁ ହାତୀସବୁ ଚାଲିଯାଇ ଥିବାରୁ ଅଞ୍ଚଳଟାଯାକ ଖୋଜି ଖୋଜି ଆମ ପାଇଁ ହାତୀ ମିଳିଲା ନାହିଁ । ହାତୀ ଚଢ଼ିବାର କଳ୍ପନା କରି ମନେ ମନେ ଏତେ ଖୁସି ହୋଇ ଯାଇଥିଲି ଯେ ଦୁଇ ତିନିଟା ଚିଠିରେ ମଧ୍ୟ ସେଇକଥା ଲେଖି ପକାଇଥିଲି । ଶେଷରେ ବଳଦ ଗାଡ଼ିରେ ଧୂଳି ଖାଇ ଯିବାକୁ ପଡ଼ିଲା । ସେଇ ଅବଶୋଷଟା ଆଜି ଦିନକ ଭିତରେ ନାନା ଉପଲକ୍ଷ ଭିତର ଦେଇ ଏକାଧିକବାର ପ୍ରକାଶ ମଧ୍ୟ ପାଇଥିଲା ।

 

ପୋଲ ଉପରେ ବସି କଥାବାର୍ତ୍ତା ହେଉଛୁ, ଦୁଇଟି ହାତୀ ସେଇ ବାଟ ଦେଇ ଆସିଲେ । ମାହୁନ୍ତଙ୍କୁ ରାଜି କରାଇ ଅଧମାଇଲ ପର୍ଯ୍ୟନ୍ତ ଆମେ ହାତୀ ଉପରେ ବସିକରି ଗଲୁ । ପ୍ରଥମେ ପ୍ରଥମେ ଗୋଟାଏ ଭୟମିଶ୍ରିତ ଚଞ୍ଚଳତା ଆସିଲା, ତା’ପରେ କେବଳ ନୀରବରେ ବସି ହାତୀଚଢ଼ାର ଆନନ୍ଦ ଉପଭୋଗ କରିବାକୁ ଲାଗିଲି । ଅନେକ ଦିନର ଅଭିଳାଷ ମେଣ୍ଟିଗଲା । ପ୍ରଥମ ସବାରି, ପ୍ରଥମ ଘୋଡ଼ାଗାଡ଼ି ଓ ପ୍ରଥମ ମଟର ଚଢ଼ିବା ଦିନ ନିଶ୍ଚୟ ଏଇପରି ଚଞ୍ଚଳତା ମୁଁ ଅନୁଭବ କରିଥିବି । ରେଳଗାଡ଼ି ଚଢ଼ିବାର ଆନନ୍ଦ ଉପଭୋଗ କରିବାକୁ ଜିଦ୍ କରି ମୁଁ କିପରି କଟକରୁ ଜଗତପୁର ଷ୍ଟେସନ ପର୍ଯ୍ୟନ୍ତ ଆସିଥିଲି, ସେ ରସାସ୍ୱାଦର ସ୍ମୃତି ଏବେ ମଧ୍ୟ ସଜାଗ ରହିଛି-

 

କାଲି ସକାଳେ ତେଉଲିହାୱା ଛାଡ଼ି ଗୋରଖପୁର ବାଟେ ବୀରଗଞ୍ଜ ଯିବାକୁ ହେବ, ସେଥିଲାଗି ରାତିରୁ ବୋକଚାପତ୍ର ବାନ୍ଧି ରଖିବାକୁ ହେଲା । ଜହ୍ନ ରାତିରେ ବାହାରେ ଖଟିଆ ପକାଇ ସମସ୍ତେ ଶୋଇଲୁ । ଥଣ୍ଡା ହାଉଆରେ ଏଣେ ଶରୀର କମ୍ପି ଉଠୁଥାଏ, କିନ୍ତୁ ଖଟିଆ ତଳେ ମଶାଙ୍କର ରୀତିମତ ଉପଦ୍ରବ ଚାଲିଥାଏ । ଆଶ୍ଚର୍ଯ୍ୟ ଲାଗିଲା, ଏଠିକା ମଶା ଶୀତକୁ ବି ମାନନ୍ତି ନାହିଁ ।

 

ଅଧା ନିଦ ଆଉ ଅଧା ମଶା-ହନ୍ତସନ୍ତରେ ଜହ୍ନ ବୁଡ଼ିଲା । ଆମେ ଯିବାପାଇଁ ତିଆରି ହେଲୁ ।

 

ରାସ୍ତା ଉପରେ ସକାଳ ହେଲାବେଳକୁ ତଉଲିହାୱା ଛାଡ଼ି ଆମେ ଅନେକ ଦୂର ଚାଲି ଆସିଲୁଣି । ଉତ୍ତର ଦିଗ୍‍ବଳୟର ବନାନୀରେଖା ଉପରେ ଶିବ ମନ୍ଦିରର ଉଚ୍ଚ କୋଟୀଟି ତଉଲିହାୱାକୁ ଚିହ୍ନାଇ ଦେଉଥାଏ । ସୂର୍ଯ୍ୟ ଉଠିଲା-ତଥାପି ସୂର୍ଯ୍ୟ ଉଠିଲା ପରି ଲାଗିଲା ନାହିଁ ।

 

ତଉଲିହାୱାକୁ ଠିକ୍ ନେପାଳ କହିଲେ ଭୁଲ ହେବ, ବରଂ ଯୁକ୍ତପ୍ରଦେଶର ‘ବସ୍ତି’ ଜିଲ୍ଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଭାଷା, ସାମାଜିକ ରୀତିନୀତି ଓ ଧର୍ମାଚାର ସବୁ ଦୃଷ୍ଟିରୁ ଏହାକୁ ଭାରତବର୍ଷର ଏକ ଅଂଶ ବୋଲି କୁହାଯାଇପାରେ। ତଉଲିହାୱା ଗୋଟିଏ ବଡ଼ ବସ୍ତି ଛୋଟିଆ ସହର ମଧ୍ୟ । ରାସ୍ତାରେ ମଇଳା ଭର୍ତ୍ତି ହୋଇଛି, ପୋଖରୀ ପଙ୍କରେ ଭରି ରହିଛି । ଗାଧୋଇବାକୁ ଏଠି ବଡ଼ ଅସୁବିଧା ଭୋଗ କରିବାକୁ ପଡ଼ିଛି । ଏଠିକାର ସାଧାରଣ ବାସିନ୍ଦାଙ୍କ ଭିତରେ କର୍ମଚାରୀ ସଂଖ୍ୟା ଅଧିକ । ଡାକଘରଟିଏ ଅଛି, ନେପାଳୀ ଭାଷାରେ ଡାକ ଘରକୁ ‘ହଲାକ୍ ଅଡ୍‍ଡା’ କହନ୍ତି । ଛୋଟ ଜେଲଟିଏ, ଡାକ୍ତରଖାନା ଓ ଜଜ୍‍ଙ୍କର କଚେରୀ ମଧ୍ୟ ଅଛି । କିନ୍ତୁ ପ୍ରାଥମିକ ମାନ ଉପରକୁ ଶିକ୍ଷାର କୌଣସି ବ୍ୟବସ୍ଥା ନାହିଁ । ସମସ୍ତ ଇଲାକାରେ ଗୋଟିଏ ବୋଲି ପ୍ରାଥମିକ ସ୍କୁଲ, ଏଠାରୁ ଅଠର ମାଇଲ ଦୂର ବୁଟ୍‍ୱାଲ ଇଲାକାରେ ଆଉ ଗୋଟିଏ । ନେପାଳର ଶିକ୍ଷାନୁଷ୍ଠାନ ଭିତରେ କାଠମାଣ୍ଡୁର ‘ତ୍ରିଚାନ୍ଦ’ କଲେଜ ଓ ଅନ୍ୟାନ୍ୟ ସ୍ଥାନରେ ମୋଟ ପାଞ୍ଚ ଛ’ଟି ହାଇସ୍କୁଲ । ଆମ ପ୍ରଦେଶର ଜୟପୁର ଓ କୋରାପୁଟ ମାଳ କଥା ମନେ ପଡ଼ିଗଲା । ସାହିତ୍ୟ ‘ସେବା’ ସମ୍ରାଟଙ୍କର ମୁଲକରେ ସେଠି ସେମିତି ଲୋକଙ୍କୁ ମୂର୍ଖ କରି ରଖାଯାଇଛି । ଲୋକଙ୍କୁ ପାଠ ପଢ଼େଇବାକୁ ବଡ଼ ଲୋକମାନେ ଚିରଦିନ ଡରି ଆସିଛନ୍ତି । ଶରୀରକୁ ସାର ଯୋଗାଇଲେ ସେ ଅନୁଗତ ହୋଇପଡ଼ିରହେ, ମନକୁ ସାର ଯୋଗାଇଲେ ସେ ବନ୍ଧନ ଛିଡ଼ାଇବାକୁ ଗର୍ଜନ କରିଉଠେ । ଶରୀରର ସୁଖସମୃଦ୍ଧି ପାଇଁ ଭଲ ଖାଦ୍ୟ, ଭଲ ଆବାସ, ସିନେମା, ପାଣିକଳ ଓ ବିଜୁଳି ଆଲୁଅ ଯୋଗାଇ ଦେଲେ ସେସବୁ ମଣିଷ ଉପରେ ଅଫିମ ପରି କାମ କରେ; କିନ୍ତୁ ମନର ଉଚିତ ରସଦ ଯୋଗାଇଲେ ଭିତରର ବାରୁଦରେ ନିଆଁ ଲାଗେ, ସତ ହାବେଳୀର ପରାକ୍ରମରେ ସବୁ ଠକ, ସବୁ ମାଲିକଙ୍କୁ ପୋଡ଼ିବାକୁ ଧାଏଁ । ସେଥିପାଇଁ ପ୍ଲେଟୋଙ୍କର କଳ୍ପିତ ଗଣତନ୍ତ୍ରରେ କ୍ରୀତଦାସମାନଙ୍କୁ ପାଠ ପଢ଼େଇବା ମନା ଥିଲା । ପ୍ରଜାଙ୍କ ଲାଗି ଖଜଣା ଛାଡ଼ି ଦିଆଯିବ, ପୋଖରୀ ଖୋଳାଇ ଦିଆଯିବ, ଡାକ୍ତରଖାନା ଖୋଲାଯିବ, କିନ୍ତୁ ପାଠ ପଢ଼ି ସତକଥାଟା ବୁଝିବାରେ ସୁବିଧା ଦିଆଯିବ ନାହିଁ - ଏଇ ହେଉଛି, ଆଧୁନିକ ପ୍ରଜାମାଲିକମାନଙ୍କର ଦୁରଦର୍ଶୀ ବୁଦ୍ଧି । ନେପାଳ ପୁଣି ସ୍ୱାଧୀନ ରାଜ୍ୟ । କଂଗ୍ରେସୀ, ଲିଗୀ ବା ସାମ୍ୟବାଦୀ, ଗଢ଼ଣ ଯେପରି ହେଉ ପଛକେ ଏପରି ସ୍ୱାଧୀନତା ଆମର ଦରକାର ନାହିଁ ।

 

ତଉଲିହାୱାର ସାମାଜିକ ଲୋକାଚାରରୁ ଉତ୍ତରଭାରତର ଲୋକାଚାର ବିଷୟରେ ଅନେକ କଥା ଜାଣିହେଲା । ଏଠି ମଲାବ୍ୟକ୍ତି ପାଇଁ ଦେଢ଼ମାସ ଅଶୌଚ ପାଳିବାକୁ ହୁଏ । ପ୍ରଥମ ତେରଦିନ କେହି ଖିଅର ହୁଅନ୍ତି ନାହିଁ, କିନ୍ତୁ ଏ ସମୟଟା କଟିଗଲେ ଖିଅର ହେବାପାଇଁ ଆଉ ବାରଣ ନ ଥାଏ । ଏଠିକାର ବାହାଘର ଏକ ଚମତ୍କାର ଧରଣର, ସାଧାରଣ-ପ୍ରଚଳିତ ବାଲ୍ୟବିବାହଠୁଁ ଏହା ଅଧିକ ସାଂଘାତିକ । ପାଞ୍ଚ ଛଅ ବରଷର ବର ସହିତ କୋଡ଼ିଏ ବରଷର କନ୍ୟାର ବିବାହ ଏ ଅଞ୍ଚଳରେ ଏକ ସାଧାରଣ କଥା । କୂଅ ଖୋଳିଲେ ତା’ ମୂଳରେ ବୃକ୍ଷଟିଏ ରୋପଣ କରି ଏଠିକା ଲୋକେ ଦୁହିଁଙ୍କର ବାହାଘର କରାଇ ଦିଅନ୍ତି । ଏ ଅଞ୍ଚଳରେ ଜଳର ଅତ୍ୟନ୍ତ ଅଭାବ ହେତୁ ବୋଧହୁଏ ଲୋକେ କୂଅକୁ ଏତେ ଆପଣାର କରି ଦେଖନ୍ତି ।

 

ଖନ୍‍ୱାର ପହଞ୍ଚିଲା ବେଳକୁ ସକାଳ ସାତଟା । ଜ୍ୟେଷ୍ଠ ମାସର ସୂର୍ଯ୍ୟ ଅନେକ ଉପରକୁ ଉଠିଗଲାଣି, ଧୂଳି ରାସ୍ତା ଉପରେ ଖଣ୍ଡିଆ ଭୂତର ବାତୁଳ ଘୂର୍ଣ୍ଣି ଆରମ୍ଭ ହୋଇଗଲାଣି । ଖୁନ୍‍ୱା ହେଉଛି ଭାରତ ଓ ନେପାଳର ସରହଦରେ । ବସ୍ତି ଆରମ୍ଭରେ ଭୂମିର ସୀମାସାଙ୍କେତିକ ସ୍ତମ୍ଭ । ଅତି ଛୋଟ ବସ୍ତିଟିଏ-ଛୋଟ ଛୋଟ ଘର କୋତୋଟି ଆଉ ଛୋଟିଆ ଆମ୍ବତୋଟାଟିଏ । ପ୍ରତ୍ୟେକ ଘରର ପଛପଟକୁ ବର୍ଷା ରାତିପାଇଁ ସାଇତା ହୋଇ ରଖାଯାଇଥିବା ନିଖୁଣ ଘଷିଭାଡ଼ି, ଆଉ ବଳଦପାଇଁ ଭୂଷିଗଦା ।

 

ଶୋହରତଗଡ଼ରେ ରେଳଗାଡ଼ିରୁ ଓହ୍ଲାଇ ଯାତ୍ରୀମାନେ ଏକ୍କା କରି ଖୁନ୍‍ୱା ପର୍ଯ୍ୟନ୍ତ ଆସନ୍ତି, ଏଇଠୁ ଯେଝା ଗାଆଁକୁ ଯିଏ ଆପଣା ପାଦଚଲା ପଥ ଆଦରନ୍ତି । ରାସ୍ତା କଡ଼ରେ ଦୁଇଟି ଦୋକାନ- ଚୁଡ଼ା, ଗୁଡ଼ ଓ ଶସ୍ତା ମିଠାଇ - ରାସ୍ତାଧୂଳି ଓ ମାଛି ଜନ୍ଦାରେ ପୂରିଛି ।

 

ଏ ଅଞ୍ଚଳରେ ଫଳ, ପରିବା ଓ ଦୁଧ ଦହି ସପନ । ତଉଲିହାୱାରେ ସବୁଦିନ ଖାଲି ଆଳୁ ପିଆଜର ତରକାରୀ ଖାଇବାକୁ ହୋଇଛି । କମଳାଲେମ୍ବୁ ଟଙ୍କାରେ ଦୁଇଟା, ପାଚିଲା କଦଳୀ ଅଣାକୁ ଗୋଟାଏ । ଲୋକେ ସାଧାରଣତଃ ମାଛ ଓ ମାଂସ ଖାଆନ୍ତି ।

 

ଅୟନର ବାପାଙ୍କର ଜଣେ କର୍ମଚାରୀ ବାବୁରାମର ଘର ଏଇ ଖୁନ୍‍ୱାରେ । ତା’ର ଘରେ ଆମକୁ ବିଶ୍ରାମ ନେବାକୁ ହେବ ହେଲା । ବରଗଛ ତଳେ ଖଟିଆ ପକାଇ କିଛି ସମୟ ଗଡ଼ପଡ଼ ହେଲା ପରେ ଯବଛତୁର ଜଳଖିଆ ଆସିଲା । ପୁଣି ଏଗାରଟା ବେଳେ ମଧ୍ୟାହ୍ନ ଭୋଜନ କରି ଏକ୍କାଚଢ଼ି ଆମେ ଶୋହରତଗଡ଼ ବାହାରିଲୁ । ମଝିରେ କେତେଦୂର ବାଦ୍ ଦେଲେ ଛଅମାଇଲଯାକ କେବଳ ମୁକୁଳିତ ଜାମୁ ଗଛର ଧାଡ଼ି ଲାଗିଥାଏ । ଗୋଟାକ ବେଳେ ଶୋହରତଗଡ଼ ଷ୍ଟେସନରେ ପହଞ୍ଚିଲୁ । ଏଠି ସ୍ଥାନୀୟ ରାଜାଙ୍କର ପ୍ରାସାଦ ଓ ଶୋହରତନାଥଙ୍କର ମନ୍ଦିର ଅଛି । ରାସ୍ତାର ଦୁଇପାଖରେ ଡେଙ୍ଗା ଡେଙ୍ଗା ଝୁଣା ଗଛ । ଷ୍ଟେସନରେ ଦୁଇଘଣ୍ଟା ଅପେକ୍ଷା କରିବାକୁ ହେଲା । ବାହାଘର ଫେରନ୍ତା ବରଯାତ୍ରୀଙ୍କ ଦଳରେ ଷ୍ଟେସନ ପୂରିଥାଏ । ବାହାପୁଆଣୀରେ ସମସ୍ତେ ଏଠି ହଳଦିଆ ଲୁଗା ପିନ୍ଧନ୍ତି । ଉତ୍ତରାଞ୍ଚଳର ସ୍ତ୍ରୀମାନଙ୍କ ଦେହରେ ଗହଣା ସାଜ ଦେଖି ଡର ମାଡ଼ିଲା । ଗହଣା ବୋଝ ବୋହି ବୋହି କାନ ଓ ନାକ ଏକାଧିକ ସ୍ଥାନରେ ଛିଣ୍ଡି ଯାଇଛି । ବେକରେ ମୋଟାମୋଟା ରୂପା ବଳା-ହାତରେ ଅତିକାୟ ରୂପା ଅଳଙ୍କାରମାନ । ଏଠିକା ଲୋକେ ଦୋଳ ପୂର୍ଣ୍ଣିମାକୁ ହଳଦିଆ ଲୁଗା ପିନ୍ଧନ୍ତି ବୋଲି ଶୁଣିଲି । ଶାନ୍ତିନିକେତନର ବସନ୍ତଉତ୍ସବ କଥା ମନେ ପଡ଼ିଗଲା ।

 

ଗାଡ଼ି ଚଢ଼ି ଗୋରଖପୁରରେ ଆମେ ସଞ୍ଜ ସାତଟା ବେଳେ ପହଞ୍ଚିଲୁ । ବାଟରେ ପ୍ରାଦେଶିକ ସରକାରଙ୍କର କୃତିମ ଜଙ୍ଗଲମାନ ଦେଖିବାକୁ ମିଳିଲା । ଗୋରଖପୁରଠୁଁ ଖିଆପିଆ କରି ରାତି ଏଗାରଟା ବେଳେ କାଟିହାର ଏକ୍‍ସ୍‍ପ୍ରେସ୍ ଧରିଲୁ । ଏ ଗାଡ଼ିଟା ସବୁଦିନେ ଭିଡ଼ପାଇଁ ଜଣାଶୁଣା । ବିହାରର ପଲ୍ଲୀପ୍ରାନ୍ତର ଦେଇ ଯାଉ ଯାଉ ରାତି କଟିଲା- ସକାଳ ସାତଟାରେ ମୁଜାଫରପୁର ଷ୍ଟେସନ । ଠିକ୍ ପନ୍ଦର ମିନିଟ୍ ପରେ ସୁଗୌଲି ଯିବାର ଗାଡ଼ି । ବଡ଼ ତରତରରେ ଏ ଗାଡ଼ିକୁ ଆସିଲୁ । ଗାଡ଼ିର ଭୀଷଣ ଭିଡ଼ ଭିତରେ ଆମର ମାଲ୍‍ପତ୍ର ସହିତ ନିଜପାଇଁ ଜାଗା ଟିକିଏ କରିବାକୁ ରୀତିମତ ଲଙ୍କାକାଣ୍ଡ କରିବାକୁ ହେଲା । ଆମ ଦେଶର ରେଳଗାଡ଼ିରେ ଆମର ସଭ୍ୟତା ଓ ସହଯୋଗିତାର ପ୍ରମାଣ ମିଳେ । ଘରେ ବ୍ୟକ୍ତିଗତ ଜୀବନରେ ଯିଏ ଯେତେ ନମନୀୟ ଓ ଭଦ୍ର ହୋଇଥାଉ ପଛକେ, ରେଳଗାଡ଼ିରେ ସଫର କରି ଗଲାବେଳେ ସେ ଏପରି ଅଦମ୍ୟ ଓ ଅବିନୀତ କିପରି ଯେ ହୋଇଉଠେ, ମୁଁ ତା’ର କାରଣ ଖୋଜି ପାଏ ନାହିଁ ।

 

ଅଳ୍ପସମୟ ପରେ ଚମ୍ପାରଣ ଜିଲ୍ଲା ପଡ଼ିଲା । ଅତ୍ୟାଚାରୀର ଅନ୍ୟାୟ ବିରୁଦ୍ଧରେ ଭାରତର ପ୍ରାଣ ପ୍ରଥମେ ଏଇଠି ଚହଲି ଉଠିଥିଲି । ଏଇଠି ଦେଶ ତା’ର ମହାତ୍ମାକୁ ଚିହ୍ନିଥିଲା, ମହାତ୍ମା ମଧ୍ୟ ତା’ର ଦେଶବାସୀଙ୍କର ଅମିତ ଶକ୍ତିର ପରିଚୟ ଏଇଠି ପାଇଥିଲା । ଏ ଜିଲ୍ଲାକୁ ଆସି ଅନେକ ଦିନ ପରେ ଧରଣୀର ସବୁଜ ଶ୍ୟାମଳ ରୂପଟି ଦେଖିବାକୁ ମିଳିଲା । ଆଜିଯାଏ ଶୁଷ୍କ ଧରିତ୍ରୀ ଭିତରେ ପଡ଼ି ଅତୃପ୍ତ ମନ ହାହାକାର କରୁଥିଲା, ହଠାତ୍ ନୀରସ ମନରେ ଯେପରି ରସର ଝରଣା ଜାଗିଉଠି ଏଇ ସବୁଜ ବନାନୀ ଉପରେ ଉଲ୍ଲମ୍ଫନ କରିବାକୁ ଲାଗିଲା । ଟ୍ରାକ୍ଟର ଯୋଗାଇ ଗାଁ ଚାଷୀର ଜମି ଚାଷ କରାଇବା ପାଇଁ ବିହାର ସରକାରଙ୍କର ନୂଆ ବ୍ୟବସ୍ଥା ଦେଖିଲି । ତା’ପରେ ଆସିଲା ଲିଚୁ ତୋଟାର ଗହନ, ଡାଳେ ଡାଳେ ପାଚିଲା ଲିଚୁକାନ୍ଦିର ଲାଲ ଲହରୀ ଲୋଟି ପଡ଼ୁଥିଲା । ଗୋଟାକ ବେଳେ ସୁଗୌଲୀରେ ପହଞ୍ଚି ଅନ୍ୟ ଗାଡ଼ିପାଇଁ ଚାରିଘଣ୍ଟା ଅପେକ୍ଷା କରିବାକୁ ହେଲା । ଏ ଅଞ୍ଚଳରେ ଛଚିନ୍ଦ୍ରା ପରି ଏକ ପ୍ରକାର କାକୁଡ଼ି ମିଳେ । ସେଇ କାକୁଡ଼ି ଓ ପାଚିଲା ଫୁଟି ଖାଇ ଆମେ ସେ ଦିନଟା ଲାଗି ପେଟର କ୍ଷୁଧା ମେଣ୍ଟାଇ ଦେଲୁ । ସୁଗୌଲୀ ଜଙ୍କ୍‍ସନ୍‍ରୁ ରକ୍‍ସଲ୍ ଗାଡ଼ି ସନ୍ଧ୍ୟା ପାଞ୍ଚଟା ବେଳେ ଛାଡ଼ିଲା । ଏ ଗାଡ଼ିଟା ଏତେ ଧୀରେ ଧୀରେ ଯାଏ ଯେ ବାର ମାଇଲ ବାଟକୁ ପ୍ରାୟ ଦୁଇଘଣ୍ଟା ସମୟ ଲାଗେ ।

 

ରକ୍‍ସଲ୍‍ଠାରେ ଭାରତଭୂଇଁ ସରିଛି । ଷ୍ଟେସନ ସେପାଖରୁ ନେପାଳ ସରକାରଙ୍କର ରେଳରାସ୍ତା ଆରମ୍ଭ ହୋଇଛି । ସାତଟାବେଳେ ରକ୍‍ସଲ୍‍ରେ ପହଞ୍ଚିଲା ବେଳକୁ ବୀରଗଞ୍ଜ ଯିବା ଗାଡ଼ି ଛାଡ଼ି ଦେଇଥିଲା । ଜିନିଷସବୁ ଏକ୍କା ଉପରେ ଲଦି ଆମକୁ ସେ ଦୁଇ ମାଇଲ ରାସ୍ତା ଚାଲି ଚାଲି ଆସିବାକୁ ହେଲା । ଉପରେ ଚତୁର୍ଦ୍ଦଶରୀ ତୋଫା ଜହ୍ନ, ଚତୁର୍ଦ୍ଦିଗଣରେ ବଣ, ବିଲ,ତୋଟା, ପଡ଼ିଆ ଜ୍ୟୋତ୍ସ୍ନାଚର୍ଚ୍ଚିତ ସ୍ନିଗ୍‍ଧ ବେଶ ଧାରଣ କରିଛି । ରେଳ ଲାଇନ କଡ଼େ କଡ଼େ ଚଲା ବାଟଟି ଯାଇଛି । ଅଙ୍କାବଙ୍କା ଶୁଷ୍କଧାରା ଏକ ନଦୀ ଉତ୍ତାରୁ ଆମେ ନେପାଳ ଇଲାକା ଭିତରକୁ ଆସିଲୁ । ବୀରଗଞ୍ଜରେ ପହଞ୍ଚିଲା ବେଳକୁ ରାତି ନଅଟା । ଗୋଟାଏ ଧର୍ମଶାଳାର ଉପର ମହଲାରେ ବଖରାଏ ଘର ନେଇ ସମସ୍ତେ ରହିଲୁ । ବଡ଼ କ୍ଳାନ୍ତ ଲାଗୁଥାଏ, କୋଠା ଉପରେ ଖୋଲା ଆକାଶର ତାରାଟି କଥା ଭାବୁ ଭାବୁ ନିଦ ହୋଇଗଲା । ରାତିରେ ଗୋଟାଏ ବାହାଘର ଶୋଭାଯାତ୍ରାର ଗୋଳମାଳରେ ନିଦ ଭାଙ୍ଗିଗଲା- ହାତୀ, ଫୁଲଝାଡ଼, ପାଲିଙ୍କି ଓ ବ୍ୟାଣ୍ଡବାଜାର ଆୟୋଜନରେ ରାସ୍ତାଟି ପୂରି ଉଠିଥିଲା । ତଥାପି ପେଁକାଳୀ ଓ ମହମତ ବାଜା ବାଦ୍ ପଡ଼ିନଥିଲା । ଏଇ ବାଜାଟାର ପ୍ରବେଶ ସବୁ ଜାତିରେ, ସବୁ ପ୍ରଦେଶରେ । ଶେଷ ରାତିକୁ କ୍ଷଣ କାଳପାଇଁ ବର୍ଷାର ଧମକ ଆସି ଆମକୁ ଘର ଭିତରକୁ ଉଠାଇ ଆଣିଲା ମଶାର ଅଧିକ ଶିକାର ହେବାପାଇଁ । ଏଠିକାର ମଶା ଅତି ପ୍ରବଳ; ସକାଳକୁ ସେଇମାନଙ୍କର ଦଂଶ ଚିହ୍ନରେ ହାତ ଓ ମୁହଁ ଉପରଯାଗ ଲେଶି ହୋଇ ଯାଇଥିଲା ।

 

ସକାଳୁ ଉଠୁ ଉଠୁ ଅନେକ ଡେରି ହୋଇଗଲା- ସୂର୍ଯ୍ୟୋଦୟ ଦେଖି ପାରିଲି ନାହିଁ । ଦୂର ଉତ୍ତର ସୀମାନ୍ତର ହିମାଳୟର ନୀଳାଭରୂପ ମେଘପରି ପ୍ରସାରି ରହିଥିଲା । ବୀରଗଞ୍ଜର ପ୍ରଧାନ ରାସ୍ତାଟି ପରିଷ୍କାର ଓ ଚୌଡ଼ା- ମାରବାଡ଼ି ବେପାରୀରେ ବଜାରସାରା ପୂରିଛି, ପାଚାଶ ଷାଠିଏ ବର୍ଷ ହେଲା ଅନେକ ମାରବାଡ଼ି ଏଇଠି ବେପାର କରି ଆସୁଛନ୍ତି । ରାସ୍ତାର ଦୁଇ ପାଖରେ ବଡ଼ ବଡ଼ କୋଠା, ଢଙ୍ଗଟା ଠିକ୍ କଲିକତାର ବଡ଼ବଜାର ଭଳି । ଘର ଭିତରକୁ ପବନ ଗଳିବାର ବାଟ ନାହିଁ ।

 

ସେଦିନ ହୋଟେଲ୍‍ରେ ଖାଇବାକୁ ହେଲା । ଖାଇବା ଉଚ୍ଚ ଧରଣର ନ ହେଲେ ମଧ୍ୟ ବ୍ୟବସ୍ଥା ବଡ଼ ପରିଷ୍କାର ଓ ଶୁଚୀସମ୍ପନ୍ନ । ଜଣେ କେହି ଖାଇ ସାରିଲେ ତା’ର ପିଢ଼ା ଓ ଖାଇବା ଜାଗା ଗୋବରରେ ପୋଛା ହୋଇ ଶୌଚ କରାଯାଏ । ଖାଇବା ପଦାର୍ଥ ଭିତରେ ଅରୁଆ ଭାତ, ହରଡ଼ ଡାଲି, ତରକାରୀ ଉପଲକ୍ଷରେ ଚଟଣୀ ପରିମାଣ ରାଗବହୁଳ ପରିବାସିଝା । ଯାହାହେଉ, ପେଟ ପୂରାଇ ପ୍ରଥମେ ପାସ୍‍ପୋର୍ଟ ପାଇଁ ସରକାରୀ ଅଫିସକୁ ଯିବାକୁ ପଡ଼ିଲା । ଆମ ଲାଗି ପାସ୍‍ପୋର୍ଟ ଆସି ନ ଥିବାରୁ ସଙ୍ଗେ ସଙ୍ଗେ କାଠମାଣ୍ଡୁ ଫୋନ୍ କରାଗଲା । ଏଠି ନେପାଳୀ ଭାଷାରେ ଫୋନ୍ କରିବାକୁ ହୁଏ ଓ ଅଶୀ ଅକ୍ଷରକୁ ଟଙ୍କାଏ କରି ଫିସ୍‍ ଦେବାକୁ ପଡ଼େ ।

 

ତା’ ପରଦିନ ମଧ୍ୟ ସକାଳୁ ମେଘ ଘୋରା ଘୋରା କରିଥିଲା, ସୂର୍ଯ୍ୟୋଦୟ ଦେଖି ପାରିଲି ନାହିଁ । ଗାଧୁଆ ପାଧୁଆ, ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ବିଶ୍ରାମରେ ମାମୁଲି ଭାବରେ ଖରାବେଳ ଯାଏ ସମୟଟା କଟିଗଲା ! ପ୍ରାୟ ଦୁଇଟାବେଳେ ଫୋନ୍‍ର ଜବାବ ଜାଣିବାକୁ କଚେରୀକୁ ଗଲୁ । ସୁବ୍‍ବାସାହେବ ଆମକୁ ନା କରି ଫେରାଇ ଦେଲେ । କଚେରୀର ସବୁଠାରୁ ବଡ଼ ହାକିମଙ୍କୁ ଏଠି ସୁବ୍‍ବା କହନ୍ତି । ପୁଣି ଆସିଲୁ ଟେଲିଫୋନ୍ ଅଫିସ୍‍କୁ । ସେମାନେ ମଧ୍ୟ ନା କରିଦେଲେ । ବଡ଼ ଚିନ୍ତାରେ ସେଠୁଁ ଲେଉଟି ଆସୁଛୁ, ହଠାତ୍ ସେମାନେ ଆଉଥରେ ଡାକି କହିଲେ ଯେ ‘ସୁନୀଲ ସରକାର’ଙ୍କ ନାମରେ ଚୀଫ୍‍ସାହେବଙ୍କ ପାଖରୁ ଗୋଟିଏ ଫୋନ୍ ଆସିଛି ଓ କଚେରୀକୁ ପଠାଇ ଦିଆଯାଇଛି । ଆମ ସାଙ୍ଗରେ ଯେଉଁ ଅଧ୍ୟାପକଙ୍କର ନେପାଳ ଆସିବାର ଥିଲା, ତାଙ୍କରି ନାଁ ହେଉଛି ଶ୍ରୀଯୁକ୍ତ ସୁନୀଲ ସରକାର । ମନ ଦୋଳାରେ ଏପାଖ ସେପାଖ ହୋଇ ପୁଣି କଚେରୀକୁ ଦଉଡ଼ିଲି । ସେଠି ସୁବ୍‍ବା ସାହେବଙ୍କ ପାଖରେ ଠିଆ ହୋଇଛି, ଠିକ୍ ଏତିକିବେଳେ ଚପରାସୀ ତାଙ୍କୁ କ’ଣ କାଗଜ ଖଣ୍ଡେ ଆଣି ଦେଲା । ସେଇ ହେଉଛି ଆମ ଫୋନ୍‍ର ଜବାବ ! ସୁବ୍‍ବା ସାହେବ ଜଣାଇ ଦେଲେ ଯେ ସୁନୀଲ ସରକାରଙ୍କ ସମେତ ଚାରିଜଣଙ୍କୁ କାଠମାଣ୍ଡୁ ଯିବାର ଅନୁମତି ମିଳିଛି । କାଲି ଷ୍ଟେସନରୁ ରାହାଦାନୀ (passport) ମିଳିବ । ମନ ଖୁସିରେ ଫେରି ଆସି ବନ୍ଧୁମାନଙ୍କୁ ଏଇ ଖୁସି ଖବର କହିଲି ।

 

ସୁନୀଲ ସରକାର ? କିନ୍ତୁ ସୁନୀଲ ସରକାର ହେବ କିଏ ? ଆମ ସାଙ୍ଗରେ ସୁନୀଲ ସରକାର ଆସି ନାହାନ୍ତି କହିଲେ ଏମାନେ ପୁଣିଥରେ ଚୀଫ୍‍ ସାହେବଙ୍କର ଅନୁମତି ଲୋଡ଼ିବେ, ଯିବାରେ ଅଯଥା ଦୁଇଦିନ ଡେରି ହୋଇଯିବ । ଶେଷରେ ମୋତେ ହିଁ ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ସୁନୀଲ ସରକାରଙ୍କ ନାମ ନେବାକୁ ପଡ଼ିଲା । ମୋ’ ନାଁ’ ଆଉ ଜଣେ ନେଲା । ତା’ର ନିଜ ନାଁ’କୁ କିଛିଦିନ ପାଇଁ ଲୁଚାଇବାକୁ ପଡ଼ିଲା ।

 

ସକାଳ ହେଲା । ଗାଧୋଇ ପାଧୋଇ ଷ୍ଟେସନକୁ ଯାଇ ଆମର ପାସ୍‍ପୋର୍ଟରେ ଲେଖେଇ ଆଣିଲି । ମୋର ଠିକଣାରେ ‘ଓଡ଼ିଶା’ ଲେଖିବାକୁ ନବସିନ୍ଧା ପଚାରିଲା, ‘ଠାକୁର ଜାତି’-? ନିଜ ଜାତିର କଳଙ୍କ କଥାଟାକୁ ପ୍ରଥମେ ବୁଝି ପାରିଲି ନାହିଁ । ମୋର ମୁଖର ଭାବ ଲକ୍ଷ୍ୟ କରି ସେ ପୁଣି ପରିଷ୍କାର କରିଦେଲା, “ଯେଉଁମାନେ ରୋଷେଇ କରନ୍ତି ।” ମାରବାଡ଼ି ବେପାର କରେ, ଗୁର୍ଖାପୁଅ ସିପାହୀ ହୁଏ, ବଙ୍ଗାଳୀ ବାବୁ ଚାକିରି କରେ, ସେଇପରି ଓଡ଼ିଆ ପୁଅ ରୋଷେଇ କରେ । ଓଡ଼ିଶା ବାହାରେ ଲୋକେ କେବଳ ଓଡ଼ିଶାର ଜଗନ୍ନାଥ ଓ ଓଡ଼ିଶାର ଠାକୁରକୁ ଚିହ୍ନନ୍ତି । ଅନ୍ୟ କୌଣସି ଉପାୟରେ ନିଜ ପରିଚୟ ଦେବାଭଳି ଓଡ଼ିଆ ଭିତରେ କ’ଣ କୌଣସି ସାର ଜିନିଷ ନାହିଁ-? ଓଡ଼ିଆ, ଚାକିରିଆ ବା ରୋଷେଇଆ ହେବା ଆଗରୁ ଅନ୍ତତଃ ମଣିଷର ପରିଚୟ ତ ସେ ଦେଇପାରନ୍ତା !

 

ଆଜି ସମସ୍ତଙ୍କୁ ନେଇ ବନାରସରୁ ଅୟନର ଫେରିବା କଥା । ତାକୁ ରକ୍‍ସଲ୍ ଷ୍ଟେସନରେ ଭେଟିବା ପାଇଁ ମୁଁ ଆଉ ପ୍ରଦ୍ୟୁମ୍ନଲାଲ ସଞ୍ଜବେଳକୁ ରକ୍‍ସଲ୍ ବାହାରିଲୁ । ପ୍ରଦ୍ୟୁମ୍ନଲାଲ ଆଉଜଣେ ନେପାଳୀ ପିଲା, ପ୍ରୟାଗ ବିଶ୍ୱବିଦ୍ୟାଳୟରେ ପଢ଼େ; ସେ ବି ଆମ ସାଥିରେ କାଠମାଣ୍ଡୁ ଯାଉଥାଏ । ରକ୍‍ସଲ୍ ଯିବା ବାଟରେ ନେପାଳୀ ରାଷ୍ଟ୍ରୀୟ କଂଗ୍ରେସର ସତ୍ୟାଗ୍ରହୀମାନଙ୍କର ଶୋଭାଯାତ୍ରା ଦେଖିବାକୁ ମିଳିଲା । ସେଦିନ ସୁଗୌଲୀ ଗାଡ଼ି ଦୁଇଘଣ୍ଟା ଡେରି କରି ଆସିଲା, ଅୟନ ମଧ୍ୟ ସମସ୍ତଙ୍କୁ ନେଇ ସେଇ ଗାଡ଼ିରୁ ଓହ୍ଲାଇଲା । ଚାରିଦିନ ଚାହିଁ ରହିବା ପରେ କାଲି ଅସଲ ନେପାଳ ଉଦ୍ଦେଶ୍ୟରେ ଆମର ଯାତ୍ରା ଆରମ୍ଭ ହେବ, ଏଥିପାଇଁ ଭାରି ଖୁସି ଲାଗିଲା ।

 

ସକଳ ଆଠଟାରେ ଗାଡ଼ି । ତେଣୁ ବଡ଼ି ଭୋରରୁ ଉଠି ସଜଡ଼ା-ସଜଡ଼ି କରିବାକୁ ହେଲା-। ସାତଟାବେଳେ ସମସ୍ତେ ଷ୍ଟେସନକୁ ବାହାରିଲୁ । ବାଟରେ ଆଉଥରେ ସତ୍ୟାଗ୍ରହୀମାନଙ୍କର ଜୁଲୁସ୍ ଦେଖିବାକୁ ମିଳିଲା, ସେମାନଙ୍କର “ନେପାଲୀ, ବଢ଼ତେ ଯାଓ”, ଗୀତରେ ବୀରଗଞ୍ଜର ଜଡ଼ ଭୂଇଁ ଦୁଲୁକି ଉଠୁଥିଲା । ଷ୍ଟେସନଟି ଅତି ଛୋଟ-ଆମ ବାରଙ୍ଗ ଷ୍ଟେସନ ପରି । ଖୋଲା ମୁଷାଫିରଖାନାର ଗୋଟାଏ ପାଖରେ ସରକାରୀ ନବସିନ୍ଧା ରାହାଦାନୀ ଲେଖୁଛନ୍ତି-। ପ୍ଲାଟ୍‍ଫର୍ମର ଚଟାଣ ଉପରେ କେତେ ଲୋକ ମୁଦ୍ରାବଦଳ ବେପାର କରୁଛନ୍ତି । ଏଣିକି ନେପାଳ ଭିତରକୁ ବ୍ରିଟିଶ ପଇସା ଚଳେ ନାହିଁ । ତେଣୁ ବେପାରିମାନଙ୍କୁ କିଛି ବଟା ଦେଇ ରାସ୍ତାପାଇଁ ନେପାଳୀ ମୁଦ୍ରା ନେଇଯିବାକୁ ହୁଏ । ନେପାଳର ଗୋଟାଏ ନିତ୍ୟବର୍ତ୍ତମାନ କଥା ହେଉଛି ସିଗାରେଟ୍ ଖିଆ ଓ ସିଗାରେଟ୍ ବିକା । ସରକାରୀ କଟକଣା ଥିବାରୁ ନେପାଳୀ ଇଲାକାକୁ ବିଡ଼ିର ସରବରାହ ହୋଇପାରେ ନାହିଁ, ଦେଶରେ ତିଆରି ବି ହୁଏ ନାହିଁ । ତେଣୁ ରାସ୍ତାର ଦୁଇ ପାଖରେ ସବୁଠି ଶସ୍ତା ସିଗାରେଟ୍ ଦୋକାନ ଦେଖିବାକୁ ମିଳେ । ବାବୁଠାରୁ ଆରମ୍ଭ କରି କୁଲି ପର୍ଯ୍ୟନ୍ତ, ମାଇପେ, ମିଣିପେ ଓ ଅଧିକାଂଶ ସ୍କୁଲପିଲା ଏଠି ସିଗାରେଟ୍‍ ଖାଆନ୍ତି । ଏମାନଙ୍କର ସିଗାରେଟ୍‍ ଖିଆ ଦେଖିଲେ ମନେହୁଏ ଧୂଆଁ ଟାଣିବାଟା ଯେପରି ଏଠିକାର ଏକ ଆବଶ୍ୟକତା, ଠିକ୍ ଆମ ଅଞ୍ଚଳର ଚାହା ପାଣି ପିଇବାପରି । ୟାଡ଼କୁ ୟାଡ଼କୁ ବେଶୀ ବେଶୀ ନେପାଳୀ ଲୋକଙ୍କ ସମ୍ପର୍କରେ ଆସିବାକୁ ପଡ଼ିଲା । ତା’ର ପୋଷାକରୁ ନେପାଳୀକୁ ଚିହ୍ନିବା ଖୁବ୍ ସହଜ । ବଳାଗଣ୍ଠି ତଳକୁ ଭିଡ଼ି ହୋଇଥିବା ସୁରୱାଲ୍, କମିଜ ଓ ନେପାଳୀକୋଟ୍, ମୁଣ୍ଡରେ ଟୋପି । ଏଇ ଟୋପିଟା ଦେଖିଲେ ବ୍ରିଟିଶ୍ ଜେଲ୍‍ର କଏଦୀ ଟୋପି ମନେ ପଡ଼ିଯାଏ । ଏ ପୋଷାକର ସୁନ୍ଦରତା ଅସୁନ୍ଦରତା ମାପି ବସିଲେ ଅନ୍ୟାୟ ହେବ, କାରଣ ଜାତୀୟ ପୋଷାକର ମାନ ଏଇ ମାପକାଠିରୁ ଅନେକ ଉପରେ । କେତେ କେତେ ବର୍ଷର ରୀତି ରିୱାଜ ଭିତର ଦେଇ ଯେ ପ୍ରତ୍ୟେକ ଜାତିର ପୋଷାକ, ଖାଦ୍ୟ ପରିପାଟୀ ଓ ଗୃହସଜ୍ଜାର ପଦ୍ଧତି ଗଢ଼ିହୋଇ ଆସିଛି, ତାହା କିଏ କହି ପାରିବ ?

 

ଛୋଟ ମାପର (Narrow Gauge) ଏଇ ରେଳରାସ୍ତାଟି ନେପାଳ ସରକାରଙ୍କ ଦ୍ୱାରା ଚଳେ । ପାଞ୍ଚୋଟି କି ଛ’ଟି ଇଞ୍ଜିନ୍-ନେପାଳର ପ୍ରଧାନ ଦେବାଦେବୀଙ୍କର ନାମ ନେଇ ଇଞ୍ଜିନ୍‍ଗୁଡ଼ିକର ନାମକରଣ ହୋଇଛି । ଆମେ ଯିବାପାଇଁ ଯେଉଁ ଗାଡ଼ିଟି ଠିଆ ହୋଇଥିଲା, ତା’ର ଇଞ୍ଜିନ୍ ନାଁ ହେଉଛି ଗୋରଖନାଥ । ସେଇପରି ପଶୁପତି, ମହାକାଳୀ ଓ ଗୁହ୍ୟେଶ୍ୱରୀ । ଗାଡ଼ିରେ ତିନି ଚାରୋଟି ଡବା-ଚାଲେ ଖୁବ୍ ଧିମେଇ ଧିମେଇ । ସେଦିନ ଆମକୁ ନେଇ ସେଇ ଛୋଟ ଗାଡ଼ିଟି ଯେତେବେଳେ ଧୂଆଁ ଉଦ୍‍ଗାରି ଆଗକୁ ଚାଲିଲା, ସେତେବେଳେ ସୁଦୂର କାଠମାଣ୍ଡୁ ହିଁ ମନକୁ ପୂର୍ଣ୍ଣ ଭାବରେ ଅଧିକାର କରି ନେଇଥିଲା । ରହସ୍ୟ ଓ ଲୀଳାମୟ କାଠମାଣ୍ଡୁ, ଆମେ ତାରି ଉଦ୍ଦେଶ୍ୟରେ ଚାଲିଛୁ । କେତେ ଆମ୍ବ ତୋଟା ଓ ତୋଟାତଳ ଖପର ଘରସବୁ ଅତିକ୍ରମ କରି ଆମ ଗାଡ଼ିଟି ଚାଲିଥାଏ ।

 

ବିଲରେ ସେଇ ପୁରୁଣାକାଳରେ ଚାଷୀ ପୁରୁଣାକାଳର ନଙ୍ଗଳ ନେଇ ଜମି ଚଷୁଥାଏ । ଦୁଇଟି ଷ୍ଟେସନ ପାରହୋଇ ଗଲା ପରେ ସିମରାଠୁଁ ଶାଳ ଜଙ୍ଗଲ ପଡ଼ିଲା । ଭୂଚିତ୍ରରେ ପରିବର୍ତ୍ତନ ହେଲା । ଦୂରର ଉତ୍ତରର ପର୍ବତ ଶ୍ରେଣୀ ଦେଖି ପାରିଲି । ତରାଇ ଅଞ୍ଚଳର ଶୁଷ୍କ ସ୍ଥଳଭାଗପରେ ହଠାତ୍ ଏଇ ଛାୟାଭରା ନିବିଡ଼ ଜଙ୍ଗଲ ଭାରି ଭଲ ଲାଗିଲା ।

 

ଯେତିକି ଉତ୍ସାହରେ ମନ ଶାଳବନ ଉପରେ ଡେଇଁ ଡେଇଁ କେଇଁ ଦୂର ରାଇଜର ସନ୍ଧାନ କରି ବୁଲୁଥିଲା, ସେତିକି ନିରୁତ୍ସାହ କରି ହଠାତ୍ ଶରୀରରେ ଜରତାତି ଭର୍ତ୍ତି ହୋଇଗଲା । ନେପାଳର ଅରୁଆ ଭାତ ଓ ବୀରଗଞ୍ଜର ମଶାକୁ ମୁଁ କୌଣସିମତେ ଜିତି ପାରିଲି ନାହିଁ । ଧୀରେ ଧୀରେ ଜର ବଢ଼ିଲା; ମୁଣ୍ଡ ବୁଲାଇଲା ।

 

ଜଙ୍ଗଲ ଭିତରେ କିଛି ଦୂର ଯାଇ ଏକୋଇଶ ମାଇଲ ପରେ ଣେଲେଖଗଞ୍ଜ ଷ୍ଟେସନ । ଏଇଠୁଁ ରେଳଲାଇନ ଶେଷ ହୋଇଛି । ନେପାଳଯାତ୍ରାର ପ୍ରଥମ ଭାଗ ଏଇଠି ସରିଲା ।

 

କମ୍ବଳ ଘୋରିହୋଇ ଷ୍ଟେସନର ମୁଷାଫିରଖାନାରେ ଶୋଇ ରହିଲି । ପ୍ରାୟ ଗୋଟାଏ ବେଳେ ଝାଳ ବହି ଜ୍ୱର ଓହ୍ଲାଇଗଲା । ଯାତ୍ରୀମଟର ଚାଲି ଯାଇଥିବାରୁ ଧାନ ଓ ଧୂଆଁପତ୍ର ବୋଝେଇ ଗୋଟାଏ ଖୋଲା ଟ୍ରକ୍ ଉପରେ ବସି ଭୀମଫେଡ଼ି ଯିବାକୁ ହେଲା । ମୋର ଦେହ ଅସୁସ୍ଥ ହେତୁ ମୋତେ ଡ୍ରାଇଭର ପାଖରେ ଆରାମରେ ବସିବାର ସମ୍ମାନ ଦିଆଗଲା, ଆଉ ମୋର ସାଥୀମାନେ ଟ୍ରକ୍ ଉପରେ ଖରାତାତିରେ ସିଝିଲେ । ଆଠ ମାଇଲ ଯିବାପରେ ଭଗବତୀ ଠାକୁରାଣୀଙ୍କ ମନ୍ଦିର । ମନ୍ଦିରଟି ଅତି ଛୋଟ, ଉପରେ ଛୋଟ ଗମ୍ବୁଜ, ତା’ ଉପରେ ପିତଳ କଳସ-। ଏଇଠୁ ପର୍ବତ ଫୁଟାଇ ଦୁଇଫର୍ଲଂ ପର୍ଯ୍ୟନ୍ତ ରାସ୍ତାକୁ ଗୋଟିଏ ଗିରିବର୍ତ୍ତୁ ଭିତରେ ନିଆ ଯାଇଛି । ସେଇ ଅନ୍ଧାର ସଂକୀର୍ଣ୍ଣ ବର୍ତ୍ତୁ ଭିତର ଦେଇ ଗଲାବେଳେ ଭିତରର ନିର୍ଜନତା ଦେଖି ବଡ଼ ଭୟ ହୁଏ-

 

Unknown

ରାସ୍ତାଟି ଠିକ୍ କୋରାପୁଟ ଯିବାର ମଟର ରାସ୍ତା ପରି ପଡ଼ାଉଠା ଓ ଖାବରଖାବରିଆ । ମଝିରେ ମଝିରେ ଛୋଟ ଛୋଟ ଗୁର୍ଖାବସ୍ତି ପଡ଼ୁଥାଏ, ଅନେକ କୁକୁଡ଼ା, ଛେଳି ଓ ମଇଁଷି ଦେଖିବାକୁ ମିଳୁଥାଏ । ଗାଈ ଏଠି ଖୁବ୍ କମ୍ । ଚାଷ ଭିତରେ ମକ୍କା ପ୍ରଧାନ । ପାହାଡ଼ ସଫା କରି ନେପାଳୀ ଚାଷୀ ଖେତ ତିଆରି କରେ । ଏମିତି କିଛି ଦୂର ଗଲାପରେ ଗଭୀର ଜଙ୍ଗଲ ପଡ଼ିଲା, ଠିକ୍ ଆସାମର ଜଙ୍ଗଲ ପରି ଘନ ଓ ଲତାବହୁଳ । ଜଙ୍ଗଲୀ ବସ୍ତିଗୁଡ଼ିକ ଦେଖିବାକୁ ବଡ଼ ଭଲ ଲାଗୁଥାଏ-। ଖରସ୍ରୋତ ଝରଣା ପାଖରେ ଛୋଟ ଛୋଟ ଗାଁ । ଛପର ଘରଗୁଡ଼ିକ କାଠରେ ତିଆରି-। ଘର ଭିତରେ କାଠର ଭାଡ଼ି ବାନ୍ଧି ସେଇ ଭାଡ଼ି ଉପରେ ମଣିଷ ରହନ୍ତି, ଭାଡ଼ିତଳେ ଖୁଆଡ଼ କରି ଛେଳି ଓ ମଇଁଷି ରଖନ୍ତି ।

 

ତିରିଶ ମାଇଲ ପାର୍ବତ୍ୟ ପଥ ପାରହୋଇ ସନ୍ଧ୍ୟାବେଳକୁ ଟ୍ରକ୍ ଭୀମଫେଡ଼ିରେ ପହଞ୍ଚିଲା । ସ୍ଥାନଟି ସମୁଦ୍ର ପତ୍ତନଠାରୁ ହଜାରେ ଫୁଟ ଉଚ୍ଚ ହେବ । ଚାରିଆଡ଼େ ବିଜୁଳି ଆଲୁଅ ଓ ପାଣିକଳର ବ୍ୟବସ୍ଥା ରହିଛି । କାଠମାଣ୍ଡୁରେ ଜଳାଧାର ସୃଷ୍ଟି କରାଯାଇ ବିଜୁଳି ଶକ୍ତି ଉତ୍ପନ୍ନ କରାଯାଉଛି ଏବଂ ନେପାଳର ପେଣ୍ଠ ଜାଗାମାନଙ୍କୁ ପଠାଯାଉଛି । ଏଠିକାର ଧର୍ମଶାଳାଟି ଖୁବ୍ ସଫାସୁତୁରା, ରାତିରେ ସେଇଠି ରହିବାକୁ ହେଲା । ପାଞ୍ଚଦିନ ପରେ ମଶାଦାଉରୁ ରକ୍ଷା ମିଳିଲା, ଏଠି ଆଦୌ ମଶା ନାହାନ୍ତି । ଅଦୂରରେ ଉଚ୍ଚ ପର୍ବତ ମୁଣ୍ଡ ଟେକି ରହିଛି ସେ ପାଖର କେତେ ତାରାଙ୍କୁ ଆଖିରୁ ଅନ୍ତରାଳ କରି ରଖିଛି ।

 

ଏଇ ଭୀମଫେଡ଼ିଠାରୁ ନେପାଳ ସରକାରଙ୍କର ରଜ୍ଜୁପଥ (Rope Line) ଆରମ୍ଭ ହୋଇଛି । କାଠମାଣ୍ଡୁ ସହିତ ଯାବତୀୟ ମାଲ ସରବରାହ ଏହାରି ସାହାଯ୍ୟରେ କରାଯାଏ । ଧାନ, ରବି, ତେଲ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ତାରଦ୍ୱାରା ଝୁଲାଇ ଏଇଠାରୁ କାଠମାଣ୍ଡୁ ପହୁଞ୍ଚାଇ ଦିଆହୁଏ । କାଠମାଣ୍ଡୁକୁ ଅନ୍ୟ କୌଣସି ଯୋଗସୂତ୍ର ନ ଥିବାରୁ ଏଇ ରଜ୍ଜୁପଥ ନେପାଳୀର ଜୀବନ-ନାଡ଼ି ପରି ।

 

ରାତି ଚାରିଟାରୁ ଉଠି ଆମ ଯାତ୍ରା ତୃତୀୟ ଅଥଚ ତୁରୀୟ ପର୍ବ ଆରମ୍ଭ କରିବାକୁ ସଜବାଜ ହେଲୁ । ମାଲ ବୋହିବା ପାଇଁ ଚାରିଜଣ କୁଲି ଠିକ୍ କରାଗଲା । ସେମାନଙ୍କର ପୋଷାକ ଭିତରେ ଦେଶୀ ତନ୍ତୁବୁଣା କନାର କୌପୁନି ଓ ଦେହ ଗୋଡ଼ାଇ ରଖିବାକୁ ଖଣ୍ଡେ ଛିଣ୍ଡା କୁରୁତା । ମାଲ ବୋହି, ପର୍ବତ ରାସ୍ତାରେ ଚାଲି ଚାଲି ସେମାନଙ୍କର ଗୋଡ଼ ତଳିପାର ଚମ ହାତୀ ଖୋଜପରି ବହଳ ହୋଇଯାଇଛି । ଏମାନଙ୍କର ବୋଝ ବୋହିବା କାୟଦା ସ୍ୱତନ୍ତ୍ର-ଅନେକଟା ସିଲଂ ପର୍ବତର ଖାସି କୁଲିମାନଙ୍କ ପରି । ସମସ୍ତ ବୋଝକୁ ପିଠି ଉପରେ ବାନ୍ଧି, ଖଣ୍ଡେ ଚଉଡ଼ା ଫିତାଦ୍ୱାରା କପାଳରେ ‘ଖୁଣ୍ଟ’ଟିକୁ ଝୁଲାଇ ରଖିବାକୁ ହୁଏ ।

 

କାଠମାଣ୍ଡୁ ଯିବାର ନ’କୋଶ ରାସ୍ତାକୁ ଚାଲିଯିବା ବା ‘ଦଣ୍ଡି’ରେ ଯିବା ଛଡ଼ା ପାର ହେବାର ଆଉ କୌଣସି ଉପାୟ ନାହିଁ । ‘ଦଣ୍ଡି’କୁ ଆରାମ ଚଉକି ଆକାରର ଗୋଟିଏ ବେତ ଟୋକେଇ କହିଲେ ଚଳିବ । ସେଥିରେ କେବଳ ଜଣେ ମଣିଷ ଜାକିଜୁକି ହୋଇ ବସି ପାରିବ । ଚାରିଜଣ ମଣିଷ ତାକୁ କାନ୍ଧରେ ବୋହି ନେଇ ଅଠର ମାଇଲ ରାସ୍ତା ପାର କରାଇନେବେ; ଭଡ଼ା ନେପାଳୀ ଟଙ୍କା ବାଇଶ, ବ୍ରିଟିଶ ଟଙ୍କା ଅଠେଇଶ । ଆମର ଯାତ୍ରାପାଇଁ ଦଣ୍ଡିର ପ୍ରଶ୍ନ ହିଁ ନ ଥିଲା, ତେଣୁ ଆମେ କୁଲି ସଜିଲ କରି ଭୋର ନ ହେଉଣୁ ବାହାରି ପଡ଼ିଲୁ । ଯାତ୍ରୀମାନଙ୍କ ଲାଗି କୁଲି ଠିକ୍ କରି ଦେବାକୁ ନେପାଳ ସରକାରଙ୍କ ତରଫରୁ ଏଠି ଜଣେ ‘ଭାରିଆନାୟକ’ ଅଛନ୍ତି ।

 

ଉପରେ କୃଷ୍ଣ ପଞ୍ଚମୀର ଜହ୍ନ ଦୂର ଦୂର ହୋଇ କେତୋଟି ତାରା ମିଞ୍ଜି ମିଞ୍ଜି ଜଳୁଛନ୍ତି-। ଚତୁର୍ଦ୍ଦିଗର ପର୍ବତଭୂଇଁ ଏପର୍ଯ୍ୟନ୍ତ ଶୋଇ ରହିଛି । ନିବିଡ଼ ଜଙ୍ଗଲ ଭିତରେ ପଥର କାଟି ଯାଇଥିବା ରାସ୍ତା ଦେଇ ଆମେ ପାହାଡ଼ ଉଠିବାକୁ ଲାଗିଲୁ ।

 

ଭୀମଫେଡ଼ି ପାହାଡ଼ ଉପରେ କିଛି ଦୂର ଉଠିଲା ପରେ ସକାଳ ହେଲା । ଢିପଢାଲୁ କେତେ ଆଡ଼ର କେତେ ଅଜଣା ବସ୍ତିରେ କୁକୁଡ଼ାଗୁଡ଼ାକ ରାବି ଉଠିଲେ । ଚଢ଼େଇଙ୍କ ଶବ୍ଦରେ ଜଙ୍ଗଲ କମ୍ପି ଉଠିଲା । ସକାଳର ଆଲୁଅରେ ପର୍ବତଗୁଡ଼ିକୁ ଅତି ନିକଟ ଓ ସ୍ପଷ୍ଟ କରି ଦେଖିବାକୁ ମିଳିଲା ।

 

ଏଇ ପର୍ବତ ସବୁ ହିମାଦ୍ରି ପରିବାରର ଅନ୍ତର୍ଭୁକ୍ତ । ହିମାଦ୍ରି କହିଲେ ସାଧାରଣତଃ ଯେଉଁ ଅଞ୍ଚଳକୁ ବୁଝାଏ, ସେ ହୁଏତ ଉତ୍ତର ଦିଗନ୍ତର କେଉଁ ଅଦୃଶ୍ୟ ଗର୍ଭରେ ଲୁଚି ରହିଛି- ତଥାପି ହିମାଳୟଶ୍ରେଣୀର ଏଇ ପ୍ରଥମ ଜଘନସ୍ପର୍ଶରେ ହଠାତ୍ ସମସ୍ତ ପ୍ରାଣ ପୁଲକିତ ହୋଇ ଉଠିଲା । ସେ ଗୌରୀଶଙ୍କର, ସେଇ କାଞ୍ଚନଜଂଘା, ସେ ବରଫଶଯ୍ୟା, ଅନେକ ଦୂରରେ-ଜୀବନରେ ହୁଏତ ଥରେ ଦେଖିବାର ସୁଯୋଗ ମିଳିବ ନାହିଁ । ତେଣୁ ତାରି ସନ୍ତକଧାରୀ ଏଇ ଅପେକ୍ଷାକୃତ ଛୋଟ ପର୍ବତଟିକୁ ସ୍ପର୍ଶ କରି ମୁଁ ସତେ ଅବା ହିମାଳୟର ସାନ୍ନିଧ୍ୟ ଲାଭ କଲି । କେଉଁ ଅତି ଭୀମ ରାକ୍ଷସର କରାଳ ଗଣ୍ଡିପରି ପର୍ବତସବୁ ଚତୁର୍ଦ୍ଦିଗରେ ଶରୀର ବିସ୍ତାର କରି ରହିଛି । କେଉଁଠି ବକାସୁରର ଛିନ୍ନଚଞ୍ଚୁପରି ତା’ର ବିଭକ୍ତ ଶିଖରମାନ ଉଚ୍ଚ ଆକାଶର ଗର୍ଭଭେଦ କରି ରହିଛି ।

 

ଜୀବନବିଧାୟକର କେତେ ଶକ୍ତି ଏଇ ପାଷାଣ ଆବରଣ ତଳେ ଠୁଳ ହୋଇ ଯେପରି କେଉଁ ଭବିଷ୍ୟତ ଯୁଗରେ ଏକ ବିରାଟ ବିସ୍ଫୋରଣର ପ୍ରତୀକ୍ଷା କରୁଛି । ଏତେ ବଡ଼ ପର୍ବତକୁ ଏତେ ନିକଟରେ ଦେଖି ପ୍ରକୃତିର ବିଶାଳତା ଆଗରେ ମନ ଆପେ ଆପେ ନଇଁଯାଏ । ଅନନ୍ତ ଆକାଶର ପ୍ରକାଣ୍ଡ ପ୍ରସ୍ତର ଖଣ୍ଡ ସମାନ ଭାସନ୍ତ ମେଘମାଳା ଅତି ଦୂରର ଜିନିଷ । କିନ୍ତୁ ନିକଟର ଏଇ ଉଚ୍ଚ ପର୍ବତ ଆଗରେ ମନ ଆପେ ଆପେ କ୍ଷୁଦ୍ର ହୋଇଯାଏ । ମଣିଷ କେତେ କ’ଣ କରିଛି କରୁଛି, କରିବାର ଆଶା ମଧ୍ୟ କରୁଛି; କିନ୍ତୁ ତଥାପି ପ୍ରକୃତି ଯେପରି ଅଚଳ ଓ ଅବିଚଳିତ ରହିଛି । ସମଗ୍ର ପ୍ରକୃତିର ମହାନତା ଆଗରେ ମଣିଷର ଏ ଯୁଗ ଯୁଗର ଉଦ୍ୟମ କି ଛୋଟ, କି ନଗନ୍ୟ ! ହୁଙ୍କା ପରେ ହୁଙ୍କା ଗଢ଼ା ହେଉଛି, ପୁଣି ଭୁଷୁଡ଼ି ପଡ଼ୁଛି କିନ୍ତୁ ଯେଉଁ ମାଟିକୁ ସେଇ ମାଟି ପଡ଼ି ରହିଛି । ତା’ର ଯୋଗ ନାହିଁ କି ବିୟୋଗ ନାହିଁ । ମଣିଷର ସମସ୍ତ କାରବାର କେବଳ ଆଙ୍ଗିକ ମାତ୍ର, ସମ୍ପୂର୍ଣ୍ଣ ଭାବରେ ପ୍ରକୃତିକୁ ଆୟତ୍ତ କରି ରଖିବାର ବିଦ୍ୟା ଏପର୍ଯ୍ୟନ୍ତ ମଣିଷ ହାସଲ କରିପାରି ନାହିଁ । ରବୀନ୍ଦ୍ରନାଥଙ୍କର ଭାଷାରେ “ବିଶ୍ୱପାରାବାରର ତୀରେ ବାଳକ କରେ କ୍ରୀଡ଼ା ।” ଗୋଟାକୁ ଗୋଟା ବିକାଶକ୍ରମେ ଚାଲିଛି ସୃଷ୍ଟି ଓ ପ୍ରଳୟର ଆବର୍ତ୍ତନ ଲାଗିଛି- କିନ୍ତୁ ଶାଶ୍ୱତ ପ୍ରକୃତିଶକ୍ତି ଆଜିଯାଏ ଅଜେୟ ଓ ଅପରାଭୂତ ହୋଇ ରହିଛି । ମଣିଷ ପ୍ରକୃତିକୁ ଜୟ କରୁଛି ବୋଲି ଯେଉଁମାନେ କହନ୍ତି, ସେମାନେ କେବଳ ସତ୍ୟର ଅପଳାପ କରନ୍ତି, ବିଜ୍ଞାନର ଭ୍ରାନ୍ତ ବ୍ୟାଖ୍ୟା କରନ୍ତି । Engel ଗୋଟାଏ ଜାଗାରେ ଲେଖିଛନ୍ତି - In no case do we dominate Nature as the conquerer dominates an alien people, as though we are something standing outside Nature, but that on the contrary, since we, with our flesh, blood and brain belong to Nature and are within Nature, we can only dominate it in so far as we, unlike other beings are able to discover and correctly apply her laws. (Dialectic of Nature)

 

ପ୍ରକୃତି ଅନନ୍ତ, ଅକାଳ; ଆମର ଏ ଜୀବସୃଷ୍ଟିର ଗଣନାରେ ସେହି କାଳକୁ ଆବଦ୍ଧ କରି ହେବ ନାହିଁ । ହୁଏତ Darwinଙ୍କର ବିକାଶକ୍ରମପରି କେତେଥର ଯେ ସୃଷ୍ଟିର ପାଲା ହୋଇ ଆସିଲାଣି, ସେକଥା କିଏ କହି ପାରିବ ?

 

ଚତୁର୍ଦ୍ଦିଗର ଦୃଶ୍ୟ ଅନେକଟା ଖାସି ଓ ଜୈନ୍ତିଆର ପର୍ବତଭୂମି ପରି । କିନ୍ତୁ ଆସାମର ପାର୍ବତ୍ୟ ପ୍ରଦେଶ ପରି ଏଠିକାର ପର୍ବତ ନଦୀ କଳକଳ ଓ ପ୍ରପାତବହୁଳ ନୁହେଁ । ଆମଲେଖଗଞ୍ଜଠାରୁ କେବଳ ଗୋଟିଏ ନଈକୁ ବାରବାର ଆମେ ଅତିକ୍ରମ କରି ଆସିଛୁ; ହିମାଳୟର କେଉଁ ଗୂଢ଼ ଗହ୍ୱରଗର୍ଭ ଫଟାଇ କେତେ ବାଙ୍କ ହୋଇ ଶୁଭ୍ରପଥର ଶେଯ ଉପରେ ସେ ବହିଚାଲିଛି- ମଝିରେ ମଝିରେ ଛୋଟ ଛୋଟ ପ୍ରପାତର ସୃଷ୍ଟି ମଧ୍ୟ ହୋଇଛି । ପାହାଡ଼ି ବସ୍ତିର ଲୋକେ ଏଇ ଝରଣା ସ୍ରୋତରେ ପାଣିଚକି ବସାଇ ଗହମ ଓ ମକ୍କାରୁ ଅଟା ପେଷନ୍ତି ।

 

ଛୋଟ ଗୋଟିଏ ବସ୍ତିରେ ଦାନ୍ତ ଘଷି ଚାହା ଖିଆହେଲା । ଏଇଠି ପ୍ରଥମ କରି ମୁଁ ସ୍ୱତସଫୁରନ୍ତ ଝରଣା (Artesian Well) ଦେଖିବାକୁ ପାଇଲି । ଦାର୍ଶନିକ ବାର୍ଗ୍‍ସଁଙ୍କର ନିର୍ଭରର ଉପମାଟି ମନେ ପଡ଼ିଗଲା । ଏଇ ଗତି ଯେପରି ସବୁ, କ୍ଷିତି କିଛି ନୁହେଁ ! ଏଇ ଗତି ନିଜର ସ୍ୱାଭାବିକ ସ୍ୱତନ୍ତ୍ରତାରେ ମହାକାଳ ଭେଦ କରି ଚାଲିଛି- କ୍ଷଣକ ପାଇଁ ତା’ର ବିରାମ ନାହିଁ । ବିଶୃଙ୍ଖଳା ନାହିଁ । ଯାହା ସେ ପଛରେ ପକାଇ ଦେଇ ଯାଉଛି, ସେଇସବୁ ଜଡ଼ ହୋଇ ପଡ଼ି ରହୁଛି; ସେଇ ହେଉଛି ସଂସାର ଓ ଇନ୍ଦ୍ରିୟଜ୍ଞେୟ ସୃଷ୍ଟି-ଯାହାର କ୍ଷୁଦ୍ରାୟତନ ଭିତରେ କେବଳ ଲାଭକ୍ଷତି, ଉଠପଡ଼ା, ଜୀବନ ଓ ମୃତ୍ୟୁ ଲାଗି ରହିଛି ।

 

ପାଣି ଖୁବ୍ ଥଣ୍ଡା, ନିଶ୍ଚୟ ଆମେ ଅନେକ ଉପରକୁ ଉଠୁଛୁ । ବନାନୀର ପ୍ରକୃତି ମଧ୍ୟ ବଦଳିଲାଣି । ଝାଉଁ ଓ ଇଉକାଲିପଟାସ୍ ଗଛର ସଂଖ୍ୟା ଧୀରେ ଧୀରେ ବଢ଼ିବାକୁ ଲାଗିଲାଣି । ରାସ୍ତା ପାଇଁ ଲାଠି କାଟି ପୁଣି ଉଠାଣିରେ ଆମର ଚଲା ଆରମ୍ଭ ହେଲା ।

 

ଭୀମଫେଡ଼ୀ ପାହାଡ଼ର ଚୂଡ଼ା ଉପରେ ଚିସାପାଣୀ ଗଢ଼ୀ । ଅନେକ ଲୋକ ବସତି-ଛୋଟ ସହର କହିଲେ ଚଳିବ । ନାନା ରକମର ଦୋକାନ ଏଠି ଅଛି କେବଳ ଡାକ୍ତର ନାହାନ୍ତି । ଏଇଠି ଯାତ୍ରୀମାନଙ୍କର ମାଲପତ୍ରର ତଦାରଖ ହୁଏ । ପ୍ରତ୍ୟେକ ରକମ ନୂଆ ଜିନିଷ ନେବା ଆଣିବା ପାଇଁ ସରକାରକୁ ଟିକସ ଦେବାକୁ ହୁଏ । ଅନେକ ଦିନ ଦୂର ବିଦେଶରେ ରହିବା ପରେ କେଉଁ ବାପ ହୁଏତ ନିଜର ପୁଅ ଝିଅଙ୍କ ଲାଗି ନୂଆ ପୋଷାକ, ଛତା ବା ଜୋତାମୋଜା ଘେନି ଘରକୁ ଫେରୁଛି, ସେଥିପାଇଁ ତାକୁ ସରକାରକୁ ଟିକସ ଦେବାକୁ ପଡ଼ିବ । ଆମର ବୋକଚା ଭିତରେ କୌଣସି ନୂଆ ଜିନିଷ ନ ଥିଲା । ସମସ୍ତଙ୍କର ଜିନିଷ ମିଶି ଖଦଡ଼ର ପୁରୁଣା ପୋଷାକ କେତେ ଖଣ୍ଡ, ଖାତା, ପେନ୍‍ସିଲ ଓ କଲମ; ଅଧିକା ଜିନିଷ ଭିତରେ ନିତି ବ୍ୟବହାର କଲାଭଳି କେତୋଟି ଅତ୍ୟାବଶ୍ୟକ ଜିନିଷ । ତେଣୁ ଆମର ତଲାସିରେ ବେଶୀ ସମୟ ଲାଗିଲା ନାହିଁ ।

 

ଅୟନର ଗୋଟିଏ ବନ୍ଧୁଘର ଏଇ ଚିସାପାଣୀରେ । ଆମ ଦଳରେ ମାଇପେ ଥିବାରୁ ବନ୍ଧୁ ଘରେ କୁଣିଆ ହେବାକୁ ବେଶୀ ଡେରି ଲାଗିଲା ନାହିଁ । ରାସ୍ତାକଡ଼ରେ ୟାଙ୍କର ଦୋକାନ ଖଣ୍ଡିଏ ଲୁଗା, ଥାନକପଡ଼ା, ଡାଲି ଚାଉଳ, ଚୁଡ଼ା, ଲୁଣ ଓ ନାନାପ୍ରକାର ମନୋହରୀ ଜିନିଷରେ ଭରା । ନେପାଳୀ ମୋହରରେ ସବୁ କାରବାର ଚାଲିଛି । ଟଙ୍କାକ ଦୁଇ ମୋହର, ନେପାଳୀ ଟହ୍‍କା ୧୦୦ ପଇସା । ଗୋଟିଏ ବ୍ରିଟିଶ୍ ଟହ୍‍କା ବଦଳରେ ୭୨ଟି ନେପାଳୀ ପଇସା ମିଳେ । ଏଇ ବିନିମୟ ମୂଲ୍ୟ ସ୍ଥାନାନ୍ତରରେ କମ୍ ବେଶୀ । କାଠମାଣ୍ଡୁରେ ଗୋଟିଏ ବ୍ରିଟିଶ୍ ଟଙ୍କା ବଦଳରେ ୮୦ଟି ନେପାଳୀ ପଇସା ମିଳେ ।

 

କିଛି ସମୟ ବିଶ୍ରାମ କଲାପରେ ଘର ଭିତରୁ ଜଳଖିଆର ତଲବ୍ ଆସିଲା । ଘରର ସାଜସଜ୍ଜା ଅତି ଚମତ୍କାର, ଉପର ମହଲାରେ ଶୋଇବା ଘର । ତଳମହଲାର ଗାଲିଚାବିଛା ଘରେ ଆମ ପାଇଁ ଜାଗା କରାଗଲା । ଜଳଖିଆ ହେଉଛି ସରୁଚୁଡ଼ା, ଚିନି ଓ ମଇଁଷି ଘିଅ । ଚାହାରେ ଦୁଧର ଭାଗ ବେଶୀ । ଘରେ ବିଜୁଳୀ ବତୀ ଓ ରେଡ଼ିଓ ଖଞ୍ଜା ହୋଇଛି । ଖୁବ୍ ଉଚ୍ଚ ମୂଳଦୁଆ ଉପରେ ଘରଟି ତିଆରି ହୋଇଛି । ଘରର ପଛ ପଟକୁ କାଠପଟାର ବାରନ୍ଦା କେତେ ପର୍ବତ, ଉପତ୍ୟକା ଏବଂ ଅଧିତ୍ୟକା ଯେ ଯୋଜନ ବିସ୍ତାରି ରହିଛି, ସେ ଆଡ଼କୁ ଅନାଇଲେ ଆଖି ପାଉନାହିଁ । ପର୍ବତର ବକ୍ଷଦେଶରେ ବାଷ୍ପମେଘର ରହସ୍ୟଜାଲ କ୍ଷିପ୍ରବେଗରେ ଉଡ଼ି ଚାଲିଯାଉଛି । ରୌଦ୍ର ଓ ଛାୟା, ପର୍ବତ ତଳର ଉପଳଶେଯ ଉପରେ ପଥର କମ କରି ବହି ଯାଉଥିବା ଝରଣା-ସମସ୍ତେ ମିଶି ଏକ ରମଣୀୟ ଦୃଶ୍ୟର ସମାବେଶ କରୁଛନ୍ତି । ଅତିକାୟ ପର୍ବତ ଦେହରେ ଆମର ଚଲା ରାସ୍ତାଟି ସନ୍ନ୍ୟାସୀର ଜପାମାଳା ପରି ଗୁଡ଼ାଇ ହୋଇ ରହିଛି ।

 

ଖାଇସାରି ଦମ୍ଭ ହୋଇ ବାହାରିଲା ବେଳକୁ ଅୟନର ଭଉଣୀଙ୍କୁ ଜ୍ୱର ଆସିଲା । ଆମେ ପର୍ବତରୁ ଓହ୍ଲାଇ ତଳେ କୁଲିଖାନୀଠାରେ ଅପେକ୍ଷା କରିବୁ ବୋଲି ଠିକ୍ କରି ବାହାରିପଡ଼ିଲୁ । ଏଥର ପାହାଡ଼ ଓହ୍ଲାଇବାର ପର୍ବ; ଯେତିକି ଶିଖକୁ ଉଠିଥିଲୁ, ସେତିକି ପାରୁକୁ ଓହ୍ଲାଇବାକୁ ହେବ । ମଣିଷ ଚିହ୍ନଟ କରି ଏଇ ଚିସାପାଣୀଠାରେ ଆମଠାରୁ ପାସପୋର୍ଟ ନେଇ ନିଆଗଲା । ସେ ସରକାରୀ ଝିଞ୍ଜଟରୁ ମୁକ୍ତିପାଇ ଆମେ ଧୀରେ ଧୀରେ ପାହାଡ଼ ଖସିଲୁ । ସେତେବେଳକୁ ଦଶଟା ବାଜିଲାଣି, ତଥାପି ଉପରର ଥଣ୍ଡା ହାୱାରେ ଆଦୌ ଖରାତାପ କାଟୁନାହିଁ । ଏପାଖର ଜଙ୍ଗଲଟା ବେଶୀ ଗହଳ ନାନା ପ୍ରକାର ପତ୍ରଳ ବୃକ୍ଷଲତା ପର୍ବତଟିର ଶରୀରକୁ ନିବୁଜ କରି ଘୋଡ଼ାଇ ରଖିଛି-। ରାସ୍ତାଟି ଅନେକ ସ୍ଥାନରେ ବଡ଼ ତୀଖ ବଡ଼ ହୋସିଆର ହୋଇ ଗୋଡ଼ି ପଥରର ଖସଡ଼ା ବାଟରେ ଓହ୍ଲାଇବାକୁ ହେଉଥାଏ । ଉପରେ ରଜ୍ଜୁ ପଥ ଅନବରତ ମାଲ ସରବରାହ ଚାଲିଛି :- ଗୋଟିଏ ତାରରେ ବୋଝଲଦା ହୋଇ କାଠମାଣ୍ଡୁ ଯାଉଛି, ଅନ୍ୟ ତାରରେ ବୋଝ ଉତାରି ଖାଲି ଝୁଲଣାଗୁଡ଼ିକ ଭୀମଫେଡ଼ୀ ଫେରୀ ଆସୁଛି । ଗୋଟାଏ ଜାଗାରେ ଦୁଇଟା ଉଚ୍ଚ ଶିଖରର ମଝିରେ ତା’ର ଯାଇଛି - ପ୍ରାୟ ମାଇଲକ ପର୍ଯ୍ୟନ୍ତ ମଝିରେ ଗୋଟିଏ ବୋଲି ଖୁମ୍ବ ନାହିଁ; କେତେ ଦୂରରେ ଯେ ମାଲ ଯିବାଆସିବା କରୁଛି, ଉପରକୁ ଅନାଇଲେ ଆଖି ରହି ଯାଉଛି ।

 

ପାହାଡ଼ ଉତୁରା ଶେଷ ହେବାପରେ କୁଲିଖାନୀ । ନେପାଳ ଯାଉଥିବା ଭାରବାହୀ କୁଲିମାନେ ଏଇଠି ଖାଆନ୍ତି ବୋଲି ବୋଧହୁଏ ଜାଗାଟାର ଏପରି ନାମ କରାହୋଇଛି । ବସ୍ତି ଭିତର ଦେଇ ଗୋଟିଏ ଝରଣା ବହି ଯାଉଛି, ଆଖପାଖର ପର୍ବତ କନ୍ଦିରୁ ଆଉ କେତୋଟି ଝରଣା ଆସି ଏହାର ଜଳକୁ ପରିପୁଷ୍ଟ କରୁଛନ୍ତି । ସମସ୍ତଙ୍କର କଳନିନାଦରେ ବସ୍ତିଟି ଅବିରତ ମୁଖରିତ ହୋଇ ଉଠୁଛି । ଝରଣାଆଡ଼ୁ ଥଣ୍ଡା ପବନ ଆସି ଦେହ ଥରାଇ ଦେଉଛି । ଝରଣା ଉପରେ ଏପାଖରୁ ସେପାଖକୁ ଯିବାପାଇଁ ଗୋଟିଏ ଝୁଲା ପୋଲ । ଯାତ୍ରୀ ଚାଲିଲେ ପୋଲଟି ଦୋହଲି ଯାଉଛି । ଜଣେ ସାଥିଠୁଁ ଶୁଣିଲି, ଲଛମନ ଝୁଲାର ପୋଲ ଠିକ୍ ଏଇ ପରି ।

 

ପୋଲ ଏପାଖରେ ଧର୍ମଶାଳା, ଏଇଠି ଆଜି ରାତିଟା କଟାଇବାକୁ ହେବ । ଝରଣାର ଛୋଟ ପ୍ରପାତପୁଞ୍ଜ ଦେଖି, କଳକଳ ଜଳ ସ୍ରୋତର ଧ୍ୱନି ଶୁଣି ଆଜି ଦିନଟି କଟିଯାଉଛି । ଅନେକ ବେଳ ଅଛି, ତଥାପି ଏଇ ଉଚ୍ଚ ପର୍ବତଟି ଆଜିକାର ସୂର୍ଯ୍ୟକୁ କେତେବେଳୁଁ ଅନ୍ତରାଳ କରିସାରିଲାଣି-। ମୁଣ୍ଡ ଉପର ଦେଇ ମେଘଖଣ୍ଡମାନ ଭାସି ଯାଉଛି । ଦୂର ହିମାଳୟର କେଉଁ ଉପତ୍ୟକାରେ ଆଗାମୀ ବର୍ଷଣପର୍ବର ଉତ୍ସବ ସୃଷ୍ଟି କରିବାକୁ ବୋଧହୁଏ ସମସ୍ତେ ସେଇଆଡ଼କୁ ଧାଇଁଛନ୍ତି । ଧୀରେ ଧୀରେ ସଞ୍ଜ ବୁଡ଼ିଲା-ରଜ୍ଜୁପଥର ସରବରାହ ବି ବନ୍ଦ ହୋଇଗଲାଣି । ଏ ପର୍ବତଘେରା ବସ୍ତିରେ ବସି ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟୋସ୍ତକୁ ଧରି ପାରିବା ବିଲକୁଲ ଅସମ୍ଭବ । ମୋଟ ବସିବା ସ୍ଥାନରୁ ପ୍ରାୟ ପନ୍ଦର ହଜାର ଫୁଟ ଉଚ୍ଚରେ ପର୍ବତ ଉପରେ ଗୋଟିଏ ନାଲି ଖପରଛାଉଣୀ ଘର-ଘର ଆଗରେ କେବଳ କେତୋଟି କଦଳୀ ଗଛ । ଆଉ ଟିକିଏ ଗଲେ ହୁଏତ ସେଠିକାର ଦୀପ ଆଲୁଅଟି କେବଳ ନଜରରେ ପଡ଼ିବ । ପଛରେ ରହିଯାଇଥିବା ଆମର ସାଥିମାନେ ପହଞ୍ଚିଲେ । ରାତିରେ ସେଇ ଦୁର୍ଗନ୍ଧ ଧର୍ମଶାଳାରେ ରହିବାକୁ ହେଲା । ଚଣାଭଜା, ଗୁଡ଼ ଗୁନ୍ଦ୍ରୁକ୍‍ ଦେଇ କଞ୍ଚାଚୁଡ଼ା ଚୋବାଇ ସେ ଦିନର ଭୋକ ସମୟ ଶାନ୍ତ କଲୁ । ଗୁନ୍ଦ୍ରୁକ୍‍ ବୋଇଲେ ତେଲ ଓ ତେନ୍ତୁଳିରେ ଜୁଆ ହୋଇଥିଲା ଗୋଟିଏ ରକମର ପଚା ଶାଗ ତା’ ଭିତରେ ପଡ଼ିଥିବା ଲଙ୍କାଗୁଣ୍ଡରେ ଆଖିରୁ ଲୁହ ବାହାରି ପଡ଼ୁଛି । ଯାହା ହେଉ ଭୋକ ମେଣ୍ଟାଇ ସମସ୍ତେ ଶୋଇବାକୁ ଗଲୁ । କିନ୍ତୁ ରାତିଯାକ ଭୀଷଣ ଶୀତରେ ସମସ୍ତଙ୍କୁ ବଡ଼ କଲବଲ ହେବାକୁ ପଡ଼ିଲା ।

 

ରାତି ଚାରିଟା ନ ବାଜୁଣୁ କୁଲିମାନେ ଆମକୁ ଉଠାଇ ଦେଲେ । ପୁଡ଼ାପତ୍ର ବାନ୍ଧି ପୁଣି ବାଟ ଚାଲିବାକୁ ହେବ । ଝରଣାପଟ ଝରକାବାଟେ କାଲୁଆ ପବନ ଆସି ଦାନ୍ତ ଠକଠକ ବାଜୁଥାଏ, କିନ୍ତୁ ଆଉ ଡେରି କଲେ ଚଳିବ ନାହିଁ । ଅଗତ୍ୟା ଶୀତବାଦର ଘୋରି ହୋଇ କମ୍ପି କମ୍ପି ବାଟ ଚାଲିବାକୁ ପଡ଼ିଲା । ଝରଣାଟିକୁ ବାଁ ପାଖରେ ରଖି ସେଇ ଅନ୍ଧାର ଭିତରେ ଆମେ ପାହାଡ଼ି ରାସ୍ତାଟି ଧରି ଚାଲିଲୁ । ଅନେକ ମୋଡ଼ ବାଙ୍କ ପାର ହେଲା ପରେ ସକାଳ ହେଲା । ସେତେବେଳକୁ ଆମେ ଗୋଟିଏ ଚାହା ଦୋକାନ ପାଖରେ ଆସି ପହଞ୍ଚିଛୁ । ଚିନି ଅଭାବରୁ ସମସ୍ତେ ଗୁଡ଼ର ଚାହା କିଣି ପିଇଲେ । ଏକେତ ଚାହାର ଅଭ୍ୟାସ ନାହିଁ, ପୁଣି ଚିନି ଦିଆ ହୋଇ ନ ଥିବାରୁ ମୁଁ ସେମିତି ଅଧୁଆ ମୁହଁରେ ପୁଣି ବାଟ ଚାଲିଲି । ରାସ୍ତାରେ ତିନୋଟି ଝୁଲାପୋଲ ଦ୍ୱାରା ଝରଣାଟିକୁ ତିନିଥର ପାର ହେବାକୁ ପଡ଼ିଲା । ହଠାତ୍ ପର୍ବତର ଉଦ୍ଭିଦରେ ପରିବର୍ତ୍ତନ ଦେଖି ପାରିଲି । ଗଛ ନାହିଁ କେବଳ ଛୋଟ ଛୋଟ ବୁଦାଗୁଡ଼ିକ ଟାଙ୍ଗର ତୀଖ ପାହାଡ଼ ଦେହରେ କଳା ଟୋପା ପରି ଦିଶୁଛନ୍ତି । ଅନେକ ଲଙ୍ଗଳା ପାହାଡ଼ ବି ଦେଖିବାକୁ ମିଳିଲା ।

 

ଉପରେ ଖରା ଆଉ ମେଘର ଖେଳ - ମଝିରେ ପାହାଡ଼ ଉପରେ ଆମେ ବାଟକାଟି ଚାଲିଛୁ - ତଳେ ଛୋଟ ଝରଣାଟି ବହି ଯାଉଛି । ପାହାଡ଼ ଢାଲୁରେ ମକ୍କାକ୍ଷେତ, ଝରଣା କୂଳରେ ଧଳା ରଙ୍ଗର ଫୁଲର ବୁଦାମାନ । ମୋର ସାଥିମାନେ ସେତେବେଳକୁ ଅନେକ ଆଗକୁ ଚାଲିଗଲେଣି, ମୁଁ ଏକୁଟିଆଟି ଧୀରେ ଧୀରେ ଚାଲିଥାଏ । ଖାଲି ପେଟରେ ପାଦର ଦୁର୍ବଳତା ବଢ଼ିଗଲା ପରି ଲାଗୁଥାଏ ।

 

ଚାଲି ଚାଲି ବାଟ ସରିଲା ନାହିଁ । ନଜରରେ ଆସୁଥିବା ପ୍ରତ୍ୟେକ ବସ୍ତିକୁ ଚିତ୍‍ଲାଙ୍ଗ ମନେକରି ଅତି ଉତ୍ସାହରେ ଖୋଜ ପକାଇ ସେଠି ପହଞ୍ଚିଲା ବେଳକୁ ହତାଶ ହେବାକୁ ପଢ଼ୁଥାଏ । ପଡ଼ାଉଠା, ଗୋଟିଏ ମୁଣ୍ଡିଆରୁ ଆଉ ଗୋଟିଏ ମୁଣ୍ଡିଆ - ଏଇପରି ବାଟ ଚାଲୁ ଚାଲୁ କେତେବେଳେ ଯେ ଦେହରେ ତାତି ଭର୍ତ୍ତି ହୋଇଗଲା, ମୁଁ ଠିକ୍ ବୁଝିପାରିଲି ନାହିଁ । ରାସ୍ତାରେ ପରିଚିତ ଲୋକ ଯେଉଁମାନେ ଥିଲେ ସେମାନଙ୍କଠୁଁ ଅନେକ ପଛରେ ପଡ଼ିଗଲିଣି । ଗୋଡ଼ ଆଉ ଆଗକୁ ଯିବାକୁ ନାରାଜ, ମନଟା ମଧ୍ୟ କ୍ରମେ ଦୁର୍ବଳ ହୋଇ ପଡ଼ିଲା । ରାସ୍ତାରେ ବାରମ୍ବାର ବସି ଦମ୍ ନେଲି । ମୁଣ୍ଡ ବୁଲାଇଲା, ତଣ୍ଟି ଶୁଖି ଫାଟିଗଲା ପରି ଲାଗିଲା । କିନ୍ତୁ ଚିତ୍‍ଲାଙ୍ଗ୍‍ ଅନେକ ଦୂର-। ମୋ’ ପାଖରେ ନେପାଳୀ ପଇସା ନ ଥାଏ । ମୁଁ ଏ ଜାଗାର ପାହାଡ଼ୀ ଭାଷା ଜାଣି ନ ଥାଏ-। ତେଣୁ ଟୋପାଏ ପାଣି କିପରି ପାଇବି, କିଛି ବୁଦ୍ଧି ଦେଖାଗଲା ନାହିଁ । ଶେଷକୁ ମାନସରମ ଭୁଲି ଗୋଟିଏ ଦୋକାନୀକୁ ହିନ୍ଦୀ ଭାଷାରେ ଟୋପାଏ ପାଣି ମାଗିଲି । ଦଶ ପନ୍ଦର ମିନିଟ୍ ଅତି ଆଶାରେ ବସି ରହିଲା ପରେ ମଧ୍ୟ ମୋ ଲାଗି ସେ ଏତେ ଟିକିଏ ଚିନ୍ତିତ ଥିଲା ପରି ଜଣାପଡ଼ିଲା ନାହିଁ । ୟାଡ଼େ ଜାତିଭେଦ ରୋଗଟା ଖୁବ୍ ବେଶୀ । ମୁଁ ପିନ୍ଧିଛି ପାଇଜାମା ଓ ଲମ୍ବା କମିଜ, କାନ୍ଧରେ ଚମଡ଼ାର ମୁଣି । ମତେ କ’ଣ ସେ ମୁସଲମାନ ବୋଲି ଠଉରେଇଲା କି ? ଯାହାହେଉ, ତା’ର ଏ କୂପାହୀନ ନିରୁତ୍ତରତା ଉପରେ ଅଧିକ ଭରସା ନ ରଖି ପୁଣି ଧୀରେ ଧୀରେ ଆଗକୁ ଚାଲିଲି । କିଛି ବାଟ ଗଲା ପରେ ରାସ୍ତା କଡ଼ରେ ଗୋଟାଏ ପାଣିକଳ ପଡ଼ିଲା, ସେଠୁଁ ପେଟପୂରା ପାଣି ପିଇଲି । ଜରୁଆ ଦେହରେ ଟିକିଏ ଶାନ୍ତି ଆସିଲା, ମନ ବିଶ୍ରାମ ଲୋଡ଼ିଲା । ଗୋଟାଏ ଛାଇ ଜାଗାରେ ଦେଖି ଚମଡ଼ା ମୁଣିଟି ତକିଆ କରି ପଥର ଉପରେ ଶୋଇପଡ଼ିଲି । ପ୍ରାୟ ଅଧଘଣ୍ଟାକ ପରେ ନିଦ ଭାଙ୍ଗିଲା ବେଳକୁ ତାତିରେ ଦେହ ଖଇ ଫୁଟୁଛି । ପଚାରି ବୁଝିଲି ଚିତ୍‍ଲାଙ୍ଗ ଅତି ନିକଟରେ । ମୋ ଲାଗି ବନ୍ଧୁମାନେ ଉଦ୍‍ବିଗ୍ନ ହୋଇ ବସି ରହିଥିବେ । ଗୋଟିଏ ଗୋଟିଏ ଖୋଜ ବଢ଼ାଇ ଚିତ୍‍ଲାଙ୍ଗ୍‍ରେ ପହଞ୍ଚିଲି । ବନ୍ଧୁମାନେ ଜଣକ ପିଣ୍ଡାରେ ଜିନିଷପତ୍ର ରଖି ଖାଇବାର ବ୍ୟବସ୍ଥା କରୁଥିଲେ । ସିଧା ଯାଇ ହେଁସ ଉପରେ ପଡ଼ିଗଲି - ସାଥୀମାନଙ୍କର ଜଞ୍ଜାଳ ବଢ଼ାଇଲି । ସମସ୍ତଙ୍କର ଚାଦର ଯୋଡ଼ି ମୋତେ ଘୋରାଇ ଦିଆଗଲା । ଦାରୁଣ ଜ୍ୱରର ଦହନ ପରେ ପ୍ରାୟ ଗୋଟାକ ବେଳେ ଝାଳ ଦେଇ ତାତି ଓହ୍ଲାଇଗଲା । ଆଗରେ ଚନ୍ଦ୍ରଗିରି ପାହାଡ଼, କାଠମାଣ୍ଡୁ ଆଉ ଅଳ୍ପ ଦୂର । ପୁଣି ମନ ନବୀନ ଉତ୍ସାହରେ ପୂରି ଉଠିଲା । ଦୁଇ ଗିଲାସ ଚାହା ପିତ୍ତ ବାଡ଼ି ଧରି ଥିରି ଥିରି ବାହାରିଲି ଦଳ ସାଙ୍ଗରେ । ଚାରିଆଡ଼େ ପର୍ବତ କୋଳରେ ଚାଷଜମି-ଆଳୁ, ଗହମ, ପିଆଜ ଓ ଧାନଚାଷରେ ସବୁଆଡ଼େ ସ୍ନିଗ୍‍ଧ ଶ୍ୟାମଳଶ୍ରୀ ବିରାଜମାନ କରୁଛି ଏଇ ପାର୍ବତ୍ୟ ଅଞ୍ଚଳରେ ଚିତ୍‍ଲାଙ୍ଗ୍‍ ବୋଧହୁଏ ଟିକିଏ ଅଧିକ ଉର୍ବର ଜାଗା ।

 

ଲମ୍ବା ଅଥଚ ସହଜ ରାସ୍ତା ଛାଡ଼ି ତୀଖ ରାସ୍ତାରେ ଗହନ ଛାୟାଭରା ଜଙ୍ଗଲ ବାଟରେ ପର୍ବତ ଉପରକୁ ଉଠିଲୁ । ନିବିଡ଼ ବଣ ଭିତରେ କେତେ ଭାରିଆ ଗୋଇଲା, କାଠ ଓ ଜିନିଷପତ୍ରର ବୋଝ ବୋହି ଆସୁଥାନ୍ତି ଓ ଯାଉଥାନ୍ତି । ସାଢ଼େ ଦୁଇଟା ବେଳକୁ ଆମେ ପର୍ବତର ଠିକ୍ ଶିଖରରେ ପହଞ୍ଚିଲୁ । କି ସୁଶୀତଳ ସୌନ୍ଦର୍ଯ୍ୟଭରା ସେ ଜାଗାଟି । ତଳୁ ପ୍ରାୟ ୭୦୦୦ ଫୁଟ ଉଚ୍ଚ । ସମସ୍ତ କାଠମାଣ୍ଡୁ ଉପତ୍ୟକାର ସମଗ୍ର ଦୃଶ୍ୟ ଏକ ରମଣୀୟ ଅଷ୍ପଷ୍ଟତା ଭିତର ଦେଇ ଆଖିକୁ ଭୁଲାଇ ନେଲା । ତଳେ ଥାନକୋଟର ଛୋଟ ବସ୍ତି-ପାହାଡ଼ର ରାସ୍ତାଟି ବସ୍ତି ଭିତରକୁ ସାପପରି ଓହ୍ଲାଇ ଆସିଛି । ଦୂର ଅନୁଚ୍ଚ ପାହାଡ଼ ମୁଣ୍ଡିଆ ଉପରେ ଚାଷ ଜମିର ସବୁଜ ଗାଲିଚା ପରା ହୋଇଛି । ଥାନକୋଟଠାରୁ କାଠମାଣ୍ଡୁ ମୋଟେ ଛ’ମାଇଲ । କାଠମାଣ୍ଡୁର ମନ୍ଦିର ଓ ଘରମାନ ସୂର୍ଯ୍ୟାଲୋକର ପ୍ରତିଫଳନରେ ଝଲମଲ ହେଉଛି, ସହର ମଝିରେ ଧନ୍‍ୱାରା ମିନାର ସ୍ପଷ୍ଟ ଦେଖାଯାଉଛି । ଉପରେ ଧଳା ମେଘର ଧାଁ ଧପଡ଼, କ୍ଳାନ୍ତ ଦେହରେ ନିବିଡ଼ ବନାନୀର ଶୀତଳ ସାନ୍ନିଧ୍ୟର ଅନୁଭୂତି, ସବୁ ମିଶାଇ ସେଇ ସମୟଟାକୁ କିଏ ଯେପରି ସ୍ୱର୍ଗୀୟ ସୁଷମାରେ ଭରାଇ ଦେଇଥିଲା । ପ୍ରକୃତି ଯେ ମଣିଷମନର ଦୃଷ୍ଟିକୁ ବିଶାଳ ଓ ବିସ୍ତୃତ କରିପାରେ, ତା’ର ପ୍ରତ୍ୟକ୍ଷ ପ୍ରମାଣ ଏଇଠି ପାଇଲି ।

 

ଅଧଘଣ୍ଟାଏ ପର୍ଯ୍ୟନ୍ତ ଏଇ ଅପୂର୍ବ ଦୃଶ୍ୟକୁ ଉପଭୋଗ କରି ଆମେ ପର୍ବତ ଓହ୍ଲାଇଲୁ । ଆଖି ପା’ନ୍ତାରେ କାଠମାଣ୍ଡୁ, ଅତି ଉତ୍ସାହରେ ଥାନକୋଟରରେ ପହଞ୍ଚିବାକୁ ମୋଟେ ଦୁଇଘଣ୍ଟା ଲାଗିଲା । ସରକାରୀ ଗୋଇନ୍ଦାମାନେ ଆମର ନାଁ ଟିପି ନେଲେ । ସେଦିନ ଡାକମଟର ନ ଆସିବାରୁ ଗୋଟାଏ କାଠବୋଝାଇ ଟ୍ରକ୍ ଉପରେ କାଠମାଣ୍ଡୁ ଯିବାକୁ ପଡ଼ିଲା । ରାସ୍ତା ଦୁଇ କଡ଼ର ଡେଙ୍ଗା ଡେଙ୍ଗା ଗଛସବୁ ନାଲି ଓ ହଳଦୀ ରଙ୍ଗର ଫୁଲକାନ୍ଦିରେ ଭାଙ୍ଗି ପଡ଼ୁଥାଏ । ଦୂରରେ ପର୍ବତ ଭୂମିଠୁଁ ଆରମ୍ଭ ହୋଇ ପାଚିଲା ଗହମର କ୍ଷେତ ରାସ୍ତାଯାଏ ଲାଗିରହିଥାଏ । ମଝିରେ ମଝିରେ ଆଳୁ, ସୋୟାବିନ୍ ଓ ମକ୍କା ଫସଲର ଚାଷ ବି ଦେଖିବାକୁ ମିଳିଲା । ଏଠିକା ଚାଷୀମାନେ ଯେଉଁ ଉପାୟରେ ଜଳସେଚନ କରନ୍ତି, ଇଂରାଜୀରେ ତାଙ୍କୁ Terrace Irrigation କହନ୍ତି । ପର୍ବତ ଢାଲୁର ଜମିଗୁଡ଼ିକ ମଝିରେ ହିଡ଼ ପକାଇ ଦିଆହୁଏ । ବର୍ଷାପାଣି ଶିଖର ଉପରୁ ଗଡ଼ି ଆସିଲାବେଳେ ଏଇ ହିଡ଼ରେ ବାଧା ପାଇ ଚାଷଜମିକୁ ସିକ୍ତ କରେ ଓ ଅନେକ ଦିନ ପର୍ଯ୍ୟନ୍ତ ମାଟିରେ ଜଳୀୟ ଅଂଶ ସଞ୍ଚିତ କରି ରଖେ । ମାଟିକୁ ଅଧିକ ଉର୍ବର କରିବାର ଗୋଟିଏ ନୂଆ ପ୍ରଣାଳୀ ଏଠି ଦେଖିବାକୁ ମିଳିଲା । ଜମିରେ ଅନେକ ଗଭୀର ପର୍ଯ୍ୟନ୍ତ ଗୋଟିଏ ଗାତ ଖୋଳି ସେଥିରେ କଳାମାଟି ବାହାର କରାଯାଏ ଓ ସେଇ ମାଟିକୁ ଗୁଣ୍ଡ କରି ଜମିରେ ମିଶାଇ ଦିଆହୁଏ ।

 

ଠିକ୍ ସନ୍ଧ୍ୟାରେ ସମାଗମ ବେଳକୁ ଆମେ କାଠମାଣ୍ଡୁ ସହରରେ ପ୍ରବେଶ କଲୁ । ଚାରିଆଡ଼େ ଫୁଲରେ ଭରା ଚାରିଆଡ଼େ ଖାଲି ମନ୍ଦିରର ଚୂଡ଼ା, ସନ୍ଧ୍ୟାକାଳୀନ ଘଣ୍ଟାଧ୍ୱନିରେ ସହରଟା ଯାକ କମ୍ପିଉଠୁଛି । ବଜାରର ଦୋକାନ ସବୁ ନେପାଳୀ ଓ ବିଦେଶୀ ଜିନିଷରେ ଭରିଛି । ନେପାଳୀ ଜିନିଷ ଭିତରେ ଜୋତା, ପିତଳ କାମ ଓ ଖଦଡ଼ ଲୁଗା ବେଶୀ ଦେଖିବାକୁ ମିଳିଲା । ଖରା ଦିନରେ ବି ଫୁଲକୋବି, ବନ୍ଧାକୋବି, ମୂଳା ଓ ସାଲଗମ୍ ପ୍ରଭୃତି ଶୀତଦିନିଆ ପରିବା ଦୋକାନମାନଙ୍କରେ ଜମା ହୋଇଛି । ଏ ସହରରେ କୌଣସି ଯାନବାହାନ ନାହିଁ । ବେଶୀ ପଦବ୍ରଜୀ; ଅନେକ ସାଇକେଲ ବି ଯିବା ଆସିବା କରୁଛି, କ୍ୱଚିତ୍ ମଟର ମଧ୍ୟ ଦେଖିବାକୁ ମିଳୁଛି । ଅଜବ ପୋଷାକ ପିନ୍ଧିଥିବା ଆମର ବିଦେଶୀ ଦଳଟାକୁ ଦେଖି ସମସ୍ତେ କଟମଟ କରି ଅନାଉଥାନ୍ତି-। କିଏ କେତେ ରକମର କ’ଣ ଭାବୁଥାଏ କେଜାଣି ? ଆମର ଖଦଡ଼ ପରିଧାନକୁ କିଏ ହୁଏତ ସତ୍ୟାଗ୍ରହୀ ଆସିଲେ ବୋଲି ପ୍ରମାଦ ଗଣୁଛି । ଆମେ ତଳ ଦେଶ ବା ମଧ୍ୟ ଦେଶରୁ ଆସିଛୁ ବୋଲି କେହି ହୁଏତ ଆଣକୁ ମହ୍ୱେଶୀ ବା ମୁଗ୍ଲିଆନୀ ବୋଲି ଭାବୁଛି । ସମତଳ ଅଞ୍ଚଳର ଲୋକମାନଙ୍କୁ ନେପାଳୀମାନେ ଉକ୍ତ ନାମରେ ଅଭିହିତ କରିଥାନ୍ତି । ବର୍ଷ ବର୍ଷ ଧରି ସମ୍ପର୍କ ତୁଟିଯିବା ଫଳରେ ସେମାନେ ଭାରତର ଅଧିବାସୀମାନଙ୍କୁ ବିଦେଶୀ ଦୃଷ୍ଟିରେ ଦେଖିବାକୁ ଆରମ୍ଭ କରିଛନ୍ତି ।

 

ଅୟନର ଘର ମହାବୁଦ୍ଧ ଟୋଲୀର ଗୋଟିଏ ଗଳି ଭିତରେ । ଘରଗୁଡ଼ିକ କାଠରେ ତିଆରି, ସାଧାରଣତଃ ତିନି ଚାରି ମହଲା । ବଖରାମାନ ଏତେ ଛୋଟ ଯେ ସିଧା ହୋଇ ଠିଆ ହେଲେ ଛାତରେ ମୁଣ୍ଡ ବାଜୁଛି । କାଠ ସିଡ଼ିଦେଇ ତଳୁ ଉପରକୁ ଉଠିବାରେ ପ୍ରଥମେ ପ୍ରଥମେ ବଡ଼ ଅସୁବିଧା ଲାଗିଲା । ଯାହାହେଉ, ଏଇଘରେ ଆମେ ସମସ୍ତେ ଅତିଥି ହୋଇ ରହିଲୁ । ଅୟନର ଭଉଣୀ, ଖୁଡ଼ୀ ଓ ବୁଢ଼ୀମା, ଯେଉଁମାନେ ଏପର୍ଯ୍ୟନ୍ତ ଆମ ସାଥିରେ ବାଟ ଚାଲି ଆସିଥିଲେ, ଘରେ ପହଞ୍ଚି ସେମାନେ ଆମରି ଚର୍ଚ୍ଚାରେ ଲାଗି ପଡ଼ିଲେ । ଏମାନଙ୍କ ଘରେ ଏମାନେ ନେୱାରୀ ଭାଷାରେ କଥାବାର୍ତ୍ତା କରନ୍ତି ।

 

ସକାଳ ଛ’ଟାରେ ଉଠି ନିତ୍ୟକର୍ମ ସାରିବାକୁ ସିଧା ନଈକୁ ବାହାରିଗଲୁ । ସହରର ଗୋଟାଏ ଦିଗରେ କ୍ଷୀଣଧାରା ବାଗମତୀ ନଦୀ ବହି ଯାଉଛି । ରାସ୍ତାରେ ଗଲାବେଳେ ଅନେକ ସ୍ତୂପ ଓ ମନ୍ଦିର ପଡ଼ିଲା; ଯେଉଁ ଧନ୍‍ୱାରା ସ୍ତମ୍ଭକୁ ଥାନକୋଟଠାରୁ ଅସ୍ପଷ୍ଟ ଭାବେ ଦେଖିଥିଲୁ, ତାକୁ ଅତି ନିକଟରେ ଦେଖିବାର ସୁଯୋଗ ମିଳିଲା । ଫୁଟ୍‍ପାଥ ଉପରେ ଝାଉଁ ଓ ଇଉକାଲିପଟାସ୍ ଗଛତଳେ ଅନେକ ଦୂର ଗଲାପରେ ନଈ ପଡ଼ିଲା । ଠିକ୍ ଗଙ୍ଗାକୂଳରେ ଯାତ୍ରୀଭିଡ଼ ପରି ଘାଟତୁଠ ସବୁ ମଣିଷରେ ଭର୍ତ୍ତି । ବାଗମତୀ ନଦୀକୁ ଏଠିକା ଲୋକେ ଗଙ୍ଗା ମଧ୍ୟ କହନ୍ତି । ଖୋଲା ଶୁଖିଲା ନଈର ଗୋଟାଏ ପାଖରେ ଆଣ୍ଠୁଏ ବାଲିମିଶା ମଇଳା ପାଣି ବହି ଚାଲିଯାଉଛି । ସେଇ ଖୋଲା ବାଲି ଉପରେ ଝାଡ଼ା ଫେରି ମଇଳା ପାଣିରେ ସମସ୍ତେ ଅତି ଭକ୍ତିରେ ଗାଧୋଇ ପଡ଼ୁଛନ୍ତି । ଏଇ ମଇଳା ପାଣିରେ ଦେହ ଅପବିତ୍ର କରି ନିର୍ବୋଧ ଧର୍ମାତ୍ମାର ଧର୍ମ କମାଇବାକୁ ଆମ ଭିତରୁ କାହାରି ଇଚ୍ଛା ନ ଥିଲା । ଯେକୌଣସି ପ୍ରକାରେ ନିର୍ଲଜ୍ଜଭାବେ ଝାଡ଼ା ଫେରି ଆମେ ସେଠୁ ଫେରି ଆସିଲୁ ଓ ଧନ୍‍ୱାରା ପାଖରେ ଥିବା ଏକ ପାଣି ନଳରେ ଗାଧୋଇଲୁ । ଏଇ ସ୍ନାନଚକ୍ରଟିର ନାଁ ସୁନ୍‍ଧାରା (ସ୍ୱର୍ଣ୍ଣଧାରା) । ପଥରର କାରୁକାର୍ଯ୍ୟ ଖଚିତ ପାଞ୍ଚୋଟି ନଳର ମଗର ମୁହଁ ବାଟେ ପାଣି ପଡ଼ୁଛି । ପ୍ରତ୍ୟେକ ନଳଉପରେ ଗୋଟିଏ ଗୋଟିଏ ଦେବତାଙ୍କର ମୂର୍ତ୍ତି । ପାଞ୍ଚୋଟି ନଳରେ ସୂର୍ଯ୍ୟ, ଦୁର୍ଗା, ବିଷ୍ଣୁ, ମହାକାଳ ଓ ଗଣେଶ ଏହିପରି ପାଞ୍ଚୋଟି ମୂର୍ତ୍ତିର ଅଧିଷ୍ଠାନ ହୋଇଚି । ମହେଞ୍ଜଦାରୁ ଯୁଗର ସର୍ବସାଧାରଣ ସ୍ନାନଚକ୍ର (Public bath) କଥା ମନେ ପଡ଼ିଲା । ଚାରିଦିନ ଅଗାଧୁଆ ରହିବା ପରେ ଖୁବ୍ ଆନନ୍ଦ ଓ ଆରାମରେ ମନ ପୂରା କରି ସମସ୍ତେ ଗାଧୋଇଲୁ ।

Image

(କାଠମାଣ୍ଡୁ ରାସ୍ତା)

 

ଜଳଖିଆ ଖାଇ ତା’ପରେ ସହରକୁ ବୁଲି ବାହାରିଲୁ । ଖାଲି ମନ୍ଦିରର ଏ ବିରାଟ ସହରଟି ଦେଖି ଅବାକ୍ ହେବାକୁ ପଡ଼ିଲା । ଦେବତା ଓ ଦେବମନ୍ଦିର ସହରର ପ୍ରକୃତିକୁ ଏକ ବିରାଟ ତୀର୍ଥସ୍ଥାନରେ ପରିଣତ କରିଛି, ଏଠି ନେପାଳର ରାଜଧାନୀ ହେବାର ଉଚିତ ନ ଥିଲା ।

 

ପ୍ରଧାନ ରାସ୍ତାଟି ଛାଡ଼ିଦେଲେ ଗଳିଗୁଡ଼ାକ ନିହାତି ମଇଳା, ଏପରି କି ସର୍ବସାଧାରଣ ରାସ୍ତା ଉପରେ ଲୋକେ ଝାଡ଼ାଫେରି ବସିଛନ୍ତି; ମନ୍ଦିର ପାଚେରୀ କଡ଼ଯାକ ମଣିଷ ମଳରେ ଦୂଷିତ ହୋଇଛି । ସହରର ନର୍ଦ୍ଦମାସବୁ ବଡ଼ ଅପରିଚ୍ଛନ୍ନ, ଦୁର୍ଗନ୍ଧରେ ନାକ ରୁନ୍ଧି ହୋଇଯାଉଛି । କେଉଁଠି ପଚା ପଙ୍କ କଢ଼ା ହୋଇ ଅନେକ ଦିନହେଲା ରାସ୍ତା ଉପରେ ଜମା ହୋଇଛି । ବଡ଼ ବଡ଼ ସରକାରୀ ଅମଲାମାନେ ଏ ସବୁ ଗଳି ଭିତରକୁ ଆସନ୍ତି ନାହିଁ, ସେମାନଙ୍କର ବସତି ଓ ଦପ୍ତରସବୁ ପ୍ରଧାନ ରାସ୍ତା ଉପରେ ।

 

ପ୍ରତ୍ୟେକ ଘରେ କାଠ ଉପରେ ଖୋଳା ଯାଇଥିବା ନିଖୁଣ ସୂକ୍ଷ୍ମକାମ ଦେଖିବାକୁ ମିଳିଲା । ମନ୍ଦିର ଫାଟକ ଉପରେ ମଧ୍ୟ କାଠ ଓ ପିତଳର ସୁନ୍ଦର କାରୁକାର୍ଯ୍ୟ ହୋଇଛି । ୟାଡ଼କାର ମନ୍ଦିର ସବୁ ବର୍ମାଦେଶରେ ପାଗୋଡ଼ାପରି । ଏହାର ସୌନ୍ଦର୍ଯ୍ୟରେ ଏପରି ଏକ ବୈଶିଷ୍ଟ୍ୟ ଅଛି ଯାହା ଅନ୍ୟ କେଉଁଠି ଦେଖିବାକୁ ମିଳେ ନାହିଁ । ମନ୍ଦିର ଚାରିପାଖରେ କାଠ ତିଆରି ଦଶଅବତାର ଏବଂ ଅନ୍ୟାନ୍ୟ ଦେବଦେବୀ । ମୂର୍ତ୍ତିତଳକୁ ଅଶ୍ଳୀଳ କାମକଳାର ଚିତ୍ରମାନ ଖୋଦା ହୋଇଛି । କୋଣାର୍କର ଅଶ୍ଳୀଳ ମୂର୍ତ୍ତିଗୁଡ଼ିକଠାରୁ ଏହାର ଅନେକ ପାର୍ଥକ୍ୟ ଅଛି । ଏସବୁ ମୂର୍ତ୍ତିକୁ ଭଲକରି ଦେଖିଲେ ପୁରାତନ ନେପାଳରେ ବହୁ ପତିଗ୍ରହଣର ପ୍ରଥା ପ୍ରଚଳିତ ଥିବାର ଅନୁମାନ ହେଉଛି । ହିନ୍ଦୁର ମହାକାବ୍ୟ ମହାଭାରତରେ ଦ୍ରୌପଦୀ ଓ ପାଣ୍ଡବମାନଙ୍କର ବିବାହ ଉପାଖ୍ୟାନକୁ ଅନେକ ପଣ୍ଡିତ ଅନେକ ରକମର ବ୍ୟାଖ୍ୟା କରନ୍ତି । ମହତ୍ମାଗାନ୍ଧି ଏହାର ଐତିହାସିକ ସତ୍ୟକୁ ଏକାବେଳକେ ନାକଚ କରି ଦେଇଛନ୍ତି । ପାଞ୍ଚୋଟି ଇନ୍ଦ୍ରିୟଦ୍ୱାରା ସମାବିଷ୍ଟ ମନୁଷ୍ୟମନର ଉଦାହରଣ ଦେବା ପାଇଁ ମହାଭାରତର ଦ୍ରୌପଦୀ ଗଳ୍ପର ଉଦ୍ଭବ ବୋଲି ତାଙ୍କର ମତ । କିନ୍ତୁ ଗାନ୍ଧିଜୀଙ୍କର ଏଇ ଆଧ୍ୟାତ୍ମିକ ବ୍ୟାଖ୍ୟା ସତ୍ତ୍ୱେ ବହୁ ପତିଗ୍ରହଣ ପ୍ରଥା ଯେ ପୂର୍ବକାଳରେ ଥିଲା, ଏହାର ଐତିହାସିକ ସତ୍ୟ ଅବଶ୍ୟ ସ୍ୱୀକାର କରିବାକୁ ହେବ । ବର୍ତ୍ତମାନ ତିବ୍‍ବତର କେତେକ ଜାଗାରେ ଏହାର ପ୍ରଚଳନ ଅଛି ।

 

ଏହାପରେ ଆମେ ଶୁଭ୍ର ମଚ୍ଛିନ୍ଦ୍ରନାଥ ବା ମତ୍ସେନ୍ଦ୍ରନାଥଙ୍କର ମନ୍ଦିର ଦେଖିବାକୁ ଗଲୁ । ମନ୍ଦିରର ବେଢ଼ାଟି ଅନେକ ସ୍ତୂପ, ବୁଦ୍ଧଦେବ ଓ ହିନ୍ଦୁ ଦେବଦେବୀମାନଙ୍କର ଅନେକ ମୂର୍ତ୍ତିରେ ପୂରି ରହିଛି । ମନେ ହେଲା, ଧର୍ମଲୋଭୀ ଅଜ୍ଞାନପୂଜକ ଯେପରି ଅତି ସହଜରେ ହିନ୍ଦୁ ଓ ବୌଦ୍ଧଧର୍ମର ସମନ୍ୱୟ କରି ଦେଇଛି । କୁମାରିଲ ବା ଶଙ୍କରାଚାର୍ଯ୍ୟଙ୍କ ପରି ସେ ନିଗୂଢ଼ ଧର୍ମତତ୍ତ୍ୱ ନେଇ ପାଣ୍ଡିତ୍ୟଯୁଦ୍ଧ କରିବାପାଇଁ କେବେହେଲେ ଉତ୍ସୁକ ହୋଇନାହିଁ । ଖୁବ୍ ସମ୍ଭବ ଭାରତରେ ମହାଯାନ ଶାଖାର ଜନ୍ମ ପରେ ବୌଦ୍ଧଧର୍ମ ନେପାଳରେ ପ୍ରାଧାନ୍ୟ ବିସ୍ତାର କରିଛି । ତା’ପୂର୍ବରୁ ଏହାର ଅଧିବାସୀମାନେ ପ୍ରଧାନତଃ ଶାକ୍ତ ଓ ବୈଷ୍ଣବ ଥିଲେ । ତେଣୁ କାଠମାଣ୍ଡୁର ପ୍ରତ୍ୟେକ ମନ୍ଦିର ତିନୋଟିଯାକ ଧର୍ମର ଦେବତାଙ୍କର ସମନ୍ୱୟ ହୋଇଛି ।

 

ଆହୁରି ଅନେକ ଓ ଅଗଣିତ ମନ୍ଦିର ଦେଖୁ ଦେଖୁ ମନ ସେଇ ପୁରାତନ ଧର୍ମପ୍ରଧାନ ଯୁଗକୁ ଉଡ଼ି ଚାଲିଗଲା । କାଠ ଉପରେ କରାଯାଇଥିବା ସୂକ୍ଷ୍ମକାମ ଉପରେ ସେ ଯୁଗର ଶିଳ୍ପୀର ଶିଳ୍ପନୈପୁଣ୍ୟ ପ୍ରତିଭାତ ହେବାକୁ ଲାଗିଲା । କାମର ବାହାଦୂରୀରେ କୋଣାର୍କ ଓ ଭୁବନେଶ୍ୱରର ପଥର କାମଠାରୁ କୌଣସି ଗୁଣରେ କମ୍ ନୁହେଁ । ତଥାପି ଦୁହିଁଙ୍କର ତୁଳନା କରିବା ଉଚିତ ହେବ ନାହିଁ; ଦୁହିଁଙ୍କ ନିର୍ମାଣ ଶୈଳୀରେ ଭିନ୍ନ ଭିନ୍ନ ବୈଶିଷ୍ଟ୍ୟ ରହିଛି । କାଠର ପ୍ରଚ୍ଛଦପଟ୍ଟ ଉପରେ ସତେଅବା ଲତା, ଫୁଲ, ହଂସ, ସିଂହ, ଘୋଡ଼ା ଓ ହାତୀର ମୂର୍ତ୍ତିମନ୍ତ ଶୋଭାଯାତ୍ରା ଚାଲିଛି । ସହରର ପ୍ରତ୍ୟେକ ଗଳି ଓ ରାସ୍ତାର ଦୁଇକଡ଼ରେ କେବଳ ମନ୍ଦିର ଓ ସ୍ତୂପ ହିଁ ଦେଖିବାକୁ ମିଳିଲା । କେଉଁଠି ବୁଦ୍ଧ ପ୍ରତିମା ଉପରେ ସିନ୍ଦୂର ବୋଳାହୋଇ ବୋଳ ବସିଗଲାଣି; ହୁଏତ ସେକାଳର ନେପାଳରେ ରାଜୁତି କରୁଥିବା ମଲ୍ଲରାଜାମାନେ ହର୍ଷବର୍ଦ୍ଧନଙ୍କ ପରି ହିନ୍ଦୁ ଓ ବୌଦ୍ଧ, ଦୁଇ ଧର୍ମର ପୃଷ୍ଠପୋଷାକକାତ କରିଥିଲେ । ଦୁଇ ଧର୍ମର ଦେବତାଙ୍କୁ ମର୍ତ୍ତ୍ୟରେ ଜୀବନ୍ୟାସ ଦେବାରେ ସେମାନେ ବୋଧହୁଏ ଅଶେଷ ଆନନ୍ଦ ପାଉଥିଲେ ।

 

Image

(ସ୍ୱୟଂଭୂ କାଠମାଣ୍ଡୁ)

 

ସକାଳେ ଗାଧୋଇ ସାରି ଫେରିଲାବେଳେ କଳା ପର୍ବତମାଳାର ସେପାଖରୁ ଶୁଭ୍ର ହିମାଦ୍ରିର ଦୃଶ୍ୟ ଦେଖିବାକୁ ମିଳିଥିଲା । ଉଦୟ ଆଲୋକର ପ୍ରତିଫଳନରେ ବରଫର ଶଯ୍ୟା ଚକ୍ ଚକ୍ କରୁଥାଏ, ଉପରେ ମୌସୁମୀର କୃଷ୍ଣ ମେଘମାଳା ରଙ୍ଗର ଏକ ଅପୂର୍ବ ଆବେଶ ସୃଷ୍ଟି କରି ଦେଇଥାଏ । ଅନେକ ଦିନର ଅଭିଳାଷ ଏତେ ଦିନକେ ପୂର୍ଣ୍ଣ ହେଲା ।

 

ବଜାରରୁ ଫେରିଲାବେଳେ ଆଗାମୀ ଦିନଗୁଡ଼ିକୁ ନିରାପଦ କରିବାପାଇଁ ମେଲେରିଆ ଆରୋଗ୍ୟ କରିବାର ରସଦ ମ୍ୟାପାକ୍ରିନ୍ ବଟିକା ସଂଗ୍ରହ କଲି । ବାରଟାବେଳେ ଘରକୁ ଫେରି ଖାଇଲୁ । ପିଢ଼ାଆସନ ଉପରେ ଅତିଥିକୁ ବସାଇ ଶୌଚ ଓ ଶୁଦ୍ଧ ପରିବେଷଣ ଭିତରେ ନେପାଳୀ ପରିବାରର ଅତିଥିପରାୟଣତା ସବୁବେଳେ ପରିସ୍ଫୁଟ ହୋଇ ଉଠୁଥିଲା ।

 

ବିଶ୍ରାମ କରି ସଜବାଜ ହେଉ ହେଉ ଛାଇ ଲେଉଟି ଗଲା । ପ୍ରାୟ ସାଢ଼େ ଚାରିଟାବେଳେ ଏଠାରୁ ଏକମାଇଲ ଦୂର ସ୍ୱୟମ୍ଭୂ ମନ୍ଦିର ଦେଖିବାକୁ ଗଲୁ । ଦୁଇଟି ଛୋଟ ମୁଣ୍ଡିଆ ଉପରେ ମନ୍ଦିର ଓ ସ୍ତୂପଗୁଡ଼ିକର ସମାହାର ହୋଇଛି । କାମାକ୍ଷା ପର୍ବତପରି ଠିକ୍ ପର୍ବତଭୂମିଠାରୁ ଶିଖଯାଏ ପଥରର ରାସ୍ତା ତିଆରି ହୋଇଛି । ଗୋଟିଏ ମୁଣ୍ଡିଆ ଉପରେ ମହାମଞ୍ଜୁଶ୍ରୀଙ୍କର ମନ୍ଦିର-ମନ୍ଦିରର ଛୋଟ ବେଢ଼ାଟି ମଧ୍ୟ ଛୋଟ ଛୋଟ ଅଗଣିତ ମୂର୍ତ୍ତିରେ ଭରି ରହିଛି । ଗଣେଷ, ହନୁମାନ ଓ ବୁଦ୍ଧମୂର୍ତ୍ତିର ସଂଖ୍ୟା ସବୁଠାରୁ ବେଶୀ । ବୁଦ୍ଧଦେବ ଉପବେଶନ ଭଙ୍ଗୀରେ ତପସ୍ୟା କରୁଛନ୍ତି, ହାତରେ ଭିକ୍ଷାପାତ୍ର ରହିଛି । ମୂର୍ତ୍ତି ପାଖରେ ପ୍ରାଚୀନ ଲିପିରେ କ’ଣ ସବୁ ଲେଖା ହୋଇଛି ।

 

ଗୋଟିଏ ମୁଣ୍ଡିଆରୁ ଆର ମୁଣ୍ଡିଆକୁ ଯିବାପାଇଁ ଛୋଟିଆ ରାସ୍ତାଟିଏ ଅଛି । ସ୍ୱୟମ୍ଭୂ ତୀର୍ଥ ଏଇ ଦ୍ୱିତୀୟ ମୁଣ୍ଡିଆଟି ଉପରେ । କୁଶୀନଗରର ଇତିହାସରେ ଅଛି ଯେ ଗୌତମ ବୁଦ୍ଧଙ୍କର ଦେହାବଶେଷ ଭସ୍ମର ଏକଭାଗ ଏଠାକୁ ଅଣାଯାଇଥିଲା । ସେଇ ଭସ୍ମ ଉପରେ ତତ୍କାଳୀନ ମଲ୍ଲରାଜା ଏକ ପ୍ରକାଣ୍ଡସ୍ତୂପ ତିଆରି କରିଛନ୍ତି । ଏ ପ୍ରାୟ ଏକାଦଶ ଶତାବ୍ଦୀର କଥା । ସ୍ତୂପର ଚୂଡ଼ାଟି ଖୁବ୍ ଉଚ୍ଚ-କୁଶୀନଗରର ସ୍ତୂପଠାରୁ ଟିକିଏ ଅଲଗା ଧରଣର । ନାନାଦୃଷ୍ଟରୁ ବିଚାର କଲେ ଏହାକୁ ଏକ ମନ୍ଦିରରର ଆକୃତି ଦେବାର ଚେଷ୍ଟା କରାଯାଇଛି ବୋଲି ମନେ ହୁଏ । ଚୂଡ଼ାଟିକୁ ପ୍ରଶସ୍ତ କରାହୋଇ ଚାରିପାଖକୁ ଉପରର କୋଟୀରେ ମିଳାଇ ଦିଆଯାଇଛି । ଉପରେ ପତାକା ଫରଫର ଉଡ଼ୁଛି । ଚୂଡ଼ା ଓ ପତାକା ପିତଳରେ ତିଆରି, ପିତଳ ଉପରେ ସୁନାପାଣି ଦିଆହୋଇଛି । ସେତେବେଳକୁ ନିମ୍ନଗାମୀ ସୂର୍ଯ୍ୟ ପର୍ବତ ଶିଖରରୁ ତଳକୁ ଓହ୍ଲାଇ ଯାଉଥାନ୍ତି । ସେଇ ଶେଷ କିରଣପାତରେ ସ୍ତୂପର ସବୁର୍ଣ୍ଣଚୂଡ଼ା ଝଲମଲ କରୁଥାଏ । ଏଇ ଅସଲ ସ୍ତୂପର ଦୁଇପାଖରେ ଆଉ ଦୁଇଟି ସ୍ତୂପଆକୃତି ଠିକ୍ ପ୍ରଥମଟି ପରି । କିନ୍ତୁ ଭୂଷଣର ସମାବେଶ ଓ ସଜ୍ଜାର ଆଡ଼ମ୍ବରରେ ପ୍ରଥମଠୁଁ ଅନେକ ପରିମାଣରେ ଊଣା । ତଥାପି ସ୍ତୂପର ଚାରିପାଖ ନାନା କାରୁକାର୍ଯ୍ୟ ଖଚିତ ଓ ବହୁମୂର୍ତ୍ତି ସମାବିଷ୍ଟ । ମନ୍ଦିରର ଛୋଟ ବେଢ଼ା ଏକ ନୂଆ ପ୍ରକାରର । ପିତଳ ଖୁମ୍ବ ଓ ପିତଳର ସିଲିଣ୍ଡର ଆକାରର ଗୋଲକରେ ଚାରିପାଖରେ ବାଡ଼ ଘେରାହୋଇଛି । ସେଇ ଗୋଲକଗୁଡ଼ିକ ଉପରେ ପୁରାତନ ଲିପିରେ ବୌଦ୍ଧଦୋହା ତିନୋଟି ଲେଖା ହୋଇଛି । ଚାରିପାଖରେ ଚାରୋଟି ମନ୍ଦିରଆକୃତି ଘର ଭିତରେ ବୁଦ୍ଧଦେବଙ୍କର ତପସ୍ୟାମଗ୍ନ ମୂର୍ତ୍ତି, ହାତରେ ଭିକ୍ଷାପାତ୍ର । ମନ୍ଦିରରର ଦୁଇପାଖରେ ଦୁଇଟି ପତାକା । ଏଇ ମନ୍ଦିର ଚାରୋଟି ପ୍ରାୟ ସବୁବେଳେ ବନ୍ଦ ଥାଏ ।

 

ତା’ପରେ ଦେଖିବାକୁ ଗଲୁ ମହାମାୟାଙ୍କର ମନ୍ଦିର । ପିତଳ ଦରଜା ଉପରେ ଗଛ, ଲତା, ଫୁଲ, ପତରରେ କାରୁକାର୍ଯ୍ୟ ଭରି ରହିଛି । ରୀତିମତ ହିନ୍ଦୁରୀତିରେ ମୂର୍ତ୍ତିର ପୂଜା ଚାଲିଛି । ଗୌତମ ବୁଦ୍ଧଙ୍କର ଦଣ୍ଡାୟମାନ ଅବସ୍ଥାରେ ଏଠାରେ ଅନେକ ମୂର୍ତ୍ତି ରହିଛି । ଦୁଇଟିଯାକ ମୁଣ୍ଡିଆ ଉପରେ ଥିବା ଅଧିକାଂଶ ବୁଦ୍ଧମୂର୍ତ୍ତିର ଗଠନକଳାରେ ହିନ୍ଦୁଧର୍ମର ସ୍ପଷ୍ଟ ପ୍ରଭାବ ପଡ଼ିଛି । ମସ୍ତକରେ ମୁକୁଟ, କାନରେ କୁଣ୍ଡଳ, ଗଳାରେ ଆଜାନୁଲମ୍ବିତ ହାର-ସବୁ ମିଶି ତଥାଗତଙ୍କୁ ସ୍ୱର୍ଗପୂରୀର କୌଣସି ଏକ ଦେବତାର ରୂପରେ ସଜାଇ ଦେଇଛି । ଆଉ ଗୋଟିଏ ଜାଗାରେ ଥିବା ଦୁଇଟି ବୁଦ୍ଧମୂର୍ତ୍ତି ଉପରେ ବିଶେଷ କରି ଆଖି ପଡ଼ିଲା । ପ୍ରଥମଟି ଦଣ୍ଡାୟମାନ, ଅଙ୍ଗବସ୍ତ୍ରପରିହିତ; କାରୁକଳା ସରଳ ହେଲେହେଁ ସମଗ୍ର ଭାବରେ ମୂର୍ତ୍ତିଟି ସବୁଠୁଁ ସୁନ୍ଦର ହୋଇଛି ବୋଲି ମୋର ମନେ ହେଲା । ଆଉଟି ବୁଦ୍ଧଙ୍କର ଉପବେଶନ ଭଙ୍ଗୀରେ । ତୁଳନା ଦୃଷ୍ଟିରୁ ମୂର୍ତ୍ତିଟି ବିଶାଳ, କିନ୍ତୁ ଗୋଟିଏ ପଥରରେ ତିଆରି ନୁହେଁ ।

 

ସବୁଠାରୁ ମଜା ଲାଗିଲା ଏ ସ୍ଥାନର ସ୍ଥପତିକଳାର ମିଶ୍ରତ୍ୱ ଦେଖି, ହିନ୍ଦୁ ଓ ବୌଦ୍ଧଧର୍ମର ସମନ୍ୱୟ କରିବା ଉଦ୍ଦେଶ୍ୟରେ ଜାଣିଶୁଣି ଏପରି କରାଯାଇଛି ନା ଧର୍ମଲୋଭୀ ରାଜା ଓ ଅଜ୍ଞାନ ଶିଳ୍ପୀ ଦୁହେଁ ମିଶି ଏ କୀର୍ତ୍ତିକୁ ଖେଚଡ଼ିରେ ପରିଣତ କରିଛନ୍ତି, ସେକଥା ଠିକ୍ ସିଦ୍ଧ କରି କହିବା ସମ୍ଭବ ନୁହେଁ । ବୁଦ୍ଧଙ୍କର ମୁକୁଟ; ଦଣ୍ଡାୟମାନ ବୃଦ୍ଧଙ୍କର ଚାରିହାତ, ହାତରେ ଶଙ୍ଖ, ଚକ୍ର, ଗଦା ଓ ଭିକ୍ଷାପାତ୍ର । ବୁଦ୍ଧଦେବଙ୍କର ସ୍ତୂପ ଚାରି ପାଖରେ ଲକ୍ଷ୍ମୀ, ସରସ୍ୱତୀ, ହନୁମାନ ଓ ଗଣେଶଙ୍କର ମୂର୍ତ୍ତି-। ଏସବୁ ଆଶ୍ଚର୍ଯ୍ୟ ସମାବେଶର କୌଣସି କାରଣ ଅନୁମାନ କରି ହେଲା ନାହିଁ । ହୁଏତ ବୌଦ୍ଧଧର୍ମକୁ ଏକ ସ୍ୱତନ୍ତ୍ର ଧର୍ମ ନ ମାନି, ନେପାଳର ରାଜାମାନେ ହିନ୍ଦୁଧର୍ମର ଏକ ପ୍ରଗତିଶୀଳ ଶାଖାରୂପେ ତାକୁ ଗ୍ରହଣ କରିଥିଲେ । ଭୁବନେଶ୍ୱରୀ ଶୈଳୀର କୋତୋଟି ମୂର୍ତ୍ତି ଏଠି ମଧ୍ୟ ଦେଖିବାକୁ ପାଇଲି । ଦଣ୍ଡାମାନ ପ୍ରତିମାର ତ୍ରିଭଙ୍ଗୀ, ଚରଣଯୁଗଳ ଆଗପଛ ହୋଇ ରହିଛି । ଅଥଚ ଶୀର୍ଷ ଓ ପାଦ ଏକ ସରଳରେଖାରେ ଅବସ୍ଥିତ । ଏଠିକା ମୂର୍ତ୍ତିଗୁଡ଼ିକର ଶିରସାଜ ଅତି ଚମତ୍କାର, ଅନେକ ସ୍ଥଳରେ ଭୁବନେଶ୍ୱରର ସ୍ଥପତି ସଙ୍ଗେ ବରାବରୀ କରାଯାଇପାରେ । କିନ୍ତୁ ପରିଧାନ-ପରିପାଟୀ ଓ କଟିସାଜରେ ଭୁବନେଶ୍ୱରର ଗାରିମା ନାହିଁ ।

 

ସ୍ଥପତିବିଦ୍ୟାରେ ଏଠାରେ ଆଉ ଗୋଟିଏ ବଡ଼ ଅସଙ୍ଗତି ରହିଥିଲାପରି ମନେ ହେଲା । ବସିବା ଭଙ୍ଗୀରେ ଏଠି ଯେତେଗୁଡିଏ ମୂର୍ତ୍ତି ଅଛି, ସବୁଗୁଡ଼ିକ ପଦ୍ମାସନ ଅବସ୍ଥାରେ, ଠିକ୍ ବୁଦ୍ଧଦେବଙ୍କର ତପସ୍ୟାମଗ୍ନ ଯୋଗାସନ ଅବସ୍ଥା ପରି । ଏପରିକି ଅସ୍ତ୍ରଶସ୍ତ୍ର ଧାରିଣୀ ଦୁର୍ଗା ଓ ଲକ୍ଷ୍ମୀମୂର୍ତ୍ତି ମଧ୍ୟ ପଦ୍ମାସନରେ ବସିଛନ୍ତି । ହାତରେ ଢାଲ ତରବାରୀ ଧରି ପଦ୍ମାସନରେ ବସିବା ଭଙ୍ଗୀ ମୋତେ ଅତି ଅସଙ୍ଗତ ଲାଗିଲା । ଅନେକ ସ୍ଥଳରେ ମୂର୍ତ୍ତିର ସ୍ଥିତିଭଙ୍ଗୀ ମଧ୍ୟ ସ୍ୱାଭାବିକ ବା ପ୍ରାକୃତିକ ହୋଇନାହିଁ । ଯେପରି ସ୍ଥିତିରେ ମୂର୍ତ୍ତିକୁ ଠିଆ କରାଇ ଦିଆଯାଇଛି ବା ବସାଯାଇଛି, ସେପରି ସ୍ଥିତିରେ କୌଣସି ପୁରୁଷ ବା ସ୍ତ୍ରୀ ଠିଆ ହୋଇ ବା ବସିପାରିବ ନାହିଁ ।

 

ସ୍ୱୟମ୍ଭୂ ତୀର୍ଥରେ ଶତାଧିକ ସ୍ତୂପ ରହିଛି । ଅନେକ ନୂତନ ସ୍ତୂପ ମଧ୍ୟ ତିଆରି ହେଉଛି । କୌଣସି ବୌଦ୍ଧସନ୍ୟାସୀ ମରିଗଲେ ତାଙ୍କର ମୃତାବଶେଷ ଭସ୍ମ ସାଇତି ରଖିବା ପାଇଁ ଗୋଟିଏ ସ୍ତୂପ ତିଆରି କରି ଦିଆଯାଏ । ସ୍ତୂପ ହେଉଛି ବୌଦ୍ଧ ସାମାଧିସ୍ଥାନ । ସ୍ତୂପର ଚାରିପାଖରେ ଅମିତାଭ ବୁଦ୍ଧଙ୍କର ଧ୍ୟାନମଗ୍ନ ମୂର୍ତ୍ତି ଓ ବୋଧିଦ୍ରୂମର ଚିତ୍ର ଅଙ୍କିତ ହୋଇଥାଏ ।

 

ରାତି ଆସିଲା, ସମସ୍ତ ସହର ଅନ୍ଧାର ଭିତରେ ଅଦୃଶ୍ୟ ହୋଇଗଲା, ରାସ୍ତା ଓ ବସତିର ବିଜୁଳି ବତୀମାନ ଦୂରରୁ ତାରାପରି ଦେଖା ଯାଉଥାଏ । ଧୀରେ ଧୀରେ ଆମେ ପର୍ବତ ଅବତରଣ କରି ଆମ ବସା ଉଦ୍ଦେଶ୍ୟରେ ଫେରି ଆସିଲୁ ।

 

ତା’ ଆରଦିନ ସକାଳରୁ ବିଖ୍ୟାତ ପଶୁପତିନାଥ ମନ୍ଦିର ଦେଖି ଯିବାର କାର୍ଯ୍ୟକ୍ରମ ଥିଲା-। ଦୂରତା ଆମର ରହିବା ଜାଗାଠାରୁ ପ୍ରାୟ ତିନି ମାଇଲ । କିମ୍ବଦନ୍ତୀ ଅଛି ଯେ ଏଠିକାର ଗୋଟିଏ ଶିବଲିଙ୍ଗରେ ସ୍ପର୍ଶପଥର ଥିଲା - ସେବକ ଦିନେ ଲିଙ୍ଗକୁ ସ୍ନାନ କରାଉ କରାଉ ତା’ ହାତର ପିତଳ ମୁଦି ସୁନା ହୋଇଗଲା । ଲୋଭପରବଶ ହୋଇ ସେ ଆଉ ଗୋଟିଏ ଲୁହାର ଜିନିଷ ଆଣି ଲିଙ୍ଗରେ ଏପାଖ ସେପାଖ ଛୁଆଁଇଲା । କିନ୍ତୁ ଅସଲ ଜାଗା, ଯେଉଁଠି ପରଶୁପଥର ଥିଲା, ସେଠି ଛୁଆଁଇ ନ ପାରିବାରୁ ତା’ର ଲୁହା ଆଉ ସୁନା ହୋଇ ପାରିଲା ନାହିଁ । ଅତି ରାଗରେ ସେ ଗୋଟିଏ ସାବଳ ଆଣି ଲିଙ୍ଗ ଉପରେ ପାହାରେ ପିଟିଲା । ଫଳତଃ ଲିଙ୍ଗ ଦୁଇଫାଳ ହୋଇଗଲା ଓ ସ୍ପର୍ଶପଥରଟି ତତ୍‍କ୍ଷଣାତ୍ ଉପରକୁ ଶୂନ୍ୟକୁ ଉଠିଗଲା ।

 

ପଶୁପତିନାଥଙ୍କର ମନ୍ଦିର ବେଢ଼ାଟି ଅପେକ୍ଷାକୃତ ଛୋଟ ହେଲେ ହେଁ ବାତାବରଣ ଠିକ୍ ଭୁବନେଶ୍ୱର ପରି । ପରିସର ଅଳ୍ପ କିନ୍ତୁ ମୂର୍ତ୍ତି ଓ ମନ୍ଦିର ଅନେକ । ଶତାଧିକ ମନ୍ଦିର ଓ ସହସ୍ରାଧିକ ଲିଙ୍ଗରେ ବେଢ଼ାରେ ଏତେ ଟିକିଏ ଖାଲିଜାଗା ନାହିଁ । ଠିକ୍ ମଝିରେ ପ୍ରଧାନ ମନ୍ଦିରଟି, ତା’ର ଚାରିପାଖକୁ ଘେରି ଅଗଣିତ ମନ୍ଦିରରେ ଶିବଲିଙ୍ଗ ଓ ବାହାରେ ମଧ୍ୟ ଅନେକ ମୂର୍ତ୍ତି ପଡ଼ି ରହିଛି । ସେବକର ପୂଜା ପଦ୍ଧତି ନିୟମିତ ଚାଲିଛି, ଭକ୍ତର ଭକ୍ତି ଆଡ଼ମ୍ବରରେ କୌଣସି ଅଭାବ ନାହିଁ । ମନ୍ଦିର କନ୍ଦିରେ ଓ ଆଖପାଖରେ ଅସଂଖ୍ୟ ପାତିମାଙ୍କଡ଼ ଛପି ଛପି ବୁଲୁଛନ୍ତି । ସେମାନେ କାହାରି କିଛି ଅନିଷ୍ଟ କରନ୍ତି ନାହିଁ । କେବଳ ପୂଜାରୀ ମନ୍ଦରର ନୀତି ଶେଷ କରି ଚାଲିଗଲା ପରେ ସେମାନେ ଅତି କୌଶଳସହକାରେ ଶିବଲିଙ୍ଗକୁ ନିବେଦିତ କରାଯାଇଥିବା ପ୍ରସାଦ ଓ ଅରୁଆଚାଉଳ ଖାଇ ପୁଣି ଖାଦ୍ୟ ସନ୍ଧାନରେ ସ୍ଥାନାନ୍ତରକୁ ଚାଲିଯାଆନ୍ତି ।

 

ପ୍ରଥମେ ଅସଲ ମନ୍ଦିରଟି । ମନ୍ଦିରର ଶୈଳୀ ନେପାଳର ଅନ୍ୟାନ୍ୟ ମନ୍ଦିର ପରି ପାଗୋଡ଼ା ଜାତୀୟ । କାଗଜର ଫାନସପରି ତିନିଥାକ ହୋଇଛି, ଉପରରେ ପିତ୍ତଳର ଉଜ୍ଜ୍ୱଳ ଚୂଡ଼ା-। ଚାନ୍ଦି ରୂପାର ବିରାଟ ବରଜା ଉପରେ ନାନା ରକମର ସୂକ୍ଷ୍ମ କାରୁକାର୍ଯ୍ୟ ଖଚିତ ହୋଇଛି । ଦରଜା ଉପରେ ସର୍ପଭକ୍ଷୀ ଗରୁଡ଼ର ମୂର୍ତ୍ତି । ମନ୍ଦିରର ଚାରି ପାଖରେ କାଠ ଓ ପିତଳର ନାନା ସୁନ୍ଦର କାରୁକାର୍ଯ୍ୟ-ଚାରୋଟି ଛୋଟ କଥାକାର ମନ୍ଦିର ଭିତରେ ଢାଲ ଓ ଖଡ଼୍‍ଗଧାରୀ ବର୍ମପରିହିତ ଦ୍ୱାରପାଳମାନଙ୍କର ମୂର୍ତ୍ତି । ମନ୍ଦିର ଚୂଡ଼ାର ଏକ ପାର୍ଶ୍ୱରେ ପିତଳର ତ୍ରିଶୂଳ, ପର୍ଶୁ ଓ ଡମ୍ବରୁ ସୂର୍ଯ୍ୟ କିରଣରେ ଚକ୍ ଚକ୍ କରୁଛି । ମନ୍ଦିରର ଦ୍ୱିତୀୟ ଥାକରେ ଢେର ଲାଗିଥିବା କାଠର ଖିଲାଣମାନଙ୍କରେ ହନୁମାନ, ଗଣେଶ ଓ ଆହୁରି ଅନେକ ଦେବଦେବୀ ମୂର୍ତ୍ତି ରହିଛି । ମନ୍ଦିର ଆଗରେ ଦୁଇଟି ବୃଷଭ, ଗୋଟିଏ ଅତିକାୟ, ଅତି ପ୍ରକାଣ୍ଡ; ଆରଟି ସ୍ୱଭାବିକ ଆକୃତିର । ମନ୍ଦିର ଭିତର ଶିବଲିଙ୍ଗଟି କଳା ପଥରରେ ଗଢ଼ା; ଲିଙ୍ଗର ଚାରୋଟି ମୁଖ । ଫୁଲମାଳ ଓ ଚନ୍ଦନମଣ୍ଡିତ ହୋଇ କେବଳ ମୁଖଗୁଡ଼ିକ ବାହାରକୁ ଦିଶୁଛି । ମନ୍ଦିର ବେଢ଼ା ଭିତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମଧାରୀ ବିଷ୍ଣୁ ମୂର୍ତ୍ତି, ନାଗପାଶରେ ପଡ଼ିଥିବା ନାରାୟଣ ମୂର୍ତ୍ତି, ଗଣେଶ ଓ ହନୁମାନ ମୂର୍ତ୍ତି ମଧ୍ୟ ରହିଛି । ଗୋଟିଏ ପାଖରେ ମହାକାଳ ଭୈରବଙ୍କର ବିଶାଳ ଭୈରବ ମୂର୍ତ୍ତି ତାଳୁରୁ ତଳିପାଯାଏ ସିନ୍ଦୂର ବୋଳା ହୋଇ ଆହୁରି ଭୟଙ୍କର ଦିଶୁଛି ।

 

ଛୋଟ ଝରଣାଟିକୁ ବେଢ଼ାର ଅପର ପାଖରେ ପଥର ପାହାଚରେ ବନ୍ଧେଇ ଦିଆ ହୋଇଛି । ଏଇ ଝରଣାଟି କ୍ରମେ ବଡ଼ ହୋଇ କାଠମାଣ୍ଡୁର ଉପକଣ୍ଠରେ ବାଗମତୀ ନଦୀରୂପେ ବହିଯାଉଛି । ଫୁଟେ ଗଭୀର ବାଲିକଣାମିଶ୍ରିତ ଆବିଳ ଜଳଧାରା ବହିଯାଉଛି, ନରନାରୀ ନିର୍ବିଶେଷରେ ଭକ୍ତିଲୋଭୀମାନେ ଏଇଠି ବୁଡ଼ ପକାଉଛନ୍ତି । ଝରଣା ଉପରେ ଥିବା ଗୋଟିଏ ପୋଲ ଦେଇ ଅପରପାଖକୁ ଯିବାକୁ ହୁଏ । ସେପାଖରେ ଗୋଟିଏ ଅତି ଛୋଟ ମୁଣ୍ଡିଆ । ପଥର ପାହାଚର ରାସ୍ତାଟିଏ ଏକାବେଳେ ମୁଣ୍ଡିଆର ତାଳୁ ପର୍ଯ୍ୟନ୍ତ ଯାଇଛି-ଦୁଇ ପାଖରେ ପତ୍ରଭରା ଗହଳ ବାନାନୀ ମୁଣ୍ଡିଆଟିକୁ ସ୍ନିଗ୍‍ଧ ଛାୟାରେ ଆବୃତ କରି ରଖିଛି । ଏ ପାଖଟି ଅପେକ୍ଷାକୃତ ନିଶ୍ଚଳ ଓ ନିର୍ଜନ; ଭକ୍ତର ଅତ୍ୟାଚାର ନାହିଁ ବା ଧର୍ମ କମାଇବାର ସ୍ୱାଭାବିକ ଆଡ଼ମ୍ବର ନାହିଁ । ଏ ପାଖଟି ମଧ୍ୟ ଶିବ ମନ୍ଦିରରେ ପୂରିଛି । ପଥର ପାଚେରୀ ଦେହରେ ଦଣ୍ଡାୟମାନ ପଶୁପତି ମୂର୍ତ୍ତିହାତରେ ତ୍ରିଶୂଳ । ପଥରର ମନ୍ଦିରଗୁଡ଼ିକ ଆକାରରେ ଛୋଟ ହେଲେ ହେଁ ନିର୍ମାଣକଳାରେ ଶାଳୀନତା ବର୍ତ୍ତମାନ ରହିଛି । ଦରଜାଗୁଡ଼ାକ କାଠରେ ତିଆରି - ଦରଜା ଉପରେ ବୃଷଭ ବାହନ ମହାଦେବ ଓ ସିଂହବାହିନୀ ପାର୍ବତୀ । କାଠ ଉପରେ ଖଚିତ ହୋଇଥିବା କାରୁକାମ ଅତି ଉନ୍ନତ ଧରଣର । ମୂର୍ତ୍ତି ଦୁଇଟି ମୁକୁଟ, ମାଳା ଓ ନାନା ଅଳଙ୍କାରରେ ବିଭୂଷିତ ହୋଇଛନ୍ତି । ନେପାଳର ସ୍ଥପତିରେ ଏଇ ମାଳାର ଖୁବ୍ ବୈଶିଷ୍ଟ୍ୟ ରହିଛି । ମନ୍ଦିରର ଚୌକାଠରେ ପଥରର କିନ୍ନର ମୂର୍ତ୍ତି । ଭିତରେ କଳା ପଥରର ଶିବଲିଙ୍ଗ, ସମ୍ମୁଖରେ ବୃଷଭ, ଚୂଡ଼ାରେ ପିତଳର ପର୍ଶୁ, ଡମ୍ବରୁ ଓ ତ୍ରିଶୂଳ ଶିବ ମନ୍ଦିରର ସୂଚନା ଦେଉଛି ।

 

ପଶୁପତିନାଥଙ୍କ ମନ୍ଦିରରେ ଫଟୋ ଉଠାଇବା ମନା । ରାମମନୋହର ନିଜର କ୍ୟାମେରା ବାହାର କରୁ କରୁ ରକ୍ଷଣଶୀଳ ଭକ୍ତମାନେ ଭ୍ରୁକୁଟି କରି ଦଉଡ଼ି ଆସିଲେ । ବାଧ୍ୟ ହୋଇ ତାଙ୍କୁ ନିରସ୍ତ ହେବାକୁ ପଡ଼ିଲା । ମହାଦେବଙ୍କ ମନ୍ଦିରରେ ଗଣେଶ, ନାରାୟଣ ଓ ହନୁମାନ ମୂର୍ତ୍ତି, ମନ୍ଦିରର ଦରଜା ଉପରେ ସର୍ପଭକ୍ଷୀ ଗରୁଡ଼, ମହାଦେବ ଲିଙ୍ଗରେ ଚତୁର୍ମୁଖ, ବେଲପତ୍ର ପରିବର୍ତ୍ତରେ ଚନ୍ଦନ ଓ ଫୁଲମାଳରେ ପଶୁପତିନାଥ ମହାଦେବଙ୍କର ପୂଜା - ଏସବୁ ଏ ମନ୍ଦିରର ବୈଚିତ୍ର୍ୟ । ଏସବୁ ବ୍ୟତିକ୍ରମ ନେପାଳର ସବୁଠିଁ ଦେଖିବାକୁ ମିଳୁଛି ।

 

ମନ୍ଦିରର କାରୁକାର୍ଯ୍ୟରେ ଫୁଲ କଳସ ଓ ହାତୀର ଚିତ୍ର ଖୁବ୍ ସୁନ୍ଦର ଲାଗିଲା । ପଥର ପାହାଚ ଉଠି ଉଠି ଯେତିକି ଉପରକୁ ଯାଇଛି, ସେଇ ପାହାଚରେ ଅପର ଦିଗରେ ପ୍ରାୟ ସେତିକି ଓହ୍ଲାଇ ଆସିଲେ ଗୁହ୍ୟେଶ୍ୱରୀଙ୍କର ମନ୍ଦିର । ଏଠି କୌଣସି ଦେବୀଙ୍କର ପୂଜା ହୁଏନାହିଁ, କିନ୍ତୁ ଠିକ୍ କାମାକ୍ଷା ତୀର୍ଥପରି ଏକ ବିଚିତ୍ର ସଂଘଟନରେ ଉପଲକ୍ଷ୍ୟରେ ଏ ସ୍ଥାନଟି ପ୍ରଖ୍ୟାତ ହୋଇ ଉଠିଛି । ପଥର ମନ୍ଦିର ଉପରେ ପିତଳର କାମ, ଚାରିଦିଗରୁ ଚାରିଟା ବଡ଼ ପିତଳ ସାପ ଆସି ମନ୍ଦିର ଉପରେ ଫଣା ମିଳାଇଛନ୍ତି, ସେଇଠି ମନ୍ଦିରର ଚୂଡ଼ା । ମନ୍ଦିରର ଚାରିଆଡ଼େ ଖାଲି ସାପର କାରୁକାର୍ଯ୍ୟ ହୋଇଛି । ସଦର ଦରଜାରେ ମଧ୍ୟ ସାପ ଓ ଗରୁଡ଼ର ପିତଳ ମୂର୍ତ୍ତି ଦେଖିବାକୁ ମିଳିଲା-। ମନ୍ଦିର ବାହାରେ ଦୁଇଟି ପିତଳ କୂର୍ମ ଉପରେ ଦୁଇଟି ଉଚ୍ଚ ସ୍ତମ୍ଭ ଉପରେ ଗରୁଡ଼ ମୂର୍ତ୍ତି ଠିକ୍ ସଦର ଦରଜା ଆଡ଼କୁ ମୁହଁ କରି ବସା ହୋଇଛି, ଯେପରି ଶିବମନ୍ଦିର ଆଗରେ ବୃଷଭ ମୂର୍ତ୍ତି । ମନ୍ଦିର ଭିତର ଗୋଟିଏ ଖଣିପରି । ପିତଳର ପାହାଚ - ଖଣିର କାନ୍ଥରେ ନାନା ପ୍ରକାର ପଥର ମୂର୍ତ୍ତି । ଅବଶ୍ୟ ଦେବଦେବୀମାନଙ୍କର । ମଝିରେ ବେଦୀପରି ହୋଇଛି, ବେଦୀ ଉପରେ ପିତଳର ବଡ଼ ଫୁଲଟିଏ, ତା’ ଆଗକୁ ଅବଖୁରାମୁହଁ ପରିମାଣର ଗୋଟିଏ ଗାତ, ସେଥିରେ ପାଦୁକପାଣି ଭରି ରହିଛି । ସମସ୍ତଙ୍କ ମୁହଁରୁ ଶୁଣାଯାଏ ସେ ଗାତରେ ଯେତେ ପାଣି ଭର୍ତ୍ତି କଲେ ବା ଗାତରୁ ଯେତେ ପାଦୁକ ସରିଲେ ମଧ୍ୟ ଗର୍ଭସ୍ଥ ଜଳ ପରିମାଣରେ କେବେହେଲେ ହ୍ରାସ ବା ବୃଦ୍ଧି ହୁଏନାହିଁ । ଗୁହ୍ୟେଶ୍ୱରୀଙ୍କର ଆଶୀର୍ବାଦ ପାଇବାକୁ ହେଲେ ବେଦୀ ପ୍ରଦକ୍ଷିଣ କରି ପାଦୁକ ପାଇବାକୁ ହୁଏ ଏବଂ ଅର୍ଥ ଦେଇ ପଣ୍ଡାମାନଙ୍କୁ ସନ୍ତୁଷ୍ଟ କରିବାକୁ ହୁଏ । ଯାତ୍ରୀମାନଙ୍କ ସହିତ କଥାବାର୍ତ୍ତା କରି ପାରିବା ଭଳି ହିନ୍ଦୀ ଏଠିକା ପଣ୍ଡାମାନେ ହାସଲ କରିଛନ୍ତି, ଠିକ୍ ପୁରୀ ଓ ଭୁବନେଶ୍ୱରର ବଙ୍ଗଳା ଓ ହିନ୍ଦୀ ପରି । ମନ୍ଦିର ଓ ଭକ୍ତି ଅନୁଷ୍ଠାନର ପାଖେ ପାଖେ ଏଇ ପୌରହିତ୍ୟ ବା ପଣ୍ଡାଗିରି ବୋଧହୁଏ ଆଦିଯୁଗର ସେଇ ବ୍ରାହ୍ମଣପ୍ରଧାନ ଯୁଗରୁ ରହି ଆସିଛି । ଅଜ୍ଞାନ ଓ ଧର୍ମଭୀରୁ ଅବ୍ରାହ୍ମଣ ଅଭ୍ୟାସଗତ ଭାବରେ ଦେବତାର ଦ୍ୱାରରେ ସ୍ଥାନ ପାଇବାକୁ ଏଇ ପଣ୍ଡାମାନଙ୍କୁ ଆଶ୍ରୟ କରି ଆସିଛି । ସତେ ଯେପରି ବ୍ରାହ୍ମଣ ଏ ଦେଶରେ ଅଧ୍ୟାତ୍ମିକ ସହଚର୍ଯ୍ୟାର ଅନୁମତିପତ୍ର ହୋଇ ରହିଛି-। ସରଳ, ସହଜ ଅଥଚ ସବଳ ଭକ୍ତିର ମାର୍ଗ ଏଇ ପରମୁଖାପେକ୍ଷିତାର କଳଙ୍କ ଲାଗି କାଳକ୍ରମେ ଦୁର୍ବଳ ଓ ନିଷ୍ପ୍ରଭ ହୋଇ ପଡ଼ିଛି ।

 

ଝରଣା ପାରି ହୋଇ ଗ୍ରାମ୍ୟରାସ୍ତାରେ ଦୁଇ ଫର୍ଲଂ ବାଟ ଗଲାପରେ ବୌଦ୍ଧ କୀର୍ତ୍ତି ଖାସ୍‍ତି । ଏଠି ମଧ୍ୟ ଏକ ବିରାଟ ବୌଦ୍ଧ ସ୍ତୂପ ରହିଛି । କିନ୍ତୁ ସ୍ତୂପର ଚାରିପାଖରେ ନାନା ପ୍ରକାର ହିନ୍ଦୁ ଦେବଦେବୀ ଓ ତାନ୍ତ୍ରିକ ମୂର୍ତ୍ତି ଅଛି । ସ୍ତୂପ ବେଢ଼ାର ଦ୍ୱାରଦେଶରେ ଥିବା ଗଣେଶଙ୍କର ମୂର୍ତ୍ତିଟି ସିନ୍ଦୂରରେ ବୁଡ଼ି ରହିଛି । ବେଢ଼ାର ଚାରିପାଖରେ ସ୍ୱୟମ୍ଭୂ ସ୍ତୂପ ପରି ପିତଳ ଗୋଲକମାନଙ୍କ ଉପରେ ବୌଦ୍ଧମନ୍ତ୍ରମାନ ଲେଖା ହୋଇଛି । ଏଇ ସ୍ତୂପ ପାଖରେ ରାସ୍ତାର ଆରକଡ଼କୁ ପିତଳ କୁମ୍ଭ ଲଗା ତିବ୍‍ବତୀ ଢଙ୍ଗର ଗୋଟିଏ ଘର ଦେଖିବାକୁ ମିଳିଲା ।

 

Image

(ଖାସ୍‍ତି-କାଠମାଣ୍ଡୁ)

 

ଖାସ୍‍ତି ସ୍ତୂପର ନିର୍ମାଣ ପଛରେ ଏକ ମଜାଦାର ଇତିହାସ କଥା ଅଛି । ନେୱାରୀ ଭାଷାରେ ‘ଖା’ ଶଦ୍ଦର ଅର୍ଥ କୁକୁଡ଼ା, ‘ଖାସ୍ତି’ ଅର୍ଥ ‘କୁକୁଡ଼ା ଯେଉଁଠି ବସିଥିଲା’ । କିମ୍ବଦନ୍ତୀରୁ ଜଣାଯାଏ ଉଜ୍ଜୟିନୀର ଅରିଗଞ୍ଜନ ବୀର ବିକ୍ରମାଦିତ୍ୟ ନେପାଳକୁ ନିଜ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ କରିଥିଲେ । ରାଜ୍ୟଜୟ କରି ସାରି ପ୍ରଜାରଞ୍ଜନର ନିଦର୍ଶନ ରୂପେ ସେ ଏଠାରେ ଏକ ଜଳାଧାର ବା ଉତ୍ସ ତିଆରି କରିବାର ଇଚ୍ଛା ପୋଷଣ କରିଥିଲେ । ଉତ୍ସର ନିର୍ମାଣ ଶେଷ ହେଲା, କିନ୍ତୁ ଜଳର ଉତ୍ସରଣ ହେଲା ନାହିଁ । ମହାରାଜ ବଡ଼ ଚିନ୍ତାରେ ପଡ଼ିଲେ । ପଣ୍ଡିତସଭା ବସି ସର୍ବବାଦୀମତରେ ସ୍ଥିର କରାଗଲା ଯେ କୌଣସି ଦୁଷ୍ଟଗ୍ରହ ନିଶ୍ଚୟ ଜଳାଦାରର ମୁଖକୁ ବନ୍ଦ କରି ରଖିଛି । ବତ୍ରିଶ ଲକ୍ଷଣଯୁକ୍ତ କୌଣସି ପୁରୁଷକୁ ଜଳାଧାର ଆଗରେ ବଳି ଦିଆଯାଇ ପାରିଲେ ଦୁଷ୍ଟଗ୍ରହର ଶାନ୍ତି ହୋଇପାରିବ । କିନ୍ତୁ ଦେଖାଗଲା ସ୍ୱୟଂ ବିକ୍ରମାଦିତ୍ୟ ଓ ଯୁବରାଜଙ୍କ ଛଡ଼ା ବତ୍ରିଶ ଲକ୍ଷଣଯୁକ୍ତ ଆଉ କେହି ନାହାନ୍ତି । ରାଜା ମନେ ମନେ ଭାବିଲେ ଯେ ନିଜେ ନିଜକୁ ବଳି ଦେଇ ତାଙ୍କର କୀର୍ତ୍ତି ପରିପୂର୍ଣ୍ଣ କରିବେ । ଏଇ କଥା ସିଦ୍ଧାନ୍ତ କରି ସେ ପୁଅକୁ ଡାକି କହିଲେ ଯେ ଜଳାଧାର ମୁହଁରେ ଗୋଟାଏ ରାକ୍ଷସ ଆସି ଶୋଇ ରହୁଥିବାରୁ ଜଳାଧାର ବନ୍ଦ ରହୁଛି, ତେଣୁ ରାତିରେ ଯାଇ ସେ ରାକ୍ଷସକୁ ହତ୍ୟା କରିବାକୁ ହେବ । ଏଇ ହତ୍ୟାର ପୁଣ୍ୟଭାର ପୁତ୍ର ଉପରେ ରହିଲା । ଏଣେ ରାଜା ଅତି ଗୋପନରେ ଯାଇ ରାତିରେ ଜଳାଧାର ମୁଖରେ ଶୋଇ ରହିଲେ । ରାଜପୁତ୍ର ରାକ୍ଷସକୁ ମାରିବା ପାଇଁ ସ୍ଥିରନିଶ୍ଚିତ ହୋଇ ଅଜ୍ଞାନରେ ନିଜର ପିତାଙ୍କୁ ହତ୍ୟା କଲେ । ପଣ୍ଡିତ ସଭାର ନିର୍ଣ୍ଣୟ ଅନୁସାରେ ତତ୍‍କ୍ଷଣାତ୍ ଜଳାଧାରକୁ ଜଳ ନିଃସୃତ ହେଲା, କିନ୍ତୁ ପିତୃହତ୍ୟାର କଳଙ୍କରେ କଳଙ୍କିତ ରାଜପୁତ୍ରଙ୍କୁ ଦେଖି ଜଳଧାରା ପୁଣି ଫେରିଗଲା । ଏପର୍ଯ୍ୟନ୍ତ ମଧ୍ୟ ଜଳଧାରାରେ ମୁଖ ସେଇପରି ପଛକୁ ରହିଛି-। ରାଜପୁତ୍ର ପିତୃହତ୍ୟାର ପାପରେ କ୍ଷୁବ୍‍ଧ ଓ ଜର୍ଜରିତ ହୋଇ ବଜ୍ର ଯୋଗିନୀଙ୍କ ଆଗରେ ଯାଇ ତପସ୍ୟା କଲେଯ କାଠମାଣ୍ଡୁଠାରୁ ଆଠମାଇଲ ଦୂରରେ ଏଇ ବଜ୍ରଯୋଗିନୀ ମନ୍ଦିର ବର୍ତ୍ତମାନ ରହିଛି । ବରଷ ବରଷର ଅନୁତାପ ଓ କଠୋର ତପଃଶୁଦ୍ଧି ପରେ ଦେବୀ ପ୍ରସନ୍ନ ହେଲେ ଓ ପାପର ସମ୍ମାର୍ଜନ ପାଇଁ ଏକ ସ୍ତୂପ ତୋଳାଇବାକୁ ଆଜ୍ଞା କଲେ । ଦେବୀମନ୍ଦିରଠାରୁ ଗୋଟିଏ କୁକୁଡ଼ା ଉଡ଼ି ଉଡ଼ି ଯେଉଁଠି ଯାଇ ବସିବ, ସେଇଠି ସ୍ତୂପ ନିର୍ମାଣ କରିବାକୁ ଦେବୀଙ୍କର ଆଦେଶ ଥିଲା । ଦେବୀ ନିର୍ଦ୍ଦେଶ କ୍ରମେ ଦୈବୀ କୁକୁଡ଼ା ଉଡ଼ି ଉଡ଼ି ଯାଇ ବର୍ତ୍ତମାନ ଖାସ୍‍ତି ସ୍ତୂପ ଯେଉଁଠି ଅଛି, ସେଇଠି ଯାଇ ବସିଲା । ସେଇ ସ୍ଥାନରେ ସ୍ତୂପ ତୋଳାଇବାର କଥା । କିନ୍ତୁ ଏଣେ ରାଜ୍ୟରେ ପିତୃହତ୍ୟାର କଳୁଷ ଲାଗିଥିବା ହେତୁ ବାରବର୍ଷ ଅବଧି ଅନାବୃଷ୍ଟି ପଡ଼ି କେଉଁଠି ହେଲେ ବିନ୍ଦୁଏ ଜଳ ନ ଥିଲା । ସ୍ତୂପ ତୋଳାଇବାକୁ କୁଆଡ଼େ ପାଣି ଆସିବ ? ରାତିରେ ଥାନ ଥାନ ଲୁଗା ଖୋଲା ପଡ଼ିଆରେ ବିଛାଇ ରଖାହେଲା । ପରଦିନ ପ୍ରଭାତରେ ସେଇ ଶିଶିରସିକ୍ତ ଲୁଗାକୁ ଚିପୁଡ଼ି, ପାଣି ବାହାର କରି ସେଇ ପାଣିରେ ସ୍ତୂପର ନିର୍ମାଣ କାର୍ଯ୍ୟ କରିବାକୁ ପଡ଼ିଲା । ଏଇପରି ଭାବରେ ସ୍ତୂପ ତୋଳା ହେଲା ଓ ପାପର ପ୍ରାୟଶ୍ଚିତ ହେଲା । ଏହାକୁ ସତ୍ୟମୂଳକ ଇତିହାସରୂପେ ଗ୍ରହଣ କରାଯାଇ ନ ପାରିଲେ ମଧ୍ୟ, ଆଜିଯାଏ ଏହିପରି ଜନଶ୍ରୁତିଟି ରହିଆସିଛି ।

 

ନେପାଳର ପ୍ରତ୍ୟେକ ମନ୍ଦିର ଓ ପୁରାଣ କୀର୍ତ୍ତିପଛରେ ଏଇପରି ଅତି କୌତୁକପୂର୍ଣ୍ଣ ଇତିହାସମାନ ରହିଛି । ସେସବୁ ନେପାଳର ‘ବଂଶାବଳୀ’ ପୋଥିରେ ଲିପିବଦ୍ଧ ଅଛି । ଏ ପୋଥିଟି ଅତି ଦୁର୍ଲଭ ଓ ରାଜ୍ୟର ମୂଖ୍ୟ କେତେଜଣଙ୍କ ବ୍ୟତୀତ ଅନ୍ୟ ଜାଗାରେ ଏ ପୋଥି ପାଇବା ଅସମ୍ଭବ । ‘ବଂଶାବଳୀ’କୁ ନେପାଳର ମାଦଳାପାଞ୍ଜି କୁହାଯାଇପାରେ ।

 

ତା’ ଆରଦିନ ଦିନ ଗୋଟାକ ବେଳେ ଇତିହାସବହୁଳ ପୁରାତନ ପାଟନ୍ ସହର ଦେଖିଯିବାର କାର୍ଯ୍ୟକ୍ରମ ଥିଲା । ମଧ୍ୟାହ୍ନ ବିଶ୍ରାମ ପରେ ଠିକ୍ ସମୟରେ ସମସ୍ତେ ବାହାରି ପଡ଼ିଲୁ । ପ୍ରାୟ ଦୁଇ ମାଇଲ ବାଟ ଚାଲିକରି ଯିବାକୁ ପଡ଼ିଲା । ଗୋଟାଏ ବହିରେ ପଢ଼ିଥିଲି ପାଟନ୍ ସହରରେ ପ୍ରାୟ ୬୫୦ଟି ବୌଦ୍ଧଚୈତ୍ତ ରହିଛି । ଅଢ଼େଇଟା ବେଳେ ସେଠି ପହଞ୍ଚି ସିଧା ଆମେ ନେପାଳ ସରକାରଙ୍କର ଚିଡ଼ିଆଖାନା ଦେଖିବାକୁ ଗଲୁ । ନାନା କଦର୍ଯ୍ୟ ଗଳି ଓ ଆବର୍ଜନାପୂର୍ଣ୍ଣ ବସ୍ତି ଭିତରେ ଯିବାକୁ ପଡ଼ିଲା । ଘରଗୁଡ଼ାକ ନିହାତି ମଇଳା, ରାସ୍ତାକଡ଼ରେ ପଙ୍କପୂର୍ଣ୍ଣ ନର୍ଦ୍ଦମା ଭିତରେ ଘୁଷୁରିପଲ ଲୋଟୁଛନ୍ତି । ଘର ଆଗରେ ମଇଁଷି ଓ ଘୁଷୁରିର ହାଡ଼ ଓ ଖଣ୍ଡ ଖଣ୍ଡ ହୋଇ ପଡ଼ିଛି । ବୋଧହୁଏ ଏଇଟା କାଠମାଣ୍ଡୁର ମେହେନ୍ତର ବସ୍ତି । ଯେଉଁମାନେ ସଭ୍ୟ ମଣିଷ ପାଇଁ ରାସ୍ତା, ଘାଟ ଓ ନର୍ଦ୍ଦମା ଶୁଚି କରି ରଖନ୍ତି, ଏ ଯୁଗର ସଭ୍ୟ ମଣିଷ ସେମାନଙ୍କୁ ଅସଭ୍ୟ ଓ ହୀନ କରି ରଖିବାରେ ବଡ଼ ଆନନ୍ଦ ପାଏ । ଆମ ସମାଜର ବାହ୍ୟ ପରିଚ୍ଛନ୍ନତା ତଳେ ଏଇ ମେହେନ୍ତରମାନଙ୍କ ପରି କେତେ ହୀନ, ଅଖ୍ୟାତ ଏବଂ ଅବହେଳିତ ଲୋକଙ୍କର ଅଭିଯୋଗହୀନ ଶ୍ରମ, ସ୍ୱେଦ ଓ ରକ୍ତଦିଆ ଜୀବନବ୍ୟାପୀ ପରିଶ୍ରମ ଯେ ପ୍ରଚ୍ଛନ୍ନ ରହିଚି, ସେଇକଥା ଭାବିଲେ, ଏଇ ସଭ୍ୟ ସମାଜର ଉଲଗ୍ନ ରୂପକୁ ପଦାରେ ପକାଇଦେବାକୁ ମନ ହିଂସ୍ର ହୋଇ ଉଠେ । ନିଜର ଜୀବନକୁ କ୍ଷୁଦ୍ରରୁ କ୍ଷୁଦ୍ରତର କରି ସେମାନେ ଖାଲି ଖଟୁଛନ୍ତି, କାରଣ ଖଟିବା ଛାଡ଼ିଦେଲେ ସେମାନଙ୍କର ଗତ୍ୟନ୍ତର ନାହିଁ; ଆଉ ଆମେ ସେହି ଖଟଣୀର ଫଳ ଉପଭୋଗ କରୁଛୁ ଆମର ଯାନବାହାନ, ପୋଷାକ ପରିଚ୍ଛେଦ, ଅୟସ ଓ ଅମୋଦ ଭିତର ଦେଇ । ଆଜିକାର ଏଇ ସମାଜରେ ଆମର ସୌଖୀନ ଶିକ୍ଷା, ଅଳସ କବିତ୍ୱ ଓ ସହରବାସର ସ୍ୱାଚ୍ଛନ୍ଦ୍ୟ ସବୁ ଚଳୁଛି, କାରଣ ଜୀବନର ସମସ୍ତ ସୁଖ ଓ ଆରାମ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ରହି ଆମ ପାଇଁ ହଜାର ହଜାର ଅଜ୍ଞାତ ନରନାରୀ ମାଟି ତାଡ଼ୁଛନ୍ତି, ବୋଝ ବୋହୁଛନ୍ତି ଆଉ କଳ ଚଳାଉଛନ୍ତି । ସେଇ ବିରାଟ ଜାତିର ଅଶିକ୍ଷାଜନିତ ତ୍ୟାଗରୁ ଆମର ଏ ଅଳସ ସମ୍ଭୋଗର ଉତ୍ପତ୍ତି ।

 

ନେପାଳୀ ଆଠପଇସା ଟିକେଟ କିଣି ନେପାଳୀ ଚିଡ଼ିଆଖାନା ଭିତରକୁ ଗଲୁ । ଅତି ଛୋଟ ଚିଡ଼ିଆଖାନାଟି, ଅନେକ ପିଞ୍ଜରା ଖାଲି ପଡ଼ିଛି, ଅନେକ ଜନ୍ତୁ ମରି ଉଡ଼ି ଗଲେଣି । ଗଣ୍ଡାର, ବାଘ, ସିଂହ, ଓଟପକ୍ଷୀ ଏବଂ ମାନସସରୋବର ଅଞ୍ଚଳର କେତେ ରକମର ଚଢ଼େଇ ଏଠି ପ୍ରଧାନ ଦ୍ରଷ୍ଟବ୍ୟ ବିଷୟ ।

 

Image

(ମହାବୌଦ୍ଧ, ପାଟନ୍)

 

ପାଟନ୍‍ର ମନ୍ଦିର ସଂଖ୍ୟା କାଠମାଣ୍ଡୁଠାରୁ ଅନେକ ବେଶୀ । ଆଧୁନିକ ଅଟ୍ଟାଳିକା, ସହର ବଜାର, କଚେରୀ ଓ କାରବାର ହେତୁ କାଠମାଣ୍ଡୁ ସହରର ରୂପ ଅନେକ ପରିମାଣରେ ଆଧୁନିକ ହୋଇ ଗଲାଣି । କିନ୍ତୁ ପାଟନ୍ ଆଜିସୁଦ୍ଧା ତା’ର ପୁରାଣତ୍ୱ ବଜାୟ ରଖିଛି । ସମସ୍ତ ସହରର ଗଳି ଓ ରାସ୍ତା ଖାଲି ମନ୍ଦିର ଓ ସ୍ତୂପରେ ଭରି ରହିଛି । ଯେଉଁଆଡ଼େ ଆଖି ପଡ଼ିବ, ଖାଲି ମନ୍ଦିରଚୂଡ଼ା ଓ କାଠପିତଳର କାରୁକାମ । ସାଧାରଣ ବସତି ଘର ଏବଂ ଦୋକାନମାନଙ୍କରେ ମଧ୍ୟ ଅଦ୍ଭୁତ କାଠକାମମାନ ରହିଛି । ଗଛଲତା, ନରନାରୀ ମୂର୍ତ୍ତି ଓ ନାନା ପ୍ରକାର ମଣ୍ଡନରେ ଘରର ଦରଜା ଓ ଖିଲାଣସବୁ ପୂରି ରହିଛି । ଏଇ ସହରରେ କୀର୍ତ୍ତିପ୍ରବର ମଲ୍ଲରାଜାଙ୍କର ରାଜଧାନୀ ଥିଲା-। ତାଙ୍କର ନଅର ଆଜି ପର୍ଯ୍ୟନ୍ତ ବର୍ତ୍ତମାନ ରହିଛି । ସିଂହଦରଜାଟି ପିତଳର ସୂକ୍ଷ୍ମକାମରେ ଝଲମଲ କରୁଛି । ପ୍ରାସାଦର କୌଣସି ଖିଲାଣ ବା ଦରଜା ବା ଚୌକାଠ କାଠ କାରିଗରର ନିପୁଣ ନିହାଣମୁନକୁ ଏଡ଼ାଇ ପାରିନାହିଁ । ଠିକ୍ ଦୁଆର ସାମନାରେ ବିରାଟ ସ୍ତମ୍ଭ ଉପରେ ମଲ୍ଲ ରାଜାଙ୍କର ସୁଦୃଶ୍ୟ ପିତଳ ମୂର୍ତ୍ତି । ତା’ର ଚାରିପାଖରେ ଛୋଟ ବଡ଼ ହୋଇ ପ୍ରାୟ ପଚାଶଟି ମନ୍ଦିର ଘେରି ରହିଛି କାରୁକଳାରେ କେହି କାହାରିକୁ ବଳେଇ ଯାଇନାହିଁ, ପ୍ରତ୍ୟେକଟି ମନ୍ଦିର ପ୍ରାଚୀନ ନେପାଳର ଶିଳ୍ପ ଚାତୁରୀର ପରିଚୟ ଦେଉଛି ।

 

ସବୁଠୁଁ ଅପୂର୍ବ, ସବୁଠୁଁ ସୁନ୍ଦର ହେଉଛି ପ୍ରାସାଦଫାଟକର ସନ୍ନିକଟବର୍ତ୍ତୀ କୃଷ୍ଣ ମନ୍ଦିର । ପଥର ଉପରେ ନେପାଳୀ କାରିଗର ଏଇଠି ତା’ର ଭାସ୍କର ବିଦ୍ୟାର ପରାକାଷ୍ଠା ଦେଖାଇ ଯାଇଛି । ମନ୍ଦିରଟି ପୂରାପୂରି ପଥରରେ ତିଆରି, ଏହାର ଗଠନଶୈଳୀ ଅନ୍ୟାନ୍ୟ ମନ୍ଦିରଠାରୁ ଏକବାରେ ସ୍ୱତନ୍ତ୍ର । କେନ୍ଦ୍ରସ୍ଥିତ ପ୍ରଧାନ ମନ୍ଦିରଚୂଡ଼ାକୁ ଆହୁରି ଅନେକ ଚୂଡ଼ା ଚାରିପାଖରେ ଘେରି ରହି ମନ୍ଦିରଟିକୁ ରଥାକୃତି କରି ଦେଇଛି । ଦୃଷ୍ଟି ପଡ଼ିବା ମାତ୍ରକେ ଭୁବନେଶ୍ୱରର ଅନ୍ୟତମ ଶିଳ୍ପସମ୍ପନ୍ନ ରାଜାରାଣୀ ମନ୍ଦିରଟି ମନେ ପଡ଼ି ଯାଉଛି । ମନ୍ଦିର ଆଗରେ ସମୁଚ୍ଚ ସ୍ତମ୍ଭ ଉପରେ ପିତଳର ଗରୁଡ଼ମୂର୍ତ୍ତି । ଏଠି ପ୍ରତ୍ୟେକ ମନ୍ଦିର ଉପରେ ପିତଳର ଚୂଡ଼ା, ଚୂଡ଼ା ଉପରେ ପିତଳର ଧ୍ୱଜା ଉପରକୁ ଯିବାର ବାଟ ମଧ୍ୟ ରହିଛି । ଉପରେ କୃଷ୍ଣମୂର୍ତ୍ତି ପୂଜା ପାଉଛି । ଦରବାରେ ନାନାବିଧ ସୁନ୍ଦର ପିତଳ କାମସବୁ ହୋଇଛି । ପଥର ଉପରେ ଜୀବନ ଦେଲା ପରି ଗଛଲତା, ରାସ୍ତାଘର ଏବଂ ନାନାଦି ଦେବଦେବୀ ମୂର୍ତ୍ତିରେ ସମସ୍ତ ମନ୍ଦିରଟି ଜୀବନ ହୋଇ ଉଠିଛି । ଅନେକ ଚିତ୍ର କୋଣାର୍କ ଓ ଭୁବନେଶ୍ୱରର ସ୍ଥାପତ୍ୟକୁ ବଳି ପଡ଼ିଛି । ମନ୍ଦିରର ଉପର ଥାକରେ ପାଣ୍ଡବ ଜନ୍ମଠାରୁ ସୂର୍ଗାରୋହଣ ପର୍ଯ୍ୟନ୍ତ ଶତାଧିକ ଚିତ୍ରରେ ସମସ୍ତ ମହାଭାରତର କାହାଣୀକୁ ପଥର ଉପରେ ଖୋଦା ଯାଇଛି । ପ୍ରତ୍ୟେକଟି ଚିତ୍ରର ତଳେ ଦୃଶ୍ୟର ପରିଚୟ ଦିଆଯାଇଛି । କୁରୁକ୍ଷେତ୍ରର ସମରଦୃଶ୍ୟମାନ ସବୁଠାରୁ ସ୍ପଷ୍ଟ, ପ୍ରାଞ୍ଜଳ ଓ ମନୋମୁଗ୍‍ଧକାରୀ ହୋଇଛି । ପଥରର ଶିଳ୍ପ ଭିତର ଦେଇ ସେହି ଦୃଶ୍ୟଗୁଡ଼ିକ ସତେ ଅବା ଅତୀତ ମହାଭାରତ ଯୁଗର ସମସ୍ତ କଥା କହିଯାଉଛନ୍ତି । ମନ୍ଦିରର କାନ୍ଥରେ ଦଶଅବତାର ରୂପ ମଧ୍ୟ ଦେଖିବାକୁ ମିଳିଲା । ତଳ ଥାକରେ ସେଲପରି ନିଖୁଣ ଭାବରେ ରାମାୟଣର ଘଟଣାବଳୀ ଖୋଦିତ ରହିଛି । ମହାଭାରତର ଚିତ୍ରଗୁଡ଼ିକ ପରି ଏଗୁଡ଼ିକ ମଧ୍ୟ ଅତି ଜୀବନ୍ତ ଭାବରେ ପ୍ରସ୍ଫୁଟିତ ହୋଇ ଉଠିଛି । ଆଜି ମଣିଷ ସମୟକୁ ଜୟ କରିଛି ବୋଲି ଅନେକ କହନ୍ତି । ତଥାପି ନିଜର ପରିବାର ସହିତ କିୟତ୍କାଳ ନିଶ୍ଚିନ୍ତରେ ଆମୋଦ ଆହ୍ଲାଦ କରିବାକୁ, ନିଜର ଅଡ଼ିଶାପଡ଼ିଶା ସଙ୍ଗେ ଘନିଷ୍ଠଭାବେ ପରିଚିତ ହେବାକୁ, ପ୍ରାଣଖୋଲି ପ୍ରକୃତିର ବିରାଟ ଓ ବିଭବମୟ ଶୋଭା ଭିତରେ ନିଜର ଅନ୍ତସ୍କରଣକୁ ନିମଜ୍ଜିତ କରି ରଖିବାକୁ ଏକାଳର ମଣିଷକୁ ଘଡ଼ିଏ ସୁଦ୍ଧା ଅବସର ମିଳୁନାହିଁ । ମଣିଷର ଆବିଷ୍କୃତ ମେସିନ୍ ସାଙ୍ଗରେ ତା’ର ସବୁ ସମୟ, ସବୁ ଛୁଟି ଯେପରି ବିଜୁଳୀ ବେଗରେ ଦଉଡ଼ି ପଳାଉଛି; ଅବକାଶ ଅଭାବରୁ ଆନନ୍ଦ ଓ ଉପଭୋଗର ସକଳ ପୁଞ୍ଜୀ ଶିଥିଳ ହୋଇ ପଡ଼ି ରହିଛି । କଚେରୀ, କାରଖାନା ଓ କୋଟି କାରବାରର ହାଟ ସତେ ଯେପରି ମଣିଷର ସମସ୍ତ ଅବସରକୁ ଚୋରାଇ ନେଇ ଯାଉଛି । କିନ୍ତୁ ବିଜ୍ଞାନପୂର୍ବ ସେଇ ଅତୀତ ଯୁଗରେ ପଥର, କାଠ ଓ ପିତଳ ନେଇ ଶିଳ୍ପ ନୈପୁଣ୍ୟର ଏ ଚାତୁରୀ ଖେଳିବାକୁ ସେକାଳର ରାଜା ଓ ପ୍ରଜାକୁ କିପରି ଯେ ଏତେ ଅବସର ମିଳୁଥିଲା, ସେକଥା ଭାବିଲେ ସ୍ତମ୍ଭୀଭୂତ ହେବାକୁ ହୁଏ । ବର୍ଷ ବର୍ଷ ଧରି ନିକିମା ପରି ନିହାଣ ବାଡ଼େଇବା ଛଡ଼ା ସେ ଯୁଗର ଲୋକର କ’ଣ କୌଣସି ବଡ଼ ଆଶା ନ ଥିଲା? ପଥର ଦେବତା ଗଢ଼ାଇବା ଛଡ଼ା ରାଜ୍ୟର ରାଜସ୍ୱ ବ୍ୟୟ କରିବାର ଅନ୍ୟ ପନ୍ଥା କ’ଣ ରାଜା ଜାଣି ନ ଥିଲା ? ଏ ଯୁଗର ବିଦ୍ରୋହ ଓ ବିଗ୍ରହ, ଅଶ୍ୱସ୍ତି ଓ ଅଶାନ୍ତି କ’ଣ ସେଦିନର ପ୍ରଜା ଶିଖି ନ ଥିଲା ? କେବଳ ପଥର ଉପରେ ନିଜର ମନ, ଧ୍ୟାନ ଓ ଧୀଶକ୍ତି ଅଜାଡ଼ି ଦେଇ ନିଜର ଅତୁଳନୀୟ କୀର୍ତ୍ତିକୁ ମହାକାଳରେ କ୍ଷୟମୁଖକୁ ସମର୍ପି ଦେବାରେ ସେ ଯୁଗର ଭାବନାଶୀଳ ମନ କି ଆନନ୍ଦ ପାଉଥିଲା କେଜାଣି ?

 

Image

(ମତ୍ସ୍ୟେନ୍ଦ୍ରନାଥଙ୍କ ରଥ)

 

ପାଟନ୍ ସହରର ଆଉ ଗୋଟିଏ ଦ୍ରଷ୍ଟବ୍ୟ ବିଷୟ ହେଉଛି ମହାବୌଦ୍ଧ ମନ୍ଦିର । ଏହି ମନ୍ଦିରଟି ସମ୍ରାଟ ଅଶୋକଙ୍କ ଦ୍ୱାରା ନିର୍ମିତ ହୋଇଥିଲା ।

 

ପାଟନ୍‍ର ରାସ୍ତାରେ ବଡ଼ ମତ୍ସ୍ୟେନ୍ଦ୍ରନାଥଙ୍କର ରଥ ଦେଖିବାକୁ ମିଳିଲା । ବହିରେ ପଢ଼ିଥିଲି କୌଣସି ବୌଦ୍ଧ ସନ୍ନ୍ୟାସୀଙ୍କର ସ୍ମୃତିରୂପେ ମତ୍ସ୍ୟେନ୍ଦ୍ରନାଥଙ୍କର ମନ୍ଦିର ତୋଳା ଯାଇଥିଲା-। କାଳକ୍ରମେ ବୌଦ୍ଧ ସନ୍ନ୍ୟାସୀ ଖାଣ୍ଟି ହିନ୍ଦୁ ଦେବତା ପାଲଟି ଗଲେଣି । ମନ୍ଦିରରୁ ବାହାରି ରଥ ଉପରେ ଚଢ଼ି ମାସେ କାଳ ସେ ସହରଯାକ ବୁଲନ୍ତି । ଯେଉଁ ଛକରେ ଯେତେବେଳେ ଅଟକନ୍ତି, ସେଇଠି ତାଙ୍କୁ ନେଇ ମେଳା, ମଉଛବ, ପୂଜା ଓ ଭୋଗରାଗ ହୁଏ । ରଥଟା ଦେଖିବାକୁ ଗୋଟାଏ ଡେଙ୍ଗା ପାଳଭୂତ ପରି । ମୋଟା ମୋଟା ଶୁଖିଲା ଲତାରେ ରଥଚକ ବନ୍ଧା ହୋଇଛି - ଏବଂ ରଥ ଉପରେ ବଡ଼ ମତ୍ସ୍ୟେନ୍ଦ୍ରନାଥଙ୍କର ଲାଲ ମୂର୍ତ୍ତି ପ୍ରତିଷ୍ଠିତ କରାଯାଇଛି । ରଥ ଉପରେ ପାଳ ଓ ଡାଳ ଆଦି ବନ୍ଧାହୋଇ ରଥର ଚୂଡ଼ା ସିଧାସଳଖ ହୋଇ ଉପରକୁ ଉଠିଯାଇଛି । ରଥ ଆଗରେ ସର୍ପଭକ୍ଷୀ ଗରୁଡ଼ର ପିତଳ ମୂର୍ତ୍ତି । ରଥ ଦେହରେ ଦେବତାଙ୍କ ଚାରିପାଖରେ ମଧ୍ୟ ପିତଳର ନାନା ସାଜସଜ୍ଜା କରାଯାଇଛି ।

 

ସଞ୍ଜ ହୋଇ ଅସୁଥିଲା - ଦୂରର କାଠମାଣ୍ଡୁ ସହରର ଆଲୋକମାଳା ଜଳି ଉଠିଲା । ପୁରାତନ ପାଟନ୍‍ର ସ୍ମୃତି ସେତେବେଳେ ମନ ଭିତରେ ଜମାଟ ବାନ୍ଧି ରହିଛି । ସହରର ରାସ୍ତା, ଯାନବାହନ ଓ ଯାତ୍ରୀମାନଙ୍କୁ କେତେ ପଛରେ ପକାଇ ମନ ଚାଲି ଯାଇଥିଲା ମଲ୍ଲବଂଶର ସେଇ ପୁରାତନ ଇତିହାସକାଳକୁ, ଯେତେବେଳେ ଖଡ୍‍ଗଖେଳା ଓ ଦେଉଳତୋଳା ରାଜଗୌରବର ଏକମାତ୍ର ମାନଦଣ୍ଡ ଥିଲା । ପଥର ଉପରେ ସୂକ୍ଷ୍ମ ସୂଚୀମନୁରେ କମ କାଟି ଯେଉଁ କାରିଗର ସେଦିନ ମନ୍ଦିର କବାଟରେ ଜୀବନସଭା ରଚନା କରିପାରୁଥିଲା, ସେ ଆଜି ହୁଏତ ଚନ୍ଦ୍ରଗିରି ପାହାଡ଼ରୁ କାଠବୋଝ ବୋହି ପେଟ ପୋଷୁଛି, ବାବୁମାନଙ୍କର ମୋଚିଆ ହୋଇ ସାରା ଜୀବନ ବୁହାଇ ଦେଉଛି । ତା’ର ସେଇ ନିହାଣବିଦ୍ୟା, ସେ ସୌନ୍ଦର୍ଯ୍ୟ ଉପଲବ୍‍ଧି, ସେ ସ୍ୱାଧୀନଚିନ୍ତାର ଅଶେଷ ଅବସର କେଉଁଦିନୁ ଇତି ହୋଇ ସାରିଲାଣି । ଆଉ ସେଦିନ ଯେଉଁ ରାଜା ପ୍ରଜାକୁ ପେଟପୂରା ଖାଇବାକୁ ଦେଇ ତରବାରୀ ଓ ଦେବପୂଜା ଭିତରେ ନିଜ ବଂଶମର୍ଯ୍ୟାଦାର ସ୍ମୃତିରେଖା ଆଙ୍କି ଭବିଷ୍ୟତ ଲାଗି ରଖିଦେଇ ଯାଉଥିଲା, ତା’ରି ବଂଶଧର ଆଜି ବ୍ରିଟିଶ୍ ରାଜଛତ୍ରର କୃପାଭିକ୍ଷୁ ସ୍ତାବକ ହୋଇଛି, ନିଜର ପୁରାତନ ବଂଶର ଭଗ୍ନାବଶିଷ୍ଟ ସ୍ମୃତି ଭିତରେ କ୍ଷୁଦ୍ର ହୋଇ ବସି ଅତୀତର ଗୌରବରେ ନିଜକୁ ଗୌରବାନ୍ୱିତ କରିବାର ହୀନ ପ୍ରୟାସ କରୁଛି । ସେ ଯୁଗର ବିଜୟାଭିଳାଷୀ ରାଣା ଆଜି ନେପାଳୀ କୁଲି, ନେପାଳୀ ଦରିଦ୍ର ଓ ନେପାଳୀ ଅଶିକ୍ଷିତର ମାଲିକ ବୋଲାଇ ଆତ୍ମସନ୍ତୋଷ ପାଉଛି । କାଠମାଣ୍ଡୁର ମଇଳା ରାସ୍ତା ଉପରେ ସମସ୍ତଙ୍କୁ ଚକିତ କରି ଯେତେବେଳେ ତା’ର ମଟର ଚାଲି ଯାଉଛି, ସେତେବେଳେ ଆଜିକାର ରାଣା ଖୁବ୍ ଗର୍ବ ଅନୁଭବ କରୁଛି । ନେପାଳୀ ପ୍ରଜାଠୁଁ ସେ ଅନେକ ଦୂରକୁ ଚାଲିଯାଇଛି । ସମାଜ, ଜୀବନନିର୍ବାହ ଓ ଲୋକାଚାରକ୍ଷେତ୍ରରେ ବୃହତ୍ ବ୍ୟବଧାନମାନ ସୃଷ୍ଟି ହୋଇ ନେପାଳୀ ଜାତି ଭିତରେ ନାନା ଭେଦବିଭେଦର ପାଚେରୀ ଠିଆ ହୋଇ ଗଲାଣି, ଗରିବର ଭଙ୍ଗା ଖପର ଘରକୁ ଘୋଡ଼ାଇ ରଖି ନଷ୍ଟଗୌରବ ରାଣାର ସାହେବୀ ବଙ୍ଗଳା ତିଆରି ହେଲାଣି, ତେବେ ନେପାଳୀ ଜାତିର ଅସ୍ତିତ୍ୱ ଅଛି କେଉଁଠି ? ରାଣା ସମସେର ଓ ନେପାଳର ମୋଟ ବୁହା କୁଲିକୁ ଏକ ଜାତିର ଖୁଆଡ଼ରେ ଭର୍ତ୍ତି କରିବା ପକ୍ଷରେ ଆଉ କି ଯୁକ୍ତି ଅଛି ? ମନୁବିଧନର ସମାଜ ଆଜି ଲକ୍ଷ୍ମୀର ବିଧାନରେ ଚଳିଲାଣି । ସେଥିଲାଗି ସବୁଜାତିର ଜାତିତ୍ୱ କେଉଁଦିନରୁ ନଷ୍ଟ ହୋଇଗଲାଣି । ଆଜି ଭାରତୀୟ, ବଙ୍ଗଦେଶୀ, ଉତ୍କଳୀ ଶଦ୍ଦର ଅର୍ଥ ଏକ କଳ୍ପନାମୂଳକ ପର୍ଯ୍ୟାୟକୁ ଅବନତ ହୋଇ ସାରିଲାଣି । ଡାର୍‍ଉଇନ୍‍ଙ୍କର ‘ବୀରଭୋଗ୍ୟା ବସୁନ୍ଧରା’ (Survival of the fittest) ନୀତି ଦ୍ୱାରା ସମାଜ କଳୁଷିତ ହୋଇଛି, ମଣିଷ ମଣିଷ ଭିତରେ ଲଢ଼େଇ ଚାଲିଛି; ଜାତି, ଧର୍ମ ଓ ଦେଶର ଏକତ୍ୱ ଖିନ୍ନ କରି କ୍ଷମତାଲୋଭୀ ମଣିଷ ଭିତରେ ଛକାପଂଝା ଖେଳ ଲାଗିଛି, ଜୀବନର ଯାବତୀୟ କ୍ଷେତ୍ରରେ ଆତ୍ମବୃଦ୍ଧି ଓ ଆତ୍ମପୂଜା ହିଁ ମୂଲ୍ୟନିରୂପଣର ଏକମାତ୍ର ମାନଦଣ୍ଡ ହୋଇଛି । ବାରଶହକୁ ବେଖାତିର କରି ଏକହିଁ ତା’ର ଆପଣା ବିପଣିଟି ପୁଷ୍ଟ କରିବାରେ ଲାଗିଛି ।

 

ରାତିର ପୂର୍ଣ୍ଣବିଶ୍ରାମ ପରେ ଶରୀର ପୁଣି ନବଶକ୍ତିର ଭରି ଉଠିଲା । ଖାଇସାରି ସମସ୍ତେ ନେପାଳର ଯାଦୁଘର ଦେଖିବାକୁ ବାହାରିଲୁ । ଦର୍ଶକମାନଙ୍କୁ ସବୁକଥା ବୁଝାଇ ଦେଖାଇବା ପାଇଁ ସେଠି କୌଣସି ବ୍ୟବସ୍ଥା ନ ଥିଲା । ଯାଦୁଘରର ବୁଦ୍ଧମୂର୍ତ୍ତିରୁ ପ୍ରମାଣ ମିଳିଲା ଯେ ନେପାଳର ବୌଦ୍ଧକୀର୍ତ୍ତି ୩୦୦/୪୦୦ ବର୍ଷର ପୁରୁଣା । ନେପାଳର ମନ୍ଦିରମାନ ୧୧୦୦-୧୯୦୦ ଭିତରେ ବିଭିନ୍ନ କାଳରେ ତିଆରି ହୋଇଛି । ପୁରାତନ ଅସ୍ତ୍ରଗୁଡ଼ିକର ସାଜସଜ୍ଜା ଦେଖିବାକୁ ଅତି ଚମତ୍କାର ହୋଇଛି । ଖଣ୍ଡା, ବନ୍ଧୁକ, ତୋପ ପ୍ରଭୃତି ସ୍ମୃତି ଦ୍ୱାରା ନେପାଳର ଐତିହାସିକ ବୀରମାନଙ୍କର ଜୀବନକଥା ଅତି ଉଜ୍ଜ୍ୱଳ ହୋଇ ଉଠୁଛି । ସେଇ ପୁରୁଣା ଯୁଗର ନେପାଳୀ ବର୍ମ, ଜଙ୍ଗୀ ପୋଷାକ ଓ ରଣବାଦ୍ୟମାନ ଯଥାସ୍ଥାନରେ ସାଇତା ହୋଇ ରହିଛି । ସେଇ ସାଜସଜ୍ଜା ଭିତରେ ଶିଖ, ଇଂରେଜ ଓ ତିଦ୍ଧତୀ ସେନା ସହିତ ନେପାଳର ଯୁଦ୍ଧର ବିବରଣୀ ଲେଖାହୋଇ ରହିଛି ।

 

କେଡ଼େ ଛୋଟ ଏଠିକାର ଆକାଶ । ଚାରିଆଡ଼ର ଘନସନ୍ନିବିଷ୍ଟ ଉଚ୍ଚ ଖପର ଘର ସବୁ ଏଠାକାର ଆକାଶକୁ ଅତି ଛୋଟ କରି ପକାଇଛି । ଖାଲି କେତୋଟି ଜୁଳୁଜୁଳୁ ତାରା ଛଡ଼ା ଆକାଶର ଆଉ କୌଣସି କଥା ଜାଣିବାର ଉପାୟ ନାହିଁ । ତା’ର ମହନୀୟତା, ତା’ର ପ୍ରଶାନ୍ତ ପରିବ୍ୟାପ୍ତି, ତା’ର ନିତିଦିନର ଅସ୍ତ ଓ ଉଦୟପର୍ବ-କୌଣସିଟି ପ୍ରାଣଭରି ଉପଲବ୍ଧି କରିବା ଏଠି ଏକାବେଳେକେ ଅସମ୍ଭବ ହୋଇ ପଡ଼ିଛି ।

 

ପରଦିନ ମୋତେ କାଠମାଣ୍ଡୁ ସହର ଛାଡ଼ିବାକୁ ହେବ, ସେଥିପାଇଁ ମଧ୍ୟ ରାହାଦାନୀ (passport) ଚାହି । କାଠମାଣ୍ଡୁକୁ ଆସିବାକୁ ଯେମିତି ବାରସେଣାରେ ପାଣି ଉଠାଇବାକୁ ପଡ଼େ, କାଠମାଣ୍ଡରୁ ବାହାରକୁ ଯିବାକୁ ମଧ୍ୟ ସେହିପରି ବାରଟା ଅଫିସରେ ଦହଗଞ୍ଜ ହେବାକୁ ହୁଏ-। ଯାହାହେଉ, ତା’ ଆରଦିନ ମଧ୍ୟାହ୍ନ ଭୋଜନ ପରେ ପରେ ପ୍ରାୟ ୧୧ଟା ବେଳେ ପୋଲିସଥାନାକୁ ଯିବାକୁ ପଡ଼ିଲା । ଭିତରକୁ ଯିବାର ଜୁ’ ନାହିଁ, ଆମେ ପୁଣି ଖଦଡ଼ଧାରୀ ମଦ୍ଦେଶୀ, ଆମକୁ ଭିତରକୁ ଛାଡ଼ୁଛି କିଏ ? ରାସ୍ତାଉପରୁ ଝରକାବାଟ ଦେଇ ସୁବ୍‍ବାଙ୍କୁ ଆମର ଗୁହାରି ଜଣାଇବାକୁ ହେଲା । ଆଇନସଚ୍ଚା ସୁବ୍‍ବାସାହେବ ଠୋ’ କରି ନାହିଁ କରିଦେଲେ । ଆଦେଶ ହେଲା, ବିଧିବଦ୍ଧ ଭାବରେ ରାହାଦାନୀ ନେଇ କାଠମାଣ୍ଡୁକୁ ଆସିଛୁ ବୋଲି କୌଣସି ସୁବ୍‍ବାଠାରୁ ପ୍ରତ୍ୟୟପତ୍ର ପାଇଲେ ଯାଇ ଆମକୁ ଓଲଟା ରାହାଦାନୀ ମିଳି ପାରିବ । ସାତଦିନ ହୋଇନାହିଁ ନେପାଳ ଆସିବା, ୟା ଭିତରେ ଆମକୁ କେଉଁ ସୁବ୍‍ବା ଚିହ୍ନିଛନ୍ତି ଯେ ପ୍ରତ୍ୟୟପତ୍ର ଲେଖିଦେବେ । ନେପାଳର ଚୀଫ୍‍ସାହେବଙ୍କଠାରୁ ଆମେ କାଠମାଣ୍ଡୁ ଆସିବାର ଅନୁମତିପତ୍ର ପାଇଥିଲୁ । ଜଣେ ଭଦ୍ରଲୋକଙ୍କର ଅଯାଚିତ ପରାମର୍ଶ ଅନୁସାରେ ଚୀଫ୍‍ସାହେବଙ୍କ ଅଫିସ୍‍କୁ ଗଲୁ । ରାସ୍ତା ଦୁଇ ମାଇଲରୁ ଅଧିକ । ମହାରାଜାଧିରାଜ, ମହାରାଜ ଓ କେତେ ରାଣା ସମସେରଙ୍କର ଉଚ୍ଚ ପ୍ରାସାଦପାଚେରୀ ଅତିକ୍ରମ କରି ଯିବାକୁ ପଡ଼ିଲା । ଦୁଇଟାବେଳେ ଅଫିସ୍‍ର ଜିମାଦାର ସୁବ୍‍ବାଙ୍କୁ ଆମର ଚିଠି ଦେଖାଇଲୁ । ତାଙ୍କର ବ୍ୟବହାର କାହିଁକି ବଡ଼ ଖରାପ ଲାଗିଲା । ବିଦେଶୀ ଓ ବିଦ୍ୟାର୍ଥୀ ବୋଳି ଜାଣି ସୁଦ୍ଧା ବସିବାକୁ କହିବାର ଉଦାରତା ସେ ଦେଖାଇପାରିଲେ ନାହିଁ । କ’ଣ ସବୁ କାଗଜପତ୍ର ଲେଖାପଢ଼ି ହେଲା, ଚିଠି ଗଲା ଚୀଫ୍‍ସାହେବଙ୍କ ଇଜ୍‍ଲାସକୁ ଦସ୍ତଖତ ହେବାପାଇଁ । ଆମକୁ ସାଢ଼େ ଚାରିଟାବେଳେ ଆସିବାକୁ କୁହାଗଲା । ଆମେ ଏବେ ଏଇ ମଝି ଦୁଇଘଣ୍ଟା ସମୟ କେଉଁଠି ବସି କଟାଇବୁ ?

 

ମାଇଲିଏ ଦୂରରେ ନାଗାର୍ଜୁନ ପର୍ବତ; ସେଇଆକୁ ଦେଖି ବାହାରିଲୁ । ଅନେକ ବିଲ ବଗିଚା ପାର ହେବା ପରେ ଛୋଟ ପର୍ବତଟିର ପାଦଦେଶରେ ପହଞ୍ଚିଲୁ । ଜାଗାଟି ଅତି ରମଣୀୟ । କୁଣ୍ଡାକାର ଗୋଟିଏ ଜଳାଶୟ ଭିତରେ ନାଗପାଶରେ ବନ୍ଧାହୋଇ ପଡ଼ିଥିବା ନାରାୟଣଙ୍କର ବୃହତ୍ ପଥରମୂର୍ତ୍ତି ଖୁବ୍ ସୁଦୃଶ୍ୟ ହୋଇଛି । କାରୁକାର୍ଯ୍ୟ ଓ ଭୂଷଣସଜ୍ଜା ଦୃଷ୍ଟିରୁ ମୂର୍ତ୍ତିଟି ଖୁବ୍ ଭଲ ଲାଗିଲା-। ଆଖପାଖରେ ଆଉ କେତୋଟି ଛୋଟ ବଡ଼ କୁଣ୍ଡ ରହିଛି । ଏଣେତେଣେ କେତୋଟି ମୂର୍ତ୍ତି ମଧ୍ୟ ପଡ଼ିଛି । ଗଛଛାଇତଳେ ଏ କୁଣ୍ଡର ସମାହାର ଦେଖି କେଦାରଗୌରୀ କୁଣ୍ଡ କଥା ସ୍ୱତଃ ମନେ ପଡ଼ିଗଲା । ସେଠୁ ଓହ୍ଲାଇ ତଳକୁ ଆସିଲୁ ବାଇଶଧାରା ଦେଖିବାକୁ । ଗୋଟିଏ ପାଚେରୀରୁ ବାଇଶଟି ମୁହଁ ଦେଇ ପାଣି ପଡ଼ୁଛି । ପ୍ରତ୍ୟେକଟି ଜଳନାଳୀ ଉପରେ ଦେବତାର ମୂର୍ତ୍ତି-ପ୍ରତ୍ୟେକ ନଳରେ କମକରା ମଗରମୁହଁ । ପର୍ବତ ଉପରେ ମହାରାଜାଙ୍କର ବଙ୍ଗଳା, ଇଚ୍ଛା ହେଲେ ବେଳେ ବେଳେ ସେ ଏଠିକି ରହିବା ଲାଗି ଆସନ୍ତି ।

 

ସାଢ଼େ ଚାରିଟା ବେଳେ ସେଠୁଁ ଆସି ଅଫିସ୍‍ରେ ପହଞ୍ଚିଲୁ । ସାଢ଼େ ଚାରିଟା ଯାଇ ପାଞ୍ଚ, ସାଢ଼େ ପାଞ୍ଚ ହେଲା, ତଥାପି ମଞ୍ଜୁରୀ ପାଇ ଆମର ରାହାଦାନୀ ଫେରି ପାରିଲା ନାହିଁ । କାଲି ସକାଳେ ଯିବାକୁ ହେବ, ଯେକୌଣସି ମତେ ଆଜି ପାସ୍‍ପୋର୍ଟ ଚାହି । ଦପ୍ତର ବାହାରେ ଅଧୈର୍ଯ୍ୟ ମନ ନେଇ ବସି ରହିବାକୁ ପଡ଼ିଲା । ଛ’ଟା ପରେ ଆମର କାଗଜ ଫେରିଲା, ତିନିଜାଗାରେ ଦସ୍ତଖତ ଦେଇ ଆମେ ରାହାଦାନୀ ପାଇଲୁ । ଘରକୁ ଫେରୁ ଫେରୁ ଅନେକ ରାତି ହୋଇଗଲା । ରାସ୍ତାରେ ଆସିଲାବେଳେ ବାଟଖର୍ଚ୍ଚ ପାଇଁ କମ୍ପାନୀ ଟଙ୍କା ବଦଳାଇ ନେପାଳୀ ମୋହର ଆଣିବାକୁ ପଡ଼ିଲା ।

 

ନେପାଳୀ ଅଫିସରଙ୍କ ପାଖରେ ଏଇ ଦହଗଞ୍ଜ ହେବାଟା ଅନେକ ଦିନ ମନେ ରହିଥିବ-। ଗରନେପାଳୀ କୌଣସି ଜଣେ ଲୋକକୁ ଦେଖିଲେ ସେମାନେ ଏପରି ଆତ୍ମସଚେତ ଭାବେ ନିଜର ରୱବ ଦେଖାଇବାକୁ ଆରମ୍ଭ କରନ୍ତି ଯେ, ନବାଗତ ବିଦେଶୀର ମନ ପଳେଇଯିବାକୁ ଛଟପଟ କରେ । ନେପାଳ ଯାଇ ଥରେ ଏପରି ହଇରାଣ ହେଲେ ଆଉ ଥରେ ସେଠିକି ଯିବାକୁ ମନ ସହଜରେ ରାଜି ହୁଏନାହିଁ । କୌଣସି ବିଦେଶୀ କାଠମାଣ୍ଡୁକୁ ନ ଆସନ୍ତୁ, ନେପାଳର ଜଉମୁଦ ରାଜ୍ୟରେ ବାହାରର ଖୋଲା ପବନ ନ ବାଜୁ, ବୋଧହୁଏ, ସରକାରଙ୍କର ଏଇ ଇଚ୍ଛା । ପ୍ରକୃତରେ ନେପାଳୀ ଦପ୍ତରର ଏ ଉଦାସୀନ ବ୍ୟବହାର ଦେଖିଲେ ନେପାଳୀ ଗୃହସ୍ଥର ଅମାୟିକ ଅତିଥିପରାୟଣତାର କଳ୍ପନା କରିହୁଏ ନାହିଁ । ନେପାଳୀ ଘରର ସରଳ ଓ ସୁନ୍ଦର ପରିବେଶଟି ଏଇ ଦପ୍ତରୀ ଦୁର୍ବ୍ୟବହାରତଳୁ ସହଜରେ ଧରାପଡ଼େ ନାହିଁ ।

 

ମେ’ ମାସ ଷୋଳତାରିଖ ଆସି ପହଞ୍ଚିଗଲା । କାଠମାଣ୍ଡୁ ସହରରେ ୟା’ ଭିତରେ ଛ’ଟି ଦିନ କଟିଗଲାଣି । ଜୀବନର ଏଇ ପବିତ୍ରତମ ଦିନରେ ମୋତେ କାଠମାଣ୍ଡୁ ଛାଡ଼ି ଯିବାକୁ ହେବ । ଭୋର ତିନିଟା ବେଳେ ଯେତେବେଳେ ଜିନିଷପତ୍ର ସଜାଡ଼ିବାକୁ ଉଠିଲି, ମନ ଆଗରେ ଦୀର୍ଘ ପାଞ୍ଚ ବର୍ଷର ସ୍ମୃତି ଗୋଟିକ ପରେ ଗୋଟିଏ ଭାସିଯିବାକୁ ଲାଗିଲା । ସେ ଯେପରି ଗୋଟିଏ ଅନନ୍ତ ସମୁଦ୍ର-ମାନସଚକ୍ଷୁରେ କେବଳ ତା’ର ଅସୀମ ନୀଳିମାଟି ଭାସି ଭାସି ଚାଲି ଯାଉଛି । ସାଗରତଳର ଅନିର୍ବଚନୀୟ ପ୍ରଶାନ୍ତି ହୃଦୟର ଅତଳରେ ହଠାତ୍ ଅନୁଭବ କଲି । ମନ ପୂରି ଉଠିଲା, ଆଜିର ଏ ସକାଳ ସାର୍ଥକ ହେଲା ।

 

ଛଅ ମାଇଲ ରାସ୍ତା ଚାଲିବା ପରେ ଥାନକୋଟରେ ପହଞ୍ଚି ଗୋଟିଏ ଦୋକାନରୁ ଚୁଡ଼ା ଓ ମଇଁଷି ଦୁଧ ପେଟେ କରି ଖାଇଲି । ଆସିଲାବେଳେ ଖାଲି ପେଟରେ ଆସିଥିବାରୁ ଜ୍ୱର ଭୋଗିଥିଲି, ତେଣୁ ଏଥରକ ମୁଁ ବଡ଼ ହୋସିଆର ହୋଇ ଯାଇଥିଲି । ପିଠିରେ ଛୋଟ ବ୍ୟାଗ୍‍ଟି ପକାଇ ବାଡ଼ିର ସାହାରା ନେଇ ଧୀରେ ଧୀରେ ଚନ୍ଦ୍ରଗିରିର ଚୂଡ଼ାକୁ ଉଠୁ ଉଠୁ ପ୍ରାୟ ବେଳ ନ’ଟା । ଘଡ଼ିଏ କାଳ ଚୂଡ଼ା ଉପରେ ବସି ନେପାଳ ଉପତ୍ୟକାର ଦୃଶ୍ୟ ପ୍ରାଣ ଖୋଲି ଦେଖିବାକୁ ଲାଗିଲା । ଶୀତଳ ପବନର ପରଶ ଲାଗି ଶରୀର ପୁଲକରେ ଶିହରି ଉଠୁଥାଏ । ସେତେବେଳକୁ କାଠମାଣ୍ଡୁ ଅନେକ ଦୂରରେ; ଏଇଠି ସାତଦିନ ପାଇଁ ଆସି କେତେ ଆନନ୍ଦ ପାଇଲି । ହୁଏତ ପୁଣି ଏତେସବୁ କଟକଣା ଭେଦକରି ଆଉଥରେ ଆସିବାର ସୁବିଧା କେବେ ମିଳିବ ନାହିଁ ।

 

ଗଲା ବର୍ଷର ଠିକ୍ ଏଇଦିନଟିର ରୋମାଞ୍ଚକର ସ୍ମୃତି ଜାଗିଉଠିଲା । ସକାଳୁ ସଞ୍ଜଯାଏ ସେଦିନ ବ୍ରହ୍ମପୁତ୍ର ପ୍ରସାରିତ ସଲିଳବକ୍ଷ ଉପରେ ଜାହାଜ ସହିତ ଭାସି ଯାଉଥିଲି । ଡାହାଣପାଖକୁ ଦୂର ହିମଗିରିର ନିବିଡ଼ ନୀଳିମା, ବାଁପାଖକୁ ଆସାମର ଗାଆଁ ଗଣ୍ଡା, ଗଛ ଗହନ । ଆଜି ଚନ୍ଦ୍ରଗିରି ଉପରର ମନ ବରଷକ ତଳର ସେଇ ବ୍ରହ୍ମପୁତ୍ର ଜଳଯାତ୍ରା ପାଖକୁ ଉଡ଼ି ଚାଲିଗଲା । ଗୋଟିଏ ବରଷର ଫାଙ୍କ ନିମିଷକେ ଅପସରି ଗଲା । ଜୀବନର ସଂଯୋଜନସୂତ୍ରକୁ ପ୍ରାଣେ ପ୍ରାଣେ ଅନୁଭବ କରିବାକୁ ଲାଗିଲି । ଦୈନନ୍ଦିନ ଘଟଣାବହୁଳ ବୈଚିତ୍ର୍ୟଭିତରେ ସେଇ ଏକ ରସଗ୍ରାହୀ ମନ ଯେପରି ଅବିରତ ହୃଦୟର ଅପୂର୍ବ ଭଣ୍ଡାରରେ ରସ ଢାଳିବାରେ ଲାଗିଛି; ଜୀବନର ଉଠାପଡ଼ା, କୁସୁମ ଓ କଣ୍ଟକକୁ ଯେପରି ସେ ଗୋଟିଏ ରସସୂତାରେ ଗୁନ୍ଥି ରହିଛି । କର୍ତ୍ତବ୍ୟବହୁଳ ବିଚ୍ଛିନ୍ନ ଦିନଗୁଡ଼ିକୁ ଯେପରି ସେ ତା’ର ସସ୍ନେହ ହାତରେ ଏକ କରି ମିଳାଇ ଦେଇଛି !

 

ନିବିଡ଼ ଛାୟାସନ୍ନିବିଷ୍ଟ ଗହନ ଜଙ୍ଗଲର ସେଇ ତୀଖ ରାସ୍ତା ଦେଇ ତଳକୁ ଖସିଲି କାଠମାଣ୍ଡୁର ପରିବେଶକୁ ପଛରେ ରଖିଦେଇ । ଶୁଖିଲା ପତର ଉପରେ ଗୋଡ଼ ଖସୁଥାଏ । ଗଛଡାଳର ସାହାଯ୍ୟ ନେଇ ତଳକୁ ଓହ୍ଲାଇ ଚିତ୍‍ଲାଙ୍ଗରେ ପହଞ୍ଚିଲି । ଗୋଟିଏ ହୋଟେଲ୍‍ରେ ବିଶ୍ରାମ ନେଲି । ହୋଟେଲ୍ ମାଲିକର ଛୋଟ ପରିବାରଟି, ତା’ର ସ୍ତ୍ରୀ ଓ ଝିଅ ଦୁଇଟି । ଦଶ ଓ ଆଠ ବରଷର ଝିଅ ଦୁହିଁଙ୍କର ବିବାହ ସରିଛି । ତାଙ୍କର ସୁକୁମାର ହାତରେ ଅଙ୍କିତ କପାଳର ସିନ୍ଦୂରଟୋପାରେ ସଧବାର ନିଦର୍ଶନଟି ପରିସ୍ଫୁଟ ହୋଇ ଉଠିଛି । ଘର ବୋଲି ଦୁଇ ବଖରା; ବଖରାକରେ ସଂସାରର ସମସ୍ତ ଆସବାବ, ଆରଟିରେ ହୋଟେଲ । ସେଦିନ ମହାରାଜାଙ୍କର ସାନଭାଇ ସେ ବାଟରେ ଯିବେ ବୋଲି ଛୋଟ ପରିବାରଟିର ଦାରୁଣ ଉଦ୍‍ବେଗ ଖେଳି ଯାଇଛି । ଦୁଇ ଭଉଣୀ ମୁଣ୍ଡବାନ୍ଧି, ସଜବାଜ ହୋଇ ପିତଳଗାରାରେ ପାଣି ଭର୍ତ୍ତି କରି ରଖୁଥା’ନ୍ତି । ଗରା ଉପରେ ସିନ୍ଦୂର ଓ ଫୁଲ ସଜା ହୋଇଥାଏ । ଚନ୍ଦ୍ରଗିରି ପାହାଡ଼ ତଳୁ ବାଦ୍ୟଭେରୀ ଶୁଣିବା ମାତ୍ରେ ଛୋଟ ଘରଟିରେ ଚହଳ ପଡ଼ିଗଲା । ପିତଳର ଗରା ଦୁଇଟିକୁ ପୂର୍ଣ୍ଣକୁମ୍ଭ କରି ରାସ୍ତାରେ ରଖି ଦିଆଗଲା । ଚିତ୍‍ଲାଙ୍ଗର ରାସ୍ତା ସେତେବେଳକୁ ଲୋକାରଣ୍ୟ । ଦୁଇପାଖରେ ଦୁଇଧାଡ଼ି କରି ଠିଆ ହୋଇଥିବା ଭକ୍ତିଭୀରୁ ପ୍ରଜାଙ୍କର ସଲାମ ଗ୍ରହଣ କରୁ କରୁ ପରିବାର ଓ ସିପାହୀଙ୍କ ଗହଣରେ ସମଶେର ପାଲ୍ଲିରେ ଚଢ଼ି ଚିତ୍‍ଲାଙ୍ଗ୍‍ ଅତିକ୍ରମ କରି ଚାଲିଗଲେ । ଶଙ୍ଖ ଓ ମାଦଳବାଜାର ପ୍ରତିଧ୍ୱନିରେ ଚନ୍ଦ୍ରଗିରିର ଗାତ୍ର କମ୍ପି ଉଠିଲା ।

 

କାଠମାଣ୍ଡୁ ଗଲାବେଳକୁ କୁଲିଖାନୀଠାରୁ ଚିତ୍‍ଲାଙ୍ଗ୍‍ ରାସ୍ତା ବଡ଼ କଷ୍ଟ ଦେଇଥିଲା, ମାଇଲିଏ ବାଟକୁ ସେଦିନ ଅସରନ୍ତି ଯୋଜନ ପରି ମନେ ହୋଇଥିଲା । ଶୋଷ ଓ ଭୋକରେ ଆଉଟିପାଉଟି ହୋଇ ଏଇ ରାସ୍ତାରେ ଜ୍ୱରରେ ପଡ଼ିଥିଲି । କିନ୍ତୁ ଫେରିବାବେଳକୁ ଆଦୌ ବାଧା ଲାଗିଲା ନାହିଁ । ଏକା ଏକା ରାସ୍ତାଚାଲିବାରେ ଖୁବ୍ ଆନନ୍ଦ ପାଇଲି । ଅବାଧ ଓ ଅବାରିତ ଭାବରେ ଫୁଙ୍ଗୁଳା ମନ କେଉଁ ସୁଦୂରରୁ ରସର ପୁଞ୍ଜି ସଂଗ୍ରହ କରି ବୁଲୁଥିଲା । ପର୍ବତ, ଶସ୍ୟଖେତ, ଝରଣା ଆଉ ଆକାଶ ନେଇ ସେଦିନ ସେ ଗୋଡ଼ର ଦୁଃଖ ଶୁଣିବାକୁ ଏକାବେଳକେ କାଲ ପାଲଟି ଯାଇଥିଲା । ସବଳ ମନ ନେଇ ପ୍ରାୟ ତିନିଟାବେଳେ କୁଲିଖାନୀରେ ପହଞ୍ଚିଲି । ପୁଣି ସେଇ ଝରଣାଟିର କୁଳୁକୁଳୁ କାନପାଖରେ ସଂଗୀତର ସଞ୍ଚାର କଲା । ବେଳ ଅନେକ ଅଛି, ଇଚ୍ଛା ହେଲା ଚିସାପାଣି ଗଢ଼ୀ ପର୍ଯ୍ୟନ୍ତ ଭିଡ଼ି ଚାଲିଯିବି । ନା’ ଜରୁଆ ଦେହ ଓ ବିଶ୍ରାନ୍ତ ପାଦକୁ ବିଶ୍ରାମ ଲୋଡ଼ା । ଆଜି ରାତିଟା ଏଇ ଧର୍ମଶାଳାରେ ବିଶ୍ରାମ ନେଇ କାଲି ପର୍ବତଚଢ଼ା ଆରମ୍ଭ କରିବି ।

 

ଝରଣାକୂଳେ ବସି ବସି ସଞ୍ଜ ହେଲା, ରଜ୍ଜୁପଥର କାମ ବନ୍ଦହେଲା । ଏଥର ରହିବାର ବ୍ୟବସ୍ଥା କରିବାକୁ ହେବ । ଏଠିକାର ଧର୍ମଶାଳଟା ଅତି ମଇଳା, ରାତିରେ ପୁଣି ଚୋରଭୟ ରହିଛି ବୋଲି ଶୁଣିଲି । କେତେଖଣ୍ଡ ଲୁଗା କାମିଜ ଛଡ଼ା ପାରି ଶୋଇବା ପାଇଁ ମୋ ପାଖରେ କିଛି ନ ଥାଏ । ହୋଟେଲରେ ବୁଝିଲି, ସେଠି ରୁଟୀ ମିଳିବ ନାହିଁ । ରୁଗ୍‍ଣ ଶରୀରରେ ରାତିରେ ଅରୁଆଭାତ ଖାଇବାକୁ ସାହସ ହେଲା ନାହିଁ । ବର୍ତ୍ତମାନ ସେଇ ଚୁଡ଼ା ଓ ଦୁଧ ଛଡ଼ା ଅନ୍ୟ ଉପାୟ ନାହିଁ । ଠିକ୍ ଏଇ ସମୟରେ ଚାରିଜଣ ନେପାଳୀ ଯୁବକ ଧର୍ମଶାଳାରେ ରାତି କଟାଇବା ଉଦ୍ଦେଶ୍ୟରେ ଆସି ପହଞ୍ଚିଲେ । ସେମାନେ ସମସ୍ତେ କଲିକତାରେ ଚପରାସୀ କାମ କରନ୍ତି । କଲିକତା ହାଣକାଟ ଯୋଗୁଁ ଛୁଟି ନେଇ ଘରକୁ ଯାଇଥାନ୍ତି । ସେଇମାନେ ମୋର ଅସୁବିଧା ବୁଝିପାରି ନିଜ କୋଠରୀରେ ମୋ ଲାଗି ଜାଗା କରିଦେଲେ । ଏଠିକା ଦେକାନର ମାଲିକାଣୀ ଭଲ ହିନ୍ଦୀ ବୁଝି ପାରୁନଥିବାରୁ ମୋତେ ଅତି ଅସୁବିଧା ଭୋଗିବାକୁ ପଡ଼ିଥାନ୍ତା । ସେମାନଙ୍କ ଭିତରୁ ଜଣେ ବନ୍ଧୁ ମୋ ଲାଗି ଦୋକାନରେ ଚୁଡ଼ା ଓ ଦୁଧର ବ୍ୟବସ୍ଥା କରିଦେଲେ । ପିଲାଦିନେ ନେପାଳୀକୁ କେବଳ କ୍ୟାପିଟାଲ ସିନେମାର ଦରୱାନ ଓ ବାଜି ରାଉତକୁ ଗୁଳି କରି ମାରିଥିବା ରକ୍ତମୁହାଁ ରାକ୍ଷସ ଭାବରେ ଚିହ୍ନିଥିଲି । ଆଜି ତା’ର ସମ୍ପୂର୍ଣ୍ଣ ଓଲଟା ପାଖ ଦେଖିବାକୁ ପାଇଲି । ସେମାନେ ବି ମଣିଷ, ସେମାନେ ବି ମଣିଷର ଅଭାବ ବୁଝନ୍ତି । ଜୀବନଯାତ୍ରାର କୌଣସି ସଳଖ ଉପାୟ ନ ଦେଖି ସେମାନେ କଲିକତା ଆସନ୍ତି ଚପରାସୀ କାମ କରିବାକୁ ବା ଫୌଜରେ ଭର୍ତ୍ତି ହେବାକୁ । ଏଇ ଚାକିରିରେ ପଶୁପରି ଖଟି ଖଟି, ନିଜର ଅନିଚ୍ଛାସତ୍ତ୍ୱେ ହାକିମର ହୁକୁମ ଅନୁସାରେ ଗୋଡ଼ ପକାଇ ଏମାନଙ୍କର ମନ ଯନ୍ତ୍ରବତ୍ ହୋଇଯାଏ । କେବଳ ପେଟର ମାୟାରେ ସେମାନଙ୍କୁ ସରକାରଙ୍କର ଅତ୍ୟାଚାରର ସାଧନ (Instrument) ହେବାକୁ ହୁଏ । କିନ୍ତୁ ଅତି ନିର୍ବୋଧ ମଣିଷ ପରି ଏମାନେ ଜାଣନ୍ତି ନାହିଁ କେତେ ନିର୍ଦ୍ଦୋଷ ନରନାରୀଙ୍କର ପ୍ରାଣ ଏମାନେ ନିଅନ୍ତି । ଯେଉଁ ଜୀବନ ଖାପରେ ପଡ଼ିଯାଇଛି, ତା’ର ଆଉ ନିସ୍ତାର ନାହିଁ । ଦୈବାତ୍ ତୁମୁଳ ବିଦ୍ରୋହର ଭୂକମ୍ପ ଆସି ସେଇ ଖାପକୁ ଭାଙ୍ଗିରୁଜି ନ ଦେବା ପର୍ଯ୍ୟନ୍ତ ସେ ଖାଲି ମେସିନ୍‍ପରି ସବୁ କରିଯାଏ । ଏ ଦେଶର ଅମଲା, ପୋଲିସ୍‍ ଓ ଫୌଜ ଆଜିଯାଏ ଦାସତ୍ୱର ଖାପରେ ପଡ଼ି ରହିଥିଲା । ନିଜର ମନ, ନିଜର ବୁଦ୍ଧି ଓ ବିଚାରଶକ୍ତିକୁ ଏ ଦେଶର ମଣିଷ ରୂପାବଦଳରେ ପରହାତରେ ସମର୍ପି ଦେଇଥିଲା ।

 

ଏ ଯୁଗର କେଉଁଠି କି ଗଲତି ରହିଛି କେଜାଣି, ପ୍ରତ୍ୟେକ ମଣିଷର ଜୀବନ ଭିତରେ ଦୈତ-ବ୍ୟକ୍ତିତ୍ୱ ପ୍ରଚ୍ଛନ୍ନ ଭାବରେ ପ୍ରଭାବ ବିସ୍ତାର କରି ରହିଛି । ମେଡ଼ାଲର ଦୁଇପାଖ ପରି ଜୀବନର ବି ସଦର ଓ ମଫସଲ ରହିଛି, ଦୁହିଁଙ୍କୁ ମିଳାଇକରି ଦେଖିବା ଏକାବେଳକେ ମୁସ୍କିଲ୍ । ଜଣେ ହୁଏତ ଉପରେ ଖୁବ୍ ଭଦ୍ର ଚିକ୍କଣପଟୁ; କିନ୍ତୁ ଅନ୍ୟ ପାଖରେ ସେ ସ୍ୱାର୍ଥ ଓ ସଂକୀର୍ଣ୍ଣତାରେ ବୁଡ଼ିଛି । ଦୁଇ ବନ୍ଧୁଙ୍କ ଭିତରେ ବେଶ୍ ମଧୁର ଆଳାପ ଚାଲିଛି; କିନ୍ତୁ ଭିତରେ ହୁଏତ ଘୃଣା ଓ ବିଦ୍ୱେଷ ପୂରି ରହିଛି । ସାହିତ୍ୟ ସଭାର ସାହିତ୍ୟିକ ଦୁନିଆ ଆଗରେ ଆଗାମୀ ଆଦର୍ଶ ଯୁଗର ସ୍ୱପ୍ନ ଦେଖାଉଛି, କିନ୍ତୁ ବ୍ୟକ୍ତିଗତ ଜୀବନରେ ସେ ନିଜକୁ ସେଇ ପୁରାତନ ଓ ପଚା ପରିସର ଭିତରେ ପକାଇ ରଖିଛି । ଅପର ଦିଗରୁ ଦେଖିଲେ କିଏ ହୁଏତ ଜମିଦାର ସାଜି ବିଧବାର ସର୍ବସ୍ୱ ନେଉଛି, ନିରସ୍ତ୍ର ଜନତା ଉପରେ ଗୁଳି ଚଳାଇ ରକ୍ତନଦୀ ବୁହାଇ ଦେଉଛି; ଆଉ ଏଣେ ତା’ର ନିଜଘରେ ସ୍ତ୍ରୀ ଅଛି, ଭଉଣୀ ଅଛି, ପୁଅ ସ୍କୁଲରେ ପାଠ ପଢ଼ୁଛି । ପରିବାରରେ ସେ ଶାନ୍ତ, ଶିଷ୍ଟ, ବିଚାରପୂର୍ଣ୍ଣ ଓ ପୁତ୍ରବତ୍ସଳ । ବ୍ୟକ୍ତି ଓ ସମଷ୍ଟିଗତ ଜୀବନକ୍ଷେତ୍ରରେ ଏଇ ଯେ ତାରତମ୍ୟ, ତା’ର ମୂଳକାରଣ ହେଉଛି ମଣିଷ ଆଜିଯାଏ ସାରା ସଂସାରକୁ ଆପଣାର କରି ଭାବି ପାରି ନାହିଁ । ହୁଏତ ଯୁଗର ଓଲଟପାଲଟ ବେଳେ ପୃଥିବୀରେ ବୁଦ୍ଧ, ଖ୍ରୀଷ୍ଟ ଓ ଗାନ୍ଧିର ଆବିର୍ଭାବ ହୋଇଛି, ତଥାପି ସାଧାରଣ ମଣିଷ ସେଇ ପୁରୁଣା ଯୁଗର ସ୍ୱାର୍ଥଦୂଷିତ ବୁଦ୍ଧିମାନ୍‍ ପଶୁ ହୋଇ ରହିଛି । ସେ ଯୁଗର ମଣିଷ ନିଆଁ ଜାଳି ପଶୁକୁ ଦୂରକୁ ତଡ଼ି ଦେଉଥିଲା । ପ୍ରତିଦ୍ୱନ୍ଦୀ ଶିକାରୀକୁ ହତ୍ୟା କରି ନିଜପାଇଁ ଶିକାରର ଅନ୍ୱେଷଣକୁ ସେ ସହଜ କରି ରଖୁଥିଲା । ବାନରଯୂଥର ପୁଂବାନର ଅନ୍ୟ ପୁଂବାନରକୁ ନ ମାରିବା ପର୍ଯ୍ୟନ୍ତ ନିଶ୍ଚିନ୍ତ ରହି ପାରୁନଥିବା । ମଣିଷ ଓ ମଣିଷ, ମଣିଷ ଓ ବାତାବରଣ ଭିତରେ ଏଇ ଶତ୍ରୁତା ଆଜିଯାଏ ରହି ଆସିଛି, ତେଣୁ ବୃହତ୍ତର ଲୋକାଳୟରେ ବିସ୍ତୃତ ହେବା ପରିବର୍ତ୍ତେ ପ୍ରତ୍ୟେକ ମଣିଷ ନିଜ ଜୀବନକୁ କ୍ଷୁଦ୍ର କୂପପରି ବିଚ୍ଛିନ୍ନ ଓ ସଙ୍କୁଚିତ କରି ଦେଇଛି । ନିତ୍ୟ ଡର, ଜୀବନ-ଝିମିଟିରେ ହାରିଯିବାର ନିତ୍ୟ ଆଶଙ୍କା ମଣିଷକୁ କ୍ଷୁଦ୍ର, କପଟୀ ଓ ଦ୍ୱୈତ କରିପକାଇଚି । ମଣିଷ ଯେଉଁଦିନ ସଂସାର ସହିତ ଆପଣାକୁ ମିଳାଇ ପାରିବ, ଏକ ସ୍ନେହ ଓ ସ୍ୱଭାବର ଡୋର ସମସ୍ତଙ୍କୁ ଯେଉଁଦିନ ଗୋଟିଏ କରି ବାନ୍ଧି ପାରିବ, ସେଇ ଦିନ ହିଁ ମଣିଷଜୀବନକୁ ନେଇ ଚାଲିଥିବା ଏ ଦ୍ୱୈତ ଖେଳର ଶେଷ ହେବ । ରାଜନୀତି ବା ଅର୍ଥନୀତି ନୁହେଁ, ସମଗ୍ର ମନର ପରିବର୍ତ୍ତନର ସଙ୍ଗେ ଏହାର ଅବିଚ୍ୟୁତ ସମ୍ପର୍କ ରହିଛି । ମଣିଷର ମନ ବଡ଼ ହେଲେ ତା’ର ସଂସାର ଆପେ ଆପେ ହୋଇ ପାରିବ ।

 

ସକାଳ ହେଲା । ବନ୍ଧୁ ଚାରିଜଣ ରାତି ନ ପାହୁଣୁ ବାହାରି ଯାଇଥିଲେ । ମୁଁ ଉଠି ଝରଣାଆଡ଼େ ପୁଣି ଟିକିଏ ବୁଲି ଆସି ମନକୁ ପ୍ରଫୁଲ୍ଲ କରି ନେଲି । ତା’ପରେ ଯାତ୍ରା ଆରମ୍ଭ କଲି । କୁଲିଖାନୀର ବସ୍ତିଗୁଡ଼ିକ ସେତେବେଳକୁ ନିର୍ଜନ ଓ ନିଦ୍ରାମଗ୍ନ । କୁକୁଡ଼ାର ଡାକରେ ପର୍ବତ କନ୍ଦିମାନ କମ୍ପି ଉଠୁଥାଏ । ଆଜି ସକାଳର ରାସ୍ତାଟା ପାର ହେବା ଟିକିଏ କଷ୍ଟକର । ସିଧା ସିଧା ଖଣ୍ଡିଆ ଖାବରା ରାସ୍ତାରେ ପର୍ବତ ଉଠିବାକୁ ପଡ଼ିବ । ଗୋଡ଼ ଖସି ପଡ଼ିଯିବାର ତ ସବୁବେଳେ ଆଶଙ୍କା ରହିଛି । ଯାହାହେଉ ଧୀରେ ଧୀରେ ଉପରକୁ ଉଠି ନଅଟା ବେଳେ ଚିସାପାଣୀ ଗଡ଼ୀରେ ପହଞ୍ଚିଲି । ବାଟରେ ଅନେକ ଜାଗାରେ କଣ୍ଟାବୁଦାରୁ କୋଳି ତୋଳି ଖାଇବାରେ ଖୁବ୍ ଆନନ୍ଦ ପାଇଥିଲି । କାଠମାଣ୍ଡୁଠାରେ ଦୁଇଅଣା ଦେଇ ଆମେ ଏଇ କୋଳିରୁ କୁଞ୍ଚାଏ କିଣି ଖାଇଥିଲୁ ।

 

ଚିସାପାଣୀ ଗଢ଼ୀରେ ରାହଦାନୀ ବଦଳାଇ ଏକ ପ୍ରମାଣ ପତ୍ର ଆଣିବାକୁ ହେଲା । ମାଲପତ୍ରର ତଦାରଖ ମଧ୍ୟ ହେଲା । ସମଶେରଙ୍କର ବିଦାୟ ଉପଲକ୍ଷେ ତୋପ ଫୁଟିଲା, ତା’ର ନିନାଦ ଉଚ୍ଚ ପର୍ବତର ସେପାଖରେ ମେଘର ଗର୍ଜନ ପରି ପ୍ରତିଧ୍ୱନିତ ହୋଇ ଉଠିଲା । ଶହେ କୁଲି ଓ ସିପାହୀଙ୍କ ଗହଣରେ ଦୋଳାରେ ଚଢ଼ି ସେ ଭୀମଫେଡ଼ୀ ଉଦ୍ଦେଶ୍ୟରେ ଯାତ୍ରାକଲେ । ପୌନେ ଦଶଟାରେ ନିଜର ଥଳୀଟି କାନ୍ଧରେ ପକାଇ ମୁଁ ମଧ୍ୟ ସେଠୁଁ ବାହାରିଲି । ଏତକ ରାସ୍ତା ପାରିହେବା ଖୁବ୍ ସହଜ, ହାତୀପରି ନାଚିନାଚି କେବଳ ପର୍ବତ ଓହ୍ଲାଇବାକୁ ପଡ଼େ । ଆଜି ଶନିବାର ହେତୁ ରଜ୍ଜୁପଥର କାମ ବନ୍ଦ ଥିଲା । ସୱା ଏଗାରଟାରେ ମୁଁ ଭୀମଫେଡ଼ୀରେ ପହଞ୍ଚିଲି । ଦୀର୍ଘ ପଥଚଲା ଶେଷ ହେଲା । ସମଶେରଙ୍କ ପାଇଁ ମଟର ରିଜର୍ଭ ହୋଇ ସାରିଥିଲା, ତେଣୁ ସାଧାରଣ ଯାତ୍ରୀପାଇଁ ଆମଲେଖଗଞ୍ଜ ଯିବାଲାଗି କୌଣସି ଉପାୟ ନ ଥିଲା । ଭୀମଫେଡ଼ୀର ବଜାର ରାସ୍ତାରେ ସେତେବେଳକୁ ସିନ୍ଦୂରଛିଞ୍ଚା ଫୁଲ କଳସ ବସି ସାରିଲାଣି । ତାରି ଭିତର ଦେଇ ମସଶେରଙ୍କର କାର୍, ଅମଲାମାନଙ୍କର ଲରୀ ଓ ତିନିଚାରିଟା ମାଲ ଲଦା ହୋଇଥିବା ଟ୍ରକ୍ ଅତିକ୍ରମ କରି ଚାଲିଗଲା । ଆଜି ଅଗତ୍ୟା ଏଠିକାର ଧର୍ମଶାଳାରେ ରହିବାକୁ ପଡ଼ିଲା । ମଟର ଯାଇ କାଲି ସକାଳ ଆଠଟାରେ ।

 

ସକାଳୁ ସକାଳୁ ଅଧୁଆ ମୁହଁରେ ଶସ୍ତାରେ ଟ୍ରକ୍ ମିଳିଗଲା । ସାଢ଼େ ଆଠଟା ବେଳେ ଯାଇ ଆମଲେଖଗଞ୍ଜଠିଁ ପହଞ୍ଚିଲି । ଗଲାବେଳକୁ ଭୀଷଣ ଜ୍ୱର ହୋଇଥିବାରୁ ରାସ୍ତାର ଦୁଇପାଖର ଦୃଶ୍ୟ ଭଲ କରି ଦେଖିପାରି ନ ଥିଲି । ଏଥର କିନ୍ତୁ ସବୁ ନିଖୁଣ ଓ ନିର୍ମଳ କରି ଦେଖିବାରୁ ସୁଯୋଗ ମିଳିଲା । ରାସ୍ତାଯାକ ଖାଲି ପାହାଡ଼ ଓ ଜଙ୍ଗଲ । ଗୋଟାଏ ଗୋଟାଏ ପର୍ବତରୁ ଫାଳେ ଛିଣ୍ଡିପଡ଼ି ଝରଣା ପାଇଁ ଉପଳଶଯ୍ୟା ତିଆରି କରି ଦେଇଛି ଏବଂ ଆଉ ଫାଳେ ପରାଭୂତ ବକାସୁର ପରି ଆକାଶକୁ ଅନାଇ ରହିଛି । ପୁଣି କେଉଁଠି କୃଶ ଜଳଧାରା ପର୍ବତର ଶିଖରରୁ ସାନୁଯାଏ ଯଜ୍ଞୋପବୀତ ପରି ତଳକୁ ଲମ୍ବିଆସିଛି ଓ ବଡ଼ ଝରଣା ସହିତ ନିଜର ଛନ୍ଦ ମିଳାଇ ଦେଇଛି । ମଝିରେ ମଝିରେ ଚମ୍ପାଫୁଲର ମହକରେ ବନସ୍ଥଳୀ ପରିପୂର୍ଣ୍ଣ ହୋଇଉଠୁଛି । ମୁଖ୍ୟତଃ ଶାଳ ଜଙ୍ଗଲ ଭିତର ଦେଇ ମଟର ରାସ୍ତାଟି ଆମେଲେଖଗଞ୍ଜର ଢାଲୁକୁ ଓହ୍ଲାଇ ଆସିଛି ।

 

ନେପାଳ ସରକାରଙ୍କ ରେଳଗାଡ଼ିରେ ଚଢ଼ି ସନ୍ଧ୍ୟାବେଳେ ବୀରଗଞ୍ଜରେ ପହଞ୍ଚିଲି । ସେଠୁଁ ଝଟକାରେ ରକ୍‍ସଲ ଆସି ଠିକ୍ ସମୟରେ ସୁଗୌଲି ଗାଡ଼ି ଧରି ପାରିଥିଲି । ସେଠି ପୁଣି ଗାଡ଼ି ବଦଳ କରି ସକାଳ ଆଠଟାବେଳେ ମୁଜାଫରପୁର । ଅତି କଷ୍ଟରେ ଜଣେ ମାରବାଡ଼ୀ ବନ୍ଧୁଙ୍କ ସାହାଯ୍ୟରେ କାଟିହାର ଏକ୍‍ସପ୍ରେସ୍‍ର ଖଣ୍ଡେ ଇଣ୍ଟର କ୍ଲାସ ଡବାରେ ଉଠି ସନ୍ଧ୍ୟା ପାଞ୍ଚଟାବେଳେ କାଟି ହାରରେ ପହଞ୍ଚିଲି । ଗାଡ଼ିର ଭିଡ଼ରୁ ନିଜକୁ ରକ୍ଷା କରି ମାଲ ରଖିବାର bunkରେ ନିଜପାଇଁ ଟିକିଏ ବସିବାର ସ୍ଥାନ କରି ନେଇଥିଲି । ତେଣୁ ବାହାରର ଦୃଶ୍ୟ ଦେଖିବାକୁ ଆଉ ଜୁ’ ନ ଥିଲା । ସେଇ ଗୋଟାଏ ଡବାର ବିଚିତ୍ର ମଣିଷମାନଙ୍କୁ ଦେଖି ଓ ସେମାନଙ୍କର ବିଚିତ୍ର କୋଳାହଳ ଶୁଣି ଆଖି ଓ କାନ ବିରକ୍ତ ହୋଇ ଯାଇଥିଲେ । ଯାହାହେଉ କାଟିହାରଠାରେ ସଫାସୁତୁରା ହୋଇ ପାର୍ବତୀପୁର ଗାଡ଼ି ଧରିଲି ଓ ପ୍ରାୟ ରାତି ସାଢ଼େ ଆଠଟାବେଳେ ରାୟଗଞ୍ଜଷ୍ଟେସନରେ ଓହ୍ଲାଇଲି । ନେପାଳରୁ ଚିଠି ଆସିବାକୁ ପ୍ରାୟ ଦଶ ବାରଦିନ ଲାଗେ । ତେଣୁ ମୋ ଆସିବା ଖବର ଜାଣି ନ ଥିବାରୁ ନାରାୟଣ ଷ୍ଟେସନକୁ ଯାଇ ନ ଥିଲା । କୁଲି ମୁଣ୍ଡରେ ବୋଝଟି ଉଠାଇ ମୁଁ ରାସ୍ତା ପଚାରି ତାଙ୍କ ଘରକୁ ଆସିଲି । ରାତି ନଅଟାଠାରେ ହଠାତ୍ ପହଞ୍ଚି ସେଦିନ ତାଙ୍କ ଘରର ସମସ୍ତଙ୍କୁ ମୁଁ ଅବାକ୍ କରି ଦେଇଥିଲି ।

 

ନେପାଳରୁ ଲେଉଟା ପର୍ବ ଏଇଠି ଶେଷ ହେଲା ।

•••

 

ସଂଯୋଜନ

ନେପାଳର ସଂକ୍ଷିପ୍ତ ଇତିହାସ

 

ଆମ ଓଡ଼ିଶାର ମାଦଳାପାଞ୍ଜି ପରି ନେପାଳରେ ବଂଶାବଳୀ ନାମରେ ଗୋଟିଏ ପୁରୁଣା ପୋଥି ଅଛି । ଏଇ ପୋଥିଟି ହେଉଛି ଏକମାତ୍ର ଉପାଦାନ, ଯହିଁରୁ ନେପାଳ ଇତିହାସର କ୍ଷୀଣ ପରିଚୟ ମିଳି ପାରିବ । କିନ୍ତୁ କେତେକ ମୁଖ୍ୟ ଲୋକଙ୍କ ଛଡ଼ା ‘ବଂଶାବଳୀ’ ଗଢ଼ିବାର ସୁଯୋଗ କାହାରି ନ ଥିବାରୁ ଅନେକ ନେପାଳୀ ମଧ୍ୟ ନିଜ ପ୍ରାନ୍ତର ଇତିହାସ ଜାଣନ୍ତି ନାହିଁ । ଗୁଣିଆ ନିଜର ଗୁଣିମନ୍ତ୍ର ଦେବାକୁ ଅମଙ୍ଗ ହେଲାପରି, ‘ବଂଶାବଳୀ’ର ପରିଚୟରେ ଆସିଥିବା ପଣ୍ଡିତମ୍ମନ୍ୟ ଲୋକେ ବି ଅନ୍ୟମାନଙ୍କୁ ସେ ବିଷୟରେ ପରିଷ୍କାର କରି କିଛି କହିବାକୁ ନାରାଜ । ଜ୍ଞାନଦାନକ୍ଷେତ୍ରରେ ଏଇ କାର୍ପଣ୍ୟ ଆମ ସମାଜର ଗୋଟାଏ ବଡ଼ କଳଙ୍କ ହୋଇ ଆଜିଯାଏ ରହିଛି-। ଆମଦେଶର ପାଣ୍ଡିତ୍ୟ ଓ ପ୍ରଜ୍ଞା କେବଳ ମୁଷ୍ଟିମେୟ ପଣ୍ଡିତ ଓ ପ୍ରାଜ୍ଞବ୍ୟକ୍ତିମାନଙ୍କ ମହଲରେ ସୀମିତ ରହିଛି ।

 

ଏଇ ‘ବଂଶାବନୀ’ରେ ସତ୍ୟଯୁଗରୁ ମଧ୍ୟ ନେପାଳ ରାଜବଂଶର ଉଲ୍ଲେଖ ଅଛି । ନେପାଳର ପୁରାତନ ନାମ ନାଗହ୍ରଦ । କିନ୍ତୁ ଆଜିଯାଏ ମିଳିଥିବା ଶିଳାନୁଶାସନରୁ ନେପାଳର ଇତିହାସ ଖ୍ରୀଷ୍ଟପୂର୍ବ ୬୦୦ ପର୍ଯ୍ୟନ୍ତ ବିସ୍ତୃତ ହୋଇ ପାରୁଛି । ଏହାର ପ୍ରଥମ ଅଧିବାସୀ କିରାତ ଜାତି ଓ କିରାତ ରାଜା । ମହାଭାରତରେ ଏଇ କିରାତ ସେନାଙ୍କ ଯୁଦ୍ଧକୌଶଳର ଖୁବ୍ ପ୍ରଶଂସା କରା ହୋଇଛି । ଏବେ ମଧ୍ୟ ନେପାଳରେ କିରାତ ଜାତିର ଲୋକସଂଖ୍ୟା ପ୍ରାୟ ଦଶଲକ୍ଷ । ସେମାନଙ୍କର ଆକୃତି ଅନେକାଂଶରେ ଉତ୍ତରବର୍ମୀ ଏବଂ ଆସାମର ଖାସିଆମାନଙ୍କ ପରି । ଆଜିଯାଏ ସେମାନେ ସେଇ ଅନ୍ଧାରୀ ଜଙ୍ଗଲୀ ଯୁଗରେ ପଡ଼ି ରହିଛନ୍ତି । ଶିକାର ଯୁଗର ସମାଜ ପରି କିରାତମାନେ ଗଛ, ପଥ ଓ ଭୂତପ୍ରେତର ପୂଜା କରନ୍ତି । ଏମାନଙ୍କର ଭାଷା ଏକାକ୍ଷରୀ (monosyllablic) ଏବଂ ପୂର୍ବ-ତିବ୍ବତୀ ଭାଷା ସଙ୍ଗେ ଏହାର ଅନେକ ମେଳ ଅଛି ।

 

ଭାରତରେ ବିଭିନ୍ନ ଯୁଗର ଐତିହାସିକ ଉତ୍‍ଥାନପତନର ପ୍ରଭାବ ନେପାଳକୁ ମଧ୍ୟ ପ୍ରଭାବିତ କରିଛି । ଏ ଦେଶରେ ହୋଇଥିବା ପ୍ରତ୍ୟେକ ଧର୍ମଆନ୍ଦୋଳନର ଛାୟା ନେପାଳର ଜୀବନ ଉପରେ ପଡ଼ିଛି । ସବୁଠାରୁ ମଜାକଥା ହେଉଛି ପ୍ରତ୍ୟେକ ଧର୍ମର ପ୍ରତ୍ୟେକ ଆନ୍ଦୋଳନ ଓ ଶାଖା-ଆନ୍ଦୋଳନର ଅବଶେଷ ଏବେ ସୁଦ୍ଧା ନେପାଳରେ ରହିଛି । ନେପାଳର ଭୂଗୋଳ ତାକୁ ଇତିହାସରେ ଏକ ସଞ୍ଚୟଗୃହ କରି ରଖିଛି । ସେଇ କାରଣରୁ ଶତଶତ ବର୍ଷ ପୂର୍ବର ସାମାଜିକ ଘାତାଘାତର ଚିହ୍ନ ନେପାଳରେ ଆଜିଯାଏ ବର୍ତ୍ତମାନ ରହିଛି ।

 

ପାଟନ୍ ସହରରେ ଥିବା ଅଶୋକ ନିର୍ମିତ ଚାରୋଟି ବୌଦ୍ଧସ୍ତୂପରେ ମୌର୍ଯ୍ୟକଳାର ବୈଶିଷ୍ଟ୍ୟ ସ୍ପଷ୍ଟ ପରିଲକ୍ଷିତ ହୁଏ । ଅନୁମାନ କରାଯାଉଛି, ତତ୍କାଳୀନ କିରାତ ରାଜା ଅଶୋକଙ୍କର ପ୍ରଚାରିତ ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇଥିଲେ ଓ ମୌର୍ଯ୍ୟ ଶିଳ୍ପୀମାନଙ୍କୁ ନେଇ ନେପାଳରେ ବୌଦ୍ଧ ସ୍ତୂପମାନ ତିଆରି କରାଇଥିଲେ । ଖ୍ରୀଷ୍ଟ ୨୫ ସାଲର ପାଖାପାଖି କିରାତବଂଶ ଲୁପ୍ତ କରି ଲିଛବୀମାନେ ନେପାଳର ଶାସକ ହେଲେ । ବିକ୍ରମାଦିତ୍ୟ ନେପାଳ ଜୟ କରିଥିଲେ ବୋଲି ‘ବଂଶାବଳୀ’ରୁ ଦେଖିବାକୁ ମିଳେ । ଏଇ ଗୁପ୍ତପ୍ରଭାବ ପଡ଼ିବା ପରେ ନେପାଳରୁ ଗଣତନ୍ତ୍ର ଶାସନ ଯାଇ ରାଜତନ୍ତ୍ର ପ୍ରତିଷ୍ଠିତ ହେଲା । ଲିଚ୍ଛବୀରାଜା ନିଜକୁ ନେପାଳର ‘ରାଷ୍ଟ୍ରପତି’ ବୋଲାଉଥିଲେ ଓ ନିଜର ନାଁ ପୂର୍ବରୁ କେବଳ ‘ଶ୍ରୀ’ ଲଗାଉଥିଲେ । ଚୀନ୍‍-ପରିବ୍ରାଜକ ହୁଏନ୍‍ସାଂ ନେପାଳର ଗଣାଧିପତି ଅଂଶୁବର୍ମାଙ୍କର ପ୍ରତାପ, ନ୍ୟାୟବିଚାର, ପାଣ୍ଡିତ୍ୟ ଓ ସୁଶାସନର ଖୁବ୍ ପ୍ରଶଂସା କରିଯାଇ ଅଛନ୍ତି । ରାଜତନ୍ତ୍ର ଶାସନ ସମୟରେ ନେପାଳ ଚୀନ ଓ ତିବ୍‍ବତୀ ସହିତ ଘନିଷ୍ଠ ସମ୍ପର୍କରେ ଆସିଥିଲା । ନେପାଳର କଳା, ସଂସ୍କୃତି ଓ ସାହିତ୍ୟର ବହୁଳ ପ୍ରଚାର ହୋଇଥିଲା-

 

ଏହାପରେ ନେପାଳର ଇତିହାସରେ ନାନା ଅଦଳବଦଳ ଓ ଆକ୍ରମଣ ହୋଇଥିଲା । ରାଜପୁତ ଓ କର୍ଣ୍ଣାଟକମାନେ ମଧ୍ୟ ଏଠାକୁ ଆସି ନିଜ ନିଜର ଆଧିପତ୍ୟ ସ୍ଥାପନ କରିଥିଲେ । ୧୩୪୬ ଖ୍ରୀଷ୍ଟାଦ୍ଦରେ ବଙ୍ଗର ପଠାଣ ସୁଲତାନ କାଠମାଣ୍ଡୁ ଆକ୍ରମଣ କରିଥିଲେ । ରାଜ୍ୟର ଅନେକ ମନ୍ଦିର ଓ ସ୍ତୂପ ଏବଂ ପଶୁପତିନାଥଙ୍କର ଲିଙ୍ଗ ସେ ଭାଙ୍ଗି ଦେଇଥିବାର ପ୍ରମାଣ ଶିଳାଲିଖନରୁ ମିଳେ । ବଙ୍ଗନବାବ ଏଇ ନିର୍ମମ ଲୁଟତରାଜ କରି ଚାଲିଥିବା ପରେ ରାଜ୍ୟର ଦୁର୍ବଳତାର ସୁଯୋଗ ନେଇ ଗୋରଖପୁରର ମଲ୍ଲ ରାଜା ନେପାଳ ଅଧିକାର କରିନେଲେ । ଏମାନେ ଶୈବ ଥିଲେ । ମୁସଲମାନ ଆକ୍ରମଣର ପ୍ରତିକ୍ରିୟା ସ୍ୱରୂପ ଏଇ ସମୟରୁ ନେପାଳର ବର୍ଗହୀନ ବୌଦ୍ଧ ସମାଜରେ ବର୍ଣ୍ଣବିଭେଦର ସୃଷ୍ଟି ହୋଇଥିଲା । ଏହି ବଜ୍ରଯାନ ବୌଦ୍ଧ ରାଜତ୍ୱ ଦ୍ୱାରା ନେପାଳରେ ବୌଦ୍ଧ ଓ ଶୈବଧର୍ମର ଅପୂର୍ବ ସମାବେଶ ହୋଇଥିଲା; ନେପାଳର ପ୍ରତ୍ୟେକ ମନ୍ଦିରରେ ଆଜି ମଧ୍ୟ ତାର ପ୍ରମାଣ ମିଳେ ।

 

ତା’ପରେ ମୋଗଲ ଆକ୍ରମଣ ଓ ଅରାଜକତା । ଏଇସବୁ ଅଶାନ୍ତି ହେତୁ ସମାଜର ଏକସୂତ୍ରତା ନଷ୍ଟ ହୋଇଗଲା ଏବଂ ବିଭିନ୍ନ ଅଞ୍ଚଳରେ ଅନେକ ଛୋଟ ବଡ଼ ନେତା ନିଜ ନିଜର ସ୍ୱତନ୍ତ୍ରତା ଘୋଷଣା କରି ନେପାଳକୁ ବିଭକ୍ତ କରି ପକାଇଲେ । ସବୁବେଳେ କ୍ଷମତାପାଇଁ ଲଢ଼େଇ ଓ ଷଡ଼ଯନ୍ତ୍ର ଚାଲିଲା । ୧୭୪୭ ଖ୍ରୀଷ୍ଟାଦ୍ଦରେ ଗୁର୍ଖାରାଜ୍ୟର ଶକ୍ତିଶାଳୀ ରାଜା ପୃଥ୍ୱୀନାରାୟଣ ସବୁ ସାମନ୍ତଙ୍କୁ ଜୟ କରି ପୁଣି ନେପାଳକୁ ଏକ କଲେ । ଏଇ ଗୁର୍ଖାବଂଶର ଶାସନ ସମୟରେ ନାନା ଯୁଦ୍ଧ ଓ ବିଗ୍ରହର ମଧ୍ୟଦେଇ ନେପାଳର ଗୌରବ ପ୍ରସାରିତ ହୋଇଥିଲା । ନବାଗତ ବିସ୍ତାରପ୍ରୟାସୀ ଇଂରେଜମାନଙ୍କର ଏମାନେ ନିତ୍ୟବିରୋଧ କରି ଆସିଥିଲେ ।

 

୧୮୧୬ରେ ନେପାଳ ଯୁଦ୍ଧରେ ନେପାଳ ଇଂରେଜମାନଙ୍କଠାରେ ନିଜର ସ୍ୱତନ୍ତ୍ରତା ହରାଇ ବସିଲା । ନେପାଳର ଗୌରବ, ତା’ର ଉଚ୍ଚାଭିଳାଷ ଦାସତାର କଳଙ୍କରେ କଳଙ୍କିତ ହୋଇଗଲା । ନିଜ ନିଜ ଭିତରେ ଈର୍ଷା ଦ୍ୱେଷ, ଅନ୍ତଃପୁରରେ ହତ୍ୟାର ଷଡ଼ଯନ୍ତ୍ର, ଭାଇବିରାଦର ବିରୁଦ୍ଧରେ ଇଂରେଜର ଅନୁଗ୍ରହପ୍ରାର୍ଥନା, ଏଇସବୁ ଲଜ୍ଜାକର ଘଟଣା ନେପାଳର ବଳ ଭାଙ୍ଗି ପକାଇଲା । ୧୮୪୬ ମସିହାରେ ସର୍ଦ୍ଦାର ଜଙ୍ଗ୍ୱାହାଦୁରଙ୍କର ଷଡ଼ଯନ୍ତ୍ର ଫଳରେ ଅନେକ ନିରୀହ ସର୍ଦ୍ଦାର ହାଣ ଖାଇଲେ । ନେପାଳରେ ରାଣାବଂଶର ଏକାଧିପତ୍ୟ ସ୍ଥାପିତ ହେଲା । ସେଇଦିନଠୁଁ ପୃଥ୍ୱୀନାରାୟଣଙ୍କ ବଂଶର ଉତ୍ତରାଧିକାରୀ ନାଁକୁ କେବଳ ମହାରାଜାଧିରାଜ ଉପାଧି ନେଇ କଣ୍ଢେଇପେଡ଼ୀର ସଖୀ କଣ୍ଢେଇ ହୋଇ ରହିଲେ ଓ ରାମାବଂଶର ଲୋକେ ପ୍ରଧାନମନ୍ତ୍ରୀ ବା ‘ମହାରାଜ’ ଉପାଧି ନେଇ ରାଜ୍ୟର ସର୍ବେସର୍ବା ହେଲେ । ଏମାନଙ୍କର ଉତ୍ତରାଧିକାର ନିୟମ ପରସ୍ପରଠୁ ଭିନ୍ନ । ମହାରାଜାଧିରାଜଙ୍କ ଅନ୍ତେ ତାଙ୍କ ପୁଅ ଗାଦୀରେ ବସିବ; କିନ୍ତୁ ଜଣେ ପ୍ରଧାନମନ୍ତ୍ରୀ ମରିଗଲେ ତାଙ୍କର କ୍ଷମତା ପୁଅକୁ ଦିଆ ନ ହୋଇ ଛୋଟ ଭାଇକୁ ଦିଆଯିବ । ନେପାଳର ମହାରାଜାଧିରାଜଙ୍କୁ ‘ଶ୍ରୀ’ ଓ ପ୍ରଧାନ ତିନୋଟି ‘ଶ୍ରୀ’ ର ସମ୍ମାନ ଦିଆଯାଏ । ଲୋକମୁଖରେ ଏମାନେ ‘ପାଞ୍ଚସରକାର’ ଓ ‘ତିନିସରକାର’ ନାଁରେ ସବୁଠିଁ ସୁପରିଚିତ ।

 

ନେପାଳ ଇଂରେଜଙ୍କର ମିତ୍ରରାଜ୍ୟ । ସାମ୍ରାଜ୍ୟଲୋଭୀ ଇଂରେଜ ସରକାର ପର୍ବତ କନ୍ଦିରେ ହଠାତ୍ ଏପରି ଅଯାଚିତ ଭାବେ ମିତ୍ରତାର ନିଦର୍ଶନ ଦେଖାଇଛନ୍ତି ।, କଥାଟା ଶୁଣିବାମାତ୍ରେ ତାଙ୍କର ସାଧୁତାରେ ସନ୍ଦେହ କରିବାକୁ ପଡ଼େ । ବିଲେଇ ମାଛ ନ ଖାଇ ଚିତାଚଇତନ କଲେ ସନ୍ଦେହ ହେବା ସ୍ୱାଭାବିକ । ନେପାଳର ଖଣ୍ଡି ଓ ବନଜ ସମ୍ପଦ ଏପର୍ଯ୍ୟନ୍ତ କାମରେ ଲଗାଯାଇ ନାହିଁ, ପାର୍ବତ୍ୟ ପ୍ରଦେଶର ଅଜ୍ଞାତ ବନାନୀ ଭିତରେ ଲୁହା, ତମ୍ବା, ଅଭ୍ର ଓ ରୂପାନ୍ତର ଗୁପ୍ତ ଭଣ୍ଡାରମାନ ଏପର୍ଯ୍ୟନ୍ତ ପଡ଼ି ରହିଛି । ଏହାହିଁ ଇଂରେଜର ଇଚ୍ଛା । ମୋର ଯଦି ଦରକାର ନାହିଁ, ତେବେ ଯେପରି ଆଉ କାହାରି ଦରକାରରେ ନ ଆସୁ, ଏଇପରି ମତଲବ ଆଜିକାଲି ବଡ଼ ବଡ଼ ରାଜନୈତିକ ସଭାରେ ନିତି ଶୁଣିବାକୁ ମିଳୁଛି । ଗୋଟାଏ ବଣିକ ରତ୍ନ ଦେଖିଛି, ତା’ର ନିଜର ଆବଶ୍ୟକତା ନ ଥିଲେ ମଧ୍ୟ ଅପର ବଣିକଙ୍କର ଆଖିରୁ ତାକୁ ଲୁଚାଇ ରଖିବାର ସବୁପ୍ରକାର କୌଶଳ ଓ କାରସାଦି ସେ କରିଛି; ଏପରିକି ସେ ଧନ ଯାହାର ବା ଯେଉଁ ଦେଶର, ସେ ମଣିଷ ବା ସେ ଦେଶ ମଧ୍ୟ ତାକୁ ଉପଭୋଗ କରି ପାରିନାହିଁ ।

 

ଇଂରେଜୀ ବଣିକବାଦ ଓ ନେପାଳର ରାଜତନ୍ତ୍ର ଦୁହେଁ ମିଶି ନେପାଳକୁ ପୃଥିବୀରୁ, ବିଶେଷ କରି ଭାରତରୁ ବିଚ୍ଛିନ୍ନ କରି ରଖିଛନ୍ତି । ଦୁହିଁଙ୍କୁ ଗୋଳିପାଣି ଖୁବ୍ ଭଲ ସୁହାଇଛି । ମିତ୍ରରାଜ୍ୟର ଡିଣ୍ଡିମ ବଜାଇ ଧନଲୋଭୀ ଇଂରେଜ ନେପାଳକୁ କୁକ୍ଷିଗତ କରି ସାଇତି ରଖିଛି । ଅଳ୍ପଗୌରବର ଅଧିକାରେ ଅପମାନିତ ନେପାଳର ରାଜଶକ୍ତି ମଧ୍ୟ ସେଇ ଅର୍ଥହୀନ ମିତ୍ରତାର ଚିରଦିନ ବଡ଼େଇ କରି ଆସିଛି । ନେପାଳର ରାଣା ଓ ମହାରାଣାମାନେ ମଟର ଚଢ଼ନ୍ତି, ଇଂରେଜୀ ସମାଜରେ ନିଜ ଗୌରବର ଗରିମା ଦେଖାନ୍ତି, ସମ୍ମାନ ପାଇବା ଆଶାରେ ଅଳଙ୍କାର ଓ ଆଡ଼ମ୍ବରର ପାପବୋଝ ନେଇ ବିଲାତ ଦଉଡ଼ନ୍ତି, ନେପାଳର ଖଜଣା ଖରଚ କରି ନିଜକୁ ଆଧୁନିକ ଓ ସଭ୍ୟ ବୋଲାଇବାର ସମସ୍ତ ପୁଞ୍ଜି ହାସଲ କରନ୍ତି; କିନ୍ତୁ ନେପାଳର ପ୍ରଜା କେତୋଟି ପାହାଡ଼ଘେରରେ ଆବଦ୍ଧ ବିରାଟ ଜେଲ୍‍ଟି ଭିତରେ ପଡ଼ି ରହିଥାଏ । ସେ ସ୍କୁଲରେ ପାଠ ପଢ଼ି ପାରେନା, ସିନେମା ଦେଖି ପାରେନା, ଖବର କାଗଜ ପଢ଼ି ବିରାଟ ପୃଥିବୀର ବିରାଟ ପ୍ରବାହର ସ୍ପର୍ଶ ପାଇ ପାରେନା । ଏଇ ହେଉଛି ନେପାଳୀ ସ୍ୱତନ୍ତ୍ରତାର ବଶୀକରଣ ବଟୀ ।

 

ନେପାଳର କଳା ଓ ସଂସ୍କୃତି :

 

ଯୁଗ ଯୁଗ ଧରି ନେପାଳର କଳା ଓ ସଂସ୍କୃତି ଯେ କେବଳ ସ୍ଥାନୀୟ ହୋଇ ରହିଛି, ନେପାଳର ଭୂଗୋଳ ଓ ବିଶେଷତଃ ରାଜନୀତି ସେଥିଲାଗି ଦାୟୀ । ଏପର୍ଯ୍ୟନ୍ତ ନେପାଳର ଚିତ୍ରବିଦ୍ୟା ଓ ଭାସ୍କର୍ଯ୍ୟ ସମ୍ବନ୍ଧରେ କୌଣସି ବିଧିବଦ୍ଧ ଗବେଷଣା ହୋଇନାହିଁ-। ନେପାଳର ପୁରୁଣା ପୋଥି ସବୁ ସାଇତା ରତ୍ନ ପରି ଜଣେ ଦୁଇଜଣଙ୍କ ପାଖରେ ସଞ୍ଚିତ ରହିଛି । ତା’ର ପର୍ଯ୍ୟାଲୋଚନା କରି ଐତିହାସିକ ଓ ସଂସ୍କୃତିକ ତଥ୍ୟାଲୋଚନା କରିବାର କୌଣସି ଉଦ୍ୟମ ଏପର୍ଯ୍ୟନ୍ତ ହୋଇନାହିଁ-। ନେପାଳର ମନ୍ଦିର ସବୁ କେବେ, କାହାଦ୍ୱାରା ତିଆରି ହୋଇଛି, ସେକଥା ଅନେକ ନେପାଳୀ ଜାଣନ୍ତି ନାହିଁ । ମନ୍ଦିର ସଂଖ୍ୟା ଏତେ ବେଶୀ ଯେ, ସବୁଗୁଡ଼ିକର ନାଁ ମଧ୍ୟ କେହି କହି ପାରନ୍ତି ନାହିଁ-। କାଠମାଣ୍ଡୁ ଓ ପାଟନ୍‍ର ଏଠି ସେଠି ମନ୍ଦିରଗୁଡ଼ିକ ଯେପରି ଦୂଷିତ ଓ ଅବହେଳିତ ହୋଇ ପଡ଼ି ରହିଛି ଦେଖିଲେ ଏଠିକା ଶିକ୍ଷିତ ଲୋକଙ୍କର ଜିଜ୍ଞାସୁତା ପ୍ରତି ସ୍ୱତଃ ସନ୍ଦେହ ଜାତ ହୁଏ-। ଭୁବନେଶ୍ୱର ତୀର୍ଥର କେତେ ମନ୍ଦିର ଭାଙ୍ଗି ଯାଉଛି, କେତେ ଭଙ୍ଗା ମୂର୍ତ୍ତିକୁ ରାତିବାଟୋଇ ଶଗଡ଼ିଆ ଚୂଲାଝିଙ୍କା କରି ବ୍ୟବହାର କରୁଛି, ଆମର ଗୌରବମୟ ଅର୍କତୀର୍ଥ ସମସ୍ତଙ୍କର ଆଖିରେ ଅନ୍ତରାଳରେ ନିଶୂନ୍ ବାଲିଭିତରେ ପଡ଼ି ରହିଛି । ନେପାଳରେ ମଧ୍ୟ ଠିକ୍ ସେମିତି ଗୋଟାଏ ପରମ୍ପରାଗତ ମାନସିକ ଦାରିଦ୍ର୍ୟ ପରିଲକ୍ଷିତ ହୁଏ ।

 

ମୂର୍ତ୍ତି ଓ ମନ୍ଦିର, ଭାଷା ଓ ଆଚାରବିଚାର ଭିତର ଦେଇ ଯେପରି ନେପାଳ କେତେ ଧର୍ମ କେତେ ସଂସ୍କୃତିର ସମନ୍ୱୟ କରି ଆସିଛି । ଏଡ଼େ ସଂକୀର୍ଣ୍ଣ ପର୍ବତ ଭୂଇଁଟିରେ ମଧ୍ୟ ସବୁ ଧର୍ମ, ସବୁ ଜାତି ଓ ସବୁ ଭାଷାର ମିଳନପୀଠ ପ୍ରତିଷ୍ଠା କରିବା ପାଇଁ ଯଥେଷ୍ଟ କ୍ଷେତ୍ର ମିଳିପାରିଛି । ଇତିହାସର ଆରମ୍ଭରୁ ଚୀନା, ତିବ୍‍ବତୀ, ରାଜପୁତ, କର୍ଣ୍ଣାଟୀ ଓ ମଲ୍ଲ ପ୍ରଭୃତି ବିଦେଶୀମାନେ ଏହି ଉପତ୍ୟକାକୁ ଆସିଛନ୍ତି, ବସବାସ କରିଛନ୍ତି । ବୌଦ୍ଧ ଧର୍ମର ହୀନଯାନ, ମହାଯାନ ଓ ବଜ୍ରଯାନ ଶାଖାମାନଙ୍କର ସମାନ ପ୍ରବାହ ନେପାଳ ଉପରେ ବହି ଯାଇଛି । ଅଧିକାଂଶ ସମୟରେ ଏଠାରେ ଶୈବଧର୍ମ ହିଁ ପ୍ରଧାନ୍ୟ ଲାଭ କରିଛି । କିନ୍ତୁ ଗଣତନ୍ତ୍ର ବା ରାଜତନ୍ତ୍ରଶାସିତ ନେପାଳରେ କେବେହେଲେ ସଂସ୍କୃତିଗତ ଦ୍ୱନ୍ଦ ଲାଗି ନାହିଁ । ପ୍ରତ୍ୟେକ ମନ୍ଦିରରେ ଶୈବ ଓ ବୌଦ୍ଧ ଭକ୍ତିର ସମନ୍ୱୟ ହୋଇଛି । ଭକ୍ତିଭୀରୁ ନେପାଳୀ କାରିଗରର ସରଳ କଳ୍ପନା ଭଗବାନ ସିଦ୍ଧାର୍ଥଙ୍କୁ ଏଠି କର୍ଣ୍ଣକୁଣ୍ଡଳବିଭୂଷିତ, ଚତୁରାୟୁଧଧାରୀ, ଚତୁଷ୍ପାଣି ମୂର୍ତ୍ତି କରି ସଜାଇ ପାରିଛି, ବୌଦ୍ଧ ମନ୍ଦିରରେ ସିଦ୍ଧିଦାତା ଗଣପତିଙ୍କୁ ଦ୍ୱାରପାଳ କରି ରଖି ପାରିଛି । ନେପାଳର ମଲ୍ଲରାଜାମାନେ କେବଳ ପ୍ରତିଭା ଦେଖିଛନ୍ତି, ପୁରୁଷକୁ ଦେଖି ନାହାନ୍ତି । ପ୍ରତିଭାର ରୂପାୟିତ ପୂଜା କରି ସେମାନେ ନିଜକୁ ଧନ୍ୟ ମନେ କରିଛନ୍ତି । ପାଟନ୍‍ରେ ଥିବା ମଲ୍ଲପ୍ରାସାଦର ଫାଟକ ପାଖରେ ପୁରାତନ କାରିଗରର ମିଳନକଳ୍ପନା ଦେଖିଲେ ମନ ଆପେ ଆପେ ନତ ହୋଇଯାଏ । ଚାରିପାଖରେ ବୌଦ୍ଧ ଚୈତ୍ତ, କୃଷ୍ଣ ମନ୍ଦିର ଓ ଶିବ ମନ୍ଦିର ଘେରି ରହିଛି; ମଝିରେ ବିରାଟ ସ୍ତମ୍ଭ ଉପରେ ଭକ୍ତି-ପ୍ରଣତ ତତ୍କାଳୀନ ମଲ୍ଲରାଜାଙ୍କର ଉପାସକ ମୂର୍ତ୍ତି ପ୍ରତିଷ୍ଠିତ ହୋଇଛି । ବାହାର ଜଗତର ଅତି ଅଳ୍ପ କଥା ଜାଣି ମଧ୍ୟ ଉଦାର ସମନ୍ୱୟର ଏଇ ମହାମନ୍ତ୍ର ସେମାନେ ସରଳ ଭକ୍ତିମାର୍ଗ ଦେଇ ଉପଲବ୍‍ଧି କରିଥିଲେ; ଆଉ ଆମେ ଏ ଯୁଗରେ ବିଶାଳ ପୃଥିବୀର ସମସ୍ତ କୋଣ କୋଣାନ୍ତର ତଲାସ କରି ମଧ୍ୟ ନିଜର ଜାତି, ନିଜର ପ୍ରଦେଶ ଓ ନିଜର ଧର୍ମ ନେଇ ନାନା ସମସ୍ୟାର ଉତ୍‍ଥାପନ କରି ଜୀବନକୁ ଜଟିଳ କରି ପକାଉଛୁ ।

 

୬୪୬ ଖ୍ରୀଷ୍ଟାଦ୍ଦରେ ଗୋଟିଏ ଚୀନା ପ୍ରତିନିଧିଦଳ ନେପାଳ ବାଟେ ଭାରତକୁ ଆସିଥିଲେ । ସେମାନେ ନେପାଳର କଳା ଓ ସଂସ୍କୃତି ବିଷୟରେ ଅନେକ କଥା ଲେଖି ଯାଇଛନ୍ତି । ଚୀନ ଦେଶର ତାଙ୍ଗ୍ ଇତିହାସରୁ ତା’ର ପ୍ରମାଣ ମିଳେ । “ନେପାଳୀମାନେ ଆଖିପତା ପର୍ଯ୍ୟନ୍ତ ବାଳ ରଖନ୍ତି, ଏମାନେ କାନରେ ମୂଲ୍ୟବାନ ମୁଦ୍ରାମାନ ପିନ୍ଧନ୍ତି । ସେମାନେ ନିଜ ହାତରେ ଭୋଜନ କରନ୍ତି, ଚାମଚ ଆଦି ବ୍ୟବହାର କରନ୍ତି ନାହିଁ । ରାଜ୍ୟର ସବୁଠିଁ ତାମ୍ରପାତ୍ରର ପ୍ରଚଳନ ରହିଛି । ଏ ଦେଶର ଅଧିକାଂଶ ଲୋକ ବେପାର ବଣିଜ କରନ୍ତି-ଚାଷୀସଂଖ୍ୟା ଖୁବ୍ କମ୍ । ଏମାନେ ଦିନରେ ତିନିଥର ସ୍ନାନ କରନ୍ତି ଓ ଖଣ୍ଡିଏ ମାତ୍ର ଲୁଗା ପିନ୍ଧି ତା’ର ଗୋଟିଏ ଅଂଶକୁ କାନ୍ଧରେ ଗୁଡ଼ାଇ ଦିଅନ୍ତି-। ଏଠିକାର କାଠ ତିଆରି ଘରସବୁ ନାନାପ୍ରକାର ଚିତ୍ର ଓ ପଥର ମୂର୍ତ୍ତିରେ ସଜା ହୋଇଥାଏ-। ନେପାଳୀମାନେ ଖୁବ୍ ନିପୁଣ ଅଭିନୟ କରି ଜାଣନ୍ତି ।”

 

ତିବ୍‍ବତ ଓ ଚୀନଦେଶରେ ମଧ୍ୟ ନେପାଳୀ କଳାର ପ୍ରସାର ହୋଇଥିଲା । ପାଗୋଡ଼ାର ନିର୍ମାଣଶୈଳୀ ଏଇ ନେପାଳରୁ ଉଦ୍ଭାବିତ ହୋଇଥିଲା । ଦ୍ୱାଦଶ ଶତାଦ୍ଦୀର ନେୱାର କଳାବିତ୍‍ମାନେ ଚୀନ ଯାଇ ନେପାଳୀ ବାସ୍ତୁଶୈଳୀରେ ସେଠି ଗୋଟିଏ ମନ୍ଦିର ତିଆରି କରିଥିଲେ, ଚୀନ ଇତିହାସରେ ତାହାର ଉଲ୍ଲେଖ ଅଛି । ଅଷ୍ଟମ ଶତାଦ୍ଦୀରେ ନେପାଳୀ ଭାଷାବିତ୍‍ମାନେ ତିବ୍‍ବତ ଯାଇ ନେପାଳୀ ଲିପିଦ୍ୱାରା ସେଠିକା ଭାଷାର ସଂସ୍କାର କରିଥିବାର ପ୍ରମାଣ ମଧ୍ୟ ଇତିହାସରୁ ମିଳେ ।

 

ନେପାଳରେ ଦୁଇଟି ଭାଷା, ନେପାଳୀ ଓ ନେୱାରୀ । ନେପାଳୀ ଭାଷାର ଲିପି ଦେବନାଗରୀ ଓ ବ୍ୟାକରଣ ସଂସ୍କୃତମୂଳ । କିନ୍ତୁ ନେୱାରୀ ଭାଷାର ଅଧିକାଂଶ ଶଦ୍ଦ ଏକାକ୍ଷରୀ ଓ ଏଥିରେ ମଙ୍ଗୋଲୀୟ ଲକ୍ଷଣ ଅନେକ ରହିଛି । ଏ ଦୁଇଟି ପ୍ରଧାନ ଭାଷା ଛଡ଼ା ବିଭିନ୍ନ ଜଙ୍ଗଲୀ ଜାତିଙ୍କ ଭିତରେ ବିଭିନ୍ନ କଥିତ ଭାଷାର ପ୍ରଚଳନ ଅଛି । ନେପାଳରେ ବ୍ରାହ୍ମଣ, କ୍ଷତ୍ରୀ ଓ ନେୱାରମାନଙ୍କ ଛଡ଼ା ଲିମ୍ବ, କିରାତୀ, ଗୁରୁଙ୍ଗ୍ ଓ ତାମାଙ୍ଗ ପ୍ରଭୃତି ଅନେକ ଜାତି ବାସ କରନ୍ତି । ପାହାଡ଼ର ବାଧା ଭେଦ କରି ଏମାନଙ୍କ ଭିତରେ ଶିକ୍ଷାର ଆଲୁଅ ଆଜିଯାଏ ପଶି ପାରିନାହିଁ ।

 

ନେପାଳର ସାହିତ୍ୟ ଏପର୍ଯ୍ୟନ୍ତ ଅନୁନ୍ନତ ଅବସ୍ଥାରେ ରହିଛି । ଆମ ଦେଶର ସରକାର ଚିନି, କିରାସୀନୀ ବା କପଡ଼ା କଣ୍ଟ୍ରୋଲ କରନ୍ତି, କଥାଟା ସହଜରେ ବୁଝି ହୁଏ । ମାତ୍ର ନେପାଳ ମୁଲକରେ ସରକାର ମଣିଷର ମଥା, ମଗଜ ଓ ସାହିତ୍ୟକୁ ବି କଣ୍ଟ୍ରୋଲ କରି ରଖିଛନ୍ତି । ସେଠିକାର ପୁସ୍ତକାଳୟରେ ଅନେକ ଭଲ ଭଲ ବହିର ସ୍ଥାନ ନାହିଁ । କୌଣସି ବହି ଛପାଇବା ଆଗରୁ ସରକାରଙ୍କୁ ତାର ପାଣ୍ଡୁଲିପି ଦେଇ ମଞ୍ଜୁରୀ ପାଇବାକୁ ହୁଏ । ଏଇ କଟକଣାର କଷାକଷିରେ ଏପର୍ଯ୍ୟନ୍ତ କୌଣସି ପ୍ରଗତିବାଦୀ ଲେଖା ନେପାଳର ସାହିତ୍ୟରେ ସ୍ଥାନ ପାଇପାରି ନାହିଁ । ଏପରିକି ରାଜ୍ୟର ସାଧାରଣ ସାମାଜିକ ଜୀବନରୁ ଚିତ୍ରଣ କରାଯାଇ ଗୋଟିଏ ହେଲେ ବିପ୍ଳବାତ୍ମକ ଉପନ୍ୟାସ ଆଜିଯାଏ ଲେଖା ହୋଇ ନାହିଁ । କେତେକ ଉତ୍ସାହୀ ଯୁବକ ଅସୁବିଧା ଭିତର ଦେଇ କୋତୋଟି ବିଖ୍ୟାତ ବଙ୍ଗଳା ଓ ହିନ୍ଦି ଉପନ୍ୟାସର ଅନୁବାଦ କରିଛନ୍ତି ମାତ୍ର ।

 

ବିଦେଶୀ ଶିକ୍ଷା ସଙ୍ଗେ ସଙ୍ଗେ ଶିକ୍ଷିତ ସମ୍ପ୍ରଦାୟ ଭିତରୁ ଦେଶୀୟ ସଂସ୍କୃତି ଲୁପ୍ତ ହୋଇ ଯିବାକୁ ବେଶୀ ଦିନ ଲାଗେ ନାହିଁ । ଆମ ଦେଶରେ ସେଇଆ ହୋଇଛି; ବିଦେଶୀର ପୋଷାକ, ରୀତିନୀତି ଓ ମେଳାମଉଚ୍ଛବର ଅନ୍ଧ ଅନୁକରଣ କରିବାକୁ ଯାଇ ଦେଶର ଶିକ୍ଷିତ ବର୍ଗ କୋଉଦିନୁଁ ଦେଶର ସଂସ୍କୃତିକୁ ଭୁଲି ସାରିଲେଣି । କେବଳ ଅନଭିଜ୍ଞ ଅସଂକ୍ରାମିତ ପଲ୍ଲୀସମାଜରେ ନିଜର ବୋଲି କହିବା ଭଳି ଦେଶୀୟ ସଂସ୍କୃତିର କ୍ଷୀଣକୀଟଦକ୍ଷ ଅବଶେଷ ଏପର୍ଯ୍ୟନ୍ତ ରହିଛି । ନେପାଳରେ ମଧ୍ୟ ଠିକ୍ ସେଇଆ ହୋଇଛି । ସହରର ଯୁବକମାନେ ସାହେବୀ ପୋଷାକ ପିନ୍ଧିଲେଣି, ଘରେ ସାହେବୀ ଖିଆପିଆ ସୁରୁ କଲେଣି, ସିଗାରେଟ ଟାଣିଲେଣି । କେବଳ ଇଂରେଜୀ ଭାଷାଟାକୁ କଣ୍ଠାୟତ୍ତ କରି ପାରିଥିଲେ ଆମ ଦେଶର ଶିକ୍ଷିତମାନଙ୍କଠାରୁ ସେମାନଙ୍କୁ ପୃଥକ୍ କରି ଚିହ୍ନିବାର ଆଉ କୌଣସି ଉପାୟ ନ ଥାନ୍ତା । ଏବେ ପୁଣି ଆମେରିକା ସଙ୍ଗେ ନେପାଳ ସରକାର କ’ଣ ସବୁ ବାଣିଜ୍ୟ ଚୁକ୍ତି କରିଛନ୍ତି । ଭାରତର ବଜାର ପରି କାଠମାଣ୍ଡୁର ବଜାର ମଧ୍ୟ ଆମେରିକାର ସମ୍ମୋହନ ଓ ପ୍ରସାଧନ ସାମଗ୍ରୀରେ ଭର୍ତ୍ତି ହୋଇଯିବ । ବିଚ୍ଛିନ୍ନ ହୋଇ ପଡ଼ି ରହିଥିବା ନେପାଳୀକୁ ସଂସ୍କୃତି (?) ଶିଖିବାକୁ ଆଉ ବେଶୀଦିନ ଲାଗିବ ନାହିଁ ।

 

ନେପାଳର ନବ ଜାଗରଣ :

 

ଏଇଠୁଁ ଆମେ ସିଧା ନୂଆ ନେପାଳକୁ ଚାଲି ଆସିବା । ନେପାଳ କ’ଣ ହେବ, ସେହି କଥା ହିଁ ଆମର ବିଚାର ବିଷୟ ହେବ ।

 

ବ୍ରିଟେନର କୂଟନୀତି, ନେପାଳ-ଶାସକର ଗୌରବ-ଲୋଭ, ଏଇ ଦୁଇଟି କଳଙ୍କ ହେତୁ ନେପାଳ ଆଜିଯାଏ ଅନ୍ଧାର ଭିତରେ ବୁଡ଼ି ରହିଥିଲା । ମୋଗଲପୀଡ଼ିତ ହିନ୍ଦୁର ରାଜଦର୍ଶନ-ଆକାଙ୍‍କ୍ଷା ପରି ଦୈନ୍ୟକ୍ଳିଷ୍ଟ ନେପାଳୀ ପ୍ରଜା ଅଟଳ ରାଜାନୁରାଗ ଦେଖାଇ ଆପଣା ଭାଗ୍ୟକୁ ନେଇ ସନ୍ତୁଷ୍ଟ ଓ ଶାନ୍ତ ଭାବରେ ଚଳି ଆସୁଥିଲା ।

 

ନେପାଳୀ ମନର ଗତାନୁଗତିକ ଆବର୍ଜନାଗଦାରେ ପ୍ରଥମେ ନିଆଁ କୁହୁଳିଲା ତରାଇ ଅଞ୍ଚଳର ବିରାଟନଗରରେ । ଏଇ ସ୍ଥାନର ଶ୍ରୀଯୁକ୍ତ କୃଷ୍ଣପ୍ରସାଦ କୋଇରାଲା ପ୍ରଥମେ ଲୋକସଂସ୍କାର ଓ ସମାଜ ସୁଧାରର ନୂତନ ବାଣୀ ଲୋକମାନଙ୍କ ଦ୍ୱାରକୁ ବହନ କରି ଆଣିଥିଲେ । ସେଇଦିନୁଁ ନାନା ଉପଲକ୍ଷ୍ୟ ଭିତର ଦେଇ ଧୀରେ ଧୀରେ ବିସ୍ତୀର୍ଣ୍ଣ ଭାରତ ସଙ୍ଗେ ନେପାଳର ସମ୍ପର୍କ ବଢ଼ିବାକୁ ଲାଗିଲା । ବିଦେଶୀ ସରକାର ସଙ୍ଗେ ଏକାଧିକବାର ସଂଗ୍ରାମ କରି ଭାରତ କିପରି ଧୀରେ ଧୀରେ ସଜାଗ ଓ ସଚେତନ ହୋଇ ଉଠୁଥିଲା, ନେପାଳର ଯୁବକ-ସମାଜ କେବଳ ନୀରବରେ ତାହା ଲକ୍ଷ୍ୟ କରି ଆସୁଥିଲା ।

 

ନେପାଳ ସୁରୁଖୁରୁ ନିଷ୍କଣ୍ଟକ ଶୋଷଣରେ ପ୍ରଥମ ଆଘାତ ବାଜିଲା ୧୯୪୧ ମସିହାରେ । ସ୍ୱାଧୀନ ମତ ବ୍ୟକ୍ତ କରିବାର ଅଧିକାର ଦାବୀ କରି କେତେକ ଯୁବକ ରାଜ୍ୟରେ ପ୍ରଚାର କରି ବୁଲିଲେ । ଏଇସବୁ ରାଜଦ୍ରୋହର ମୁଖ ବନ୍ଦ କରିଦେବାକୁ । ନାନା ପ୍ରକାର ସରକାରୀ କଟକଣା ଜାରୀ ହେଲା । ସେଇ କଟକଣା ଅମାନ୍ୟ କରିଥିବା ଅପରାଧରେ ପାଞ୍ଚଜଣ ଯୁବକଙ୍କୁ ଗିରଫ କରାଗଲା ଏବଂ ଏକତରଫା ବିଚାର ହୋଇ ଏମାନଙ୍କ ବେକରେ ଫାଶୀ ଲଟକାଇ ଦିଆଗଲା । ଯିଏ ଧରି ଆଣିଲା, ସେଇ ନ୍ୟାୟ କଲା, ପୁଣି ସେଇ ଶୂଳୀରେ ବସାଇଲା । ଆଗରୁ ନେପାଳ ସରକାରଙ୍କ ଆଇନ୍ ପୋଥିରେ ଫାଶୀଦଣ୍ଡ ନ ଥିଲା, କେବଳ ଏଇ ରାଜଦ୍ରୋହର ଉଚିତ ଶାସ୍ତି ବିଧାନ କରିବାକୁ ତା’ର ପୁନର୍ପ୍ରବର୍ତ୍ତନ ଦରକାର ପଡ଼ିଲା ।

 

ଏଇ ପ୍ରଥମ ଜାଗରଣର ଆଞ୍ଚ ଲୋକସାଧାରଣଙ୍କ ଭିତରେ ପହଞ୍ଚି ପାରି ନ ଥିଲା । ରାଜାଙ୍କ ରାଜ୍ୟରେ ଏପରି ଅମାନିଆ ହେବାଦ୍ୱାରା ଯେ ସେମାନଙ୍କର ଭବିଷ୍ୟତ ମଙ୍ଗଳମୟ ହେବ, ସେତେବେଳେ ଏକଥା ସବୁ ଲୋକେ ବୁଝିପାରି ନ ଥିଲେ । ଅସଲ ନିଆଁର ବାରୁଦ ଟିକକ ରକ୍ତମେଦର କେଉଁ ଶୀତଳ ଗର୍ଭ ଭିତରେ ଭବିଷ୍ୟତର ଆତ୍ମପ୍ରକାଶକୁ ଅପେକ୍ଷା କରି ବସିଥିଲା ।

 

୧୯୪୭ ମସିହାର ଆରମ୍ଭରେ ବିରାଟନଗରର ଲୁଗାକଳରେ ଶ୍ରମିକମାନେ ଧର୍ମଘଟ କରିଥିଲେ । ନିଜର ଅର୍ଥାନଟନ, ଅଳ୍ପମଜୁରୀ, ଅତିବେଶୀ ଖଟଣୀ, ଏଇସବୁ ସେମାନଙ୍କର ଅଭିଯୋଗ ଥିଲା । ହଠାତ୍ ଦିନେ ଦେଖାଗଲା, ନେପାଳ ସରକାର କଳମାଲିକଙ୍କ ପକ୍ଷ ନେଇ ଧର୍ମଘଟ ଦବେଇବାକୁ ଆସିଲେ ଗୁଳି ବନ୍ଧୁକ ଧରି । ୟା’ରି କାରଣରୁ ଗୋଟାଏ ଲୁଗାକଳର ଧର୍ମଘଟ ସମଗ୍ର ନେପାଳର ଜାତୀୟ ଆନ୍ଦୋଳନରେ ରୂପାନ୍ତରିତ ହୋଇଗଲା । ଚମମାଂସ ଭିତରର ନିଆଁ ଟିକକ ସମଗ୍ର ରାଜସଭାକୁ ଜାଳିପୋଡ଼ି ଦେବାକୁ ଜାତିର ଛାତିତଳେ ଗର୍ଜନ କରି ଉଠିଲା । ବିରାଟନଗରରେ ନିତି ଶୋଭାଯାତ୍ରା ଚାଲିଲା, ପୋଲିସ ନିତି ଲୋକଙ୍କୁ ମାଡ଼ ମାରିଲେ । ମାଡ଼ର ଆଘାତ ଯେତେବେଳେ ଯୁଗଯୁଗର ଭୟ ଓ ରାଜଭକ୍ତିର ପାଚେରୀକୁ ଭାଙ୍ଗି ପକାଇଲା, ସେତେବେଳେ ଜାତିର ଅନ୍ତରାତ୍ମା ଅଥୟ ହୋଇ ପଡ଼ିଲା; ଚରମ ମରଣକୁ ବରଣ କରି ଯମଯାତନାର ପ୍ରତିଶୋଧ ନେବାକୁ ସେ ନୂଆ ଶକ୍ତିର ରୂପନେଇ ଜନ୍ମଲାଭ କଲା । ଲାଠିମାଡ଼ ହଟିଯିବାରୁ ସରକାର ଗୁଳିର ଆଶ୍ରୟ ନେଲେ । ଥରେ ଶୋଭାଯାତ୍ରା ଉପରେ ବନ୍ଧୁକ ଫୁଟାହୋଇ ତିନିଜଣ ସ୍ତ୍ରୀଲୋକଙ୍କୁ ମାରି ଦିଆଗଲା, ଅନେକ ଲୋକ ଖଣ୍ଡିଆ ଖାବରା ହୋଇଗଲେ । ଆନ୍ଦୋଳନର ମୁଖ୍ୟ ନେତାମାନଙ୍କୁ ଗିରଫ କରି ନେଇ ରାଜ୍ୟରେ ଅନ୍ଧାରୀ ଅତ୍ୟାଚାର ଚାଲିଲା । ମୃତ କୃଷ୍ଣପ୍ରସାଦଙ୍କର ବଂଶରୁ ଆଉ କେହି ବାକି ପଡ଼ିଲେ ନାହିଁ । ତାଙ୍କର ବୃଦ୍ଧ ସ୍ତ୍ରୀଙ୍କ ଉପରେ ପୋଲିସର ଲାଠି ପାହାର ବସିଲା, ଝିଅ ଓ ବୋହୂଙ୍କ ସହିତ ତାଙ୍କୁ ବିରାଟନଗରର ଜେଲଖାନାରେ ବନ୍ଦ କରି ରଖାଗଲା । ପୁଅ ବିଶ୍ୱେଶ୍ୱର ପ୍ରସାଦଙ୍କୁ ଗିରଫ କରି ତାଙ୍କ ଉପରେ ନିର୍ମମ ଅତ୍ୟାଚାର କରାଗଲା ଶତାଧିକ ମାଇଲ ରାସ୍ତାର ଦୁରୂହ ପାର୍ବତ୍ୟ ପଥରେ ଚଲାଇ ଚଲାଇ ତାଙ୍କୁ କାଠମାଣ୍ଡୁ ନିଆଗଲା ଓ ସେଇଠି ଜେଲରେ ରଖାଗଲା ଏବଂ ଅଳ୍ପଦିନ ହେଲା ସେ ଜେଲରୁ ଖଲାସ ହୋଇ ଆସିଛନ୍ତି ।

 

ରକ୍ତଲୋଭୀ ବନ୍ଧୁକର ବାରୁଦ ଶେଷ ହେଲା, କିନ୍ତୁ ମୁକ୍ତିନାମୀ ମଣିଷର ମୁକ୍ତିକ୍ଷୁଧା ମେଣ୍ଟିଲା ନାହିଁ । ନେପାଳର ଚାରିଆଡ଼କୁ ଏଇ ବିଦ୍ରୋହୀମନର ସଂକ୍ରମଣ ହେଲା- ଅଜ୍ଞାନ ଅନୁରକ୍ତ ଚାଷୀ କ୍ରମେ ସବୁ କଥା ବୁଝିଲା, ତା’ର ରୁଦ୍ଧ ଅଭିଶାପ ପ୍ରତିଶୋଧର ଭାଷା ପାଇ ଭୁବନମୟ ହୋଇ ଉଠିଲା । କାଶୀ ଓ କଲିକତାରେ ନେପାଳୀ ରାଷ୍ଟ୍ରୀୟ କଂଗ୍ରେସର ପ୍ରତିଷ୍ଠା ହେଲା । ନେପାଳ ସରକାରଠାରେ ଲୋକତନ୍ତ୍ର ଶାସନ ଦାବିକରି ଦଳ ଦଳ ସତ୍ୟାଗ୍ରହୀ ରାଜ୍ୟ ଭିତରକୁ ପଶିଲେ । ନେପାଳର ରାଜଧାନୀ ଖାସ୍ କାଠମାଣ୍ଡୁରେ ମଧ୍ୟ ପିକେଟିଂ ଆଦି ଆରମ୍ଭ ହେଲା । ଏଇ କୁହୁଳା ନିଆଁକୁ ସମ୍ଭାଳି ରଖିବାକୁ ସରକାରଙ୍କର ମୁଣ୍ଡ ଘୁରିଗଲା । ମେ ମାସ ୧୬ ତାରିଖରେ ସରକାର ଏକ ସାଧାରଣ ଘୋଷଣା ଦ୍ୱାରା ଜଣାଇ ଦେଲେ ଯେ ନେପାଳରେ ପ୍ରତିନିଧିମୂଳକ ଶାସନ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଏକ ନୂତନ ଶାସନ ଖସଡ଼ା ତିଆରି ହେବ । ସରକାର ଏଥିଲାଗି ପଣ୍ଡିତ ଜବାହରଲାଲଙ୍କର ସାହାଯ୍ୟ ଚାହିଁବାରୁ ସେ ଦୁଇଜଣ ବିଶେଷଜ୍ଞଙ୍କୁ ନେପାଳ ପଠାଇଛନ୍ତି । ଏଇସବୁ ନୂତନ ପରିବର୍ତ୍ତନ ଦୃଷ୍ଟିରୁ ସତ୍ୟାଗ୍ରହ ଆନ୍ଦୋଳନ ଆପାତତଃ ବନ୍ଦ ଅଛି । ପ୍ରଜାଙ୍କୁ ସନ୍ତୁଷ୍ଟ କଲାଭଳି ଶାସନଖସଡ଼ା ତିଆରି ନ ହେଲେ ପୁଣି ଆନ୍ଦୋଳନ ଚାଲିବ ବୋଲି ନେପାଳ କଂଗ୍ରେସ ଜଣାଇ ଦେଇଛି ।

 

ନେପାଳର ରାଜା ହିନ୍ଦୁ, ନେପାଳର ରାଜା ସ୍ୱାଧୀନ । ତାଙ୍କ ବିରୁଦ୍ଧରେ ସତ୍ୟାଗ୍ରହ କରି ଶେଷ ସ୍ୱାଧୀନ ହିନ୍ଦୁଶାସନର ବିରୁଦ୍ଧାଚରଣ କରିବା ଅନୁଚିତ ବୋଲି ବଙ୍ଗଳାର କେତେଜଣ ହିନ୍ଦୁନେତା ନେପାଳ କଂଗ୍ରେସ ପାଖକୁ ଏକ ଆପତ୍ତିପତ୍ର ଲେଖିଥିଲେ । କି ନିର୍ବୋଧତା ! ମଣିଷକୁ କେବଳ ମଣିଷ ରୂପେ ଚିହ୍ନିନେବାର ଶାଳୀନତା ଏ ନେତାମାନଙ୍କର କ’ଣ ଏପର୍ଯ୍ୟନ୍ତ ଆସିଲା ନାହିଁ-? ମଣିଷର ମଣିଷପଣିଆକୁ ଯେଉଁଠି ନାନା କୂଟ କୌଶଳ ଓ ଆର୍ଥିକ ପେଞ୍ଚ ଦ୍ୱାରା ଦବାଇ ଦିଆ ହେଉଛି, ସେଠି ମଣିଷଲାଗି ସହାନୁଭୂତି ପ୍ରକାଶ କରିବାର ବିବେକ କ’ଣ ଏଇ ଲୋକମାନଙ୍କଠାରେ ନାହିଁ । ଖାଲି ବର୍ଣ୍ଣଗତ ସାମ୍ୟ ଅଛି ବୋଲି ନିରୀହ ନିର୍ବୋଧ ଛେଳିଛୁଆ ପରି ଗରିବ ମଣିଷ ଆଉ କେତେଦିନ ନିଜ ଭିତରେ ମଣିଷବାଘକୁ ପୋଷୁଥିବ ? ଜାତିକୁ ଏକ କରି ବାନ୍ଧି ରଖିବାକୁ ହେଲେ ଯେଉଁ କର୍ତ୍ତବ୍ୟର ବନ୍ଧନ ଅତ୍ୟାବଶ୍ୟକ, ସେଇ କର୍ତ୍ତବ୍ୟର ଆଦର୍ଶ ଦେଖାଇବ କିଏ ? ଗରିବ ହିନ୍ଦୁ କୁଲି ନା ଧନୀ ହିନ୍ଦୁ ମହାରାଜା ? ହିନ୍ଦୁ ପ୍ରଜାମାନଙ୍କୁ ଅଶିକ୍ଷିତ ଓ ଅଚ୍ଛବ କରି ରଖି, ହିନ୍ଦୁଜାଗରଣର ସବୁପ୍ରକାର ଉଚ୍ଛେଦ ସାଧନ କରି, ଅହିନ୍ଦୁ ଇଂରେଜ ଶାସନର ସୁରକ୍ଷା ଲାଗି ଗୋଳା ବାରଦ ଓ ଦରମାଖିଆ ସୈନ୍ୟ ଯେଗାଇ ନେପାଳର ମହାରାଜା ଆପଣା ହିନ୍ଦୁତ୍ୱର ଯଥେଷ୍ଟ ଆଦର୍ଶ ଦେଖାଇ ଆସିଛନ୍ତି । ଆଜି ଦେଶେ ଦେଶେ ସବୁ ଉପାସୀ ଲୋକ ଆପଣା ଭାତ, ବସ୍ତ୍ର ଓ ବସତିର ଅଧିକାର ହାସଲ କରିବାକୁ ତିଆରି ହେଉଥିବା ବେଳେ ନେପାଳର ନିପୀଡ଼ିତ ପ୍ରଜା ଆଉ କେତେଦିନ ଶୁଷ୍କ ହିନ୍ଦୁତ୍ୱର ଅନୁରାଗୀ ହୋଇ ପଡ଼ି ରହିଥାନ୍ତା ?

 

ଆଉ ବଙ୍ଗୀୟ ହିନ୍ଦୁ ନେତାମାନଙ୍କର ଜାତିତ୍ୱଲୋଭ ! ଏଇ ପୁରୁଣାକୁ ଭଲ ପାଇବା, ସିଧା ଯୁକ୍ତିକୁ ଅସ୍ୱୀକାର କରି ପ୍ରାଚୀନ ଗୌରବର ଅଗୌରବକୁ ଯାବୁଡ଼ି ଧରି ପଡ଼ି ରହିବାର ଦୈନ୍ୟ ଏ ଦେଶରେ କେତେଦିନଯାଏ ରହିଥିବ ? ନୂଆଖାଲିର ପଳାୟନ କ୍ଷେତ୍ରରେ ହିନ୍ଦୁଧର୍ମର ଯଥେଷ୍ଟ ଶକ୍ତିପରୀକ୍ଷା ହୋଇ ସାରିଛି । ପ୍ରତ୍ୟେକ ଧର୍ମ ମଣିଷକୁ ନିର୍ଭୀକ କରେ, ବଳବାନ୍ କରେ, ସଂକୀର୍ଣ୍ଣ ଜୀବନକୁ ଉଦାର ଓ ଉଚ୍ଚସ୍ତରକୁ ଉଠାଇବାର ବାଣୀ ବହନ କରି ଆଣେ । ଆଜି ଆମେ ମୁସଲମାନ ଆତତାୟୀଙ୍କୁ ଡରୁଛୁ, ଆମରି ଭିତରୁ ଅନେକ ଅଚ୍ଛବ, ଅସମର୍ଥ ଓ ଅସଚ୍ଛଳ ହୋଇ ପଶୁ ଖଟଣୀ ଖଟୁଛନ୍ତି, ଆଉ ଏଇ ଅନ୍ଧ ଧର୍ମଭୀରୁତାର ମରୁ ଉପରେ ହିନ୍ଦୁଧର୍ମ, ହିନ୍ଦୁ ସାହିତ୍ୟ ଓ ହିନ୍ଦୁ ସଂସ୍କୃତିର ଫିସାଦି କରି ହିନ୍ଦୁ ବଡ଼ଲୋକ ଗବଗଛର ବାହାଦୁରୀ କରୁଛି, ଏଇ ହେଉଛି ଆମ ହିନ୍ଦୁ ସମାଜ !

 

ଭାବପ୍ରବଣତାର ଅଫିମ ଖୁଆଇ ମଣିଷକୁ ପୋଷମନାଇ ରଖିବାର ଦିନ କ୍ରମେ ସରି ଆସୁଛି । ଦିନ ଥିଲା, ଯେତେବେଳେ ଭାରତକୁ ଧର୍ଷିତା ରୂପରେ ସଜାଇ ବା ଉତ୍କଳକୁ କବନ୍ଧା ନାରୀମୂର୍ତ୍ତିର ପ୍ରତିରୂପ ଦେଇ ଅପ୍ରବୀଣ ରାଜନୀତିଜ୍ଞ ମଣିଷ ଅନ୍ତରସ୍ପର୍ଶ କରି ପାରୁଥିଲା । ସେତେବେଳେ ନାନା ରକମର ପ୍ରତୀକ ଓ ପ୍ରତିକୃତିର ଆଶ୍ରୟ ନେଇ, ମଣିଷର ଦୁର୍ବଳ ଆବେଗ ସୁଯୋଗ ନେଇ ଖାଲି ପଶୁପରି ଅନୁସରଣ କରିବାକୁ ତାକୁ କୁହା ଯାଉଥିଲା । ଏଇ ପ୍ରତୀକ ପଛରେ ମଣିଷକୁ ଅନ୍ଧପରି ଦଉଡ଼ାଇ ତା’ର ସୂକ୍ଷ୍ମ ବିଚାରଶକ୍ତିକୁ ଅକର୍ମା କରି ଦେବାର ଦୃଷ୍ଟାନ୍ତ ସବୁ ଦେଶର ଇତିହାସରେ ଦେଖିବାକୁ ମିଳେ । ସେ ଗୋଟାଏ ଯୁଗ ଥିଲା । ଆଜି ବିବେକ ଓ ସରଳ ଯୁକ୍ତି ଉପରେ ଆମର ନୂଆ ଯୁଗର ନିର୍ମାଣ ହେବ । ଆଜି ମଣିଷ ଭୁଲିବା ଆଗରୁ ବୁଝିବ, ନେତାପଛରେ ଧାଇଁବା ଆଗରୁ ନିଜର ବାଟ ସେ ନିଜେ ଠିକ୍ କରିବ । ସବୁ ଜାତି, ସବୁ ଦେଶ ଓ ସବୁ ସ୍ୱାର୍ଥର ମୋହ ତୁଟିଯାଇ କେବଳ ଯୁକ୍ତି ଓ ସ୍ପଷ୍ଟଭାବନାର ଡୋର ଏଣିକି ମଣିଷ ସଙ୍ଗେ ମଣିଷକୁ ବାନ୍ଧି ରଖିବ । ଆଗାମୀ ମୁକ୍ତି ଯୁଗରେ ସମସ୍ତେ ମୁକ୍ତ ହେବେ-ଦେଶ ଓ ଜାତିର ସୁନାପଞ୍ଜୁରୀ ଭିତରେ କେହି ମଣିଷକୁ ବାନ୍ଧି ରଖିପାରିବ ନାହିଁ ।

 

ଇଂରାଜ କବି ରୁଡ୍‍ୟାର୍ଡ କିପ୍‍ଲିଂ ସାହିତ୍ୟରେ ନୋବେଲ ପୁରସ୍କାର ପାଇଥିଲେ । କାଠମାଣ୍ଡୁର ଦୃଶ୍ୟ ଓ ରହସ୍ୟ ସବୁକୁ ପଦ୍ୟର ରୂପ ଦେଇ ଗୋରା ସିଭିଲିଆନ୍‍ଙ୍କ ପାଇଁ ବିନୋଦନ ସାହିତ୍ୟ ଲେଖି ସେ ନାଁ କମେଇଛନ୍ତି । ତାଙ୍କର ଏଇ ସେବାକୁ ଇଂରେଜ ସାମ୍ରାଜ୍ୟ ନିଶ୍ଚୟ ଶେଷ ହେବାଯାଏ ମନେ ରଖିଥିବ । ମୋର କିନ୍ତୁ ନା ଥିଲା କବିର ଆଖି, ନା ପ୍ରତ୍ନତତ୍ୱବିତ୍‍ର ଧୈର୍ଯ୍ୟ ! ନେପାଳୀ ରମଣୀର କିଞ୍ଚିତ୍‍ବକ୍ର ଭୂରୁ, ତା’ର ଅପୂର୍ବ ଗତିଛନ୍ଦ, ତା’ର ଓଠର ହାସ୍ୟକାଳୀନ ମାଧୁରୀ ଦେଖି ତା’ ବିଷୟରେ ସାହିତ୍ୟ ଲେଖିବାର ପ୍ରବୃତ୍ତି ମୋର କେବେ ହୋଇନାହିଁ । ଏଇ ମାଟିସଂସାରର ଜଣେ ମଣିଷ ଭାବରେ ସେମାନଙ୍କୁ ମଧ୍ୟ ମୁଁ ସେଇ ମାଟିର ମଣିଷ କରି ଚିହ୍ନିଛି । ସେଥିପାଇଁ ନେପାଳ ଟାଙ୍ଗରର ସେଇ ପାର୍ବତୀ ଭିତରେ ମୁଁ ଖାଲି କ୍ଳିଷ୍ଟ, ବ୍ୟଥିତ ଏବଂ ମୂକ ମନୁଷ୍ୟତ୍ୱର ଆଭାସ ପାଇଛି । ତା’ର କ୍ଳାନ୍ତି-କୁଞ୍ଚିତ କପୋଳ, ତା’ର କର୍ମଦିବସାନ୍ତ ଶ୍ରମସ୍ୱେଦ ବେଶୀ ମୋ ନଜରରେ ପଡ଼ିଛି । ଚନ୍ଦ୍ରଗିରି ପର୍ବତର ଅମଡ଼ା ଉଠାଣି ବାଟରେ ନେପାଳର ମା’ ଓ ନେପାଳର ଭଉଣୀ ଯେତେବେଳେ କୋଇଲା ଆଉ କାଠବୋଝ ଖରନିଶ୍ୱାସ ଗଣି ଗଣି ଜୀବନର ଅଶ୍ୱସ୍ତ ମୁହୂର୍ତ୍ତଗୁଡ଼ିକୁ ବିତାଇ ଦେଉଥାଏ, ସେତେବେଳେ ମୁଁ ତା’ର ନିଷ୍ପ୍ରଭ ନୟନର ବହୁ ଗଭୀରକୁ ଯାଇ ଦେଖିଛି, କିପରି ଚମମାଂସତଳର ତା’ର ସୁକୁମାର କମଳକଳିଟି ଫୁଟିବାର ବ୍ୟାକୁଳ ଅଭିଯୋଗ ନେଇ ଅପେକ୍ଷା କରି ବସିଛି । କେତେ ଯୁଗର ସଞ୍ଚିତ କେତେ ସ୍ନେହ ପ୍ରେମ, କେତେ ଶିଳ୍ପୀର କେତେ ସ୍ୱପ୍ନ ଯେପରି ତା’ର ପ୍ରତ୍ୟେକଟି ନିଶ୍ୱାସରେ ନିଜର ମାର୍ମିକ ବେଦନା ଜଣାଇ ଯାଉଛି । ଯଦି ସେ ଆଜି ବମ୍ବେ ସେଠ ବା ଅହମଦାବାଦର କଳମାଲିକ ଘରେ ଜନ୍ମ ହୋଇଥାନ୍ତା, ତେବେ ତାକୁ ଦୁନିଆ ସଭ୍ୟ କହିଥାନ୍ତା । ତା’ର ସୌନ୍ଦର୍ଯ୍ୟର ସ୍ତୁତି ଗାଇଥାନ୍ତା, ତା’ ପାଇଁ ସମ୍ମାନର ଆସନ ସଜାଇଥାନ୍ତା । ତା’ର ରାୟବାହାଦୁର ସ୍ୱାମୀ ସଙ୍ଗେ ସେ ମଧ୍ୟ ଶାସକ ଓ ଶିକ୍ଷିତ ସମାଜରେ ‘ଦେଶସେବା’ ଓ ‘ଜନକଲ୍ୟାଣ’ କରି ବୁଲୁଥାନ୍ତା- ସେଇ ହୁଏତ ସଭ୍ୟତାର ଭାଷା ପଢ଼ି ଦେଶର ବାଣୀ ଓ ଭବିଷ୍ୟତର ସନ୍ଦେଶ ଦେଶ ବିଦେଶରେ ପ୍ରଚାର କରି ବୁଲୁଥାନ୍ତା । କିନ୍ତୁ ତାକୁ ସେ ରୌପ୍ୟମୃତ୍ତିକାରେ ଗଢ଼ିବାର ମତଲବ ବୋଧହୁଏ ବିଧାତାର ନ ଥିଲା । ସେ କୋଠାରେ ନ ବଢ଼ି, ପର୍ବତ ତଳର କୁଡ଼ିଆରେ ମଣିଷ ହେଲା; ସେଥିଲାଗି ସେ ହେଲା ଗରିବ । ସେଇଥିପାଇଁ ସେ କାଠବୋଝ ବୋହି ଜୀବନ ବିକିଲା, ହିନ୍ଦୁ ନେତାର ଗୌରବମଣି ମହାରାଜାଙ୍କର ଅୟସ ଓ ଉଆସ ଲାଗି ସେ ଖଜଣା ଗଣିଲା । କିନ୍ତୁ ତା’ର ଅନ୍ତର ଭିତରର ଯେଉଁ କମଳ କଳିଟି ଏପର୍ଯ୍ୟନ୍ତ ପ୍ରଭାତ ସୂର୍ଯ୍ୟର ପ୍ରତୀକ୍ଷାରେ ବସି ରହିଛି, ତା’ ଲାଗି କ’ଣ ରାତି ଆଉ ପାହିବ ନାହିଁ ? ଏଇ ଜୀବିତ ମୃତ୍ୟୁର ମୋହପାଶକୁ ପୋଡ଼ିବା ଲାଗି କ’ଣ ପୂର୍ବଗଗନରେ ଉଦୟନିଆଁ ଜଳି ଉଠିବ ନାହିଁ ?

 

ସେଦିନ ସେଇ ଧୂସର ସକାଳେ ଯେତେବେଳେ ଆମେ ପ୍ରଥମ କରି ନେପାଳ ଭିତରକୁ ପଶିଲୁ, ସେଦିନ ହିନ୍ଦୁସ୍ଥାନକୁ ପଛରେ ଛାଡ଼ିଗଲି ବୋଲି ମନେ ମନେ ଗୋଟାଏ ବିଷର୍ଣ୍ଣ ଭାବ ଅନୁଭବ କରିଥିଲି । ତା’ର ପଚିଶ ଦିନପରେ ରକ୍‍ସଲ୍‍ଠାରେ ପୁଣି ଭାରତର ମାଟିରେ ପାଦ ପକାଇ ପରମ ଆନନ୍ଦ ଲାଭ କଲି । କିନ୍ତୁ ଏଥରର ଆନନ୍ଦଟା ଏକ ନୂତନ ଆବିଷ୍କାରର ଆନନ୍ଦ । ଭାରତରେ ମଣିଷ ଓ ଅମଣିଷ ଭିତରେ, ପ୍ରୀତି ଓ ସ୍ୱାର୍ଥ ଭିତରେ ଯେଉଁ ମୁକ୍ତି ଲଢ଼େଇ ଚାଲିଛି, ତା’ର ଶିବିର ମୁଁ ନେପାଳରେ ମଧ୍ୟ ଦେଖି ଆସିଲି । ସମାଜର ନାନାକ୍ଷେତ୍ରରେ କୋଟି କୋଟି ଲୋକଙ୍କୁ ଜବରଦସ୍ତି ଉପାସୀ ରଖାଯାଇଛି । ସେମାନେ ସବୁ ଦେଶର । ଗରିବର ଦେଶ ନାହିଁ, କାଙ୍ଗାଳର ଜାତି ନାହିଁ, ବଞ୍ଚିତ ବର୍ଗଲାଗି କୌଣସି ଭୌଗୋଳିକ ସୀମା ନାହିଁ ସବୁ ଦେଶର ବାବୁ, ସବୁ ଦେଶର ବଡ଼ଲୋକ ଆପାଣାର ସୁଖସୁବିଧା ପାଇଁ ଏସବୁ ଭିଆଣ କରିଛି । ଏଇ ମେଣ୍ଢାକୁ ଚିରଦିନ ମେଣ୍ଢା କରି ରଖି ସେ ନିଜର ସାହିତ୍ୟ, ନିଜର ସଂସ୍କୃତି ଓ ନିଜର ସଭ୍ୟତା ଚଷି ରସ ଆହରଣ କରୁଛି । ନେପାଳୀ କୁଲି ସେଇ କୁଲି ହୋଇ ପଡ଼ି ରହିଛି; ସେଥିପାଇଁ ନେପାଳର ମହାରାଜା ହୋଇ ବଞ୍ଚି ରହିଛି ।

 

ଭାଗ୍ୟ କାହାକୁ ମେଣ୍ଢା ବା କାହାକୁ ମଣିଷ କରେ ନାହିଁ । ମଣିଷର ଅଜ୍ଞାନତା ହିଁ ତାକୁ ଅଧଃପତନର ମୁହଁକୁ ଟାଣିନିଏ । ଗୋଡ଼ ଦମ୍ଭ କରି ଜୀବନଭରା ସୁଖ ଓ ସମୃଦ୍ଧିରେ ଦିନ ବଞ୍ଚିବାର ପ୍ରବୃତ୍ତି ସବୁ ମଣିଷ ଭିତରେ ରହିଛି । ଏଇ ନିଷ୍ଠୁର ସତ୍ୟକୁ ମଣିଷ ଧୀରେ ଧୀରେ ବୁଝିବାକୁ ଆରମ୍ଭ କଲାଣି । ଯିଏ ବୁଝୁଛି, ତା’ର ଅନ୍ତରର ଅଗ୍ନି ପୁଣି ପର୍ବତ ଫୁଟାଇବା ପାଇଁ ଗର୍ଜି ଉଠୁଛି । ଯିଏ ନାନା ପ୍ରକାର କାନୁନ୍ ଗଢ଼ି ଏଇ ଅଗ୍ନିକୁ ବନ୍ଦ କରି ରଖିଥିଲା, ସେ ମଧ୍ୟ ଏଇ ବିସ୍ଫୋରଣର ଆଶଙ୍କାରେ ପ୍ରମାଦ ଗଣିଲାଣି, ତେଣୁ ସେ ମଧ୍ୟ ସଜ ହେଉଛି ତା’ର ଶେଷ ମରଣଯୁଦ୍ଧ ପାଇଁ ।

 

ଏଇ ଆଗାମୀ ଯୁଦ୍ଧରେ ସବୁ ଦେଶ ଓ ସବୁ ଜାତିରେ ମୁକ୍ତି ପକ୍ଷର ଶିବିର ତୋଳା ହେବ । ଆଲୋକର ବିପୁଳ ପିପାସା ଏ ଯୁଗର ସବୁ ଭେଦ ଓ ବିଦ୍ୱେଷକୁ ନିର୍ମୁଳ କରି ନୂଆ ନିର୍ମାଣର ପ୍ରେମାସ୍ତ୍ର ତିଆରି କରିବ । ସେଦିନ ଭାରତ ଓ ନେପାଳର ଗରିବ ଭିତରେ କୌଣସି ବ୍ୟବଧାନ ରହିବ ନାହିଁ ।

 

ଯୁଗ ଯୁଗର ବନ୍ଧୁରତାକୁ ଭାଙ୍ଗିବା ପାଇଁ ଏକ ତୁମୁଳ ତୋଫାନ ଆସୁଛି ତାହା ଅନିବାର୍ଯ୍ୟ । କୌଣସି ରକମର ଅଫିମ ବା ଆଶ୍ୱସନା ଦେଇ ତା’ର ଫୌଜକୁ କେହି ଅଟକାଇ ରଖିପାରିବ ନାହିଁ । ସୃଷ୍ଟି-ଚକ୍ରରେ ନିର୍ମାଣ ପରି ପ୍ରଳୟର ମଧ୍ୟ ସମାନ ଆବଶ୍ୟକତା ରହିଛି । ରାତ୍ରି ଶେଷର ଝଡ଼ ଅନ୍ଧାର ପରି ଏଇ ତୋଫାନ ମଣିଷ ସମାଜରେ ଅରୁଣ ଯୁଗର ଚେତନା ଜଗାଇଦେବ । ତେଣୁ ସକାଳ ଲାଗି ଅପେକ୍ଷା କରିବା ସଙ୍ଗେ ସଙ୍ଗେ ଏଇ ଝଡ଼ତୋଫାନକୁ ମଧ୍ୟ ସବୁ ଦେଶର କବିକୁ ଅଭିନନ୍ଦନ କରିବାକୁ ହେବ ।

Image